ମନୋରଞ୍ଜନ
ଓଡ଼ିଶା
ବିଶ୍ୱ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍: ଆଜି ନୀରଜ, କିଶୋରଙ୍କ ଭାଗ୍ୟ ପରୀକ୍ଷା
ବୁଦାପେଷ୍ଟ: ହଙ୍ଗେରୀର ବୁଦାପେଷ୍ଟଠାରେ ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ର ଉନବିଂଶ ସଂସ୍କରଣ ରବିବାର ଉଦ୍ଯାପିତ ହେବ। ଉଦ୍ଯାପନୀ ଦିବସରେ ପ୍ରତିଯୋଗିତାର ଅନ୍ୟତମ ଆକର୍ଷଣୀୟ ଇଭେଣ୍ଟ ପୁରୁଷ ଜାଭେଲିନ ଥ୍ରୋ’ ଫାଇନାଲ ରାଉଣ୍ଡ ରହିଛି। ଏଥିରେ ଭାରତର ୩ଜଣ ଆଥ୍ଲେଟ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ସମେତ ଡିପି ମନୁ ଓ ଓଡ଼ିଶାର କିଶୋର ଜେନା ଫାଇନାଲ ରାଉଣ୍ଡରେ ପଦକ ପାଇଁ ଲଢ଼େଇରେ ଅବତୀର୍ଣ୍ଣ ହେବେ। […]
ବୁଦାପେଷ୍ଟ: ହଙ୍ଗେରୀର ବୁଦାପେଷ୍ଟଠାରେ ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନ୍ସିପ୍ର ଉନବିଂଶ ସଂସ୍କରଣ ରବିବାର ଉଦ୍ଯାପିତ ହେବ। ଉଦ୍ଯାପନୀ ଦିବସରେ ପ୍ରତିଯୋଗିତାର ଅନ୍ୟତମ ଆକର୍ଷଣୀୟ ଇଭେଣ୍ଟ ପୁରୁଷ ଜାଭେଲିନ ଥ୍ରୋ’ ଫାଇନାଲ ରାଉଣ୍ଡ ରହିଛି। ଏଥିରେ ଭାରତର ୩ଜଣ ଆଥ୍ଲେଟ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ସମେତ ଡିପି ମନୁ ଓ ଓଡ଼ିଶାର କିଶୋର ଜେନା ଫାଇନାଲ ରାଉଣ୍ଡରେ ପଦକ ପାଇଁ ଲଢ଼େଇରେ ଅବତୀର୍ଣ୍ଣ ହେବେ। କ୍ୱାଲିଫାଇଂ ରାଇଣ୍ଡରେ ସମସ୍ତ ଥ୍ରୋୟର’ଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରି ଫାଇନାଲରେ ପହଞ୍ଚିଥିବାରୁ ନୀରଜଙ୍କଠାରୁ ସାରା ଦେଶର କ୍ରୀଡ଼ାପ୍ରେମୀ ସ୍ୱର୍ଣ୍ଣ ପଦକ ଆଶା ରଖିଛନ୍ତି। ସେହିଭଳି ଓଡ଼ିଶାର ପ୍ରଥମ କ୍ରୀଡ଼ାବିତ୍ ଭାବେ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିଅନସିପ୍ରେ ଅଂଶଗ୍ରହଣ କରିଥିବା କିଶୋରଙ୍କଠାରୁ ମଧ୍ୟ ସାଢ଼େ ୪ କୋଟି ଓଡ଼ିଆବାସୀ ଚମତ୍କାରିତା ଆଶାରେ ରହିଛନ୍ତି।
ପୁରୁଷ ଜାଭେଲିନ ଥ୍ରୋ’ର କ୍ୱାଲିଫାଇଂ ରାଉଣ୍ଡରେ ନୀରଜ ତାଙ୍କ ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଜାଭେଲିନ ଫିଙ୍ଗି ଏକାଥରକେ ୨ଟି ସଫଳତା ପାଇଥିଲେ। ସେ ଏହି ମେଗା ଇଭେଣ୍ଟର ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଥିବାବେଳେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଲାଗି ମଧ୍ୟ ଟିକଟ୍ ହାସଲ କରିଥିଲେ। ଆଗାମୀ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ମାର୍କ ୮୫.୫୦ ମିଟର ରହିଥିଲା। କ୍ୱାଲିଫାଇଂରେ ପାକିସ୍ତାନର ଆର୍ଶଦ ନଦୀମ ନୀରଜଙ୍କୁ କଡ଼ା ଟକ୍କର ଦେଇଥିଲେ। ସେ ୮୬.୭୯ ମିଟର ଜାଭେଲିନ ଫିଙ୍ଗି ନୀରଜଙ୍କ ପଛକୁ ୨ୟ ସ୍ଥାନରେ ରହିଥିଲେ। ରବିବାର ହେବାକୁ ଥିବା ଫାଇନାଲ ରାଉଣ୍ଡରେ ନୀରଜ ଓ ନଦୀମଙ୍କ ମଧ୍ୟରେ ଜୋର୍ଦାର ଲଢ଼େଇ ହେବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ୨୫ ବର୍ଷୀୟ ନୀରଜ ଗତବର୍ଷ ଏହି ମେଗା ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ତେଣୁ ରବିବାର ସେ ଏଠାରେ ସ୍ୱର୍ଣ୍ଣ ଜିତି କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବେ। ସେହିଭଳି କ୍ୱାଲିଫାଇଂ ରାଉଣ୍ଡରେ ଡିପି ମନୁ ୮୧.୩୧ ମିଟର ସହ ଯୋଗ୍ୟତା ଲାଭ କରିଥିଲେ। ଓଡ଼ିଶାର କିଶୋର ଗ୍ରୁପ୍-ବି କ୍ୱାଲିଫାଇଂରେ ଅଂଶଗ୍ରହଣ କରି ୮୦.୫୫ ମିଟର ଜାଭେଲିନ ଫିଙ୍ଗିବା ସହ ଫାଇନାଲ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଥିଲେ। କିଶୋରଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୩୮ ମିଟର ରହିଛି। ଯାହାକୁ ସେ ନିକଟରେ ଶ୍ରୀଲଙ୍କା ଜାତୀୟ ପ୍ରତିଯୋଗିତାରେ ହାସଲ କରିଥିଲେ। ତେଣୁ ତାଙ୍କଠାରୁ ସେହିଭଳି ଆଉ ଏକ ବଡ଼ ଥ୍ରୋ’ ସାରା ଓଡ଼ିଶାବାସୀ ଆଶା ରଖିଛନ୍ତି।
୨୦୦ ମିଟରରେ ଶେରିକାଙ୍କ ଟାଇଟଲ୍ ବଜାୟ: ଏହି ବିଶ୍ୱ ଆଥ୍ଲେଟିକ ଚାମ୍ପିଅନସିପ୍ର ମହିଳା ୨୦୦ ମିଟର ଦୌଡ଼ରେ ଜାମାଇକାର ଶେରିକା ଜ୍ୟାକସନ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଫାଇନାଲରେ ସେ ୨୧.୪୧ ସେକେଣ୍ଡରେ ରେସ୍ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୨୦୦ ମିଟରରେ ଏହା ୨ୟ ଶ୍ରେଷ୍ଠ ଟାଇମିଂ ହେବାର ସୌଭାଗ୍ୟ ଲାଭ କରିଛି। ଏହି ପ୍ରତିଯୋଗିତାରେ ଶେରିକା ୨ୟ ପଦକ ଜିତିଛନ୍ତି। ପୂର୍ବରୁ ସେ ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ। ଆମେରିକାର ଦୁଇ ଧାବିକା ଗ୍ରାବିଏଲ୍ ଥୋମାସ (୨୧.୮୧) ଓ କାରି ରିଚାର୍ଡସନ (୨୧.୯୨) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିବା କାରି ୨୦୦ ମିଟରରେ କିନ୍ତୁ ପୋଡିୟମର ୩ୟ ସ୍ଥାନରେ ଫିନିଶ କରିଛନ୍ତି। ସେହିଭଳି ପୁରୁଷ ୨୦୦ ମିଟରରେ ଆମେରିକାର ନୋଆ ଲାଇସ୍ ୧୯.୫୨ ସେକେଣ୍ଡରେ ରେସ୍ ଶେଷ କରି ଚାମ୍ପିଅନ ହୋଇଛନ୍ତି। ଏଥିସହ ସେ ୧୦୦ ପରେ ୨୦୦ରେ ସ୍ୱର୍ଣ୍ଣ ଜିତି ଡବଲ୍ ସଫଳତା ପାଇଛନ୍ତି। ବିଶ୍ୱ ଆଥ୍ଲେଟିକ ଚାମ୍ପିଅନସିପ୍ ଇତିହାସରେ ଜାମାଇକାର ମହାନ ଧାବକ ଉସେନ ବୋଲ୍ଟ ୩ଥର (୨୦୦୯, ୨୦୧୩ ଓ ୨୦୧୫) ଏହି (୧୦୦ ଓ ୨୦୦ ମିଟର) ଡବଲ୍ ସ୍ୱର୍ଣ୍ଣ ସଫଳତା ପାଇଥିଲେ।
ଫାଇନାଲରେ ଭାରତୀୟ ରିଲେ ଦଳ: ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିଅନସିପ୍ରେ ଭାରତ ପାଇଁ ଆଉ ଏକ ଖୁସି ଖବର ଆସିଛି। ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ରେସ୍ରେ ଭାରତୀୟ ଦଳ ପ୍ରଥମଥର ଲାଗି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି। ମହମ୍ମଦ ଆନସ, ଅମୋଜ ଜ୍ୟାକବ, ମହମ୍ମଦ ଆଜମଲ ଭାରିୟାଥୋଡି ଓ ରାଜେଶ ରମେଶଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଦଳ କ୍ୱାଲିଫାଇଂ ରାଉଣ୍ଡରେ ହିଟ୍ସରେ ୨ୟ ସ୍ଥାନରେ ରହି ଏହି ସଫଳତା ପାଇଛନ୍ତି। ଏହି ଦୂରତାକୁ ଭାରତୀୟ ଦଳ ୨ ମିନିଟ୍ ୫୦.୦୫ ସେକେଣ୍ଡରେ ଶେଷ କରି ନୂଆ ଏସିଆ ରେକର୍ଡ ମଧ୍ୟ ସ୍ଥାପନ କରିଛି।
ବେରିସୋଙ୍କୁ ମାରାଥନ ସ୍ୱର୍ଣ୍ଣ: ସେହିଭଳି ମହିଳା ମାରାଥନରେ ଇଥିଓପିଆର ଆମାନେ ବେରିସୋ ଚାମ୍ପିଅନ ହୋଇଛନ୍ତି। ସେ ନିଜ ଦେଶର ଗୋତ୍ୟତମ ଗେବ୍ରେସଲାସେଙ୍କୁ ୧୧ ସେକେଣ୍ଡ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିନେଇଛନ୍ତି। ବେରିସୋ ୨ ଘଣ୍ଟା ୨୪ ମିନିଟ୍ ୨୩ ସେକେଣ୍ଡରେ ରେସ୍ ଶେଷ କରିଥିଲେ। ଗୋତ୍ୟତମ (୨:୨୪:୩୪)ଙ୍କୁ ରୌପ୍ୟ ଓ ମରକ୍କୋର ଫାତିମା (୨:୨୫:୨୭) କାଂସ୍ୟ ପଦକ ଜିତିଥିଲେ।





