ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା ଭାରତ; ଆଜି ଫାଇନାଲ ମୁକାବିଲା
ଲାଉଡରହିଲ: ଟିମ୍ ଇଣ୍ଡିଆର ଦୁଇ ପ୍ରାରମ୍ଭିକ ଖେଳାଳି ଯଶସ୍ୱୀ ଜୟସ୍ୱାଲ ଓ ଶୁବମାନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜ୍କୁ ୯ ୱିକେଟରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୨ରେ ବରାବର ସ୍ଥିତିକୁ ନେଇଆସିଛି। ଏଠାରେ ରବିବାର ଖେଳାଯିବାକୁ ଥିବା ୫ମ ତଥା ଚୂଡାନ୍ତ ଟି-୨୦ରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ସିରିଜ୍ କବ୍ଜା କରିବ। ଆମେରିକାର ଫ୍ଲୋରିଡାରେ ଶନିବାର ଅନୁଷ୍ଠିତ ଚତୁର୍ଥ ମୁକାବିଲାରେ ସିମରନ୍ ହେଟମାୟର […]
ଲାଉଡରହିଲ: ଟିମ୍ ଇଣ୍ଡିଆର ଦୁଇ ପ୍ରାରମ୍ଭିକ ଖେଳାଳି ଯଶସ୍ୱୀ ଜୟସ୍ୱାଲ ଓ ଶୁବମାନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜ୍କୁ ୯ ୱିକେଟରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୨ରେ ବରାବର ସ୍ଥିତିକୁ ନେଇଆସିଛି। ଏଠାରେ ରବିବାର ଖେଳାଯିବାକୁ ଥିବା ୫ମ ତଥା ଚୂଡାନ୍ତ ଟି-୨୦ରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ସିରିଜ୍ କବ୍ଜା କରିବ।
ଆମେରିକାର ଫ୍ଲୋରିଡାରେ ଶନିବାର ଅନୁଷ୍ଠିତ ଚତୁର୍ଥ ମୁକାବିଲାରେ ସିମରନ୍ ହେଟମାୟର ୩୯ ବଲ୍ରେ ୬୧ ଓ ଦିନିକିଆ ଦଳର ଅଧିନାୟକ ସାଇ ହୋପ୍ ୨୯ ବଲ୍ରେ ୪୫ ରନ୍ କରିବା ଫଳରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୮ ରନ୍ କରିଥିଲା। ଜବାବରେ ଜୟସ୍ୱାଲ ଓ ଗିଲ ପ୍ରଥମ ୱିକେଟ ଭାଗିଦାରୀରେ ୯୪ ବଲ୍ରୁ ୧୬୫ ରନ୍ ଉଠାଇବା ଫଳରେ ଭାରତ ୩ ଓଭର ବା ୧୮ବଲ ଓ ୯ଟି ୱିକେଟ ବାକିଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଫର୍ମକୁ ଫେରିବା ସୂଚନା ଦେଇଥିବା ଗିଲ ୪୭ ବଲ୍ରେ ୩ ଚୌକା ଓ ୫ ଛକା ସହ ୭୭ ରନ୍ କରି ୧୬ତମ ଓଭରରେ ଆଉଟ ହୋଇଥିଲେ। କିନ୍ତୁ ଜୀବନର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଜୟସ୍ୱାଲ ୫୧ ବଲ୍ରେ ୧୧ ଚୌକା ଓ ୩ଛକା ସହାୟତାରେ ୮୪ ରନ୍ କରି ଶେଷଯାଏ ଅପରାଜିତ ରହିଥିଲେ। ଗିଲଙ୍କ ଆଉଟ ପରେ ତିଳକ ବର୍ମା ୭ ରନ୍ କରି ଆଉ କୌଣସି କ୍ଷତି ହେବାକୁ ଦେଇ ନଥିଲେ। ଏହି ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଓ ଏହାର ପରବର୍ତ୍ତୀ ଦୁଇଟି ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଏହି ପଡ଼ିଆରେ ରବିବାର ୫ମ ତଥା ଶେଷ ଟି-୨୦ ମୁକାବିଲା ଖେଳାଯିବ।
୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୨-୧ରେ ଆଗୁଆ ଥିବା ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେବା ପରେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ହରାଇଥିଲା। ଦଳ ୫୭ ରନ୍ରେ ୪ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ପ୍ରଥମଥର ଖେଳୁଥିବା ଦିନିକିଆ ଅଧିନାୟକ ସାଇ ହୋପ୍ ୨୯ ବଲ୍ରେ ୩ ଚୌକା ଓ ୨ଛକା ସହ ୪୫ ଓ ହେଟମାୟର ୩୯ବଲ ଖେଳି ୬୧ ରନ୍ର ଏକ ବଡ଼ ସ୍କୋର କରିବା ଫଳରେ ୱେଷ୍ଟଇଣ୍ଡିଜ୍ର ସ୍କୋର ସମ୍ମାନଜନକ ହୋଇଥିଲା। ହେଟମାୟର ତାଙ୍କ ଅର୍ଦ୍ଧଶତକୀୟ ପାଳିରେ ୩ଟି ଚୌକା ଓ ୪ଟି ଆକର୍ଷଣୀୟ ଛକା ମାରିଥିଲେ। ଓଡ଼ିଆନ ସ୍ମିଥ ୧୨ ବଲ୍ରୁ ୧୫ ରନ୍ କରି ଦଳୀୟ ସ୍କୋରକୁ ୮ ୱିକେଟରେ ୧୭୮ ରନ୍ରେ ପହଞ୍ଚିପାରିଥିଲା।
ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ନେଇ ୱେଷ୍ଟଇଣ୍ଡିଜ୍ ପାଳିରେ ବ୍ରେକ୍ ଦେଇଥିଲେ। ହେଟମାୟରଙ୍କୁ ଆଉଟ କରି ଅର୍ଶଦୀପ ତୃତୀୟ ସଫଳତା ପାଇଥିଲେ। ଏହି ମ୍ୟାଚ୍ ଲାଗି ଭାରତୀୟ ଦଳ ଅପରିବର୍ତ୍ତିତ ରହିଥିଲାବେଳେ ୱେଷ୍ଟଇଣ୍ଡିଜ୍ ୩ଟି ପରିବର୍ତ୍ତନ କରିଥିଲା।





