ଓଡ଼ିଶାରୁ ଉତ୍ତରପ୍ରଦେଶ ଅଭିମୁଖେ ୩୦୮ ଚକିଆ 'ମହାବଳୀ' ଟ୍ରକ୍, ଦୈନିକ ଅତିକ୍ରମ କରୁଛି ମାତ୍ର ୨୦ କିମି ରାସ୍ତା

Suryakanta Picture
Published On

ଓଡ଼ିଶାର ପାରାଦୀପ ବନ୍ଦରରୁ ବାହାରିଥିବା ଏକ ବିଶାଳ ୩୦୮ ଚକିଆ 'ମହାବଳୀ' ଟ୍ରକ୍ ଏବେ ସୋସିଆଲ ମିଡିଆ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତରପ୍ରଦେଶର ଲଖିମପୁର ଖେରୀ ଅଭିମୁଖେ ଯାଉଥିବା ଏହି ମେଗା ଟ୍ରକ୍ ପ୍ରାୟ ୧୦୦୦ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରିସାରିଛି। ଏହାର ବିଶାଳ ଆକାର ଏବଂ ଓଜନ ଯୋଗୁଁ ଏହା ଦୈନିକ ମାତ୍ର ୧୦ରୁ ୨୦ କିଲୋମିଟର ରାସ୍ତା ଅତିକ୍ରମ କରିପାରୁଛି।

ଆହୁରି ପଢ଼ନ୍ତୁ: ବାର୍ କାଉନସିଲରେ ମହିଳାଙ୍କୁ ମିଳିବ କି ୩୦% ସଂରକ୍ଷଣ? ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ବେଲଜିୟମରୁ ଆସିଛି ବିଶାଳ ଯନ୍ତ୍ରପାତି

ଏହି ବିଶାଳ ଟ୍ରକରେ ଏକ ରିଆକ୍ଟର ବା ଭାକ୍ୟୁମ୍ ବଏଲର୍ ବୁହାଯାଉଛି, ଯାହାର ଓଜନ ପ୍ରାୟ ୨୦୦ ଟନ୍ (ବା ୧୬୪.୨୮ ମେଟ୍ରିକ୍ ଟନ୍) ଏବଂ ଲମ୍ବ ୪୧ ମିଟର ହେବ। ଏହି ମେସିନ୍‌କୁ ସମୁଦ୍ର ପଥ ଦେଇ ବେଲଜିୟମରୁ ଓଡ଼ିଶାର ପାରାଦୀପ ବନ୍ଦରକୁ ଅଣାଯାଇଥିଲା। ସେଠାରୁ ଏହାକୁ ସଡ଼କ ପଥରେ ଉତ୍ତରପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାସ୍ଥିତ କୁମ୍ଭୀରେ ଥିବା ବଳରାମପୁର ଚିନି କଳ (Balrampur Chini Mills Limited) କୁ ନିଆଯାଉଛି। ଏହି ବିଶାଳ ମେସିନ୍‌କୁ ଭାରତର ପ୍ରଥମ ଇଣ୍ଡଷ୍ଟ୍ରିଆଲ୍-ସ୍କେଲ୍ ବାୟୋ-ପ୍ଲାଷ୍ଟିକ୍ (PLA) ପ୍ଲାଣ୍ଟ୍ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯିବ।

ଆହୁରି ପଢ଼ନ୍ତୁ: ଚିଲିକାରେ ମାଛ ବଂଶ ନେଇ ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଅନୁଭବରେ ହ୍ରାସ

ଯାତ୍ରା ପଥରେ ଅନେକ ଆହ୍ୱାନ

ଏହି 'ମହାବଳୀ' ଟ୍ରକ୍‌ର ଯାତ୍ରା ପଥ ଆଦୌ ସହଜ ନୁହେଁ। ଉଚ୍ଚତା ଓ ଓସାର କାରଣରୁ ରାସ୍ତାରେ ବିଭିନ୍ନ ସମସ୍ୟା ଉପୁଜୁଛି। କେଉଁଠି ଇଲେକ୍ଟ୍ରିକ୍ ଖୁଣ୍ଟ ହଟାଇବାକୁ ପଡୁଛି ତ ଆଉ କେଉଁଠି ରାସ୍ତାରେ ନୂତନ ପରିବର୍ତ୍ତନ କରାଯାଉଛି। ନିକଟରେ ଉତ୍ତରପ୍ରଦେଶର ଚାନ୍ଦୌଲିଠାରେ ଏହି ଟ୍ରକ୍‌ଟି ରାସ୍ତା ସମସ୍ୟା ପାଇଁ କିଛି ଦିନ ଅଟକି ରହିଥିଲା। ପରେ ଜେସିବି (JCB) ମେସିନ୍ ସାହାଯ୍ୟରେ ରାସ୍ତା ପ୍ରସ୍ତୁତ କରାଯାଇ ଏହାକୁ ଆଗକୁ ବଢ଼ିବାକୁ ଅନୁମତି ମିଳିଥିଲା। ବାରଣାସୀ ଦେଇ ଯାଉଥିବା ସମୟରେ ଫୁଟ୍ ଓଭରବ୍ରିଜ୍ ଭଳି ଆହ୍ୱାନକୁ ମଧ୍ୟ ସାବଧାନତାର ସହ ପାର କରାଯାଉଛି।

କୋଟି କୋଟି ଟଙ୍କାର ଖର୍ଚ୍ଚ ଏବଂ ଲଜିଷ୍ଟିକ୍ ଟିମ୍

ଏତେ ବଡ଼ ଯନ୍ତ୍ରପାତିକୁ ପରିବହନ କରିବା ପାଇଁ ବ୍ୟାପକ ଖର୍ଚ୍ଚ ମଧ୍ୟ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଦିନରେ ଏହି ଟ୍ରକ୍ ପ୍ରାୟ ୨୦୦ ଲିଟର ଡିଜେଲ ଖର୍ଚ୍ଚ କରୁଛି ଏବଂ ଏପର୍ଯ୍ୟନ୍ତ କେବଳ ଇନ୍ଧନ ବାବଦକୁ ୨ କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇସାରିଲାଣି। ଏହି ଯାତ୍ରା ବିଗତ ୪-୫ ମାସ ଧରି ଚାଲିଥିବା ବେଳେ ଏହାକୁ ପରିଚାଳନା କରିବା ପାଇଁ ୪୦ରୁ ଅଧିକ କର୍ମଚାରୀ ଏବଂ ଇଞ୍ଜିନିୟରଙ୍କ ଏକ ଟିମ୍ ମଧ୍ୟ ଏକାଠି ଯାତ୍ରା କରୁଛନ୍ତି। ସେମାନେ ରାସ୍ତାରେ ହିଁ ରୋଷେଇ କରିବା ସହ ଖିଆପିଆ କରୁଛନ୍ତି। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନର ସହଯୋଗରେ ଏହି ମେଗା ଟ୍ରକ୍ ଖୁବ୍ ଶୀଘ୍ର ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp