ପତଞ୍ଜଳି ମାମଲାରେ ଅଦାଲତଙ୍କ ଉଚିତ ରାୟ, ଜନତାଙ୍କ ବୃହତ୍‌ ସ୍ବାର୍ଥ ସୁରକ୍ଷିତ ରହୁ

The Sakala Picture
Published On

ଯୋଗ, ଭକ୍ତି, ଧ୍ୟାନ, ନିୟମ, ପ୍ରାଣାୟାମ, ଆୟୁର୍ବେଦ ଆଦି ଭାରତୀୟ ସଂସ୍କୃତିର ଗୋଟିଏ ଗୋଟିଏ ଅଙ୍ଗ, ଯାହା ମାନବ କଲ୍ୟାଣ ପାଇଁ ଅଭିପ୍ରେତ। ଏଥିରେ ବ୍ୟବସାୟିକତା ନଥାଏ। ଏହା ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାସତ୍ତ୍ବେ ଆଧୁନିକ ଉପଭୋକ୍ତାବାଦ ଏ ସବୁକୁ ବେପାରରେ ପରିଣତ କରିଛି। ଯୋଗ ପାଇଁ ଖ୍ୟାତି ଅର୍ଜନ କରିଥିବା ବାବା ରାମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ପତଞ୍ଜଳି ଆୟୁର୍ବେଦ ଔଷଧ କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଲୋକଙ୍କୁ ଠକି ଯେଉଁସବୁ ଔଷଧ ବିକ୍ରି […]

ଯୋଗ, ଭକ୍ତି, ଧ୍ୟାନ, ନିୟମ, ପ୍ରାଣାୟାମ, ଆୟୁର୍ବେଦ ଆଦି ଭାରତୀୟ ସଂସ୍କୃତିର ଗୋଟିଏ ଗୋଟିଏ ଅଙ୍ଗ, ଯାହା ମାନବ କଲ୍ୟାଣ ପାଇଁ ଅଭିପ୍ରେତ। ଏଥିରେ ବ୍ୟବସାୟିକତା ନଥାଏ। ଏହା ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହାସତ୍ତ୍ବେ ଆଧୁନିକ ଉପଭୋକ୍ତାବାଦ ଏ ସବୁକୁ ବେପାରରେ ପରିଣତ କରିଛି। ଯୋଗ ପାଇଁ ଖ୍ୟାତି ଅର୍ଜନ କରିଥିବା ବାବା ରାମଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ପତଞ୍ଜଳି ଆୟୁର୍ବେଦ ଔଷଧ କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଲୋକଙ୍କୁ ଠକି ଯେଉଁସବୁ ଔଷଧ ବିକ୍ରି କରୁଛି ତାହାର ଦ୍ରବ୍ୟଗୁଣ, ମାନ ଓ କରାମତି ବିଜ୍ଞାପନ ଅନୁରୂପ ନୁହେଁ ବୋଲି ଜଣାପଡ଼ିବା ପରେ ବାବା ଓ ତାଙ୍କ ଔଷଧ କମ୍ପାନୀ ପତଞ୍ଜଳି ଏବେ କାଠଗଡ଼଼ାରେ। ମଙ୍ଗଳବାର ସୁପ୍ରିମକୋର୍ଟ ରାମଦେବ ଓ ତାଙ୍କ କମ୍ପାନୀର ପରିଚାଳକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଅଦାଲତ ନିର୍ଦ୍ଦେଶ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବଡ଼ ବିଜ୍ଞାପନ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅନୁପାଳନ ନ କଲେ ବାବାଙ୍କ ପ୍ରତି କଠୋର ଦଣ୍ଡବିଧାନ ହୋଇପାରେ। ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ଯେ ପତଞ୍ଜଳି କମ୍ପାନୀ ନିଜର ଔଷଧର ବିଜ୍ଞାପନ ଯେପରି ବଡ଼ ବଡ଼ ଆକାରରେ ଦିଏ ରାମଦେବ ସେହି ଆକାରର କ୍ଷମାପ୍ରାର୍ଥନା ବିଜ୍ଞାପନ ଗଣମାଧ୍ୟମରେ ଦେବା ସହିତ ତାହାର ପରିବର୍ଦ୍ଧିତ ଅକାରରେ ନକଲ ଆଦଲତରେ ଉପସ୍ଥାପିତ କରିବେ।

ଅନେକେ ହୁଏତ ପଚାରି ପାରନ୍ତି ଯେ ବାବାଙ୍କ ଉପରେ ସୁପ୍ରିମକୋର୍ଟ ଏତେ କଠୋର କାହିଁକି? ଏହାର ଉତ୍ତର ବଡ଼ ସରଳ। ଜଣେ ବାବା ହୁଅନ୍ତୁ କି ତପସ୍ୱୀ ଦେଶର ଆଇନ ଆଗରେ ସମସ୍ତେ ସମାନ। ବାବା ରାମଦେବ ଜଣେ ଯୋଗଗୁରୁ ହୋଇଥିଲେ ମଧ୍ୟ ସେ ବ୍ୟବସାୟିକ ଜଗତରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। କିନ୍ତୁ ସେ ଯଦି ଦେଶର ପ୍ରଚଳିତ ନିୟମ ଓ କାନୁନ ଅନୁଯାୟୀ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିଥା’ନ୍ତେ ଏବଂ ସେଗୁଡ଼ିକର ବିକ୍ରିବଟା ପାଇଁ ଦେଉଥିବା ବିଜ୍ଞାପନରେ ସାଧୁତା ଅବଲମ୍ବନ କରିଥା’ନ୍ତେ ତେବେ ଅସୁବିଧା ନଥା’ନ୍ତା। ପତଞ୍ଜଳି ପ୍ରସ୍ତୁତ ଔଷଧ କ୍ୟାନସର, ଏଡ୍‌‌ସ, କରୋନା, ଟିବି ଓ ଆହୁରି ଅନେକ ମାରାତ୍ମକ ରୋଗସବୁ ଭଲ କରିଦେବାର ଦକ୍ଷତା ରଖିଛି ବୋଲି ଦାବି କରି ରାମଦେବ ଯେଉଁ ବିରାଟ ବିରାଟ ବିଜ୍ଞାପନ ଗଣମାଧ୍ୟମରେ ଦେଉଥିଲେ ତାହାକୁ ଚାଲେଞ୍ଜ କରି କେତେକ ପକ୍ଷ ଭାରତୀୟ ଭେଷଜ ପରିଷଦ, ସ୍ୱାସ୍ଥ୍ୟ, ରାସାୟନ, ଖାଦ୍ୟ, ଔଷଧ, ପ୍ରସାଧନ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଥିଲେ। ଭାରତୀୟ ଚିକିତ୍ସା ପରିଷଦ ମଧ୍ୟ ବାବା ରାମଦେବଙ୍କ ଓ ତାଙ୍କ କମ୍ପାନୀର ମିଥ୍ୟା ପ୍ରଚାର ଓ ଦାବି ବିରୋଧରେ ମୋକଦ୍ଦମା କରିଥିଲା।

ବାବା ରାମଦେବ ଜଣେ ପ୍ରତିଷ୍ଠିତ ଯୋଗଗୁରୁ ଭାବେ ସମ୍ମାନ ଓ ମର୍ଯ୍ୟାଦାର ଅଧିକାରୀ। ଏଥÒସହିତ ବିରାଟ ବ୍ୟବସାୟ ସାମ୍ରାଜ୍ୟର ସମ୍ମାନ ଓ ପ୍ରତିଷ୍ଠାର ମୋହ ଆଗରେ ତାଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ହେୟ ମନେ ହୋଇଥାଇପାରେ। ତେଣୁ ବୋଧହୁଏ ଏ ସମ୍ପର୍କିତ ଶୁଣାଣି ବେଳେ ବାରମ୍ବାର ସମନ୍‌‌ ସତ୍ତ୍ବେ ବାବା ରାମ୍‌‌ଦେବ ଅଦାଲତରେ ଉପସ୍ଥିତ ହେଉନଥିଲେ। ଶେଷରେ ତାଙ୍କୁ ଗିରଫ କରାଯିବ ବୋଲି ଅଦାଲତ ଚେତାବନୀ ଦେବା ପରେ ରାମଦେବ ବହୁ ବିଳମ୍ବରେ ଅଦାଲତରେ ହାଜର ହୋଇ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ। କେବଳ ସେତିକି ନୁହେଁ, ସର୍ବସାଧାରଣରେ ସେ କରିଥିବା କ୍ଷମାପ୍ରାର୍ଥନାକୁ ଅତି ଛୋଟ ଆକାରରେ ଗଣମାଧ୍ୟମରେ ଦେଇଥିଲେ। ତାହା ଏତେ ଛୋଟ ଓ ଗୌଣ ଥିଲା ଯେ ଲୋକଙ୍କ ନଜରରେ ପଡ଼ି ନ ଥିଲା। ତେଣୁ ଅଦାଲତଙ୍କ ରାୟକୁ ଠିକ୍‌‌ ଭାବେ ପାଳନ ନ କରିବା ଓ ଏଥିପାଇଁ ଅଯଥାରେ ଅନେକ ସମୟ ନେଇ ନିଜ ସାମଗ୍ରୀ ସପକ୍ଷରେ ଖବର ପ୍ରକାଶ କରାଇବା ଗର୍ହିତ ଅପରାଧ ନିଶ୍ଚିତ। ଡ୍ରଗସ୍‌‌ ତଥା ଫାର୍ମାସ୍ୟୁଟିକାଲ୍‌‌ ଓ ଏଫ୍‌‌ଏମ୍‌‌ସିଜି ସାମଗ୍ରୀ ମାନ ସମ୍ପର୍କରେ ଲୋକଙ୍କୁ ବିଭ୍ରାନ୍ତ କରିବା ଭଳି ବିଜ୍ଞାପନ ଦେବା ମଧ୍ୟ ଆଇନ ବିରୋଧୀ ଓ ଧର୍ତ୍ତବ୍ୟ ଅପରାଧ ବର୍ଗଭୁକ୍ତ। ତେଣୁ ସୁପ୍ରିମକୋର୍ଟର ପୀଠ ଯଥାର୍ଥରେ କହିଛନ୍ତି ଯେ ପତଞ୍ଜଳି ସାମଗ୍ରୀ ବିଜ୍ଞାପନ ଯେପରି ବଡ଼ ବଡ଼ ଆକରରେ ପ୍ରକାଶ ପାଏ ସେହିଭଳି ରାମଦେବ ଓ ତାଙ୍କ ସହଯୋଗୀଙ୍କ କ୍ଷମା ପ୍ରାର୍ଥନାର ବିଜ୍ଞାପନ ମଧ୍ୟ ବଡ଼ ଆରକରେ ପ୍ରକାଶ ପାଇବାକୁ ବାଧ୍ୟ। ବୋଧହୁଏ ବାବା ଓ ତାଙ୍କ କମ୍ପାନୀ ପତଞ୍ଜଳି ପାଇଁ ଏହି ଦଣ୍ଡ ଯଥେଷ୍ଟ। ଏହାର କୁପ୍ରଭାବ ପତଞ୍ଜଳି ବ୍ୟବସାୟ ଉପରେ ଅବଶ୍ୟ ପଡ଼ିବ ଏବଂ ଲୋକଙ୍କ ବିଶ୍ୱାସ ହରାଇବ। ସୂଚନାଯୋଗ୍ୟ ଯେ ପତଞ୍ଜଳି ଗ୍ରୁପ୍‌‌ର ମୋଟ ବ୍ୟାବସାୟିକ କାରବାର ୫୩, ୩୧୧ କୋଟି ଟଙ୍କା। ସେଥିମଧ୍ୟରୁ ବଡ଼ ଭାଗ ହେଉଛି ଆୟୁର୍ବେଦ ଔଷଧ ଓ ଖାଦ୍ୟ ସାମଗ୍ରୀ। ଏହି କ୍ଷମା ପ୍ରାର୍ଥନା ପରେ କମ୍ପାନୀର ଅଂଶଧନ ମୂଲ୍ୟ ହ୍ରାସ ପାଇବା ନିଶ୍ଚିତ। ପାର୍ଥିବ ବ୍ୟାପାରରୁ ମୁକ୍ତ ରହି ଜଗତ କଲ୍ୟାଣ ପାଇଁ କାମ କରିବା ବାବା ମାନଙ୍କର ମୌଳିକ କାର୍ଯ୍ୟ ଓ ଧର୍ମ। କିନ୍ତୁ ବାବା ରାମଦେବ ସେହି ପନ୍ଥା ଛାଡ଼ି ବିଷୟାସକ୍ତ ହୋଇ ଆଜି ଏଭଳି ହିନସ୍ତା ହୋଇଛନ୍ତି।

ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ। ଏହାସତ୍ତ୍ବେ କେବଳ ବାବା ରାମଦେବ ଓ ପତଞ୍ଜଳି କମ୍ପାନୀ କାହିଁକି? ଭାରତରେ ନିମ୍ନମାନର ଏଲୋପାଥି ଔଷଧକୁ ମଧ୍ୟ ଉଚ୍ଚମାନର କୁହାଯାଇ ଚିକିତ୍ସକମାନଙ୍କ ଜରିଆରେ ସେଗୁଡ଼ିକୁ ରୋଗୀଙ୍କ ଚିକିତ୍ସାରେ ପ୍ରୟୋଗ କରାଯାଉଛି। ଭାରତୀୟ ଭେଷଜ ପରିଷଦ ଓ ଭାରତୀୟ ଚିକିତ୍ସକ ସଂଘ ମଧ୍ୟ ଅନେକ ସମୟରେ ଏ କ୍ଷେତ୍ରରେ ଔଷଧର ଦ୍ରବ୍ୟଗୁଣ ଓ ମାନ ନିର୍ଦ୍ଧାରଣ ଠିକ୍‌‌ ଭାବେ କରୁନାହାନ୍ତି। ଏଲୋପାଥି ଔଷଧର ଅପ୍ରମିଶ୍ରଣ ଏବେ ସାଧାରଣ କଥା ହୋଇଛି। ସେହିଭଳି ଅନ୍ୟାନ୍ୟ ଖାଉଟି ସାମଗ୍ରୀ(ଏଫଏମ୍‌‌ସିଜି), ଯାହା ବହୁଦେଶୀୟ କମ୍ପାନୀ ଦ୍ୱାରା ଉତ୍ପାଦିତ, ବିଜ୍ଞାପିତ ଓ ବିକ୍ରିବଟା ହେଉଛି, ତାହାର ମାନ ମଧ୍ୟ ସନ୍ଦେହରେ। ଏ ସବୁ ସାମଗ୍ରୀର ଗୁଣମାନ ଓ ବିଜ୍ଞାପନର ସଠିକତା ନେଇ ମାଳମାଳ ଅଭିଯୋଗ ହେଉଛି। ସୁପ୍ରିମକୋର୍ଟ ଏବେ କିଛି ତଥାକଥିତ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଶିଶୁ ଖାଦ୍ୟ ଓ ଶକ୍ତିବର୍ଦ୍ଧକ ପାନୀୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ତେବେ ଭାରତୀୟ ବଜାରରେ ଖାଉଟିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଥିବା ଆଇନ୍‌‌ ଓ ବ୍ୟବସ୍ଥା ବିଶେଷ ଫଳପ୍ରଦ ହେଉ ନଥିବା ମନେ ହେଉଛି। ଏଠାକାର ଔଷଧ, ଖାଦ୍ୟ ଓ ଏଫଏମ୍‌‌ସିଜି ବଜାର ପ୍ରକାଣ୍ଡ। ଏହାକୁ ଆଗକୁ ବଢ଼଼ାଇବାକୁ କମ୍ପାନୀମାନେ ପ୍ରଚୁର ଅର୍ଥ ବିଜ୍ଞାପନରେ ଖର୍ଚ୍ଚ କରନ୍ତି ଏବଂ ନିୟାମକ ବ୍ୟବସ୍ଥା ସହ ସମ୍ପୃକ୍ତ ଅଧିକାରୀଙ୍କୁ ଖୁସି କରିବାକୁ ଅର୍ଥ ଓ ଅନ୍ୟାନ୍ୟ ପନ୍ଥାର ଆଶ୍ରୟ ନିଅନ୍ତି। ନିୟାମକ ବ୍ୟବସ୍ଥା କୋହଳ ଓ ଦୁର୍ନୀତିପୂର୍ଣ୍ଣ ହେଲେ ଜନସ୍ୱାର୍ଥ ପ୍ରଭାବିତ ହୁଏ। ବିଜ୍ଞାପନ ଏପରି ଏକ ମାଧ୍ୟମ, ଯେଉଁଠି ଭେଣ୍ଡିକୁ ସୁନା ଭାବେ ଉପସ୍ଥାପିତ କରି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କୁ ଠକି ହୁଏ। ତେଣୁ ଅଦାଲତ ଏହାକୁ ଏକା ରୋକିପାରିବେ ନାହିଁ। ସରକାର ଏବଂ ନିୟାମକ ବ୍ୟବସ୍ଥାର ଦାୟିତ୍ୱ ଏ କ୍ଷେତ୍ରରେ ଅଧିକ। ଅବଶ୍ୟ ବାବା ରାମଦେବ ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଖାଉଟି ବ୍ୟାପାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଭାରତୀୟ ଡାକ୍ତରୀ ସଂଘକୁ ନୋଟିସ୍‌‌ ଜାରି କରିବା ସ୍ୱାଗତଯୋଗ୍ୟ।

24 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର