ବଢ଼ୁଛି ବନାଗ୍ନି ବିପତ୍ତି ଅଧିକ ପ୍ରଭାବଶାଳୀ ପଦକ୍ଷେପ ଲୋଡ଼ା

The Sakala Picture
Published On

ବନ୍ୟା, ବାତ୍ୟା ଆଦି ହେଉ କିମ୍ବା ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନର କରୁଣ ପରିଣତି – ସତେଯେମିତି ପ୍ରାକୃତିକ ଦୁର୍ବିପାକ ଦାଉ ସାଧିବା ପାଇଁ ଓଡ଼ିଶାକୁ ହିଁ ବାଛି ନେଇଛି। ବନ୍ୟା, ବାତ୍ୟା, ମରୁଡ଼ି ଆଦିର ଚିରସହଚର ଓଡ଼ିଶା ଗତ କିଛି ବର୍ଷ ଧରି ପ୍ରଚଣ୍ଡ ରୌଦ୍ରତାପ, ଅଂଶୁଘାତ, ବନାଗ୍ନିର ସମ୍ମୁଖୀନ ହୋଇ ଆସୁଛି। ଚଳିତ ବର୍ଷ ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ତାଲିକାରେ ନବମ ସ୍ଥାନରେ ଓଡ଼ିଶାର ଦୁଇଟି ସହର ବୌଦ୍ଦ ଓ ବାରିପଦା ରହି ଅଲୋଡ଼ା […]

ବନ୍ୟା, ବାତ୍ୟା ଆଦି ହେଉ କିମ୍ବା ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନର କରୁଣ ପରିଣତି – ସତେଯେମିତି ପ୍ରାକୃତିକ ଦୁର୍ବିପାକ ଦାଉ ସାଧିବା ପାଇଁ ଓଡ଼ିଶାକୁ ହିଁ ବାଛି ନେଇଛି। ବନ୍ୟା, ବାତ୍ୟା, ମରୁଡ଼ି ଆଦିର ଚିରସହଚର ଓଡ଼ିଶା ଗତ କିଛି ବର୍ଷ ଧରି ପ୍ରଚଣ୍ଡ ରୌଦ୍ରତାପ, ଅଂଶୁଘାତ, ବନାଗ୍ନିର ସମ୍ମୁଖୀନ ହୋଇ ଆସୁଛି। ଚଳିତ ବର୍ଷ ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ତାଲିକାରେ ନବମ ସ୍ଥାନରେ ଓଡ଼ିଶାର ଦୁଇଟି ସହର ବୌଦ୍ଦ ଓ ବାରିପଦା ରହି ଅଲୋଡ଼ା ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରତିଦିନ ସର୍ବକାଳୀନ ରେକର୍ଡ ତାପମାତ୍ରା ତାଲିକାରେ ଓଡ଼ିଶାର ନୂଆ ନୂଆ ସହର ସାମିଲ୍‌‌ ହେଉଛନ୍ତି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜଳାଶୟ ଶୁଖିଗଲାଣି। ଏଭଳି ପରିସ୍ଥିତିରେ ଆମ ରାଜ୍ୟ ବନାଗ୍ନି ବା ଜଙ୍ଗଲ ପୋଡ଼ି ଘଟଣାରେ ୨୦୨୩ରେ ଦେଶରେ ଏକନମ୍ବର ରାଜ୍ୟ ଭାବେ କୁଖ୍ୟାତି ଅର୍ଜନର ପୁନରାବୃତ୍ତି ଆଶଙ୍କା ସୃଷ୍ଟି ହୋଇଛି।

ଗତ ସପ୍ତାହକ ମଧ୍ୟରେ ଦେଶର ସର୍ବାଧିକ ବନାଗ୍ନି ଘଟଣା ତାଲିକାରେ ଓଡ଼ିଶା ପୁଣି ଥରେ ଏକନମ୍ବର ସ୍ଥାନ ହାସଲ କରିଛି। ‘ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥା’ର ତଥ୍ୟାନୁଯାୟୀ, ଗତ ସପ୍ତାହରେ ଓଡ଼ିଶାର ଜଙ୍ଗଲାଞ୍ଚଳରେ ୩, ୯୯୨ଟି ସ୍ଥାନରେ ବନାଗ୍ନିର ସୂଚନା ମିଳିଛି। ଓଡ଼ିଶା ପଛକୁ ଛତିଶଗଡ଼(୨, ୪୧୩), ଆନ୍ଧ୍ରପ୍ରଦେଶ(୨, ୦୪୮) ଓ ଝାଡ଼ଖଣ୍ଡ(୧, ୩୩୩) ରହିଛନ୍ତି। ଗତ ସପ୍ତାହରେ ଦେଶରେ ଯେତୋଟି ବନାଗ୍ନି ଠାବ କରାଯାଇଥିଲା ସେଥିମଧ୍ୟରୁ ୩୨% ହେଉଛି ଓଡ଼ିଶାର। ସେହିପରି ଏ ପର୍ଯ୍ୟନ୍ତ ଦେଶର ମୋଟ ବିଶାଳ ବନାଗ୍ନି ମଧ୍ୟରୁ ୩୪% ଓଡ଼ିଶାରେ ରହିଛି। ରାଜ୍ୟ ବନ ବିଭାଗର ସୂଚନା ଅନୁସାରେ ଗତ ଏକ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୧୧, ୮୩୩ଟି ବନାଗ୍ନି ଠାବ ହୋଇଛି। ସବୁଠାରୁ ଉଦ୍‌‌ବେଗଜନକ ହେଉଛି ଶିମିଳିପାଳ ବନାଗ୍ନି। ଏ ପର୍ଯ୍ୟନ୍ତ ସେଠାରେ ପ୍ରାୟ ୧୩୦ରୁ ଅଧିକ ସ୍ଥାନରେ ନିଅାଁ ଲାଗିଥିବା ବେଳେ ପ୍ରାୟ ଅଧାଅଧି ନିୟନ୍ତ୍ରଣ ବାହାରେ ରହିଛି। ଏହି କାରଣରୁ ଅନେକ ମୂଲ୍ୟବାନ ଓ ବିରଳ ବୃକ୍ଷଲତା ନିଶ୍ଚିହ୍ନ ହୋଇଯାଇଛି ଏବଂ ବନ୍ୟଜନ୍ତୁମାନଙ୍କ ବଂଶ ନିପାତ ହେବାରେ ଲାଗିଛି। ସାରା ଶିମିଳିପାଳ ଯେପରି ଏକ ଅଗ୍ନିବଳୟ ମଧ୍ୟରେ ରହିଛି। ଏହାକୁ ଆହୁରି ତେଜୀୟାନ କରୁଛି କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା। ଯଥାଶୀଘ୍ର ଏହାକୁ ନିୟନ୍ତ୍ରଣ କରାନ ଗଲେ ରାଜ୍ୟକୁ ଅନେକ ପ୍ରାକୃତିକ ସମ୍ବଳ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ।

ଡିସେମ୍ବରଠାରୁ ଜାନୁଆରୀ ପର୍ଯ୍ୟନ୍ତ ଦିଲ୍ଳୀରେ ବାୟୁ ପ୍ରଦୂଷଣ ଯେପରି ଭୟାନକ ଓ ବିପଜ୍ଜନକ ସ୍ଥିତି ସୃଷ୍ଟି କରୁଛି, ଓଡ଼ିଶାରେ ମାର୍ଚ୍ଚଠାରୁ ମେ’ ମାସ ବନାଗ୍ନି ସେହିପରି ରାଜ୍ୟର ପ୍ରାକୃତିକ ସମ୍ପଦ, ଜୈବବିବିଧତା ଓ ପଶୁପକ୍ଷୀଙ୍କ ପାଇଁ ଶୋଚନୀୟ କ୍ଷୟକ୍ଷତି ଆଣୁଛି। ବର୍ଷ ପରେ ବର୍ଷ ବନାଗ୍ନି ଅଘଟଣ ସଂଖ୍ୟା ବଢ଼଼ିବାରେ ଲାଗିଛି। ଏ ଦିଗରେ ଯେ ସରକାରୀ କଳ ଉଦାସୀନ ତା’ ନୁହେଁ। ତେବେ ବନାଗ୍ନି ଘଟଣାର ଅହେତୁକି ବୃଦ୍ଧି ଆଗରେ ଅଧିକ ପ୍ରଭାବଶାଳୀ ଓ ସମୟୋପଯୋଗୀ ପଦକ୍ଷେପ ଅାବଶ୍ୟକ। ବନାଗ୍ନି ବା ଜଙ୍ଗଲ ନିଆଁ ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଓଡ଼ିଶାରେ ବନାଗ୍ନି ଅସମୟରେ ଆତ୍ମପ୍ରକାଶ କରୁଥିବାରୁ ଚିନ୍ତା ବଢ଼଼ୁଛି। ଖରାଦିନ ଆସିବା ପୂର୍ବରୁ ଝଡ଼ା ପତ୍ରରେ ନିଅାଁ ଲାଗେ। ଏହାଛଡ଼ା ପୋଡ଼ୁଚାଷ, କୋଇଲା ମାଫିଆ, ବଜ୍ରପାତ, ପ୍ରବଳ ଝାଞ୍ଜି ପବନ ଯୋଗୁଁ ଗଛର ଶୁଖିଲା ଡାଳ ଘଷି ହେବା ଓ ବଣଭୋଜି କରୁଥିବା ଲୋକଙ୍କ ଉଦାସୀନତା ଯୋଗୁଁ ମଧ୍ୟ ଅନେକ ସମୟରେ ସାମାନ୍ୟ ନିଅାଁ ଝୁଲ ପରବର୍ତ୍ତୀ ସମୟରେ ବିଶାଳ ବନାଗ୍ନି ସୃଷ୍ଟି କରୁଛି। ଏଥିମଧ୍ୟରୁ ପୋଡ଼ୁଚାଷର ଯୋଗଦାନ ସର୍ବାଧିକ। ରାଜ୍ୟ ବନ ବିଭାଗର ସୂଚନା ଅନୁଯାୟୀ, ବନାଗ୍ନିରେ କେବଳ ଦକ୍ଷିଣ ଓଡ଼ିଶାର ପୋଡ଼ୁଚାଷର ଯୋଗଦାନ ୬୨ ପ୍ରତିଶତ। ସେଥିମଧ୍ୟରୁ କୋରାପୁଟ୍‌‌ ମଣ୍ଡଳରେ ୩୪୫ଟି ଓ ବ୍ରହ୍ମପୁର ମଣ୍ଡଳରେ ୩୮୮ଟି ବନାଗ୍ନି ମହାବିଷୁବ ସଂକ୍ରାନ୍ତି ପରବର୍ତ୍ତୀ ସମୟର ପୋଡ଼ୁଚାଷ ଯୋଗୁଁ ସଂଘଟିତ ହୋଇଛି। କେବଳ ଓଡ଼ିଶା ନୁହେଁ, ବିଭିନ୍ନ କାରଣରୁ ଭାରତର ମୋଟ ଜଙ୍ଗଲ ମଧ୍ୟରୁ ପ୍ରାୟ ୧୧ ପ୍ରତିଶତ ଅଗ୍ନିପ୍ରବଣ। ଖରାଟିଆ ବର୍ଷା ଯୋଗୁଁ ଏହା ନିୟନ୍ତ୍ରଣରେ ରହିଥାଏ। ଏବେ କିନ୍ତୁ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ଅକ୍ଟୋବର ମାସ ଶେଷରୁ ବର୍ଷା ଛାଡ଼ିଯାଉଛି ଏବଂ ଜୁଲାଇ ସୁଦ୍ଧା ଦେଖାଯାଉନାହିଁ। ତେଣୁ ବନାଗ୍ନି ପରି ଘଟଣା ଅଧିକ ଦେଖାଯାଉଛି।

ମୂଳ କଥା ହେଲା ବନାଗ୍ନି ଆରମ୍ଭ ହେବା ପରେ ପରିବେଶବିତ୍‌‌ ଓ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ସର୍ବୋଚ୍ଚ ପଦାଧିକାରୀମାନେ ଜଳବାୟୁ ପରିବର୍ତ୍ତନ ଓ ଲୋକଙ୍କ ଉଦାସୀନତାକୁ ଦୋଷ ଦେଇ ବସିଯାଆନ୍ତି। କିନ୍ତୁ ପରିବର୍ତ୍ତୀ ସମୟରେ ଏହାର ପୁନରାବୃତ୍ତି କିପରି ନ ହେବ ସେଥିପ୍ରତି ଦୀର୍ଘମିଆଦୀ ଯୋଜନା ହୁଏ ନାହିଁ କି ଅଭିଜ୍ଞତାରୁ କିଛି ଶିଖି ପ୍ରୟୋଗ କରିବାରେ ନିଷ୍ଠା ରହେ ନାହିଁ। ଏହି କାରଣରୁ ଓଡ଼ିଶାରେ ବନାଗ୍ନି ପ୍ରତିବର୍ଷ ନୂଆ ନୂଆ ଅଲୋଡ଼ା ରେକର୍ଡମାନ ପ୍ରତିଷ୍ଠା କରି ଚାଲିଛି। ଏହା ଅବଶ୍ୟ ଅସ୍ୱୀକାର କରିବାର ନାହିଁ ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଜଙ୍ଗଲ ଓ ଏହାର ସ୍ୱାସ୍ଥ୍ୟ ଉପରେ ପଡ଼ିଛି। ବର୍ଷାଭାବ, ତାପପ୍ରବାହ ଏବଂ ଶୁଷ୍କ ପରିବେଶ ଜଙ୍ଗଲ ନିଆଁକୁ ଅଧିକ ସୁହାଉଛି। ଏଭଳି ସମୟରେ ବନାଗ୍ନିକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅଧିକ ପାଣ୍ଠି ଏବଂ ବୈଷୟିକ ସହଯୋଗ ଯୋଗାଇବାର ଆବଶ୍ୟକତା ରହିଛି। ଆମ ଜଙ୍ଗଲବିଭାଗ ଏବେ ଉଭୟ ଲୋକବଳ ଏବଂ ସାଧନ ଦୃଷ୍ଟିରୁ ଏ କ୍ଷେତ୍ରରେ ଦୁର୍ବଳ। ଏହାସତ୍ତ୍ବେ ରାଜ୍ୟ ବନ ବିଭାଗ ଏ ପର୍ଯ୍ୟନ୍ତ ୩୭୦ଟି ବନାଗ୍ନି ପ୍ରଶମନ ଟିମ୍‌‌ ଗଠନ କରିଥିବା ବେଳେ ୩୩୦ଟି ଦମକଳ ଗାଡ଼ି ନିୟୋଜିତ କରିଛି। ୪୮୦୦ ବ୍ଲୋୟର ମେସିନ୍‌‌ଯୋଗାଇ ଦିଆଯାଇଛି। ବନାଗ୍ନି ସୂଚନା ଓ ପ୍ରଶମନ କାର୍ଯ୍ୟ ପ୍ରାୟ ଶତପ୍ରତିଶତ କାର୍ଯ୍ୟକ୍ଷମ ରହିଛି। ଫୁଟ୍‌‌ ପାଟ୍ରୋଲିଂ ଟିମ୍‌‌କୁ ଅଧିକ ସକ୍ରିୟ ଓ ସତର୍କ କରାଯାଇଛି ଏବଂ ପର୍ଯ୍ୟାପ୍ତ ପରିମାଣରେ ଜଙ୍ଗଲ ଜନ୍ତୁଙ୍କ ପାଇଁ ପାଣି ବ୍ୟବସ୍ଥା କରାଯାଉଛି। ତଥାପି କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଓ ବନାଗ୍ନିକୁ ଦେଖିଲେ ଏହା ଯଥେଷ୍ଟ ନୁହେଁ ବୋଲି ମନେ ହୁଏ।

ବନାଗ୍ନିକୁ ନିୟନ୍ତ୍ରଣ କରିବାରେ ସ୍ଥାନୀୟ ଲୋକ, ଜଙ୍ଗଲ ପାଖ ଗ୍ରାମବାସୀ ଏବଂ ବନବାସୀଙ୍କ ସହାୟତା ଓ ସହଯୋଗ ଅଧିକରୁ ଅଧିକ ଉପଯୋଗ କରାଯିବା ଆବଶ୍ୟକ। ଏହାବ୍ୟତୀତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବନମିତ୍ର ଗୋଷ୍ଠୀର ସଦସ୍ୟ ଓ ଗ୍ରାମ କମିଟିକୁ ଏହି କାମରେ ନିୟୋଜିତ କରାଯିବା ଗୁରୁତ୍ୱପୂର୍ଣ୍ଣ। ନିକଟରେ ଓଡ଼ିଶା ସରକାର ଜଙ୍ଗଲ ନିକଟସ୍ଥ ଗ୍ରାମପୁଞ୍ଜର ଅଧିବାସୀଙ୍କୁ ଅସଂରକ୍ଷିତ ଜଙ୍ଗଲ ଅଞ୍ଚଳର ସ୍ୱତ୍ତ୍ୱାଧିକାର ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ଜଙ୍ଗଲ ନିକଟସ୍ଥ ଗ୍ରାମବାସୀମାନେ ଜଙ୍ଗଲର ସାମୂହିକ ମାଲିକାନା ପାଇବା ଯୋଗୁଁ ଜଙ୍ଗଲର ଅଧିକ ସୁରକ୍ଷା କରିପାରିବେ ଏବଂ ଜଙ୍ଗଲଜାତ କ୍ଷୁଦ୍ର ଉତ୍ପାଦରୁ ସାମୂହିକ ଆୟ ମଧ୍ୟ ପାଇବେ। ତେଣୁ ବନାଗ୍ନି ପରିସ୍ଥିତିରେ ଗ୍ରାମବାସୀମାନେ ଅଧିକ ଉତ୍ତରଦାୟୀ ଓ କର୍ତ୍ତବ୍ୟନିଷ୍ଠ ହୋଇ ବନାଗ୍ନି ଆରମ୍ଭ ହେବା ମାତ୍ରେ ଗ୍ରାମ ସମ୍ପତ୍ତି ମନେ କରି ଆଶୁ ପଦକ୍ଷେପ ନେଇପାରିବେ।

ସର୍ବୋପରି ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବନାଗ୍ନିକୁ ରୋକିବା ସହିତ ଜଙ୍ଗଲ କ୍ଷୟର ମୁକାବିଲା ପାଇଁ କେନ୍ଦ୍ରୀୟ ସ୍ତରରେ ନୂଆ ନୀତି ଓ ଯୋଜନାର ଆବଶ୍ୟକତା ରହିଛି। ଯେଉଁ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ କରି ସରକାର ଜଙ୍ଗଲାଞ୍ଚଳ ବୃଦ୍ଧି କରୁଛନ୍ତି, ତାହାକୁ ବନାଗ୍ନିରେ ନଷ୍ଟ କରି ଦିଆଯାଇ ନ’ପାରେ। ଜଙ୍ଗଲ ନିଆଁକୁ ଅଗ୍ରାଧିକାର ଭିତ୍ତିରେ ନିୟନ୍ତ୍ରଣ ପାଇଁ ଜଙ୍ଗଲ କର୍ମଚାରୀଙ୍କୁ ବିଶେଷ ପ୍ରଶିକ୍ଷଣ, ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଜଙ୍ଗଲ କଟା ଓ ବନ୍ୟପଶୁ ଶିକାର ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା’ଏବଂ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗରେ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ପ୍ରଣୟନ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ବନାଗ୍ନିକୁ ଅନେକାଂଶରେ ନିୟନ୍ତ୍ରଣ କରିହେବ।

22 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର