ଓଡ଼ିଶାର ଆଳୁ-ଯନ୍ତ୍ରଣା

The Sakala Picture
Published On

ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ଓଡ଼ିଶାର ଅବାଞ୍ଛିତ ଚିର ସହଚର ହୋଇ ଆସିଛନ୍ତି। ଏହି ତାଲିକାରେ ଆଉ ଏକ ମନୁଷ୍ୟକୃତ ଦୁର୍ବିପାକ ଭାବେ ‘ଆଳୁ ସଙ୍କଟ’ ଯୋଡ଼ି ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଳୁ ଚାହିଦା ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାରୁ ସେଠାରେ ସାମାନ୍ୟ ଅସ୍ୱାଭାବିକ ପରିସ୍ଥିତି ଓଡ଼ିଶା ଖାଉଟି ବଜାରକୁ ଦୋହଲାଇ ଦେଉଛି। ଏବେ ସେହି ରାଜ୍ୟର ଶୀତଳ ଭଣ୍ଡାର ଓ କୃଷକମାନଙ୍କ ଧର୍ମଘଟ ଯୋଗୁଁ ସୃଷ୍ଟି ହୋଇଥିବା […]

ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ଓଡ଼ିଶାର ଅବାଞ୍ଛିତ ଚିର ସହଚର ହୋଇ ଆସିଛନ୍ତି। ଏହି ତାଲିକାରେ ଆଉ ଏକ ମନୁଷ୍ୟକୃତ ଦୁର୍ବିପାକ ଭାବେ ‘ଆଳୁ ସଙ୍କଟ’ ଯୋଡ଼ି ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଳୁ ଚାହିଦା ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାରୁ ସେଠାରେ ସାମାନ୍ୟ ଅସ୍ୱାଭାବିକ ପରିସ୍ଥିତି ଓଡ଼ିଶା ଖାଉଟି ବଜାରକୁ ଦୋହଲାଇ ଦେଉଛି। ଏବେ ସେହି ରାଜ୍ୟର ଶୀତଳ ଭଣ୍ଡାର ଓ କୃଷକମାନଙ୍କ ଧର୍ମଘଟ ଯୋଗୁଁ ସୃଷ୍ଟି ହୋଇଥିବା ସାମାନ୍ୟ ଅବ୍ୟବସ୍ଥା ପ୍ରଭାବରେ ଓଡ଼ିଶାର ଖାଉଟି ବଜାରରେ ଆଳୁ ୬୦ ଟଙ୍କା ଟପିଛି। ପ୍ରାୟତଃ ଓଡ଼ିଶାର ଖାଉଟି ଏଭଳି ଆଳୁ ଯନ୍ତ୍ରଣା ବିଗତ କିଛି ବର୍ଷ ଧରି ସହି ଆସୁଛନ୍ତି। ଏହି ସଙ୍କଟ ପାଇଁ ଓଡ଼ିଶାର ଭୌଗୋଳିକ ସ୍ଥିତି ଅପେକ୍ଷା ବହୁସ୍ତରୀୟ ଉଦାସୀନତା ଓ ଆମ ମାନସିକତା ଅଧିକ ଦାୟୀ ବୋଲି କୁହାଯାଇପାରେ।

ଓଡ଼ିଶାବାସୀଙ୍କ ପାଇଁ ଆଳୁ ଯନ୍ତ୍ରଣା ଅପ୍ରତ୍ୟାଶିତ କିମ୍ବା ଅପରିହାର୍ଯ୍ୟ ନୁହେଁ। ବିଡ଼ମ୍ବନା ହେଉଛି ସମସ୍ତଙ୍କ ଜ୍ଞାତସାରରେ ଏହି ସଙ୍କଟ ପ୍ରାୟତଃ ସୃଷ୍ଟି ହେଉଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ କୌଣସି ଆଖିଦୃଶିଆ ପ୍ରଭାବୀ ଦୀର୍ଘସ୍ଥାୟୀ ପଦକ୍ଷେପ ନେବାରେ ଓ ଏହାକୁ ଗ୍ରହଣ କରିବାରେ ଆମେ ବିଫଳ ହେଉଛୁ। ବିଗତ ଶତାବ୍ଦୀର ସତୁରୀ ଦଶକରୁ ପୂର୍ବଘାଟ ପର୍ବତମାଳା ଅଧୀନ କୋରାପୁଟ ଜିଲ୍ଳାର ପଟ୍ଟାଙ୍ଗୀ ଓ ସିମିଳିଗୁଡ଼ା ସମେତ ପଶ୍ଚିମ ଓ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଳୁ ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଏଥିରୁ ଆଶାନୁରୂପ ଫଳ ମିଳିଥିଲେ ଓଡ଼ିଶା ଆଜି ଆଳୁ ପାଇଁ ପଡ଼ୋଶୀ ରାଜ୍ୟମାନଙ୍କ ଆଗରେ ହାତ ପତାଇବାକୁ ପଡ଼ି ନ ଥା’ନ୍ତା। ସରକାରଙ୍କର ସମସ୍ତ ସହଯୋଗ ଓ ସମର୍ଥନ ସତ୍ତ୍ବେ ଲକ୍ଷ୍ୟ ଦିଗଭ୍ରଷ୍ଟ ହେବାର ଉତ୍ତରଦାୟିତ୍ୱ ପ୍ରକଳ୍ପ ଦାୟିତ୍ୱରେ ଥିବା କୃଷି ବିଜ୍ଞାନୀ ଓ ଅଧିକାରୀମାନେ ବହନ କରିବାକୁ ପଡ଼ିବ। ଓଡ଼ିଶାକୁ ଆଳୁ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ପାଇଁ ୨୦୧୫ରେ ରାଜ୍ୟ ସରକାର ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ‘ଆଳୁ ମିଶନ୍‌‌’ ଆରମ୍ଭ କରିଥିଲେ। କିନ୍ତୁ ବିବଧ କାରଣରୁ ତାହା ମଧ୍ୟ ସରକାରଙ୍କ ମହତାକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହୋଇପାରିନାହିଁ।

ଆଳୁ ମିଶନ୍‌‌ ଓ ପ୍ରକଳ୍ପ ଆଶାନୁରୂପ ସଫଳ ନ ହେବା ଏବଂ ଓଡ଼ିଶାର ଚାଷୀମାନେ ଆଳୁ ଚାଷ ପ୍ରତି ବିମୁଖ ହେବା ପଛରେ ବହୁମୁଖୀ କାରଣମାନ ରହିଛି। ପ୍ରଥମତଃ, ଆଳୁ ଏକ ପଚନଶୀଳ ପଦାର୍ଥ; ଅଥଚ ଏହାର ଅମଳ ପରବର୍ତ୍ତୀ ବ୍ୟବହାର ଅବଧି ଦୀର୍ଘ। ତେଣୁ ଯଦିବା ଚାଷୀଟିଏ ଆଳୁ ଚାଷ କରେ ତେବେ ସେଗୁଡ଼ିକୁ ସଂରକ୍ଷଣ କରି ରଖିବା ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ନାହିଁ। ଅପରପକ୍ଷରେ ସେତେଟା ଆବଶ୍ୟକତା ଅନୁଭୂତ ହେଉ ନ ଥିବାରୁ ଶୀତଳ ଭଣ୍ଡାର ନିର୍ମାଣ ଓ ରକ୍ଷଣାବେକ୍ଷଣରେ ବିପୁଳ ପୁଞ୍ଜି ନିବେଶ ପ୍ରତି ତତ୍ପରତା ପ୍ରକାଶ ପାଉ ନଥିବା ଅଭିଯୋଗ ହେଉଛି। ପର୍ଯ୍ୟାପ୍ତ ସଂଖ୍ୟକ ଶୀତଳ ଭଣ୍ଡାର ହେବା ପରେ ଯାଇ ଚାଷୀମାନେ ଆଳୁ ଚାଷ ପ୍ରତି ମନ ବଳାଇବେ ନା ଚାଷୀଙ୍କ ଆଳୁ ଅମଳକୁ ଦେଖି ଶୀତଳ ଭଣ୍ଡାର ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ତାହା ‘ପ୍ରଥମେ ପକ୍ଷୀ ନା ପ୍ରଥମେ ଅଣ୍ଡା’ ଭଳି ଦ୍ୱନ୍ଦ୍ୱ ଭିତରେ ଅଟକି ରହିଛି।

ରାଜ୍ୟରେ ଶୀତଳ ଭଣ୍ଡାର ସଂଖ୍ୟା କେତେ ସେ ସମ୍ପର୍କରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତଥ୍ୟରେ ଅମେଳ ରହୁଛି। କେନ୍ଦ୍ର କୃଷିମନ୍ତ୍ରୀଙ୍କ ୨୦୨୨ରେ ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୧୮୧ଟି ଶୀତଳ ଭଣ୍ଡାର ଅଛି, ଅଥଚ ରାଜ୍ୟ ବିଧାନ ସଭାରେ ୨୦୨୩ରେ କୃଷି ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ୧୩୩, ଯେଉଁଥିରୁ ମାତ୍ର ୩୬ଟି କାର୍ଯ୍ୟକ୍ଷମ। ବେସରକାରୀ ୱେବ୍‌‌ସାଇଟ୍‌‌ ତଥ୍ୟାନୁଯାୟୀ ଓଡ଼ିଶାରେ ସମବାୟ ସଂସ୍ଥା ଓ ଘରୋଇ ମାଲିକାନାରେ ନିର୍ମିତ ମୋଟ ଶୀତଳଭଣ୍ଡାର ସଂଖ୍ୟା ୧୪୪, ଯାହାର ମୋଟ ସଂରକ୍ଷଣ କ୍ଷମତା ୨୭୪୧୭୫ ମେଟ୍ରିକ୍‌‌ ଟନ୍‌‌। ସେଥିମଧ୍ୟରୁ କେବଳ ଆଳୁ ସଂରକ୍ଷଣ ପାଇଁ ୩୭ଟି ଉଦ୍ଦିଷ୍ଟ ଥିବା ବେଳେ ସେଗୁଡ଼ିକର ମୋଟ ସଂରକ୍ଷଣ କ୍ଷମତା ୧, ୨୩, ୫୮୦ ମେଟ୍ରିକ୍‌‌ ଟନ୍‌‌।

ଓଡ଼ିଶା ଆଳୁ ଚାହିଦା-ଯୋଗାଣରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବା ପାଇଁ ଅତିକମ୍‌‌ରେ ବାର୍ଷିକ ୧୫ ଲକ୍ଷ ଟନ୍‌‌ ଉତ୍ପାଦନ ଆବଶ୍ୟକ। ଉପରୋକ୍ତ ତଥ୍ୟକୁ ବିଚାରକୁ ନେଲେ ଆପାତତଃ ଏହା ସ୍ପଷ୍ଟ ହେଉଛି ଯେ ରାଜ୍ୟର ଆଭ୍ୟନ୍ତରୀଣ ଚାହିଦା ପୂରଣ ହେବା ଭଳି ଆଳୁ ଉତ୍ପାଦନ ହେଲେ ମଧ୍ୟ ଅମଳ ପରବର୍ତ୍ତୀ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଅଭାବ ସମସ୍ୟା ଉତ୍କଟ। ଏହା ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଆକର୍ଷଣୀୟ ଯୋଜନା ହାତକୁ ନିଆଯାଉଛି। ଗତ ସରକାର ଅମଳରେ କ୍ଷୁଦ୍ର ଓ ମଧ୍ୟମ ଧରଣର ସୌରଶକ୍ତି ଚାଳିତ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆର୍ଥିକ ସହାୟତା ଏବଂ ବିଦ୍ୟୁତ୍‌‌ ବିଲ୍‌‌ରେ ରିହାତି ଆଦି ଜରିଆରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବାର ସାଧୁ ଉଦ୍ୟମ ହୋଇଥିଲା। ଅଥଚ ସମ୍ପୃକ୍ତ ଅଂଶୀଦାରମାନଙ୍କର ଏ ଦିଗରେ ଆଗ୍ରହ ଓ ଉତ୍ସାହ ଦେଖାଗଲା ନାହିଁ। ଆମ ପଡ଼ୋଶୀ ରାଜ୍ୟମାନେ ଆଳୁ ଉତ୍ପାଦନରେ ସ୍ୱାବଲମ୍ବୀ। ତେଣୁ ଅମଳ ପରବର୍ତ୍ତୀ ତତ୍କାଳ ବିପଣନ ଓ ପରିବହନ ସୁଯୋଗ ମଧ୍ୟ ପ୍ରାୟତଃ ନାହିଁ କହିଲେ ଚଳେ। ରାଜ୍ୟରେ ଆଳୁ ଉତ୍ପାଦନ ବଢ଼଼ାଇବା ପାଇଁ ଶସ୍ତାରେ ବିହନ ଯୋଗାଇବା ଠାରୁ ଆରମ୍ଭ କରି ଚାଷୀଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। କିନ୍ତୁ ଅମଳ ପରେ ଚାଷୀଙ୍କଠାରୁ ପୂର୍ଣ୍ଣମାତ୍ରାରେ ତଥା ଉଚିତ୍‌‌ ଦାମ୍‌‌ରେ ସରକାର ଆଳୁ ସଂଗ୍ରହ କରିପାରୁ ନ ଥିବାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନଙ୍କୁ ତୁଳନାତ୍ମକ ଭାବରେ କମ୍‌‌ ଦାମ୍‌‌ରେ ଓଡ଼ିଶା ଚାଷୀ ବିକିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଓଡ଼ିଶାର ଚାଷୀ ଆଳୁ ଚାଷ ପାଇଁ ବିମୁଖ ହେବା ସ୍ୱାଭାବିକ।

ଏବେ ଓଡ଼ିଶାରେ ସୃଷ୍ଟ ଆଳୁ ସଙ୍କଟ ପଛରେ ପଶ୍ଚିମବଙ୍ଗର ଧର୍ମଘଟ ଅପେକ୍ଷା ରାଜନୈତିକ କାରଣକୁ କେତେକ ମହଲ ଦାୟୀ କରୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ ଉଦ୍ଦେଶ୍ୟ ରଖି ସମସ୍ୟା ସମାଧାନ ପରିବର୍ତ୍ତେ ଅଧିକ ବିଲମ୍ବିତ କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହି ଗୁଜବରେ କିଛିଟା ସତ୍ୟତା ଥାଇପାରେ। କିନ୍ତୁ ରାଜ୍ୟର ଆଳୁ ଯନ୍ତ୍ରଣା ପାଇଁ ଏହି କାରଣକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରାଯାଇପାରିବ ନାହିଁ। ସାମ୍ପ୍ରତିକ ସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ ଓ କର୍ତ୍ତବ୍ୟ ହେଉଛି ଖାଉଟି କଲ୍ୟାଣ ଓ ଖାଦ୍ୟ ନିରାପତ୍ତା। ତେଣୁ ଆଳୁ ପରିବହନ ଓ ଯୋଗାଣକୁ ରାଜ୍ୟ ସରକାର ସୁନିଶ୍ଚିତ କରିବା ସହିତ ବଜାର ଦର ଖାଉଟି ଅନୁକୂଳ ଓ ସ୍ଥିର ରଖିବା ପାଇଁ ବ୍ୟବସାୟୀଙ୍କୁ ରିହାତି ଦେବା ଉଚିତ। ଅସାଧୁ କଳାବଜାରୀଙ୍କୁ ଚିହ୍ନଟ କରି ଖାଉଟି ଓ ବ୍ୟବସାୟୀଙ୍କ ସ୍ୱାର୍ଥ ଭିତରେ ଭାରସାମ୍ୟ ରକ୍ଷା କରିବା ଦିଗରେ ରାଜ୍ୟ ସରକାର ତତ୍କାଳ ପ୍ରଭାବଶାଳୀ ପଦକ୍ଷେପ ନେବା ବର୍ତ୍ତମାନର ସବୁଠାରୁ ବଡ଼ ଆବଶ୍ୟକତା। ଏହି ଆବଶ୍ୟକତାକୁ ରାଜ୍ୟ ସରକାର ହୃଦୟଙ୍ଗମ କରିବା ସହିତ ଆଳୁ ଯନ୍ତ୍ରଣାର ଚିରସ୍ଥାୟୀ ଉପଶମ ପାଇଁ ଦୀର୍ଘମିଆଦୀ ଯୋଜନା ହାତକୁ ନେବାକୁ ପଡ଼ିବ।

08 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର