ଚୀନର ଚେତାବନୀ

The Sakala Picture
Published On

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାସୀନ ହେବା ମାତ୍ରେ ସହଯୋଗୀ ରାଷ୍ଟ୍ରଙ୍କ ବିରୋଧରେ ଯେଉଁ ଟାରିଫ ଯୁଦ୍ଧ ଆରମ୍ଭ କରିଛନ୍ତି, ତାହାର ଯେଉଁ ପ୍ରତିକୂଳ ପ୍ରଭାବ ପଡ଼ିବ ସେଥିପ୍ରତି ସଚେତନ ଥିଲା ଭଳି ମନେହୁଏନି। ଆମେରିକାବାସୀ ଭୟଙ୍କର ମୁଦ୍ରାସ୍ଫୀତି ସଂକଟର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଦେଶର ରପ୍ତାନି ସାମଗ୍ରୀ ଉପରେ ଯଦି ଟ୍ରମ୍ପ ସରକାର ଅଧିକ ଟାରିଫ ବା ଶୁଳ୍କ ଆଦାୟ କରନ୍ତି, ତେବେ ଆମେରିକା ବଜାରରେ ତାହାର ମୂଲ୍ୟ ବଢ଼଼ିବ। ତେଣୁ ବଜାର ଦର କମିବା ପରିବର୍ତ୍ତେ […]

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାସୀନ ହେବା ମାତ୍ରେ ସହଯୋଗୀ ରାଷ୍ଟ୍ରଙ୍କ ବିରୋଧରେ ଯେଉଁ ଟାରିଫ ଯୁଦ୍ଧ ଆରମ୍ଭ କରିଛନ୍ତି, ତାହାର ଯେଉଁ ପ୍ରତିକୂଳ ପ୍ରଭାବ ପଡ଼ିବ ସେଥିପ୍ରତି ସଚେତନ ଥିଲା ଭଳି ମନେହୁଏନି। ଆମେରିକାବାସୀ ଭୟଙ୍କର ମୁଦ୍ରାସ୍ଫୀତି ସଂକଟର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଦେଶର ରପ୍ତାନି ସାମଗ୍ରୀ ଉପରେ ଯଦି ଟ୍ରମ୍ପ ସରକାର ଅଧିକ ଟାରିଫ ବା ଶୁଳ୍କ ଆଦାୟ କରନ୍ତି, ତେବେ ଆମେରିକା ବଜାରରେ ତାହାର ମୂଲ୍ୟ ବଢ଼଼ିବ। ତେଣୁ ବଜାର ଦର କମିବା ପରିବର୍ତ୍ତେ ବଢ଼଼ିଲେ ଦେଶର ଉପଭୋକ୍ତାଙ୍କୁ ଅଧିକରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଅବଶ୍ୟ ସେ ବାବଦରେ ଟ୍ରମ୍ପ ସରକାର ଅପେକ୍ଷାକୃତ ଅଧିକ ରାଜସ୍ୱ ଆଦାୟ କରିବେ। ଅନ୍ୟପକ୍ଷରେ ସେ ଯେଉଁ ରେସିପ୍ରୋକାଲ୍‌‌ ଟାରିଫ ପ୍ରସଙ୍ଗ ଉଠାଇଛନ୍ତି, ସେଥିରେ କିଛି ରାଷ୍ଟ୍ର ଆମେରିକୀୟ ସାମଗ୍ରୀ ଉପରୁ ଶୁଳ୍କ ହାର ହ୍ରାସ କରିବାକୁ ବାଧ୍ୟହେବେ। ଏ କ୍ଷେତ୍ରରେ ଆମେରିକାର କର୍ପୋରେଟ୍‌‌ ସଂସ୍ଥା ହିଁ କେବଳ ଉପକୃତ ହେବ। କିନ୍ତୁ ସ୍ଥାନୀୟ ବଜାର ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ। ବିଶ୍ୱର ପ୍ରଭାବଶାଳୀ ନିବେଶକ ୱାରେନ୍‌‌ ବଫେଟ୍‌‌ ମଧ୍ୟ ଟ୍ରମ୍ପଙ୍କ ଏହି ଟାରିଫ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଏହି ଟାରିଫ ବୋଝ ସିଧାସଳଖ ସାମଗ୍ରୀ ଉପରେ ଟିକସରେ ପରିଣତ ହେଉଥିବାରୁ ଗ୍ରାହକଙ୍କୁ ହିଁ ଏହା ଦେବାକୁ ପଡ଼ିଥାଏ। ଟ୍ରମ୍ପ ନିଜେ ଜଣେ ବ୍ୟବସାୟୀ ହୋଇଥିବାରୁ ସେ କେବଳ ଆମେରିକାର କର୍ପୋରେଟ ସଂସ୍ଥାର ସ୍ୱାର୍ଥକୁ ହିଁ ପ୍ରାଧାନ୍ୟ ପ୍ରଦାନ କରୁଛନ୍ତି। ବିପୁଳ ଭୋଟ୍‌‌ ଦେଇ ତାଙ୍କୁ ନିର୍ବାଚିତ କରିଥିବା ମତଦାତାଙ୍କୁ ଏହା ବୁଝିବା ପାଇଁ ବେଶୀ ସମୟ ଲାଗିବ ନାହିଁ।

ଆମେରିକା ବିଶ୍ୱର ସବୁଠାରୁ ବିତ୍ତଶାଳୀ ରାଷ୍ଟ୍ର। କିନ୍ତୁ ବିଶ୍ୱ ସମୁଦାୟ କହିଲେ କେବଳ ଆମେରିକାକୁ ବୁଝାଏ ନାହିଁ। ପାରସ୍ପରିକ ସମ୍ପର୍କ ଓ ବୁଝାମଣା ଭିତ୍ତିରେ ଅନ୍ୟ ରାଷ୍ଟ୍ର ସହ ସମ୍ପର୍କ ରଖିବାକୁ ପଡ଼ିଥାଏ। ଏ କ୍ଷେତ୍ରରେ କୂଟନୈତିକ ଆଚରଣ ଓ ଶାଳୀନତା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ। ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନ, ବ୍ରିଟେନ୍‌‌ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଟ୍ରମ୍ପ ଯେଉଁ ଆଚରଣ ଓ ବ୍ୟବହାର ପ୍ରଦର୍ଶନ କରିଛନ୍ତି, ତାହା ବିଶ୍ୱବାସୀଙ୍କୁ ଚକିତ କରିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବାଦ୍‌‌ ଦେଲେ ସେ ଅନ୍ୟ କୌଣସି ରାଷ୍ଟ୍ର ସହ ସୁସମ୍ପର୍କ ସ୍ଥାପନ କଲାଭଳି ମନେହେଉନାହିଁ। ଯେଉଁ ରାଷ୍ଟ୍ର ବିରୋଧରେ ନାଟୋ ସାମରିକ ମେଣ୍ଟ ଆମେରିକା ନେତୃତ୍ୱରେ ଗଠିତ ହୋଇଥିଲା, ତାହା ଏହି ପରିବର୍ତ୍ତିତ ପରିବେଶରେ ଅର୍ଥହୀନ ହୋଇପଡ଼ିଛି। ସମସ୍ତେ ଅପେକ୍ଷା କରିଛନ୍ତି ଟ୍ରମ୍ପଙ୍କୁ କିଏ ଠିକଣା ଜବାବ ଦେବ।

ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକାର ପ୍ରଥମ କଂଗ୍ରେସ ଅଧିବେଶନରେ ଅଭିଭାଷଣ ଦେଇ ପୁଣି ସେହି ଟାରିଫ ଯୁଦ୍ଧକୁ ଦୋହରାଇଥିଲେ। ଗତ ବୁଧବାର ଚୀନ ତାହାର ଉଚିତ ଜବାବ ରଖିଛି। ଆମେରିକାରେ ଅବସ୍ଥାପିତ ଚୀନ୍‌‌ ରାଷ୍ଟ୍ରଦୂତ କହିଛନ୍ତି ଯେ ଟ୍ରମ୍ପ ଯେଭଳି ଆଭିମୁଖ୍ୟ ରଖିବେ ତାହାର ମୁକାବିଲା କରିବାକୁ ତାଙ୍କ ଦେଶ ପ୍ରସ୍ତୁତ। ଟାରିଫ ଯୁଦ୍ଧ ହେଉ କି ବାଣିଜ୍ୟ ଯୁଦ୍ଧ, ଯେକୌଣସି ପ୍ରକାର ବିପଦକୁ ନେଇ ଚୀନ୍‌‌ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି। ସେ ଦେଇଥିବା ଆହ୍ୱାନ କେବଳ ଟ୍ରମ୍ପ ପ୍ରଶାସନ ନୁହେଁ ସମଗ୍ର ବିଶ୍ୱବାସୀଙ୍କୁ ହତଚକିତ କରିଛି। ଦୁଇପଡ଼ୋଶୀ ରାଷ୍ଟ୍ର ମେକ୍ସିକୋ ଓ କାନାଡ଼ା ଉପରେ ୨୫ ପ୍ରତିଶତ ହାରରେ ଟାରିଫ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି। ସେହିଭଳି ଚୀନ୍‌‌ ସାମଗ୍ରୀ ଉପରୁ ୨୦ ପ୍ରତିଶତ ଶୁଳ୍କ ଆଦାୟ କରାଯିବ। ଭାରତ ଉପରେ ଏପ୍ରିଲ ୨ରୁ ରେସିପ୍ରୋକାଲ୍‌‌ ଟାରିଫ ଲାଗୁ କରାଯିବ। ବର୍ଦ୍ଧିତ ଶୁଳ୍କକୁ ନେଇ ବିଶ୍ୱ ବାଣିଜ୍ୟ ସଂଗଠନରେ ଚୀନ୍‌‌ ପଛକୁ କାନାଡ଼ା ମଧ୍ୟ ଫେରାଦ ହୋଇଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌‌ ଟ୍ରୁଡୋ କହିଛନ୍ତି ଯେ ଆମେରିକା ପ୍ରାୟ ୩୦ ବିଲିୟନ ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ତାଙ୍କ ଦେଶରୁ ଆମଦାନୀ କରୁଛି। ଏହା ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେଲେ କାନାଡ଼ାର ଘରୋଇ ଅର୍ଥନୀତିରେ ଗୁରୁତର ସଂକଟ ସୃଷ୍ଟି ହେବ। ଏହା ଡବ୍ଲୁଟିଓ ନିୟମର ଖୋଲା ଉଲ୍ଲଂଘନ।

ନିଜର ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ଚୀନ୍‌‌ ବିଶ୍ୱର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ହୋଇଥିବାରୁ ଟ୍ରମ୍ପଙ୍କ ଧମକରେ ଚମକି ପଡ଼ି ଲାଙ୍ଗୁଳ ଜାକିବା ଅବସ୍ଥାରେ ନାହିଁ। ବୈଷୟିକ ଜ୍ଞାନ କୌଶଳରେ ଚୀନ୍‌‌ ନିଜେ ସ୍ୱୟଂସମ୍ପୂର୍ଣ୍ଣ। ଏହାଛଡ଼ା ବିପୁଳ ମାନବ ସମ୍ବଳର ସଦୁପଯୋଗ କରି କମ୍‌‌ ଖର୍ଚ୍ଚରେ ଉତ୍ପାଦ ପ୍ରସ୍ତୁତ କରିପାରୁଥିବାରୁ ସମଗ୍ର ବିଶ୍ୱ ବଜାରରେ ତାହାର ପ୍ରାଧାନ୍ୟ ଜାହିର କରୁଛି। ଆମେରିକୀୟ ବଜାରରେ ଚୀନ୍‌‌ ସାମଗ୍ରୀର ଚାହିଦା ଅଧିକ। ତେଣୁ ବର୍ଦ୍ଧିତ ଟାରିଫରେ ସେ ଅନ୍ୟମାନଙ୍କ ଅପେକ୍ଷା କମ୍‌‌ କ୍ଷତି ସହିବ। ଆମେରିକାକୁ ବାଦ ଦେଲେ ବିଶ୍ୱର ଅନ୍ୟତ୍ର ବେପାରବଣିଜ ସମ୍ପ୍ରସାରଣ କରିବାରେ ଚୀନ୍‌‌ ସେଭଳି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବ ନାହିଁ। ଆମେରିକା ସହ ୨୦୨୪ରେ ଚୀନ୍‌‌ର ମୋଟ ବାଣିଜ୍ୟିକ କାରବାର ୫୮୨.୪ ବିଲିୟନ ଡଲାର। ସେଥିମଧ୍ୟରୁ ଚୀନ୍‌‌କୁ ମାତ୍ର ୧୪୩.୫ ବିଲିୟନ ଡଲାର ସାମଗ୍ରୀ ଆମେରିକା ରପ୍ତାନି କରୁଥିବା ବେଳେ ୪୩୮.୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଛି। କହିବାକୁ ଗଲେ ଆମେରିକୀୟ ବଜାର ଚୀନ ସାମଗ୍ରୀ ଉପରେ ଅଧିକ ନିର୍ଭରଶୀଳ। ସେହିଭଳି କାନାଡ଼ା ଉତ୍ପାଦନ କରୁଥିବା ସାମଗ୍ରୀର ୭୫.୯ ପ୍ରତିଶତ ଆମେରିକାକୁ ରପ୍ତାନି କରିଥାଏ। ଏହାର ମୂଲ୍ୟ ୪୧୦ ବିଲିୟନ ଡଲାର, ସେଥିମଧ୍ୟରେ ୧୦୭ ବିଲିୟନ ଡଲାର ମୂଲ୍ୟର ବିଶୋଧିତ ତୈଳ ରହିଛି। ତେଣୁ ଟ୍ରମ୍ପ ଏବେ ଯେଉଁ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ କରିଛନ୍ତି, ତାହାର ଗୁରୁତର ପ୍ରଭାବ ଆଗାମୀ ଦିନରେ ଅନୁଭୂତ ହେବ।

ଭାରତ ପକ୍ଷରୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ସକାଶେ କିଛି ଆମେରିକୀୟ ସାମଗ୍ରୀ ଉପରୁ ଆଗୁଆ ଶୁଳ୍କ ହ୍ରାସ କରାଯାଇଛି। ଟ୍ରମ୍ପ-ମୋଦୀ ସାକ୍ଷାତ ଆଲୋଚନା ପୂର୍ବରୁ ଏହି ପ୍ରାକ୍‌‌ପ୍ରସ୍ତୁତି ହୋଇଯାଇଥିଲେ ହେଁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେହି ରେସିପ୍ରୋକଲ ଟାରିଫ ପ୍ରସଙ୍ଗ ମଧ୍ୟ ଉଠିଥିଲା। ମାଗା + ମିଗା = ମୋଗା ସମ୍ପର୍କ ଉଲ୍ଲେଖ କରି କଥାକୁ ସୁଧାରି ନେଇଥିଲେ ମୋଦୀ। ଏସବୁ ସତ୍ତ୍ବେ ପରିସ୍ଥିତିର ଗୁରୁତ୍ୱକୁ ବିଚାର କରି ଆମେରିକୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା ପାଇଁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ସାତଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି ଆଲୋଚନା ପ୍ରସଙ୍ଗରେ ଯେଉଁ ଦକ୍ଷିଣପନ୍ଥୀ ରାଜନୀତି କଥା ଉଲ୍ଲେଖ କରିଛନ୍ତି, ତାହା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ। ଆଗାମୀ ଦିନରେ ଆମେରିକା, ଭାରତ, ଇଟାଲୀ ଓ ଆର୍ଜେଣ୍ଟିନାକୁ ନେଇ ଦକ୍ଷିଣପନ୍ଥୀ ମେଣ୍ଟ ଗଠନ ସମ୍ଭାବନା ମେଲାନିଙ୍କ ପ୍ରଚେଷ୍ଟାରେ କେତେ ଦୂର ଫଳପ୍ରଦ ହେଉଛି, ତାହା ଉପରେ ବିଶ୍ୱ ନେତୃବର୍ଗଙ୍କ ନିଶ୍ଚୟ ନଜର ରହିବ। ଏ କ୍ଷେତ୍ରରେ ମୋଦୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି। କାରଣ ବିଶ୍ୱ ଦକ୍ଷିଣପନ୍ଥୀ ରାଜନୀତିର ସେ ଜଣେ ଅବିକଳ୍ପ ନେତା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର