ଆଦର୍ଶ ଶିକ୍ଷକ ଓ ମୁକ୍ତ ବିଚାର

The Sakala Picture
Published On

ପାଞ୍ଚ ବର୍ଷ ତଳୁ ଏ ଲେଖକ ଅଧ୍ୟାପନା ବୃତ୍ତିରୁ ଅବସର ନେଇ ସାରିଲାଣି। ଅବସର ନେବାର ପ୍ରଥମ କେତୋଟି ମାସ ତା’ ପାଇଁ ଆଦୌ ସୁଖକର ନଥିଲା। ପ୍ରତି ମୁହୂର୍ତ୍ତରେ ସେ ଝୁରି ହେଉଥିଲା ତା’ର ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ; ପ୍ରତି ମୁହୂର୍ତ୍ତରେ ଝୁରି ହେଉଥିଲା ସେ ଶ୍ରେଣୀ ଗୃହର ଅପାସୋରା ଅନୁଭୂତିଗୁଡ଼ିକୁ। ନୂଆ ପ୍ରସଙ୍ଗଟିଏ, ନୂଆ ତତ୍ତ୍ୱ ବା ବିଚାରଟିଏ ସମ୍ପର୍କରେ ଯଦି ସେ କେଉଁଠି ପଢ଼଼ିବାକୁ ପାଉଥିଲା, ଭାରି ଇଚ୍ଛା କରୁଥିଲା ଆଉ ଥରେ ସେ […]

ପାଞ୍ଚ ବର୍ଷ ତଳୁ ଏ ଲେଖକ ଅଧ୍ୟାପନା ବୃତ୍ତିରୁ ଅବସର ନେଇ ସାରିଲାଣି। ଅବସର ନେବାର ପ୍ରଥମ କେତୋଟି ମାସ ତା’ ପାଇଁ ଆଦୌ ସୁଖକର ନଥିଲା। ପ୍ରତି ମୁହୂର୍ତ୍ତରେ ସେ ଝୁରି ହେଉଥିଲା ତା’ର ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ; ପ୍ରତି ମୁହୂର୍ତ୍ତରେ ଝୁରି ହେଉଥିଲା ସେ ଶ୍ରେଣୀ ଗୃହର ଅପାସୋରା ଅନୁଭୂତିଗୁଡ଼ିକୁ। ନୂଆ ପ୍ରସଙ୍ଗଟିଏ, ନୂଆ ତତ୍ତ୍ୱ ବା ବିଚାରଟିଏ ସମ୍ପର୍କରେ ଯଦି ସେ କେଉଁଠି ପଢ଼଼ିବାକୁ ପାଉଥିଲା, ଭାରି ଇଚ୍ଛା କରୁଥିଲା ଆଉ ଥରେ ସେ ସୁଯୋଗ ପାଆନ୍ତା କି ସେଗୁଡ଼ିକ ଉପରେ ଚର୍ଚ୍ଚା କରିବାକୁ? ତା’ ଆଖି ଆଗରେ ଭାସି ଉଠୁଥିଲା ତା’ର କେତେଜଣ ଛାତ୍ରଛାତ୍ରୀଙ୍କ ଉତ୍ସୁକ, କୌତୂହଳୀ ମୁହଁ। ପାଠ୍ୟକ୍ରମ ଅନ୍ତର୍ଗତ ବିଷୟବସ୍ତୁ ବାହାରେ ଅନ୍ୟ ପ୍ରସଙ୍ଗ, ଅନ୍ୟ କଥା ବା ଗାଥା ସମ୍ପର୍କରେ ଜାଣିବା ପାଇଁ ସେମାନଙ୍କ ଜିଜ୍ଞାସାଭାବ ତା’କୁ ଉତ୍ସାହିତ କରୁଥିଲା ମୁକ୍ତ ଭାବରେ ଆପଣାର ବୌଦ୍ଧିକ ବିଚାର ବାଢ଼ି ଦେବାକୁ। ସେଇ ସବୁ ସ୍ମୃତି ଉଜ୍ଜ୍ୱଳ ହେବା ମାତ୍ରେ ସେ କଳ୍ପନା କରି ବସୁଥିଲା- ସେ ଠିଆ ହୋଇଛି ‘ଇଂରାଜୀ ସମ୍ମାନ’ ଶ୍ରେଣୀର ପିଲାମାନଙ୍କ ଆଗରେ ଓ ପିରିଅଡ୍‌‌ଟି ଅତିକ୍ରାନ୍ତ ହେବାର ଘଣ୍ଟି କେତେବେଳୁ ବାଜି ସାରିଥିଲେ ବି ଜାଣି ପାରିନି ସେ। କିନ୍ତୁ ନିକଟ ଅତୀତର ସେଇ ସୁଖକର ମୁହୂର୍ତ୍ତଗୁଡ଼ିକ ଖୁବ୍‌‌ ଦୂର ଅତୀତର ହୋଇଥିବ ବୋଲି ଏବେ ବେଳେବେଳେ ଭାବିବାକୁ ବାଧ୍ୟ ହେଉଛି ସେ। କାରଣ ଏଇ ଅଳ୍ପ କେତୋଟି ବର୍ଷ ଭିତରେ ଆମ ଶିକ୍ଷାୟତନର ପରିବେଶ ବଦଳିଗଲା ପରି ଜଣା ପଡ଼ିଗଲାଣି। ଜଣା ପଡ଼ିଗଲାଣି ଯେ ଏବେ ଜଣେ ଶିକ୍ଷକ ବା ଅଧ୍ୟାପକ ଆଉ ତନ୍ମୟ ହୋଇ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବରେ ଶ୍ରେଣୀ ଗୃହରେ ଆପଣାର ନିରପେକ୍ଷ ବୌଦ୍ଧିକ ବିଚାର ବାଢ଼ି ପାରିବ ନାହିଁ।

ଏଇ କେତୋଟି ବର୍ଷ ଭିତରେ ଆମ ବୌଦ୍ଧିକ, ଭାବନାତ୍ମକ ଓ ବିଚାରବୋଧର ଜାହ୍ନବୀରେ ବହି ଗଲାଣି ଅକାତକାତ ଜଳ। ଆମ ସାମାଜିକ- ସାଂସ୍କୃତିକ ଚେତନାର ଗଙ୍ଗୋତ୍ରୀର ସେ ସ୍ୱଚ୍ଛତା, ସେ ସୁଗନ୍ଧି ପବିତ୍ରତା ସତେଯେପରି ବହି ଚାଲିଗଲାଣି ହଜି ଯିବାକୁ ମହୋଦଧିର ନୀଳ ଅନ୍ଧାରୀ ଗର୍ଭରେ। ଏଇ ଦୁଃସ୍ଥିତି,ଏଇ ବିର୍ଯ୍ୟୟର ପ୍ରଭାବ ଆଜି ସର୍ବପ୍ରଥମେ ଅନୁଭୂତ ହେଲାଣି ଆମ ଶିକ୍ଷାମନ୍ଦିରମାନଙ୍କରେ। ଦ୍ରୁତ ଗତିରେ ଅପସରି ଯାଉଛି ଆମ ଶିକ୍ଷାନୁଷ୍ଠାନର ସ୍ୱଚ୍ଛ, ମୁକ୍ତ, ଅନ୍ତରଙ୍ଗ ବାତାବରଣ। ଦ୍ରୁତ ଗତିରେ ଅବକ୍ଷୟମୁଖି ହୋଇ ଚାଲିଛି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଶ୍ରଦ୍ଧାନ୍ୱିତ ସମ୍ପର୍କ। ଶ୍ରେଣୀକକ୍ଷରେ ଆଜି ବିରାଜ କଲାଣି ଏକ ଛମଛମ ଭାବ, ଯେଉଁଥିରେ ଆକ୍ରାନ୍ତ ଉଭୟ ଗୁରୁ ଓ ଶିଷ୍ୟଶିଷ୍ୟା। ତେଣୁ ଏ ଲେଖକ ଶିକ୍ଷକତାର ବୃତ୍ତିରୁ ଅବସର ନେଇ ସାରିଥିବାରୁ ଆଉ ଦୁଃଖ କରୁନି କି ଆଉ ଝୁରି ହେଉନି। କାରଣ ସେ ଜାଣି ସାରିଲାଣି ଯଦି ସେ ଏବେ ଶ୍ରେଣୀ ଗୃହରେ ତା’ର ଇଂରାଜୀ ସାହିତ୍ୟର ଛାତ୍ରଛାତ୍ରୀମାନଙ୍କୁ ପଢ଼଼ାଉଥା’ନ୍ତା, ତାକୁ ପ୍ରଥମେ ପରଖିବାକୁ, ତଉଲିବାକୁ ପଡୁଥା’ନ୍ତା। ଉଚ୍ଚାରଣ କରିବାକୁ ଯାଉଥିବା ପ୍ରତିଟି ଶବ୍ଦକୁ; ବାରମ୍ବାର ତା’କୁ ପିଲାମାନଙ୍କ ଉପରେ ସନ୍ଦେହୀ ଆଖି ବୁଲାଇବାକୁ ପଡୁଥା’ନ୍ତା – କାଳେ କେହି ତା’ର ବକ୍ତବ୍ୟଗୁଡ଼ିକୁ ମୋବାଇଲରେ ରେକର୍ଡ଼ିଂ କରୁଛି କି ନାହିଁ ଜାଣିବାକୁ ତାକୁ ତୀକ୍ଷ୍‌‌ଣ ନଜର ରଖିବାକୁ ପଡୁଥା’ନ୍ତା। ସେକ୍‌‌ସପିୟରଙ୍କ ବିପୁଳ ସାରସ୍ୱତ ସୃଷ୍ଟିରୁ କେଉଁ ଏକ ନାଟକ, କେଉଁ ଏକ ଚରିତ୍ର ଉପରେ କହିବା ବେଳେ ସେ ଯେପରି ମଣିଷର ମନ ଓ ହୃଦୟର ଅତଳତଳର କେତେ କେତେ ଭାବବିନ୍ନ୍ୟାସର ମୁକ୍ତ ଚର୍ଚ୍ଚା କରୁଥିଲା, ସେପରି ସେ ଆଉ କରିପାରି ନଥା’ନ୍ତା। କିଏ ଜାଣେ ଆଜିର ସଂକୀର୍ଣ୍ଣମନା ନୈତିକ ଜଗୁଆଳିମାନେ ମଣିଷର ଯେଉଁ ସହଜାତ ବୈଶିଷ୍ଟ୍ୟକୁ ଅନୈତିକ, ଅଧାର୍ମିକ, ଅଣପାରମ୍ପରିକ ବୋଲି ରାୟ ଦେଇଛନ୍ତି, ସେଇ ବୈଶିଷ୍ଟ୍ୟର ବନ୍ଦାପନା କରି ନଥିବେ ଅସାମାନ୍ୟ ସେକ୍‌‌ସପିୟର? କିଏ ଜାଣେ ଏଇ ଭୂୟୋଦର୍ଶୀ ସର୍ଜକ ଜଣକ ଆମ ପାଖରେ ଥୋଇ ଦେଇଥିବା ଫୁଲଗୁଚ୍ଛଗୁଡ଼ିକରେ ଆମ ଦେବତାଙ୍କୁ ଲାଗୁ ହେଉନଥିବା ଫୁଲ କେତୋଟି ରଖି ଦେଇ ନଥିବେ?

ସତ କଥା ହେଉଛି ଜଣେ ସତ୍‌‌ଶିକ୍ଷକ ବିଶ୍ୱ ଜ୍ଞାନଭଣ୍ଡାରରୁ ବଛା ବଛା ଭାବରତ୍ନ ତୋଳି ଆଣି ତା’ର ଛାତ୍ରଛାତ୍ରୀମାନଙ୍କ ଆଗରେ ବାଢ଼ି ଦେଇ ପରମ ତୃପ୍ତି, ପରମ ସନ୍ତୋଷ ପାଇଥାଏ। ଭିନ୍ନ ଭିନ୍ନ ମତବାଦ, ଭିନ୍ନ ଭିନ୍ନ କାବ୍ୟିକ, ଦାର୍ଶନିକ ଓ ସାହିତ୍ୟିକ ଭାବଧାରାର ପ୍ରସିଦ୍ଧ ଚିନ୍ତ ଓ ପ୍ରବକ୍ତାମାନଙ୍କ ସମ୍ପର୍କରେ କେତେବେଳେ ଠିକେ ଠିକେ ବା କେତେବେଳେ ବିସ୍ତୃତ ଭାବରେ କହି ପିଲାମାନଙ୍କ ଚିନ୍ତାଚେତନାର ପରିସରକୁ ବ୍ୟାପକ କରିବା ପାଇଁ ପ୍ରୟାସ କରିଥାଏ। ପ୍ଲାଟୋ ବା ହେଗେଲଙ୍କ ସମ୍ପର୍କରେ ଯେମିତି ତନ୍ମୟତାର ସହ ବ୍ୟାଖ୍ୟା କରିଥାଏ, ସେମିତି ବି କରିଥାଏ ଜଣେ ମାକିଆଭେଲି, ଜଣେ କାର୍ଲମାର୍କସ ବା ନିତ୍‌‌ସେଙ୍କ ସମ୍ପର୍କରେ। ବେଦ ବେଦାନ୍ତ, ଉପନିଷଦ୍‌‌ଠାରୁ ଆରମ୍ଭ କରି ଜେନ୍ଦା ଭେସ୍ତା, ବାଇବେଲ୍‌‌ ବା କୋରାନ୍‌‌ ପର୍ଯ୍ୟନ୍ତ ପ୍ରତ୍ୟେକ ଧର୍ମ ବିଚାରର ଅନୁଶୀଳନ କରିବା ପାଇଁ ପିଲାମାନଙ୍କୁ ପରୋକ୍ଷରେ ଅବା ପ୍ରତ୍ୟକ୍ଷରେ ଉତ୍ସାହିତ କରିଥାଏ। ଏ ଲେଖକ ଅନେକ ଥର ପ୍ରସିଦ୍ଧ ରୋମାଣ୍ଟିକ କବି ଜନ୍‌‌ କୀଟ୍‌‌ସ ଯେଉଁ ‘ନେଗେଟିଭ କାପାବିଲିଟି’ କଥା କହିଥିଲେ, ତା’ର ସରଳ ବ୍ୟାଖ୍ୟା କରି ପିଲାମାନଙ୍କୁ ବୁଝାଇ ଦେଉଥିଲା ଯେ ଜୀବନ ଓ ଜଗତ ସମ୍ପର୍କରେ ସକଳ ବିରୋଧାଭାସପୂର୍ଣ୍ଣ ମତମତାନ୍ତର ଉପରେ ମୁକ୍ତ ବିଚାର ବିମର୍ଶ କରିବା ଓ ନିର୍ଦ୍ଦିଷ୍ଟ ଏକ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ବ୍ୟାକୁଳ ନ ହେବା ହେଉଛି ଖାଣ୍ଟି ବୌଦ୍ଧିକତା। ପ୍ରତ୍ୟେକ ନିଷ୍ଠାପର, ପ୍ରତିବଦ୍ଧ ସଚ୍ଚା ଶିକ୍ଷକ ବା ଅଧ୍ୟାପକ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକତାକୁ ଠିକ୍‌‌ ଏଇଭଳି ଦୃଢ଼, ଶାଣିତ ଓ ବ୍ୟାପକ କରିବା ପାଇଁ ହିଁ ଚାହିଁ ଥାଏ। ଜଣେ ସଚ୍ଚା ଶିକ୍ଷକ ଜାଣେ ଯେ ଗାନ୍ଧୀ, ଗୋପବନ୍ଧୁ ବା ଟଲଷ୍ଟୟମାନେ ଯେତିକି ବନ୍ଦ୍ୟ, ସେତିକି ବି ବନ୍ଦ୍ୟ ଭିନ୍ନ ଭାବନା, ଭିନ୍ନ ବିଚାରର ପ୍ରତିନିଧିତ୍ୱ କରୁଥିବା ଅନ୍ୟ ମନୀଷୀଗଣ। କାରଣ ବାସ୍ତବ ସତ୍ୟଟି ହେଉଛି ଯେ ଭିନ୍ନ ଭିନ୍ନ ଚିନ୍ତାଚେତନାର ଅନୁଶୀଳନ କଲେ ହିଁ କେଉଁ ତତ୍ତ୍ୱ, କେଉଁ ଭାବନା ଧାରଣା ଜୀବନ ଓ ଜଗତ ପାଇଁ ସାର୍ବଜନୀନ ଭାବରେ କଲ୍ୟାଣକର ଓ ଶୁଭଙ୍କର, ତାହା ଜଣା ଯାଇଥାଏ। ଜଣେ ଉତ୍ତମ ଶିକ୍ଷାଗୁରୁ ଏଇ ନିର୍ମଳ ବୌଦ୍ଧିକତାର ପୃଷ୍ଠପୋଷକତା କରିଥାଏ ଓ ଏହା କରି ତା’ର ଛାତ୍ରଛାତ୍ରୀ, ଶିଷ୍ୟଶିଷ୍ୟାଙ୍କର ମାନସିକ ଦିଗ୍‌‌ବଳୟକୁ ପ୍ରସାରିତ କରିଥାଏ, ସେମାନଙ୍କ ମାନସପଟରେ ବସା ବାନ୍ଧିବାକୁ ଯାଉଥିବା ଅଳନ୍ଧୁଗୁଡ଼ିକୁ ପରିଷ୍କାର କରି ଦେଇଥାଏ।

ଆଜିକୁ ପଇଁଚାଳିଶ ବର୍ଷ ତଳେ ଏ ଲେଖକ ଯେତେବେଳେ ଛାତ୍ର ଥିଲା, ସେ କେତେଜଣ ସତ୍‌‌ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲା, ଯେଉଁମାନେ ତାକୁ ସ୍ୱାଧୀନ ବିଚାର କରିବାର କଳାଟି ଶିଖାଇ ଦେଇଥିଲେ। ସେତେବେଳେ ଶ୍ରେଣୀଗୃହର ବାତାବରଣ ମୁକ୍ତ ଥିଲା ଓ ଶିକ୍ଷାଦାନ ଥିଲା ମୁକ୍ତ ଓ ସ୍ୱାଧୀନ। ସେତେବେଳେ କୌଣସି ଶିକ୍ଷକ ମାନବ ସଭ୍ୟତାର ଇତିହାସକୁ କୌଣସି ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ଉପସ୍ଥାପିତ କରିବା ପାଇଁ ବା ଏକ ରୂଢ଼ିବାଦୀ, ରକ୍ଷଣଶୀଳ ବିଚାରଧାରାର ପକ୍ଷ ନେବାକୁ ବାଧ୍ୟ ହେଉ ନଥିଲେ। ସେଇ ଶିକ୍ଷକ, ଅଧ୍ୟାପକମାନଙ୍କ ଶୁଭ ପ୍ରଭାବ ଯୋଗୁଁ ଏ ଲେଖକ ତା’ର ଅଧ୍ୟାପନା ବୃତ୍ତିଟିକୁ ସାଧ୍ୟ ମୁତାବକ ନିର୍ମଳ, ନିର୍ଦ୍ଦୋଷ ରଖି ପାରିଥିଲା। ବଡ଼ ଦୁର୍ଭାଗ୍ୟର କଥା, ବର୍ତ୍ତମାନର ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆପଣାର ଆଦର୍ଶ ସହିତ ନାନା ପ୍ରକାର ସାଲିସ୍‌‌ କରିବାକୁ ନାନା ଦିଗରୁ ଚାପଗ୍ରସ୍ତ ହୋଇ ଚାଲିଛନ୍ତି। ଏବେ ଆମ ଶିକ୍ଷାୟତନ ସ୍ୱାର୍ଥୀ, ସଂକୀର୍ଣ୍ଣମନା ମୌଳବାଦୀମାନଙ୍କ ବିଷ ପ୍ରଭାବରେ ପ୍ରଦୂଷିତ ହେବାକୁ ଆରମ୍ଭ କଲାଣି। ଏବେ ଆମ ସମାଜର ତଥାକଥିତ ବଡ଼ ପଣ୍ଡାମାନେ କୋମଳମତି ପିଲାମାନଙ୍କର ମନ ଓ ହୃଦୟକୁ କଳୁଷିତ କରିବା ପାଇଁ ନାନା ମସୁଧା କରି ଚାଲିଛନ୍ତି। ଆମର ଯୁବାବର୍ଗଙ୍କୁ ନିର୍ଦ୍ଦିଷ୍ଟ ଚିନ୍ତନ, ନିର୍ଦ୍ଦିଷ୍ଟ ମତବାଦର ଶଗଡ଼ଗୁଳାରେ ପକାଇ ଦିଆ ସାରିଲାଣି।

ଉଦାରତା, ସହନଶୀଳତା, ଦରଦୀ ମାନବିକତା ଭଳି ମୂଲ୍ୟବୋଧଗୁଡ଼ିକ କୌଣସି ସଂକୀର୍ଣ୍ଣ ଧାର୍ମିକ ଆଦର୍ଶର ପର୍ରିସାର ପାଇଁ ଅନୁକୂଳ ହୋଇ ନଥିବାରୁ ସେଇ ମୂଲ୍ୟବୋଧ ସବୁକୁ ଅଣଦେଖା କରିବା ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷିତ କରାଯିବାର ସମସ୍ତ ବନ୍ଦୋବସ୍ତ କରା ହୋଇ ଚାଲିଛି। ଏଇ ପରିପ୍ରେକ୍ଷୀରେ ଏଠାରେ ନିକଟରେ ଘଟିଥିବା ଦୁଇଟି ଘଟଣାର ଅବତାରଣା କରିବା ଆବଶ୍ୟକ। ପ୍ରଥମଟି ଘଟିଥିଲା କର୍ଣ୍ଣାଟକର କୋହ୍ଲାପୁର ଜିଲ୍ଲାର ଗୋଟିଏ ଉଚ୍ଚ ମାନସମ୍ପନ୍ନ ଇଞ୍ଜିନିୟରିଂ କଲେଜରେ। ସେଦିନ ଜଣେ ଅଧ୍ୟାପିକା ଗୋଟିଏ କ୍ଲାସରେ ମାନବିକ ମୂଲ୍ୟବୋଧ ବିଷୟରେ ଆଲୋଚନା କରୁଥିବାବେଳେ ଧାର୍ମିକ ଅସହିଷ୍ଣୁତା ଭାରତରେ କିପରି ଚେର ମାଡ଼ି ଚାଲିଛି ସେ ବିଷୟରେ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ଜାତିବାଦ ଓ ରକ୍ଷଣଶୀଳତାକୁ ନେଇ କ୍ଷୋଭ ପ୍ରକାଶ କରୁଥିଲେ। ସେ ଜାଣି ନଥିଲେ ତାଙ୍କର ପ୍ରିୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କେତେଜଣଙ୍କ ମନରେ ସାମ୍ପ୍ରଦାୟିକ ହିଂସ୍ରତାର ବିଷ ଚରି ଗଲାଣି ବୋଲି। ତାଙ୍କ ଅଲକ୍ଷ୍ୟରେ କେହି ଜଣେ ଛାତ୍ର ବା ଛାତ୍ରୀ ତାଙ୍କ କଥାଗୁଡ଼ିକ ରେକର୍ଡ଼ିଂ କରିଦେଲା।

ପରବର୍ତ୍ତୀ ସମ୍ବାଦଟି ଏହିପରି: ତୁରନ୍ତ ଆସି ପହଞ୍ଚିଗଲେ ଉଚ୍ଚ ପୁଲିସ ପଦାଧିକାରୀ। କାରଣ ଇତିମଧ୍ୟରେ ଶ୍ରେଣୀଗୃହରେ ତାଙ୍କର ବକ୍ତବ୍ୟ ଭାଇରାଲ କରା ହୋଇ ସାରିଥିଲା। ଅପମାନଜନକ ଜେରାର ସମ୍ମୁଖୀନ ହେଲେ ଅଧ୍ୟାପିକା ଜଣକ ଓ କଲେଜ କର୍ତ୍ତୃପକ୍ଷ ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଦେଲେ। ଦ୍ୱିତୀୟ ଘଟଣାଟି ପୁନେରେ ଘଟିଛି ୨୦୨୩ ମସିହା ଅଗଷ୍ଟ ମାସର ୨ ତାରିଖରେ। ପୁନେର ଗୋଟିଏ ପ୍ରସିଦ୍ଧ କଲେଜର ଜଣେ ଶିକ୍ଷକ ହିନ୍ଦୁ ଦେବାଦେବୀଙ୍କୁ ନେଇ କିଛି ହାଲ୍‌‌କା, ଲଘୁ ମନ୍ତବ୍ୟ ରଖିଦେଲେ ତାଙ୍କ ଶ୍ରେଣୀ କକ୍ଷରେ। ସେ ବିଚରା ଜାଣି ନଥିଲେ ଯେ କେହି ଶିକ୍ଷକ/ଅଧ୍ୟାପକ ଆଜିଠାରୁ କୋଡ଼ିଏ କି ତିରିଶ ବର୍ଷ ତଳେ, ଏପରିକି ପାଞ୍ଚ/ଛଅ ବର୍ଷ ତଳେ ଏପରି କିଛି କହିଥା’ନ୍ତେ, ତେବେ କୌଣସିଠାରେ ସାମାନ୍ୟତମ ଗୁଞ୍ଜରଣ ବି ସୃଷ୍ଟି ହୋଇନଥା’ନ୍ତା। କାରଣ ସେତେବେଳେ ଆମ ଦେବାଦେବୀମାନେ ଥିଲେ ଆମର ଅତି ଆପଣାର, ଆମର ଛଳଛଳ ମମତା ଓ ଆତ୍ମୀୟତାର ପ୍ରତୀକ ପ୍ରତିମା। ଅନ୍ୟ ଧର୍ମଧ୍ୱଜାଧାରୀମାନଙ୍କ ପରି ଆମେ ଆମ ଆରାଧ୍ୟ, ଆରାଧ୍ୟାମାନଙ୍କୁ ନେଇ ଆଦୌ ସ୍ପର୍ଶକାତର ନଥିଲୁ। ଆମ ଗୋଲକବିହାରୀ ବିଷ୍ଣୁଙ୍କ ବକ୍ଷଦେଶରେ ଶ୍ରୀବତ୍ସ ବ୍ରାହ୍ମଣର ପଦାଘାତ କଥା ଭକ୍ତି ଗଦ୍‌‌ଗଦ୍‌‌ କଣ୍ଠରେ ଅନ୍ୟକୁ ଶୁଣାଇବାରେ ଆମେ ଅପାର ଆନନ୍ଦ ପାଉଥିଲୁ। ଆମ ପୁରାଣକାରମାନେ ତେତ୍ରିଶକୋଟି ଦେବାଦେବୀଙ୍କୁ ନେଇ ସୃଷ୍ଟି କରିଥିବା ଲଘୁ, ଆମୋଦଦାୟୀ ଆଖ୍ୟାୟିକାଗୁଡ଼ିକର ଅନ୍ତର୍ନିହିତ ଆଧ୍ୟାତ୍ମିକ ଭାବରସକୁ ପ୍ରକାଶ କରୁଥିଲୁ ଶତସହସ୍ର ପ୍ରବଚନମାନଙ୍କରେ। ହାୟ! ଆଜି କିନ୍ତୁ ସେ ଭାବୋଚ୍ଛଳ, ରସୋଚ୍ଛଳ ଖୋଲା ମେଲା ପରିବେଶ ସ୍ୱପ୍ନ ହେବାକୁ ବସିଲାଣି। ଆଜି ଆମ ସମସ୍ତଙ୍କ ପାଇଁ କାହିଁ କେତେ ଲକ୍ଷ୍ମଣରେଖା ଟଣା ହୋଇ ଚାଲିଛି ଏକ ଭୟଙ୍କର ଉଦ୍ଦାମତାରେ, ଏକ ବିଭ୍ରାନ୍ତିକର ଅନ୍ଧ ଆବେଗରେ।

ଏସବୁ ସତ୍ତ୍ବେ ଏ ଲେଖକର ବିଶ୍ୱାସ ଅଛି- ମୁକ୍ତ ବିଚାର ଚିନ୍ତନରେ ସମୃଦ୍ଧ ଆମ ଭାରତୀୟ ସଂସ୍କୃତି ପୁଣି କଡ଼ ଲେଉଟାଇବ ଓ ଆମ ଚିନ୍ତାଚେତନାର ଆକାଶରେ ଏବେ ଛାଇ ଆସୁଥିବା ସବୁ କଳା ବଉଦ ଅପସରି ଯିବ। ପୁନଶ୍ଚ ଆମ ଜ୍ଞାନ ରାଜ୍ୟରେ ତର୍କ, ବିତର୍କ, ଶାସ୍ତ୍ରାର୍ଥ ଓ ବିଚାର ମନ୍ଥନର ପରମ୍ପରାକୁ ଆମେ ଦୃଢ଼ ପ୍ରତିଷ୍ଠା ଦେବା।

ଦୁର୍ଗାପ୍ରସାଦ ଆଚାର୍ଯ୍ୟ
ଜଗତ୍‌‌ସିଂହପୁର, ମୋ-୯୮୫୩୩୫୫୧୦୭

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର