ବୋଉର ସ୍ନେହ-ସଞ୍ଜୀବନୀ

The Sakala Picture
Published On

ଦିନକୁ ଦିନ ବିଜ୍ଞାନର ବିନା ଉପସ୍ଥିତିରେ ମନୁଷ୍ୟର ଭୌତିକ ପ୍ରଗତି ଅସମ୍ଭବ ହୋଇପଡ଼ିଛି। ଆମର ଦୈନନ୍ଦିନ ଚାଲିଚଳଣି ଓ ଜୀବନଚର୍ଯ୍ୟା ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ କହିଲେ ଚଳେ। ସେହିପରି ଆଜିକାଲି କେହି ବନ୍ଧୁବାନ୍ଧବ ବା ପରିଚିତ ଲୋକ ଦେଖାହେଲେ ଆଗ ପଚାରୁଛନ୍ତି, ଦେହପା’ କେମିତି ଅଛି? ଡାଇବେଟିସ, ଗ୍ୟାଷ୍ଟ୍ରିକ୍‌‌, ବିପି, ଜଏଣ୍ଟ ପେନ୍‌‌ ଆଦିରୁ କିଛି ବି ଗୋଟେ ରୋଗ ବିଷୟରେ ପଚାରୁଛନ୍ତି। ଏହାର ଅର୍ଥ ଆଜିକାଲି ଏଭଳି ରୋଗ ହେବା ସ୍ୱାଭାବିକ ବୋଲି ଧରି […]

ଦିନକୁ ଦିନ ବିଜ୍ଞାନର ବିନା ଉପସ୍ଥିତିରେ ମନୁଷ୍ୟର ଭୌତିକ ପ୍ରଗତି ଅସମ୍ଭବ ହୋଇପଡ଼ିଛି। ଆମର ଦୈନନ୍ଦିନ ଚାଲିଚଳଣି ଓ ଜୀବନଚର୍ଯ୍ୟା ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ କହିଲେ ଚଳେ। ସେହିପରି ଆଜିକାଲି କେହି ବନ୍ଧୁବାନ୍ଧବ ବା ପରିଚିତ ଲୋକ ଦେଖାହେଲେ ଆଗ ପଚାରୁଛନ୍ତି, ଦେହପା’ କେମିତି ଅଛି? ଡାଇବେଟିସ, ଗ୍ୟାଷ୍ଟ୍ରିକ୍‌‌, ବିପି, ଜଏଣ୍ଟ ପେନ୍‌‌ ଆଦିରୁ କିଛି ବି ଗୋଟେ ରୋଗ ବିଷୟରେ ପଚାରୁଛନ୍ତି। ଏହାର ଅର୍ଥ ଆଜିକାଲି ଏଭଳି ରୋଗ ହେବା ସ୍ୱାଭାବିକ ବୋଲି ଧରି ନିଆଗଲାଣି। ଏଥିପାଇଁ ଆମର ପରିବର୍ତ୍ତିତ ଜୀବନଶୈଳୀ ଓ ଖାଦ୍ୟପେୟର ଅସନ୍ତୁଳନକୁ ଦାୟୀ କରାଯାଇପାରେ।

ସମୟ ଥିଲା, ସକାଳ ଜଳଖିଆରେ ବୋଉ ହାତର ଚକୁଳି, ଚୁଡ଼ା, ମୁଢ଼ି, ମଣ୍ଡା, ଗଇଁଠାରେ ଆମର ପେଟ ପୁରୁଥିଲା। ପୂର୍ବାହ୍ଣରେ ବୋଉର ପଖାଳ କଂସାର ବାସ୍ନା ଏବେ ବି ଅନେକଙ୍କ ସ୍ମୃତିରେ ଜୀବନ୍ତ। ମଧ୍ୟାହ୍ଣରେ ଉଷୁନା ଭାତରେ ଦେଶୀ ଗୁଆଘିଅ ସାଙ୍ଗକୁ ବଗଡ଼଼ା ଡାଲି, ଶାଗ ଖରଡ଼ା, ଚୁନା ମାଛ, ବାଡ଼ି ବାଇଗଣ, କଲରା, ଭେଣ୍ଡି ଭଜାରେ ବୋଉ ପ୍ରସ୍ତୁତ କରୁଥିଲା ଦି’ପହର ବ୍ୟଞ୍ଜନ। ସେହିପରି ସନ୍ଧ୍ୟା ଓ ରାତ୍ରିଭୋଜନରେ ବି ବୋଉ ହାତରନ୍ଧାରେ ପରିବାରର ସ୍ୱାସ୍ଥ୍ୟ ନିହିତ ରହୁଥିଲା। ଦୁଇଶହରୁ ଅଢ଼େଇଶହ ଗ୍ରାମ୍‌‌ର ତେଲରେ ବୋଉ କେମିତି ପନ୍ଦରଦିନ ଚଳାଇ ନେଉଥିଲା ତାହା ଏବେ ବି ରହସ୍ୟ। ଆଜି ଗୋଟିଏ ସାଧାରଣ ପରିବାର ଚଳିବାକୁ ମାସକୁ ପାଞ୍ଚରୁ ଛଅ ଲିଟର ତେଲ ବି କମ୍‌‌ ପଡ଼ୁଛି। ଆଜିଭଳି ମସଲାଗୁଣ୍ଡର ବ୍ୟବହାର ବୋଉ ଜାଣି ନ ଥିଲା। ବୋଉର ରୋଷେଇରେ ମସଲା କହିଲେ ଜିରା, ପଞ୍ଚଫୁଟଣ ଓ ଦେଶୀ ପିଆଜରୁ ଦି’କୋଲା। ନିଜେ ହାତରେ କାଟି, ବାଟି ରାନ୍ଧୁଥିଲା। ତା’ ବାଦ୍‌‌ ସୁବିଧା ଅସୁବିଧାରେ ତିଅଣ ଭାବେ ଚଳେଇଲା ଭଳି ବର୍ଷକ ପାଇଁ ଆମ୍ୱ, ଲେମ୍ୱୁ, ଓଉ, କରମଙ୍ଗା ଆଦି ଋତୁକାଳୀନ ଫଳକୁ କାଟି ଶୁଖାଇ ଆଚାର ପ୍ରସ୍ତୁତ କରୁଥିଲା। ବିରି ବାଟି ବଡ଼ି ପାରୁଥିଲା। ସେସବୁ ଖାଦ୍ୟର ସ୍ୱାଦ ଥିଲା ନିଆରା ଓ ବର୍ଷବର୍ଷ ଧରି ଖାଉଥିଲେ ବି ରୋଗର ଭୟ ନଥିଲା।

ଏବେ କିନ୍ତୁ କେକ୍‌‌, ନୁଡୁଲ୍ସ, ପାସ୍ତା ଅଥବା ସେମିତି କିଛି ଫାଷ୍ଟଫୁଡରୁ ଆରମ୍ଭ ହେଉଛି ଆମ ସକାଳର ଜଳଖିଆ। ଏହାପରେ ଚିକେନ୍‌‌, ମଟନ ଆଦିର ବିଭିନ୍ନ ମସଲାଯୁକ୍ତ ଡିସ୍‌‌ ବିଭିନ୍ନ ସମୟରେ ଖାଦ୍ୟରେ ସାମିଲ ହେଉଛି। ତା’ ସହ ବୟସାନୁସାରେ ପ୍ରୋଟିନ୍‌‌ଯୁକ୍ତ ଖାଦ୍ୟ ଧରାବନ୍ଧା ହୋଇ ରହୁଛି। ପୁଷ୍ଟିସାଧନ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି। କିଏ କିଏ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ମଲ୍ଟି ଭିଟାମିନ୍‌‌ ଟାବଲେଟ୍‌‌ ଖାଇଲେଣି ତ କିଏ ସିରପ୍‌‌ ପିଇଲାଣି। ସୁସ୍ଥ ରହିବାକୁ ଯାବତୀୟ ଦିନଚର୍ଯ୍ୟା। ସୌଖୀନରେ କେତେବେଳେ ମଣ୍ଣିଂୱାକ୍‌‌ ତ କେତେବେଳେ ଯୋଗ ପୁଣି ଏରୋଟିକ। ତଥାପି, ଅବେଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି ମଣିଷ। ସବୁବେଳେ ଡାକ୍ତରଙ୍କ ପାଖରେ ଲାଗୁଛି ଲମ୍ୱା ଲାଇନ୍‌‌। ବିଜ୍ଞାନ ଆମକୁ ଏତେ ସମୃଦ୍ଧ କରିଥିବା ସତ୍ତ୍ବେ ରୋଗମୁକ୍ତ ହୋଇପାରୁନାହାନ୍ତି ଆମେ। ବୋଧହୁଏ, ବୋଉର ରୋଷେଇକୁ ଭୁଲିଯିବା ହେଉଛି ଆଜିକାଲି ଦେଖାଯାଉଥିବା ଅନେକ ଭୟାନକ ରୋଗର କାରଣ।

ତଥାପି ଆମେ କଥା କଥାକେ କହିଥାଉ ବୋଉ ତୁ କିଛି ଜାଣିନୁ। କୋଉ ଯୁଗରେ ଅଛୁ? ଇଏ ବିଜ୍ଞାନର ଯୁଗ। ତୁ ସେ ଆଇମା’ ଅମଳର ନୀତିନିୟମ ଛାଡ଼୍‌‌। ଯୁଗ ଯାଇଁ କୁଆଡ଼େ ପହଞ୍ଚିଲାଣି। କିନ୍ତୁ ବୋଉର ଅଳ୍ପ ପାଠପଢ଼଼ାରେ ବି ଉଚ୍ଚ ବୁଦ୍ଧିମତ୍ତା ସଂସାରରେ ବୋଧହୁଏ ଆଉ କେଉଁଠି ବି ମିଳିବ ନାହିଁ। ଆଗରୁ ବୋଉ ବାଢ଼ି ଦେଉଥିବା ପିଠା, ମୁଢ଼ି, ଚୁଡ଼ା ଓ ପଖାଳକୁ ଦେଖି ଅନେକ ନାକ ଟେକୁଥିଲେ। ହେଲେ, ଆଜି ବିଶେଷଜ୍ଞମାନେ ଗବେଷଣା କରି ମତ ଦେଲେଣି ଯେ ଏସବୁ ପାରମ୍ପରିକ ଖାଦ୍ୟରେ ପ୍ରଚୁର ମାତ୍ରାରେ ରହିଛି ଆଇରନ୍‌‌ ଓ ମାଗ୍ନେସିୟମ୍‌‌। ଏହା ସ୍ୱାସ୍ଥ୍ୟପକ୍ଷରେ ଅତ୍ୟନ୍ତ ହିତକର। ସେଥିଲାଗି ପଞ୍ଚତାରକା ହୋଟେଲରେ ବି ଏସବୁ ଖାଦ୍ୟକୁ ବିଭିନ୍ନ ଢଙ୍ଗରେ ପରସା ଗଲାଣି। ଯାହା ରାଜ୍ୟ ତଥା ଦେଶ ବାହାରର ଲୋକଙ୍କ ଦ୍ୱାରା ବେଶ୍‌‌ ଆଦୃତ ବି ହୋଇଛି।

ଘରର ସଦସ୍ୟଙ୍କ ଥଣ୍ଡା, ଜ୍ୱର, ଝାଡ଼ା କଥା ଶୁଣିଲେ ବୋଉ ତା’ ବୁଦ୍ଧିମତ୍ତାରେ କହେ ଅମୁକ ପତ୍ର, ସମୁକ ଡାଳ, ଅମକ ଫୁଟେଇ, ସମୁକ ଗୋଳେଇ ପିଇଦେ ଏକା ପାନେକେ ଭଲ ହେଇଯିବ। ହେଲେ, ଆମେ କୋଉ ବୋଉର କଥାକୁ କାନ ଦେଉ ଯେ? ସଙ୍ଗେସଙ୍ଗେ ଔଷଧ ଦୋକାନକୁ ଦୌଡ଼ି ଯାଉଛୁ। ବୋଉର କିନ୍ତୁ କେବେ କାହାପାଖରେ କହିନାହିଁ ତା’ ଦେହ ପା’ ଖରାପ ହେବାର କଥା। ଯଦି କେବେ ଥଣ୍ଡା, ଜ୍ୱର କି ଝାଡ଼ା ହୁଏ, ଔଷଧ ଆଣିବାକୁ ଯାଏ ତ ବୋଉ ବାରଣ କରେ। କହେ, କ’ଣ ଟିକେ ହେଇଛି, ଔଷଧ କ’ଣ ହେବ? ମୁଁ ଅମୁକ ପିଇଛି କାଲି ସକାଳକୁ ଭଲ ହୋଇଯିବ। ସତକୁ ସତ ଭଲ ହୋଇଯାଏ ବୋଉ। ଝାଡ଼ିଝୁଡ଼ି ହୋଇ ବସେ। ପୂର୍ବପରି ଘର କାମରେ ଲାଗିପଡ଼େ। ବୋହୂ ହାତରୁ କାମ ଛଡ଼େଇ ନେଇ କରେ। ନାତିନାତୁଣୀଙ୍କ ଦେହରେ ଧୂଳିମଳି ଟିକେ ପକାଇ ଦିଏନି।

ଆଜିକାଲିର ବୋହୂମାନେ କିନ୍ତୁ ପୁରା ଓଲଟା। କାମ ଟିକେ ଅଧିକ ହେଇଗଲେ ପେଟ, ମୁଣ୍ଡର ବାହାନାରେ ଦିନଟା ସାରା ବିଛଣାରେ। ବୋଉ ସେମିତି ଘରଟା ଯାକର କାମ ଏକୁଟିଆ କରିନିଏ। ତଥାପି ବୋଉ ବହୁତ ଖୁସି ହୁଏ। କେହି କେବେ କହିପାରିବେନି ବୋଉ ଥକି ପଡ଼ିଛି କି ଥକ୍କା ମାରୁଛି। ବୋଉ ଯୋଗ କ’ଣ ଜାଣିନି କି ସ୍ୱାସ୍ଥ୍ୟରକ୍ଷାର ବହି କେବେ ପଢ଼଼ିନି। ହେଲେ ତା’ର କାମ କରିବାର ଢଙ୍ଗ, ଘରକାମର ନିପୁଣତା ଭିତରେ ସ୍ୱାସ୍ଥ୍ୟରକ୍ଷା ଆପଣାଛାଏଁ ହେଇଯାଏ। ଯୋଗଗୁରୁମାନେ ଏବେ କାଟିବା, ବାଟିବା, ଘର ଓଳାଇବାର କୃତ୍ରିମ ଅଙ୍ଗଭଙ୍ଗୀ କରି ପାର୍କରେ ମହିଳାମାନଙ୍କୁ ବ୍ୟାୟାମ କରିବା ଶିଖାଉଛନ୍ତି। ହେଲେ ବୋଉ ଏସବୁ ସତସତିକା କରେ ଓ ନିଜର ସ୍ୱାସ୍ଥ୍ୟରକ୍ଷା ସହିତ ପରିବାରର ସମସ୍ତ ସଦସ୍ୟଙ୍କ ଯତ୍ନନେବାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦିଏ।

ବୋଉ କେବଳ ଘରକାମରେ ସୀମାବଦ୍ଧ ରୁହେନି। ଆଜିର ଆଧୁନିକା ଗୃହିଣୀ ଭଳି ସେ ବି ପରିବାରର ସଙ୍କଟ ସମୟରେ ଆଗକୁ ବାହାରି ଆସେ। ନିଜର ଆବଶ୍ୟକତା ସ୍ୱଳ୍ପ ଥିବାରୁ ସେ ସବୁସମୟରେ ସବୁପରିସ୍ଥିତିକୁ ସାମ୍ନା କରିପାରେ। ପରିବାର ଲାଗି ସବୁବେଳେ ଢାଲ ପାଲଟିଯାଏ। ସତରେ, ବୋଉ କେବଳ ଏକ ଡାକ ନୁହେଁ କି ଜଣେ ବ୍ୟକ୍ତି ନୁହେଁ। ବୋଉ ଏବେର ବିଜ୍ଞାନ ବି।

ରଶ୍ମିରଞ୍ଜନ ରାଉତ
ଭଦ୍ରକ, ମୋ:୭୮୦୯୦୩୭୬୦୮

26 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର