ଶ୍ରୀମନ୍ଦିର ଅଣସର ନୀତି
ନୀଳାଦ୍ରିମହୋଦୟଃ, ବାମଦେବସଂହିତା ତଥା ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ ଶ୍ରୀମନ୍ଦିରରେ ପରମ୍ପରାକ୍ରମେ ଦୈନନ୍ଦିନ ନୀତି ପରିଚାଳିତ ହୋଇଆସୁଛି। ଶ୍ରୀମନ୍ଦିରରେ ପ୍ରଚଳିତ ନୀତି ସବୁ ବହୁ ପୁରାତନ। ଏତେ ବ୍ୟାପକ ନୀତି ଓ ଏତେ ସଂଖ୍ୟକ ସେବକ କୌଣସି ଦେବତାଙ୍କ ପାଖରେ ପରିଲକ୍ଷିତ ହୁଏ ନାହିଁ। ଶ୍ରୀମନ୍ଦିରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତି ଯେମିତି ରହସ୍ୟମୟ ତାଙ୍କର ଲୀଳା ଖେଳା, ନୀତିକାନ୍ତି ମଧ୍ୟ ସେତିକି ରହସ୍ୟମୟ ଓ ଗୋପନୀୟ। ପ୍ରଭୁ ମାନବୀୟ ଲୀଳା କରୁଥିବାରୁ ମାନବ ଜୀବନର ଦୈନନ୍ଦିନ ଜୀବନଚର୍ଯ୍ୟା ପ୍ରଭୁଙ୍କର […]
ନୀଳାଦ୍ରିମହୋଦୟଃ, ବାମଦେବସଂହିତା ତଥା ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ ଶ୍ରୀମନ୍ଦିରରେ ପରମ୍ପରାକ୍ରମେ ଦୈନନ୍ଦିନ ନୀତି ପରିଚାଳିତ ହୋଇଆସୁଛି। ଶ୍ରୀମନ୍ଦିରରେ ପ୍ରଚଳିତ ନୀତି ସବୁ ବହୁ ପୁରାତନ। ଏତେ ବ୍ୟାପକ ନୀତି ଓ ଏତେ ସଂଖ୍ୟକ ସେବକ କୌଣସି ଦେବତାଙ୍କ ପାଖରେ ପରିଲକ୍ଷିତ ହୁଏ ନାହିଁ। ଶ୍ରୀମନ୍ଦିରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତି ଯେମିତି ରହସ୍ୟମୟ ତାଙ୍କର ଲୀଳା ଖେଳା, ନୀତିକାନ୍ତି ମଧ୍ୟ ସେତିକି ରହସ୍ୟମୟ ଓ ଗୋପନୀୟ। ପ୍ରଭୁ ମାନବୀୟ ଲୀଳା କରୁଥିବାରୁ ମାନବ ଜୀବନର ଦୈନନ୍ଦିନ ଜୀବନଚର୍ଯ୍ୟା ପ୍ରଭୁଙ୍କର ଦୈନନ୍ଦିନ ଓ ବାର୍ଷିକ ନୀତିକାନ୍ତିରେ ପ୍ରତିଫଳିତ ହୁଏ। ସେଥିମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ। ଜ୍ୟେଷ୍ଠ ପୂର୍ଣ୍ଣିମା ମହାପ୍ରଭୁଙ୍କର ଜନ୍ମ ଦିନ ହୋଇଥିବାରୁ ଏହି ଦିନ ଅନୁଷ୍ଠିତ ହେଉଥିବା ଦ୍ୱାଦଶ ଯାତ୍ରାରୁ ଅନ୍ୟତମ ସ୍ନାନ ଯାତ୍ରା ତତ୍ତ୍ୱ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହାପରେ ପରେ ଅନୁଷ୍ଠିତ ହୁଏ ଅଣସର ବା ଅଣବସର ନୀତି। ସ୍ନାନଯାତ୍ରା ଓ ଗୁଣ୍ଡିଚା ଯାତ୍ରା ମଝିରେ ଅନୁଷ୍ଠିତ ଏହା ମହାପ୍ରଭୁଙ୍କର ଏକ ଗୋପନୀୟ ନୀତି।
ସ୍ନାନପୂର୍ଣ୍ଣମୀ ଦିନ ସ୍ନାନବେଦୀରୁ ଠାକୁରମାନେ ବାହୁଡ଼ିବାଠାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ଅନବସର ବା ଅଣସର କୁହାଯାଏ। ଏହି ପନ୍ଦରଦିନ ଶ୍ରୀବିଗ୍ରହମାନଙ୍କର ଦର୍ଶନ ନିଷେଧ। ଠାକୁରମାନେ ସ୍ନାନବେଦୀରେ ବିଜେ କଲା ପରେ ରାଘବଦାସ ମଠ ଅଣସର ପିଣ୍ଡିରେ ଗୋଟିଏ କାଠର କନକ ମୁଣ୍ଡି ଓ ପ୍ରଭା ପ୍ରସ୍ତୁତ କରିଥା’ନ୍ତି। ସ୍ନାନମଣ୍ଡପରୁ ବାହୁଡ଼ି ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ସୁଭଦ୍ରା ଏଠାରେ ବିଜେ ହୁଅନ୍ତି। ଏହି ସମୟରେ ମହାପ୍ରଭୁ ଅବସ୍ଥାନ କରୁଥିବା ସ୍ଥଳକୁ ‘ଅନବସର ଗୃହ (ଅଣସର ଗୃହ)’ ଓ ସେହି ସମୟକୁ ବା କାଳକୁ ‘ଅନବସର କାଳ’ ବୋଲି କୁହାଯାଏ। ଏହାପରେ ଦଇତାପତିମାନେ ତିନିବାଡ଼ରେ ଲାଗି ହୋଇଥିବା ରାହୁରେଖା, ଶ୍ରୀଜଗନ୍ନାଥଙ୍କ ହୀରା ଚିତା, ଶ୍ରୀବଳଭଦ୍ରଙ୍କର ନୀଳା ଚିତା ଓ ଶ୍ରୀସୁଭଦ୍ରାଙ୍କର ମାଣିକ୍ୟ ଚିତା ବାହାର କରି ଦେଇଥା’ନ୍ତି। ଚାଙ୍ଗଡ଼ା ମେକାପ ଦେଇଥିବା ଶ୍ରୀକାପାଡ଼ାରେ ତାକୁ ଭଲଭାବରେ ବାନ୍ଧି ମଦନମୋହନ ମୁଦରେ ମୁଦଦେଇ ଭଣ୍ଡାର ମେକାପକୁ ଦେଲେ ସେ ଭଣ୍ଡାର ଘରେ ନେଇ ରଖିଥା’ନ୍ତି।
କୋଠସୁଆଁସିଆମାନେ ଅଣସରପିଣ୍ଡି ଚାରିପାଖେ ବାଉଁଶ ତାଟି ବେଢ଼଼ାଇ ଭିତର ପଟି ତିଆରି କରି ଧୁକୁଡ଼ି ଦ୍ୱାର ପାଖରେ ସେବକମାନଙ୍କ ଯିବା ଆସିବା ପାଇଁ ଗୋଟିଏ ଚୋରାବାଟ ରଖନ୍ତି। ଜଗମୋହନରେ ଥିବା ବଡ଼ ଖଟ ସୁଅାଁସିଆମାନେ ତାଟି ବାହାର ପଟକୁ ପକାନ୍ତି ଓ ଖଟର ଚାରିପାଖରେ ମାଟିର ବନ୍ଧ ଦିଆଯାଏ। ଏଥିପୂର୍ବରୁ ଘଣ୍ଟ, ଛତା ଓ କାହାଳୀ ସହ ତିନିବାଡ଼ର ପଟିଠାକୁର, ବଡ଼ଠାକୁରଙ୍କ ବାଡ଼ର ବାସୁଦେବ, ମଝିବାଡ଼ର ଭୁବନେଶ୍ୱରୀ, ଜଗନ୍ନାଥଙ୍କ ବାଡ଼ର ନାରାୟଣ ପଟି ଆଣି ଜୟବିଜୟ ଦ୍ୱାର ପାଖରେ ରଖାଯାଇଥାଏ। ମହାଜନ ସେବକ ଦକ୍ଷିଣୀ ଘରୁ ସାତମୂର୍ତ୍ତି, ଯଥା ବଡ଼ବାଡ଼ର ଦୋଳଗୋବିନ୍ଦ, ରାମ ଓ ନୃସିଂହ, ମଝିବାଡ଼ର ଲକ୍ଷ୍ମୀ ଓ ସରସ୍ୱତୀ ଏବଂ ଜଗନ୍ନାଥଙ୍କ ବାଡ଼ର ମଦନମୋହନ ଓ କୃଷ୍ଣ ପ୍ରତିମାଙ୍କୁ ଆଣି ଖଟ ଉପରେ ବିଜେ କରାଇଲା ପରେ ତିନୋଟି ପଟିଦିଅଁ ବା ଚିତ୍ର ପ୍ରତିମା ତାଟି ଦେହରେ ରୁନ୍ଧା ହୁଅନ୍ତି। ଖଟ ଉପରେ ବିଜେ ଥିବା ସାତମୂର୍ତ୍ତି ଦେବପ୍ରତିମା ଏବଂ ତାଟିରେ ରୁନ୍ଧା ଥିବା ତିନିମୂର୍ତ୍ତି ପଟିଦିଅଁଙ୍କୁ ଦଶାବତାର ଠାକୁର କୁହାଯାଏ। ସମସ୍ତେ ବିଜେ ହେବା ପରେ ପୂଜାପଣ୍ଡା ପଞ୍ଚାମୃତରେ ସ୍ନାନ କରାନ୍ତି। ବଲ୍ଲଭ ସର୍ପମଣୋହି ହୋଇ ଦଶାବତାର ଠାକୁରଙ୍କ ଆଗରେ ସମସ୍ତ ଦୈନିକ ନୀତି ଓ ଭୋଗ ହୋଇଥାଏ।
ଏହି ସମୟରେ ସୁବାସିତ ଶୁକ୍ଳ ପୁଷ୍ପ ବ୍ୟତୀତ ଅନ୍ୟକିଛି ଫୁଲ ଲାଗି ହୁଅନ୍ତି ନାହି। ସାଧାରଣ ଦିନମାନଙ୍କ ପରି ଏହି ଦିନମାନଙ୍କରେ ଠାକୁରଙ୍କୁ ଭୋଗ ପରେ ମଇଲମ ହୁଏ ନାହିଁ। ସକାଳେ ଥରେ ଓ ରାତ୍ରରେ ଥରେ ମଇଲମ ହୋଇଥାଏ। ମେକାପ ପ୍ରସ୍ତୁତ କରିଥିବା ଦୁଧସର, କର୍ପୂର, ଚନ୍ଦନ, ଜାଇଫଳ ଓ ନବାତ ମିଶା ୧୪ ବଡ଼ ଓଳି ଓ ୧୪ ଛୋଟ ଓଳି ପ୍ରତ୍ୟହ ଦୁଇଥର ଭୋଗ ହୁଏ। ଅଣସର ଭିତରେ ହୋଇଥିବା ଭୋଗ ଓ ଲାଗି ହୋଇଥିବା ଫୁଲ କିମ୍ବା ଅନ୍ୟକିଛି ତାଟି ଫିଟିଲା ପର୍ଯ୍ୟନ୍ତ ବାହାରକୁ ଆସେ ନାହିଁ। ଦଶାବତାର ଠାକୁରଙ୍କର ରାତ୍ରସିଂହାର ପରେ ଓ ପହୁଡ଼ ପୂର୍ବରୁ ଠାକୁରମାନଙ୍କୁ ଦଇତାପତି ନିଯୋଗ ଯୋଗାଇଥିବା ଚକଟା ଭୋଗ ଲାଗି ହୁଏ। ଏହି ଚକଟା ଭୋଗ ଆସି ମୁକ୍ତିମଣ୍ଡପ ନିକଟରେ ଥିବା ନୃସିଂହ ମନ୍ଦିରରେ ରଖାଯାଇଥାଏ। ରାଘବଦାସ ମଠରୁ ଧୂଆମୁଗ ଓ ପଣସ ଠାକୁରଙ୍କୁ ଲାଗି ହୁଏ। ଦଇତାପତିମାନେ ପାନୀୟ ଓ ଭୋଗ ପ୍ରସ୍ତୁତ କରି ପତି ମହାପାତ୍ରଙ୍କୁ ପୂଜା ପାଇଁ ଡାକନ୍ତି। ପତି ମହାପାତ୍ର ପୂଜା କରିବା ସମୟରେ ଦଇତାମାନେ ଭିତରେ ରହନ୍ତି ନାହିଁ। ପୂଜା ପରେ ନୈବେଦ୍ୟକୁ ଦଇତାପତି ଓ ପତି ମହାପାତ୍ରମାନେ ସେବନ କରିଥା’ନ୍ତି। ଭିତର ସର୍ବଦା ଅନ୍ଧକାର ରଖାଯାଏ। ମଇଲମ ଓ ଅନ୍ୟାନ୍ୟ ନୀତି ସମୟରେ ସମ୍ପୃକ୍ତ ସେବକ ବଇଠା ଦଳାଇ ଆଲୋକିତ କଲେ ସେଥିରେ ନୀତି ଚାଲେ।
ଶ୍ରୀମନ୍ଦିରରେ ପଞ୍ଚମୀଠାରୁ ସପ୍ତମୀ ପର୍ଯ୍ୟନ୍ତ ଫୁଲୁରି ଲାଗି, ଅଷ୍ଟମୀରେ ଚକାବିଜେ, ଏକାଦଶୀରେ ଚନ୍ଦନଲାଗି, ଦ୍ୱାଦଶୀରେ ଘଣାପାଟ, ତ୍ରୟୋଦଶୀରେ ଖଡ଼ିଲାଗି, ଚତୁର୍ଦ୍ଦଶୀରେ ଚକାଅପସର ଇତ୍ୟାଦି ଅଣସର ନୀତି ଅନୁଷ୍ଠିତ ହୋଇଥାଏ। ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନ ଦଇତାପତିମାନେ ପିଙ୍ଗଣ ଓ ପରଖରେ ରାଶିତେଲ, ଚୁଆ ଓ କର୍ପୂର ବିଜେ କରାଇ ଅନବସର ଠାକୁରମାନଙ୍କୁ ଲାଗି କରାନ୍ତି, ଯାହାକୁ ଫୁଲୁରୀ ଲାଗି କୁହାଯାଏ। ଏ ତେଲ ପରଶ ଓ ଜଙ୍ଗଣ ମିଶା ତେଲ। ଏହାକୁ ବଡ଼ଓଡ଼ିଆ ମଠ ତରଫରୁ ଯୋଗାଇ ଦିଆଯାଇଥାଏ। ଅଷ୍ଟମୀ ଦିନ ଠାକୁରଙ୍କୁ ପଟ୍ଟବସ୍ତ୍ର ପିନ୍ଧାଯାଏ। ଏହାକୁ ‘ଶ୍ରୀକପଡ଼ା ଲାଗି’ କୁହାଯାଏ। ନବମୀ ଦିନ ରାଶି ତେଲ ଓ ଝୁଣା ଲେପନ କରାଯାଏ। ଏହାକୁ ‘ମସୃଣ ଲେପନ’ କୁହାଯାଏ। ଦଶମୀ ଦିନ ଦଇତାପତିମାନେ ଧୁକୁଡ଼ି ଦ୍ୱାର ପାଖରେ ଥିବା ତିନିଗୋଟି ଚକାକୁ ଗଡ଼ାଇ କରି ନେଇ ଅଣସର ପିଣ୍ଡିରେ ପକାଇ ତିନିଠାକୁରଙ୍କୁ ସେଥିରେ ବିଜେ କରାନ୍ତି। ଏହାକୁ ‘ଚକା ବିଜେ’ କୁହାଯାଏ। ଏକାଦଶୀ ଦିନ ଅଣବସର ଗୃହରେ ୧୫ ସେର ଚନ୍ଦନକାଠରୁ ପ୍ରସ୍ତୁତ ଘୋରା ଚନ୍ଦନ, କର୍ପୂର ଓ କେଶର ମିଶ୍ରିତ ହୋଇ ଦଇତାପତି ଓ ପତି ମହାପାତ୍ରଙ୍କ ଦ୍ୱାରା ଅଣସର ଠାକୁରଙ୍କୁ ଲାଗି କରାଯାଏ। ଏହି ଚନ୍ଦନକାଠ ଶ୍ରୀମନ୍ଦିର ପ୍ରଶାସନ ଓ ରାଘବଦାସ ମଠ ତରଫରୁ ଯୋଗାଇ ଦିଆଯାଇଥାଏ। ଏହା ଚାରିଦିନ ଆଗରୁ ଘୋରା ଚାଲିଥାଏ। ଭଣ୍ଡାର ଘରୁ ଶିଳ ଆଣି ଦକ୍ଷିଣୀ ଘରେ କର୍ପୂୂର କେଶର ବଟା ଯାଇ ଏସବୁ ତଢ଼ଉକରଣ ଓ ଦେଉଳ କରଣଙ୍କ ଉପସ୍ଥିତିରେ ମିଶାଯାଇ ଦଶାବତାର ଠାକୁରଙ୍କୁ ଲାଗି ହୁଏ। ଚନ୍ଦନ ଲାଗି ସମୟରେ ଘଣ୍ଟ, କାହାଳୀ ଓ ବାଜା ବାଜିଥାଏ।
ଆଷାଢ଼କୃଷ୍ଣ ଦ୍ୱାଦଶୀ ଦିନ ଭୋଗମଣ୍ଡପ ସରିଲେ ରାଜପରିବାରର ଯେତେ ସଦସ୍ୟ ଥିବେ ଭଣ୍ଡାର ଘରୁ ସେତେଟା ରୁପା ଥାଳି ଅଣାଯାଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତିଠାରେ ପାହାଡ଼ା ଉପରେ ଗଣ୍ଠିଲୁଗା ରଖାଯାଏ। ଚାଙ୍ଗଡ଼ାମେକାପ ପ୍ରତି ଥାଳିରେ ଖଣ୍ଡିଏ ଲେଖାଏଁ ପାଟକନା ରଖି ଅଣସର ପିଣ୍ଡିକୁ ସେ ଥାଳିସବୁ ନିଅନ୍ତି। ସେଥିରେ ରାଜପ୍ରାସାଦ (ଶ୍ରୀଅଙ୍ଗ ଚନ୍ଦନ ଓ କରାଳ ଚନ୍ଦନ) ରଖି ପାହାଡ଼ା ଉପରକୁ ଆଣନ୍ତି। ତିନୋଟି ପିତଳ ବଟାରେ ତିନିଦ୍ୱାର ମହାବୀରଙ୍କ ପାଇଁ ଭଣ୍ଡାରମେକାପ ମାରଫତ୍ରେ ରଖାଯାଏ। ଭିତର ଦ୍ୱାର ବନ୍ଦ ହୁଏ। ତଳିଛ ମହାପାତ୍ର ଏବଂ ପ୍ରଧାନୀ ହାତପୈଠ ହୋଇ ଘଣ୍ଟା ଛତା କାହାଳୀ ସହ ଦଇତାପତି ଓ ପତି ମହାପାତ୍ରମାନେ ସିଂହଦ୍ୱାର ବଡ଼ଦାଣ୍ଡ ଦେଇ ଶ୍ରୀନଅରକୁ ଯାଆନ୍ତି। ସେଠାରେ ପାହାଡ଼ା ଉପରେ ରାଜପ୍ରସାଦ ବାଡ଼ ବାଡ଼ କରି ବିଜେ କରାଯାଏ ଓ ରାଜାଙ୍କ ଛୁଆଁ ଶାଢ଼ିମାନ ସେବାୟତଙ୍କୁ ମିଳିଥାଏ।
ତ୍ରୟୋଦଶୀ ଦିନ ଘଣାଲାଗି ଓ ଶ୍ରୀପୟର ପୂଜା ହୁଏ। ଅର୍ଥାତ୍, ଅଣସର ଠାକୁରମାନେ ପାଟଡୋର, ଖଳିପ୍ରସାଦ ଓ ଖଡ଼ିପ୍ରସାଦ ଲାଗି ହୁଅନ୍ତି। ଏହିଲାଗି ସୁଭଦ୍ରାଙ୍କର ପ୍ରତ୍ୟେକ ବର୍ଷ ହେଉଥିଲେ ହେଁ ବଡ଼ଠାକୁରଙ୍କର ବର୍ଷେ ହେଲେ ଜଗନ୍ନାଥଙ୍କର ଅନ୍ୟ ବର୍ଷ ହୋଇଥାଏ। ଘଣାଲାଗି ପରେ ଖଳି ଲାଗି ହେଲେ ଖଡ଼ିଲାଗି ହୋଇଥାଏ। ଭୋଗମଣ୍ଡପ ପରେ ନିର୍ଦ୍ଦିଷ୍ଟ ସେବକମାନେ ଭିତରୁ ଖଡ଼ିମହାପ୍ରସାଦ ଓ ମାଳାଫୁଲ ଧରି ଶ୍ରୀନଅରକୁ ଯାଆନ୍ତି ଏବଂ ସେଠାରୁ ଶାଢ଼ି ପାଆନ୍ତି। ଏଦିନ ଶ୍ରୀମୁଖ ଓଲାଗି ହୁଏ ଓ ପାହାନ୍ତିଆରୁ ଅଣସର ପିଣ୍ଡିରେ ଅଳିଆସବୁ ସଫା କରାଯାଏ। ଏହି ଖଳିମହାପ୍ରସାଦ ଲାଗି ନିମନ୍ତେ ଦୁଇ ମହଣ ଗହମ ଚୁରା ହୋଇ ଚଲା ଯାଇ କନାରେ ଛଣା ଯିବା ପରେ ଖଳିଲାଗି ପ୍ରସ୍ତୁତ ହୋଇଥାଏ।
ଚତୁର୍ଦ୍ଦଶୀଦିନ ବଡ଼ସିଂହାର ଭୋଗ ପରେ ଓ ଭିତରପଣା ଚକଟା ଭୋଗ ପରେ ବନକଲାଗି କରାଯାଏ। ନୀତି ବଢ଼଼ିଲେ ଚକା ଅପସର ଲାଗି ହୁଏ। ନୂଆ କନାପଡ଼ି ଏଗୁଡ଼ିକ ତୟାର ହୋଇଥାଏ। ପରେ ପରେ ଦଶାବତାର ମଙ୍ଗଳଆଳତି ଓ ଅବକାଶ ନୀତି ବଢ଼଼ିବା ପରେ ମହାଜନ ସେବକ ଖଟଶେଯ ଉପରେ ବିଜେ କରିଥିବା ସାତମୂର୍ତ୍ତି ପ୍ରତିମା ମଧ୍ୟରୁ ଲକ୍ଷ୍ମୀ, ସରସ୍ୱତୀଙ୍କୁ ଖଟଶେଯ ଘରକୁ ଓ ଅନ୍ୟ ପାଞ୍ଚମୂର୍ତ୍ତିଙ୍କୁ ଦକ୍ଷିଣୀ ଘରକୁ ନେଇଥା’ନ୍ତି। ପରେ ତାଟି ଫିଟେ। କୋଠସୁଆଁସିଆମାନେ ତାଟି ଖଟସବୁ ବାହାରକୁ ବାହାର କରିଦିଅନ୍ତି। ସେତେବେଳକୁ ପ୍ରାୟତଃ ଅମାବାସ୍ୟାର ପ୍ରାତଃକାଳ ହୋଇଥାଏ। ଭିତର ପାଣି ପଡ଼ିଲେ ଅଣସର ନୀତି ସମାପ୍ତ ହୁଏ। ପରେ ସେବକମାନେ ଓ ସର୍ବସାଧାରଣ ଦର୍ଶନ କରିଥା’ନ୍ତି। ଏହାକୁ ନବଯୌବନ ଦର୍ଶନ କହନ୍ତି।
ଏହାପରେ ପରେ ଅନୁଷ୍ଠିତ ହୁଏ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବା ଗୁଣ୍ଡିଚା ଯାତ୍ରା ବା ଘୋଷ ଯାତ୍ରା। ମହାପ୍ରଭୁଙ୍କର ଲୀଳା ଅପାର। ତତ୍ତ୍ୱଦର୍ଶୀମାନଙ୍କ ପାଇଁ ଏହା ଯେତିକି ଜଟିଳ, ଅଜ୍ଞାନୀ ସମର୍ପିତ ଭକ୍ତଟିଏ ପାଇଁ ତାହା ସେତିକି ସରଳ। ଭାବ ବିନୋଦିଆ ଠାକୁର ସବୁବେଳେ ଭାବକୁ ନିକଟ। ତେଣୁ ତାଙ୍କୁ ଯିଏ ଯେତିକି ଭାବପୂର୍ଣ୍ଣ ନିବେଦନ କରେ ସିଏ ସେତିକି ତାଙ୍କର ଲୀଳା ଖେଳାର ଦିବ୍ୟ ଅନୁଭବ ଲାଭ କରିପାରେ।
ଶ୍ରୀ ବ୍ରଜକିଶୋର ଦାଶ
ପୁରୀ, ମୋ: ୯୪୩୭୬୩୩୯୨୨