ଭୋକିଲାଙ୍କ ତାଡ଼ନା ବନାମ ଖାଦ୍ୟ ଅପଚୟ
ବିଶ୍ୱରେ ଆଜି ଭୋକ ଓପାସରେ ରହୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ(ବିଶ୍ୱ ବୁଭୁକ୍ଷୁ ସୂଚକାଙ୍କ)-୨୦୨୩ରେ ବିଶ୍ୱର ୧୨୫ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୧୧ରେ ରହିଛି। ଅପପୁଷ୍ଟି ସହିତ ବିଭିନ୍ନ ଦିଗକୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣ ଅନୁସାରେ ୫ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ଅପପୁଷ୍ଟି, ବୟସ ଅନୁସାରେ ଉଚ୍ଚତା ବୃଦ୍ଧି ନ ହେବା, ଦୁର୍ବଳ ଶରୀର ଆଦିରେ ଭାରତର ସ୍ଥିତି ନୈରାଶ୍ୟଜନ। ଜାତିସଙ୍ଘର ଏକ ତଥ୍ୟ ଅନୁସାରେ ଭାରତର ୧୯୦ ନିୟୁତ […]
ବିଶ୍ୱରେ ଆଜି ଭୋକ ଓପାସରେ ରହୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ(ବିଶ୍ୱ ବୁଭୁକ୍ଷୁ ସୂଚକାଙ୍କ)-୨୦୨୩ରେ ବିଶ୍ୱର ୧୨୫ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୧୧ରେ ରହିଛି। ଅପପୁଷ୍ଟି ସହିତ ବିଭିନ୍ନ ଦିଗକୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣ ଅନୁସାରେ ୫ବର୍ଷରୁ କମ ପିଲାମାନଙ୍କ ମଧ୍ୟରେ ଅପପୁଷ୍ଟି, ବୟସ ଅନୁସାରେ ଉଚ୍ଚତା ବୃଦ୍ଧି ନ ହେବା, ଦୁର୍ବଳ ଶରୀର ଆଦିରେ ଭାରତର ସ୍ଥିତି ନୈରାଶ୍ୟଜନ। ଜାତିସଙ୍ଘର ଏକ ତଥ୍ୟ ଅନୁସାରେ ଭାରତର ୧୯୦ ନିୟୁତ ଲୋକ କୁପୋଷଣର ଶିକାର ହେଉଛନ୍ତି। ଆଜି ବି ଅଧା ପେଟରେ ଶୋଇଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ।
ଅପରପକ୍ଷରେ ଯଦି ଖାଦ୍ୟ କଥା ଆମେ ହିସାବକୁ ନେବା ବିଶ୍ୱରେ ପ୍ରତି ବର୍ଷ ୯୩୧ ନିୟୁତ ଟନ ଖାଦ୍ୟ ନଷ୍ଟ ହୋଇଥାଏ। ସେଥିମଧ୍ୟରୁ ୬୧ ଭାଗ ବିଭିନ୍ନ ପରିବାରରୁ, ୨୬ ଭାଗ ଖାଦ୍ୟ ସଂସ୍ଥାରୁ ଏବଂ ୧୩ ଭାଗ ବିକ୍ରେତାମାନଙ୍କ ଦ୍ୱାରା ନଷ୍ଟ ହୋଇଥାଏ। ସେହିପରି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ୪୦ପ୍ରତିଶତ ଖାଦ୍ୟ ନଷ୍ଟ ହେଉଥିବା ବେଳେ ୩୦ ଭାଗ ପନିପରିବା ଓ ଫଳ ନଷ୍ଟ ହେଉଛି। ଜାତିସଙ୍ଘର ତଥ୍ୟ ଅନୁସାରେ ଭାରତରେ ୯୦ ହଜାର ନିୟୁତ ଟନ ଖାଦ୍ୟ ପ୍ରତିବର୍ଷ ନଷ୍ଟ ହୋଇଥାଏ। କୃଷି ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ପ୍ରତିବର୍ଷ ନଷ୍ଟ ହେଉଥିବା ଖାଦ୍ୟର ମୂଲ୍ୟ ୫୦ ହଜାର କୋଟି ଟଙ୍କା। ଜାତିସଙ୍ଘର ପରିବେଶ କାର୍ଯ୍ୟକ୍ରମର ତଥ୍ୟ ଅନୁସାରେ ବିଭିନ୍ନ ପରିବାର ଦ୍ୱାରା ପ୍ରତିବର୍ଷ ଭାରତରେ ୬୮.୭ ନିୟୁତ ଟନ ଖାଦ୍ୟ ନଷ୍ଟ ହେଉଥିବା ବେଳେ ବାର୍ଷିକ ବ୍ୟକ୍ତି ପିଛା ୫୫ କେଜି ଖାଦ୍ୟ ନଷ୍ଟ ହୁଏ। ଖାଦ୍ୟ ନଷ୍ଟ କରିବାରେ ଚୀନ ପଛକୁ ଆମେ ରହିଛୁ।
ତେବେ ଦରିଦ୍ରତା, ଅପପୁଷ୍ଟି, କୁପପୋଷଣକୁ ପ୍ରତିହତ କରିବା ପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ରାଜା ରଣଜିତ ସିଂହଙ୍କ ପରି ରାଜାଟିଏ କ’ଣ ଦେଶକୁ ମିଳିଛି, ଯିଏ ଭୋକିଲା ବୃଦ୍ଧାଙ୍କର ଢେଲା ମାଡ଼ରେ ଆହତ ହେବା ପରେ ତାଙ୍କୁ ଶାସ୍ତି ଦେବା ବଦଳରେ ରାଜ୍ୟକୁ କ୍ଷୁଧାମୁକ୍ତ କରିବାକୁ ମହାଶିକ୍ଷା ଗ୍ରହଣ କରିଥିଲେ? ନୀତିବିହୀନ ନେତାମାନେ ଯେଉଁଠି କ୍ଷମତା ଲୋଭରେ ସ୍ୱାର୍ଥାନ୍ଧ ହୋଇପଡ଼ନ୍ତି, ସେଠାରେ ଲୋଳିତଚର୍ମଧାରୀ ବୃଦ୍ଧା କ’ଣ ନ୍ୟାୟ ପାଇପାରିବ? ଆମ ଦେଶରେ ନେତାଙ୍କୁ ଭେଟିବାକୁ ହେଲେ ଦିନ ଦିନ ଧରି ଧାଡ଼ି ଲଗାଇବାକୁ ପଡ଼େ। ନିଜର ଦୁଃଖଦୁର୍ଦ୍ଦଶାକୁ ଦେଖି ମଧ୍ୟ ନେତା ଆଖିବୁଜି ଦେବା ସାଧାରଣ କଥା।
ଯେଉଁ ଦେଶର ଗାଁଗଣ୍ଡାରେ ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟସେବା ଉନ୍ନତ ନୁହଁ, ଯେଉଁଠି ଗାଁକୁ ଭଲ ରାସ୍ତା ନାହିଁ, ରୋଗୀକୁ ଖଟିଆରେ ବୁହା ହେଉଛି, ଭୋକଓପାସରେ ଆମ୍ବ କୋଇଲିକୁ ଖାଦ୍ୟ ଭାବରେ ଗ୍ରହଣ କରାଯାଉଛି, ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଅଭାବରୁ ଅଜଣା ରୋଗରେ ଶିଶୁ ମୃତ୍ୟୁବରଣ କରୁଛି, ସେଠି ପରିସଂଖ୍ୟାନ କେବଳ ଏକ ଭେଳିକି ଭଳି ଲାଗେ। କାଗଜକଲମ ଏବଂ ବାସ୍ତବତା ଭିତରେ ବହୁତ ଫରକ। ଏ ରାଜ୍ୟରେ କିମ୍ବା ଦେଶର ନେତା ଲୋକଙ୍କ ଘରେ ସେତେବେଳେ ପାଦ ପକାନ୍ତି ଯେତେବେଳେ ନିର୍ବାଚନ ଆସେ। ତା’ ପରେ ସବୁକିଛି ପଥରତଳେ ଚାପି ହୋଇଯାଏ। ଯଦି ସରକାର ବାସ୍ତବରେ ଦାରିଦ୍ର୍ୟ ଦୂରୀକରଣ କଥା ଚିନ୍ତା କରୁଥା’ନ୍ତେ, ତାହାହେଲେ ରାସ୍ତାକଡ଼ରେ ଭିକ୍ଷାବୃତ୍ତି ଦେଖିବାକୁ ମିଳୁ ନ ଥା’ନ୍ତା କିମ୍ବା ଅଳିଆ ଆବର୍ଜନା ଭିତରୁ ବଞ୍ଚିବାର ରାହା ଖୋଜିବାକୁ କୋମଳମତି ଶିଶୁ ବସ୍ତାରେ ଜରି ଗୋଟାଉ ନ ଥା’ନ୍ତା।
ଦେଶ ସେତେବେଳେ ବିକଶିତ ହୁଏ ଯେତେବେଳେ ରଣଜିତ ସିଂହଙ୍କ ଭଳି ଯୋଗଜନ୍ମା ଜନ୍ମ ନିଅନ୍ତି। ବିଳାସପୂର୍ଣ୍ଣ ମୋଟରଗାଡ଼ିରେ, ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି କିମ୍ବା ହେଲିକୋପ୍ଟରରୁ ସ୍ଥିତି ପରଖିଲେ ଦାରିଦ୍ର୍ୟର ମାପଦଣ୍ଡକୁ କଳନା କରାଯାଇପାରିବ ନାହିଁ। ଯିଏ ଭୋକ କ’ଣ ଜାଣିନି ସେ କ’ଣ ଅନୁଭବ କରିବ ଭୋକିଲାର ଦୁଃଖ, କଷ୍ଟ? ବାସ୍ତବତା ଅନୁଧ୍ୟାନ କରିବାକୁ ନେତାମାନେ ମାଟିକୁ ଓହ୍ଲାଇଲେ ଭାରତ ପୁଣି ଥରେ ସୁନାର ଦେଶ ପାଲଟିବ।
ଅଧ୍ୟାପକ ଅଶୋକ ମହାରଣା
ସିମିନଈ(ଢେଙ୍କାନାଳ), ମୋ:୯୦୯୦୮୩୯୩୬୯