ଐତିହ୍ୟର ଗନ୍ତାଘର ବ୍ରାହ୍ମଣୀ ଅବବାହିକା

The Sakala Picture
Published On

ପତିତପାବନୀ ଗଙ୍ଗା ତ୍ରିପଥ ଗାମିନୀ। ସେ ସ୍ୱର୍ଗରେ ମନ୍ଦାକିନୀ, ମର୍ତ୍ତ୍ୟରେ ଗଙ୍ଗା ଓ ପାତାଳରେ ଭୋଗବତୀ। ପବିତ୍ର ଭାରତବର୍ଷ ନବଖଣ୍ଡରେ ବିଭକ୍ତ। ତେଣୁ ଗଙ୍ଗା ନଅଗୋଟି ଧାରା ବା ନଦୀ ରୂପରେ ଭାରତରେ ପ୍ରବାହିତ। ସେହି ନଅଗୋଟି ନଦୀ ହେଉଛି ଗୋଦାବରୀ, ଗଙ୍ଗା, ରେବା, ଜାହ୍ନବୀ, କାବେରୀ, ଗୋମତୀ, କୃଷ୍ଣା, ବ୍ରାହ୍ମଣୀ ଓ ବୈତରଣୀ। ଏହି ନଅଗୋଟି ନଦୀ ଭାରତର ବିଭିନ୍ନ ପର୍ବତରୁ ବାହାରି ଭାରତ ଭୂମିକୁ ପୂତ ଓ ପବିତ୍ର କରିଥିଲେ ହେଁ ପ୍ରାଚୀନ ଶାସ୍ତ୍ରସମୂହରେ […]

ପତିତପାବନୀ ଗଙ୍ଗା ତ୍ରିପଥ ଗାମିନୀ। ସେ ସ୍ୱର୍ଗରେ ମନ୍ଦାକିନୀ, ମର୍ତ୍ତ୍ୟରେ ଗଙ୍ଗା ଓ ପାତାଳରେ ଭୋଗବତୀ। ପବିତ୍ର ଭାରତବର୍ଷ ନବଖଣ୍ଡରେ ବିଭକ୍ତ। ତେଣୁ ଗଙ୍ଗା ନଅଗୋଟି ଧାରା ବା ନଦୀ ରୂପରେ ଭାରତରେ ପ୍ରବାହିତ। ସେହି ନଅଗୋଟି ନଦୀ ହେଉଛି ଗୋଦାବରୀ, ଗଙ୍ଗା, ରେବା, ଜାହ୍ନବୀ, କାବେରୀ, ଗୋମତୀ, କୃଷ୍ଣା, ବ୍ରାହ୍ମଣୀ ଓ ବୈତରଣୀ। ଏହି ନଅଗୋଟି ନଦୀ ଭାରତର ବିଭିନ୍ନ ପର୍ବତରୁ ବାହାରି ଭାରତ ଭୂମିକୁ ପୂତ ଓ ପବିତ୍ର କରିଥିଲେ ହେଁ ପ୍ରାଚୀନ ଶାସ୍ତ୍ରସମୂହରେ ଏହି ନଅଗୋଟି ନଦୀ ବିଷ୍ଣୁଙ୍କ ପାଦ ଅଗରୁ ସମ୍ଭୂତା ବୋଲି ଉଲ୍ଲିଖିତ। ଏହି ପୁରୋଦୃଷ୍ଟିରୁ ସ୍ନାନ ସମୟରେ ନବଧାଗଙ୍ଗାଙ୍କୁ ସ୍ମରଣ କରି ସ୍ନାନ କରାଯାଏ।

ଆଦ୍ୟା ଗୋଦାବରୀ ଗଙ୍ଗା ଦ୍ୱିତୀୟା ଚ ପୁନଃ ପୁନଃ, ତୃତୀୟା କଥିତା ରେବା ଚତୁର୍ଥୀ ଜାହ୍ନବୀ ସ୍ମୃତା। / କାବେରୀ ଗୋମତୀ କୃଷ୍ଣା ବ୍ରାହ୍ମୀ ବୈତରଣୀ ତଥା, ବିଷ୍ଣୁ ପାଦାଗ୍ର ସମ୍ଭୂତା ନବଧାଭୂମି ସଂସ୍ଥିତା।
ଉପରୋକ୍ତ ନଅଗୋଟି ନଦୀ ପୁଣ୍ୟତୋୟା ପତିତପାବନୀ ଗଙ୍ଗାର ଗୋଟିଏ ଗୋଟିଏ ଧାରା ଅଟନ୍ତି। କେହି ଏହି ନବଧାରାରେ ସ୍ନାନ କରୁ ବା ନକରୁ ସ୍ନାନକାଳରେ ସ୍ମରଣକଲେ ଗଙ୍ଗାସ୍ନାନର ପୁଣ୍ୟ ଅର୍ଜନ କରିଥାଏ ଏବଂ ତାହାର ସକଳ ପାପ ବିଧ୍ୱଂସ ହୋଇଥାଏ।
ଗଙ୍ଗାର ଅନ୍ୟତମ ଧାରା ବ୍ରାହ୍ମଣୀ ବିନ୍ଧ୍ୟାଞ୍ଚଳର ହଜାରିବାଗ ପର୍ବତମାଳାରୁ ଦୁଇଧାର ଯଥା: ଶଙ୍ଖ ଓ କୋଇଲି ନାମରେ ସମ୍ଭୂତା ତଥା ଛୋଟନାଗପୁର ମାଳଭୂମିରେ ପ୍ରବାହିତ ହୋଇ ବେଦବ୍ୟାସଠାରେ ମିଳିତ ହେବା ପରେ ବ୍ରାହ୍ମଣୀ ନାମ ଧାରଣ କରିଛି ଏବଂ ପୂର୍ବ ମହୋଦଧିରେ ବ୍ରାହ୍ମଣୀ ଓ ଖରସ୍ରୋତା ଦୁଇ ଧାର ଭାବରେ ସାଗର ସଙ୍ଗମ ଲାଭ କରିଛନ୍ତି। ଗବେଷକମାନଙ୍କ ମତରେ ବ୍ରାହ୍ମଣୀ ନଦୀର ପ୍ରାଚୀନ ନାମ ‘ଶଙ୍ଖଜ୍ୟୋତି’ ଥିଲା। କେତେକ ପ୍ରାଚୀନ ତାମ୍ରପତ୍ରରେ ‘ଶଙ୍ଖଜ୍ୟୋତି କୁଳବାସାତ୍‌‌’ ଉଲ୍ଲିଖିତ ଥିବାରୁ ଉକ୍ତିର ସତ୍ୟତା ପ୍ରତିପାଦିତ ହୋଇଥାଏ। ଏହି ଦୃଷ୍ଟିକୋଣରୁ ଶଙ୍ଖ ଓ କୋଇଲି ଦୁଇଧାରକୁ ଶଙ୍ଖ ଓ ଜ୍ୟୋତି ମଧ୍ୟ କୁହାଯାଏ। ଅନୁମିତ ହୁଏ ଛୋଟନାଗପୁର ଅଞ୍ଚଳର ଆଦିବାସୀମାନେ ଜ୍ୟୋତିକୁ ‘କୋଇଲି’ ନାମରେ ନାମିତ କଲେ ଏବଂ ସେହି ନାମ ହିଁ ରହି ଜ୍ୟୋତି ନାମ ବିଲୁପ୍ତ ହୋଇଗଲା। ବ୍ରାହ୍ମଣୀ ନଦୀର ଉତ୍ପତ୍ତି ସମ୍ବନ୍ଧରେ ରୋଚକ କିମ୍ବଦନ୍ତୀ ରହିଛି। ପରମଶିବଙ୍କ ଦ୍ୱାରା ବିନ୍ଧ୍ୟବାସିନୀ ଗର୍ଭବତୀ ହୋଇ ଶଙ୍ଖ ଓ ଜ୍ୟୋତି ନାମରେ ଦୁଇଟି ଯମଜ କନ୍ୟା ଜନ୍ମ ଦେଲେ। ସେମାନେ ଶିବଙ୍କୁ ବିନ୍ଧ୍ୟାଞ୍ଚଳରେ ତପସ୍ୟା କଲେ। ଶିବ ସେମାନଙ୍କ ତପସ୍ୟାରେ ପ୍ରୀତ ହୋଇ ବରଦାନ କଲେ ଯେ, ତୁମେ ଦୁଇଜଣ ଗଙ୍ଗାଙ୍କର ସ୍ୱରୂପା। ତେଣୁ ଦୁଇଗୋଟି ଧାରାରୂପରେ ଏହି ବିନ୍ଧ୍ୟାଞ୍ଚଳରୁ ପ୍ରବାହିତ ହେବ ଏବଂ ବେଦବ୍ୟାସଠାରେ ମହର୍ଷି କୃଷ୍ଣ ଦ୍ୱୈପାୟନ ବେଦବ୍ୟାସଙ୍କର ଦର୍ଶନ ଓ ଆଶୀର୍ବାଦ ପାଇବା ପରେ ମିଳିତ ହୋଇ ବ୍ରାହ୍ମଣୀ ନାମ ଧାରଣ କରିବ। ସେହିଠାରୁ ତୁମଗତି ତିନି ଦିଗରେ ବିସ୍ତାର କରିବ। ପ୍ରଥମେ ଦକ୍ଷିଣ ଦିଗରେ ଯେତିକି ଦୂର ପ୍ରବାହିତ ହେବ, ଦ୍ୱିତୀୟରେ ପୂର୍ବଦିଗରେ ସେତିକି ଦୂର ପ୍ରବାହିତ ହେବ ଏବଂ ଶେଷରେ ଉତ୍ତର ଦିଗରେ ସେତିକି ଦୂର ପ୍ରବାହିତ ହେବ। ତ୍ରିଦିଗ ପ୍ରବାହ ପରେ ତୁମେ ପୁନର୍ବାର ଦୁଇଧାରରେ ପୂର୍ବାଭିମୁଖୀ ହୋଇ ପୂର୍ବମହୋଦଧିରେ ସାଗର ସଙ୍ଗମ ଲାଭ କରିବ। ପତିତପାବନୀ ଗଙ୍ଗାସମ ବନ, ପାର୍ବତ୍ୟ ଓ ସମତଳ ଅଞ୍ଚଳକୁ ପୂତ ଓ ପବିତ୍ର କରି ତ୍ରିପଥଗାମିନୀ ନାମକୁ ସାର୍ଥକ କରିବ। ମୋ ଆଶୀର୍ବାଦରୁ ତୁମ କୂଳରେ ଅନେକ ଗ୍ରାମ, ନଗର, ଦେବାଳୟ, ତୀର୍ଥ ଓ ପୀଠ ଗଢ଼ିଉଠିବ। ଲୋକମାନେ ତୁମକୁ ଗଙ୍ଗାସମ ଭକ୍ତି ପ୍ରଦର୍ଶନ କରିବେ।

ଆଶୁତୋଷ ଶିବଙ୍କ ଆଶୀର୍ବାଦ ଅନୁସାରେ ଶଙ୍ଖ ଓ ଜ୍ୟୋତି ଦୁଇଧାର ରୂପରେ ବିନ୍ଧ୍ୟାଞ୍ଚଳର ହଜାରିବାଗ ପର୍ବତମାଳାରେ ଆବିର୍ଭୂତା ହେଲେ। ସେଠାରୁ ଶଙ୍ଖ ଓ କୋଇଲି ନାମଧରି ଛୋଟନାଗପୁର ମାଳଭୂମିରେ ପ୍ରବାହିତ ହୋଇ ରାଉରକେଲା ନିକଟସ୍ଥ ବେଦବ୍ୟାସଠାରେ ମିଳିତ ହେଲେ। ସେହି ତୀର୍ଥରେ ମହର୍ଷି ବ୍ୟାସଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପୂର୍ବକ ବ୍ରାହ୍ମଣୀ ନାମ ଧାରଣ କଲେ। ବେଦବ୍ୟାସଠାରୁ ବଣାଇ ଓ ବାରକୋଟ ଦେଇ ଦକ୍ଷିଣଦିଗରେ ବାଆସ୍ତରୀ କିଲୋମିଟର ପ୍ରବାହିତ ହେବା ପରେ ତାଳଚେରଠାରୁ ବ୍ରାହ୍ମଣୀ ନଦୀ ପୂର୍ବାଭିମୁଖୀ ହୋଇ ପୂର୍ବଦିଗରେ ବାଆସ୍ତରୀ କିଲୋମିଟର ପ୍ରବାହିତ ହୋଇଛି। ପୂର୍ବଦିଗରେ ବାଆସ୍ତରୀ କିଲୋମିଟର ପ୍ରବାହିତ ହେବା ପରେ ମାର୍ଥାପୁର ଶାସନଠାରୁ ଉତ୍ତରଗାମିନୀ ହୋଇଛି। ଏହି ସ୍ଥାନରେ ଉତ୍ତରବଗାମିନୀ ଗଙ୍ଗାସମ ବ୍ରାହ୍ମଣୀ ସହିତ ରାମିଆଳ ଓ ଡମଶାଳ ନଦୀଦ୍ୱୟ ମିଶି ତ୍ରିବେଣୀ ସଙ୍ଗମ ସୃଷ୍ଟି କରିଛନ୍ତି। ଏଠାରେ ବ୍ରାହ୍ମଣୀନଦୀ ଉତ୍ତରଗାମିନୀ ହୋଇଥିବାରୁ ଏହା ମହାତୀର୍ଥ ଭାବେ ଖ୍ୟାତ। ଶାସ୍ତ୍ରୋକ୍ତି ଅନୁସାରେ ଏହି ଉତ୍ତରଗାମିନୀ ତୀର୍ଥରେ ସ୍ନାନ କଲେ ବିଷ୍ଣୁଲୋକ ପ୍ରାପ୍ତି ହୋଇଥାଏ।
ମହାକାର୍ତ୍ତିକୀ ବିପ୍ରାୟାଂ ଯତ୍ରତୋତ୍ତର ବାହିନୀ, ତତ୍ରସ୍ନାନ ନରଃକୃତ୍ୱା ବିଷ୍ଣୁଲୋକ ସଗଚ୍ଛତି।

ବ୍ରାହ୍ମଣୀର ଏହି ସଙ୍ଗମତୀର୍ଥରେ ବେଦଭାଷ୍ୟକର ସ୍କନ୍ଦସ୍ୱାମୀ ଚାରିବେଦର ଭାଷ୍ୟ ରଚନା କରିଥିଲେ। ତତ୍‌‌କାଳୀନ ରାଜା ଜୟସିଂହ ମହାରଥା ସ୍କନ୍ଦସ୍ୱାମୀଙ୍କୁ ଏହି ଭୂମି ଦାନ କରିଥିଲେ ତଥା ସେହି ଶାସନ ମହାରଥାପୁର ବା ବର୍ତ୍ତମାନ ମାର୍ଥାପୁର ନାମରେ ପ୍ରସିଦ୍ଧି ଲାଭ କରିଛି। ମାର୍ଥାପୁର ଶାସନଠାରୁ ଉତ୍ତରଗାମିନୀ ହୋଇ ବ୍ରାହ୍ମଣୀନଦୀ ବାଆସ୍ତରୀ କିଲୋମିଟର ପ୍ରବାହିତ ହେବା ପରେ ଜେନାପୁର ଗ୍ରାମ ତଳେ ଶିବଙ୍କ ବଚନାନୁସାରେ ଦୁଇଧାରରେ ବିଭକ୍ତ ହୋଇଛି। ଉତ୍ତର ପାର୍ଶ୍ବଧାର ବାଆସ୍ତରୀ କିଲୋମିଟର ପ୍ରବାହିତ ହୋଇ ଖରସ୍ରୋତା ନାମ ଧାରଣ କରିଛି ଏବଂ ବୈତରଣୀ ସହିତ ମିଶି ପୂର୍ବମହୋଦଧିରେ ସାଗରସଙ୍ଗମ ଲାଭ କରିଛି। ଦକ୍ଷିଣ ପାର୍ଶ୍ବ ଧାର ବ୍ରାହ୍ମଣୀ ମୂଳ ନାମ ଧରି ବାଆସ୍ତରୀ କିଲୋମିଟର ପ୍ରବାହିତ ହେବା ପରେ ପୂର୍ବମହୋଦଧିରେ ସାଗରସଙ୍ଗମ ଲାଭ କରିଛି।
ବ୍ରାହ୍ମଣୀ ନଦୀର ବହୁ ଉପନଦୀ ରହିଛି। ତନ୍ମଧ୍ୟରେ ମାଙ୍କଡ଼ା (ମନ୍ଦାକିନୀ), ମତୁଆଳ, ଗୋହିରା, ଆଉଁଳି, ଟିକରା, ସିଙ୍ଗଡ଼ା, ସମାକୋଇ, ନକରା, ଲିଙ୍ଗରା, ସରପା, ବଡ଼ଯୋଡ଼ା, ଗମ୍ଭାରିଆ, ପିଚ୍ଛୁଳୀ, ଡଉଁରୀ, ଗୋହିରା, ଡମଶାଳ ଓ ରାମିଆଳ ପ୍ରଭୃତି ପ୍ରଧାନ। ବ୍ରାହ୍ମଣୀ ତଟସ୍ଥ ଗ୍ରାମ ଓ ନଗରମାନଙ୍କ ମଧ୍ୟରେ ପାନପୋଷ, ରାଉରକେଲା, ବାରକୋଟ, ବଜ୍ରକୋଟ, କଣିହା, ସମଲ, ତାଳଚେର, ସରାଙ୍ଗ, ମାଣିକ୍ୟମରା, କୁଲେଇ, କମଳାଙ୍ଗ, କନ୍ତିଓ, ମଙ୍ଗଳପୁର, ଖଡ୍ଗପ୍ରସାଦ, ଧଳପୁର, ସୋଗର, କମଗରା, ବାରୁଆଁ, ବୁଢ଼ୀବିଲ, ବାଙ୍ଗରସିଂହା, ବଉଳପୁର, ମାର୍ଥାପୁର, ଓଢ଼ଣା, ଜୟପୁର, ଚଣ୍ଡୀପାଳ, ଭୂଷଳ, ଭୁବନ, ପିଙ୍ଗୁଆ, ମନ୍ଦାର, ନୀଳକଣ୍ଠପୁର, କବାଟବନ୍ଧ, ବଳରାମପୁର, ଚଉଷଠିପଡ଼ା, ପଙ୍କପାଳ, ଜେନାପୁର, ନୀଳକଣ୍ଠପୁର, ତରଡ଼ିପାଳ ଓ ଆଳି ପ୍ରଭୃତି ମୁଖ୍ୟ। ବ୍ରାହ୍ମଣୀ ତଟସ୍ଥ ବେଦବ୍ୟାସ, ସରାଙ୍ଗ, ନାଗନା, ମାର୍ଥାପୁର ଓ ବୁଦେ୍ଧଶ୍ୱର ଗୋଟିଏ ଗୋଟିଏ ତୀର୍ଥ। ବ୍ରାହ୍ମଣୀ କୂଳରେ ଥିବା ମନ୍ଦିରମାନଙ୍କ ମଧ୍ୟରେ ବେଦବ୍ୟାସ ମନ୍ଦିର, ବଜ୍ରକୋଟର ଭିଙ୍ଗେଶ୍ୱର ମନ୍ଦିର, ଭୀମକାଣ୍ଡର ବିଶାଳକାୟ ବିଷ୍ଣୁମୂର୍ତ୍ତି, ସରାଙ୍ଗର ଅନନ୍ତଶୟନ ବିଷ୍ଣୁ, ତାଳଚେରର ପଶ୍ଚିମେଶ୍ୱର ମନ୍ଦିର, କୁଆଁଳୋର ଅଷ୍ଟଶମ୍ଭୁ, ନାଧରାର ରାମଚଣ୍ଡୀ, ଏକଘରିଆର କନକେଶ୍ୱର, କନ୍ତିଓ ମଠ, ନାଗନାର ମାଗନାଥେଶ୍ୱର ମନ୍ଦିର, ମାର୍ଥାପୁରଶାସନର ବାଲୁଙ୍କେଶ୍ୱର ମନ୍ଦିର, କରମୂଳର ଦୌଡ଼େଶ୍ୱର ମନ୍ଦିର, ଭୁବନର ବୃଦେ୍ଧଶ୍ୱର ମନ୍ଦିର, ବ୍ରହ୍ମପୁରର ସ୍ୱପ୍ନେଶ୍ୱର ମନ୍ଦିର, କବାଟବନ୍ଧର ଗୋବିନ୍ଦ ଜୀଉ ମନ୍ଦିର ପ୍ରଭୃତି ପ୍ରାଚୀନ। ସମ୍ପ୍ରତି ବ୍ରାହ୍ମଣୀତଟ ଗ୍ରାମ ଓ ନଗରମାନଙ୍କରେ ବହୁ ମନ୍ଦିର ନିର୍ମାଣ ହେଲାଣି, ଯାହା ଏକ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ। ବ୍ରାହ୍ମଣୀ ନଦୀ ତଟରେ ଷଷ୍ଠ ଶତାବ୍ଦୀଠାରୁ ଦଶମ ଶତାବ୍ଦୀ ମଧ୍ୟରେ ବହୁ ବୌଦ୍ଧପୀଠ ନିର୍ମିତ ହୋଇଥିଲା। ତାଳଚେରଠାରେ ଯେଉଁ ସ୍ଥାନରେ ବ୍ରାହ୍ମଣୀ ନଦୀ ଦକ୍ଷିଣରୁ ପୂର୍ବଦିଗକୁ ପ୍ରବାହିତ ହୋଇଛି, ସେହି ସ୍ଥାନରେ ଜୟାଶ୍ରମ ବୌଦ୍ଧ ବିହାର ସ୍ଥାପିତ ହୋଇଥିଲା। ଏହି ବୌଦ୍ଧ ବିହାରରେ ଏକହଜାର ବୌଦ୍ଧ ଭିକ୍ଷୁଣୀ ସାଧନରତ ଥିଲେ। ତତ୍‌‌କାଳୀନ ପ୍ରସିଦ୍ଧ ସ୍ଥପତି ଅମ୍ବୁଭଟାରକ ଏହି ବୌଦ୍ଧବିହାରର ବୌଦ୍ଧମୂର୍ତ୍ତି ନିର୍ମାଣ କରିଥିଲେ। ବୌଦ୍ଧମୂର୍ତ୍ତିଙ୍କ ପୂଜା, ବୌଦ୍ଧ ଭିକ୍ଷୁଣୀଙ୍କ ଗ୍ରାସାଚ୍ଛଦନ ଓ ବୌଦ୍ଧବିହାରର ମରାମତି ନିମିତ୍ତ ଯମଗର୍ତ୍ତ ମଣ୍ଡଳାଧୀଶ ବିନୀତ ତୁଙ୍ଗଙ୍କ ଅନୁରୋଧ କ୍ରମେ ଭୌମକର ରାଜା ଶିବାକର ଦେବ କଲଣ ଗ୍ରାମ ଦାନ କରିଥିଲେ। ୧୬୦୦ ମସିହାରେ ଦୀର୍ଘ ଏଗାର ଦିନ ମୂଷଳଧାରାରେ ବର୍ଷା ହୋଇ ବ୍ରାହ୍ମଣୀ ସ୍ରୋତର ପଟୁମାଟି ଆସି ଏହି ପ୍ରସିଦ୍ଧ ବୌଦ୍ଧବିହାରକୁ ପୋତିପକାଇଲା। ତାଳଚେର ରାଜା ବୁଦ୍ଧ ମୂର୍ତ୍ତି ଦୁଇଟି ଉଦ୍ଧାର କରି ସହର ଉପକଣ୍ଠ ପଶ୍ଚିମେଶ୍ୱର ମନ୍ଦିରରେ ରଖି ସେବାପୂଜାର ବନ୍ଦୋବସ୍ତ କରିଥିଲେ। ବର୍ତ୍ତମାନ ଅମ୍ବୁ ଭଟ୍ଟାରକଙ୍କ ଦ୍ୱାରା ନିର୍ମିତ ସେହି ଧ୍ୟାନୀ ଓ ଅବଲୋକିତେଶ୍ୱର ବୁଦ୍ଧ ମୂର୍ତ୍ତି ପଶ୍ଚିମେଶ୍ୱର ମନ୍ଦିରରେ ପୂଜା ପାଉଛନ୍ତି। ଭୁବନର ବୃଦେ୍ଧଶ୍ୱର ମୂର୍ତ୍ତି ଗୋଟିଏ ବୌଦ୍ଧସ୍ତୂପ ଥିଲା ବୋଲି ଅନେକ ମତ ପ୍ରଦାନ କରିଥା’ନ୍ତି। ଉପକୂଳ ଅଞ୍ଚଳରେ ବ୍ରାହ୍ମଣୀ ଅବବାହିକାରେ ପୁଷ୍ପଗିରି, ଉଦୟଗିରି, କୋଲଣଗିରି, ରତ୍ନଗିରି ଓ ଅନ୍ୟାନ୍ୟ ବହୁ ସ୍ଥାନରେ ଅଗଣିତ ବୌଦ୍ଧପୀଠ ଗଢ଼ି ଉଠିଥିଲା।
ଓଡ଼ିଶାର ଶୈବ ସଂସ୍କୃତିକୁ ବ୍ରାହ୍ମଣୀର ଦାନ ଅତୁଳନୀୟ। ବ୍ରାହ୍ମଣୀ ତଟରେ ବଜ୍ରକୋଟ ଗ୍ରାମରେ ଭିଙ୍ଗେଶ୍ୱର ମନ୍ଦିର ଅବସ୍ଥିତ। ଏହି ମନ୍ଦିରଟି ଷଷ୍ଠ ଶତାବ୍ଦୀରେ ଜିତ୍‌‌ବଂଶ ରାଜାମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। କୁଆଁଳୋଠାରେ ଅଷ୍ଟଶମ୍ଭୁ ପୀଠ ବିଦ୍ୟମାନ। ଏଠାରେ ଆଠଗୋଟି ନମଶ୍ଚୁମ୍ଭୀ ଶିବମନ୍ଦିର ସପ୍ତମ ଅଷ୍ଟମ ଶତାବ୍ଦୀରେ ଶୁକ୍କୀ ରାଜାନ୍ୟ ବୃନ୍ଦ ନିର୍ମାଣ କରିଥିଲେ। ସେହି ସମୟରେ ଭୁବନେଶ୍ୱର, ପୁରୀ ଓ କୋଣାର୍କ ପ୍ରଭୃତି ସ୍ଥାନରେ ମନ୍ଦିର ନିର୍ମାଣ ହୋଇନଥିଲା। ବ୍ରାହ୍ମଣୀ ତଟସ୍ଥ ନାଗନାର ନାଗନାଥେଶ୍ୱର ମନ୍ଦିର ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ନିର୍ମିତ। ପ୍ରାଚୀନ ଓ ମଧ୍ୟଯୁଗରେ ନାଗନା ଗୋଟିଏ ତୀର୍ଥର ପ୍ରସିଦ୍ଧି ଲାଭ କରିଥିଲା। ଭାରତର ବିଭିନ୍ନ ଅଞ୍ଚଳରୁ ଯାତ୍ରୀଗଣ ଏଠାକୁ ଆସି ସ୍ନାନ, ଦାନ, ପିଣ୍ଡଦାନ ଓ ଅନ୍ୟାନ୍ୟ ଧର୍ମକାର୍ଯ୍ୟ କରୁଥିଲେ। କେତେକ ଗବେଷକ ଏହାକୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଅନ୍ତର୍ଭୁକ୍ତ କରିଥା’ନ୍ତି। କେତେକ ଦ୍ୱାରକା ନିକଟସ୍ଥ ନାଗନାଥଙ୍କୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଅନ୍ୟତମ ବୋଲି ବିବେଚନା କରିଥା’ନ୍ତି। ଦ୍ୱାରକା ନିକଟସ୍ଥ ନାଗନାଥଙ୍କଠାରୁ ବ୍ରାହ୍ମଣୀ ତଟସ୍ଥ ନାଗନାଥ ପ୍ରାଚୀନ। ଆଦି ଶଙ୍କରାଚାର୍ଯ୍ୟ ବ୍ରାହ୍ମଣୀ ତଟସ୍ଥ ନାଗନାଥଙ୍କୁ ଦର୍ଶନ କରିଥିଲେ।
ଯା ମ୍ୟେ ସଦଙ୍ଗେ ନଗରେଽତି ରମ୍ୟେ ବିଭୂଷିତାଙ୍ଗସ ବିବିଧୈଶ୍ଚ ଭୋଗୈଃ, ସଦ୍‌‌ଭୁକ୍ତି ମୁକ୍ତି ପ୍ରର୍ଦନୀଶମେଙ୍କ ଶ୍ରୀନାଗନାଥଂ ଶରଣଂ ପ୍ରପଦ୍ୟେ।
ବ୍ରାହ୍ମଣୀ ତଟସ୍ଥ ଏକଘରିଆଠାରେ ପ୍ରାଚୀନ କନକେଶ୍ୱର ମନ୍ଦିର ଅବସ୍ଥିତ। ମାର୍ଥାପୁରଶାସନର ବାଲୁଙ୍କେଶ୍ୱର ନବମ ଶତାବ୍ଦୀର ଶିବଲିଙ୍ଗ। ବ୍ରହ୍ମପୁରର ସ୍ୱପ୍ନେଶ୍ୱର ମନ୍ଦିର ନବମ ଶତାବ୍ଦୀର। କରମୂଳର ଦୌଡ଼େଶ୍ୱର ମଧ୍ୟ ଏକ ପ୍ରାଚୀନ ଶୈବପୀଠ। ଏତଦ୍‌‌ଭିନ୍ନ ବ୍ରାହ୍ମଣୀ ଅବବାହିକାରେ ବହୁ ପ୍ରାଚୀନ ଶୈବପୀଠ ବିଦ୍ୟମାନ। ନାଧରା ରାମଚଣ୍ଡୀ ଭୌମକର ଯୁଗରୁ ପୂଜିତା। ହଦଗଡ଼ର ଚଣ୍ଡୀ ଏକ ପ୍ରାଚୀନ ଦେବୀ। ନଗନାର ନାଗନାମୀ ତ୍ରିଫଣା ବିଶିଷ୍ଟ ନାଗମାତା ମୂର୍ତ୍ତି ଏବଂ ପ୍ରାଚୀନ ଯୁଗରୁ ପୂଜା ପାଉଛନ୍ତି।
ବ୍ରାହ୍ମଣୀ ତଟରେ ସରାଙ୍ଗଠାରେ ନଦୀ ଗର୍ଭରେ ବିଶ୍ୱର ବିଶାଳ ବିଷ୍ଣୁମୂର୍ତ୍ତି ଅନନ୍ତଶୟନ ମୁଦ୍ରାରେ ବିରାଜିତ। ଏହି ମୂର୍ତ୍ତି ନବମ ଶତାବ୍ଦୀର। ଭୀମକାଣ୍ଡର ବିଶାଳ ବିଷ୍ଣୁ ମୂର୍ତ୍ତି ମଧ୍ୟ ନବମ ଶତାବ୍ଦୀର। ବ୍ରାହ୍ମଣୀ ତଟସ୍ଥ ଚନ୍ଦ୍ରପୁର ଓ ଚାନ୍ଦପୁର ଗ୍ରାମରେ ଦଶମ ଶତାବ୍ଦୀରେ ହରିହର ମନ୍ଦିର ନିର୍ମାଣ ହୋଇଥିଲା। ମନ୍ଦିରଟି ଭାଙ୍ଗିଯିବାରୁ ହରିହର ମୂର୍ତ୍ତି ସମ୍ପ୍ରତି ନାଧରା ରାମଚଣ୍ଡୀ ପୀଠରେ ପୂଜା ପାଉଛନ୍ତି। କନ୍ତିଓର ବୈଷ୍ଣବମଠ ଚୈତନ୍ୟଙ୍କ ସମୟର ବକ୍ରେଶ୍ୱର ପଣ୍ଡିତଙ୍କ ଦ୍ୱାରା ଷୋଡ଼ଶ ଶତାବ୍ଦୀରେ ପ୍ରତିଷ୍ଠିତ। ଧର୍ମଶାଳା ନିକଟସ୍ଥ ସିଂହାପୁରଠାରେ ବିଷ୍ଣୁମୂର୍ତ୍ତି ଗୋଟିଏ ପୁଷ୍କରିଣୀରେ ଜଳଶାୟୀ ଥାଆନ୍ତି ଏବଂ ମହାବିଷୁବ ସଂକ୍ରାନ୍ତିରେ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥା’ନ୍ତି। ଆଳିର ଲକ୍ଷ୍ମୀବରାହ ପୀଠ ଏକ ପ୍ରାଚୀନ ବୈଷ୍ଣବପୀଠ।

ବ୍ରାହ୍ମଣୀ ନଦୀ ସୁନାବ୍ୟା। ତେଣୁ ଏହି ନଦୀରେ ପ୍ରାଚୀନ କାଳରୁ ନୌକା ସାହାଯ୍ୟରେ ଅନ୍ତର୍ଜାତୀୟ ଓ ବହିଃବାଣିଜ୍ୟ ହେଉଥିଲା। ତାଳଚେର, ଖଡ୍ଗପ୍ରସାଦ, ବଉଳପୁର, ବୁଢ଼ୀବିଲ, ମାର୍ଥାପୁର, ଭୁବନ, ପିଙ୍ଗୁଆ, କବାଟବନ୍ଧ ଓ ଜେନାପୁର ପ୍ରଭୃତି ପ୍ରାଚୀନ ବାଣିଜ୍ୟପେଣ୍ଠ ବ୍ରାହ୍ମଣୀ କୂଳରେ ଅବସ୍ଥିତ। ନୌକାରେ ବ୍ରାହ୍ମଣୀ ନଦୀରେ ଜଙ୍ଗଲଜାତ ଦ୍ରବ୍ୟ ଓ ପଣ୍ୟଦ୍ରବ୍ୟ ପରିବହନ ହୋଇ ପ୍ରାଚୀନ ବନ୍ଦରମାନଙ୍କୁ ଯାଉଥିଲା। ଏପରିକି ତାଳଚେର, ରେଳପଥ ଦ୍ୱାରା ସଂଯୋଗ ପୂର୍ବରୁ କୋଇଲା ନୌକା ସାହାଯ୍ୟରେ ପରିବହନ ହେଉଥିଲା। ବର୍ତ୍ତମାନ ବ୍ରାହ୍ମଣୀ ତଟସ୍ଥ ରାଉରକେଲାଠାରେ ଲୌହଇସ୍ପାତ କାରଖାନା, ତାଳଚେରଠାରେ ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ବହୁ କଳକାରଖାନା ନିର୍ମିତ ହୋଇ ଓଡ଼ିଶାର ବାଣିଜ୍ୟ ଓ ଶିଳ୍ପ ସମୃଦ୍ଧ ହୋଇଛି। ରେଙ୍ଗାଳିଠାରେ ବ୍ରାହ୍ମଣୀନଦୀରେ ବନ୍ଧ ନିର୍ମାଣ କରାଯାଇ ବୃହତ୍‌‌ ଜଳଭଣ୍ଡାର ସୃଷ୍ଟି ହୋଇଛି ଏବଂ ଏହି ବହୁମୁଖୀ ଯୋଜନା ଦ୍ୱାରା ଓଡ଼ିଶାର ପ୍ରଭୂତ କଲ୍ୟାଣ ସାଧିତ ହୋଇଛି।

ଓଡ଼ିଶାର ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ, ଐତିହାସିକ ଓ ବାଣିଜ୍ୟିକ ସଂସ୍କୃତି ତଥା ବିଚାର ବ୍ୟବସ୍ଥାକୁ ବ୍ରାହ୍ମଣୀର ଦାନ ଅନନ୍ୟ ଓ ଅନୁପମ। ଓଡ୍ର ସଭ୍ୟତାର ପ୍ରାଚୀନ ପ୍ରମାଣ ବ୍ରାହ୍ମଣୀ ଅବବାହିକାର ଉପଲବ୍ଧ ହୋଇଥାଏ। ବ୍ରାହ୍ମଣୀ ଅବବାହିକାର ପ୍ରାଚୀନ ପ୍ରତ୍ନସ୍ଥଳୀର ଭୂଖନନ, ସର୍ବେକ୍ଷଣ, ପ୍ରତ୍ନସମୀକ୍ଷଣ ଓ ଗବେଷଣା ହୋଇପାରିଲେ ଅନେକ ଅନାଲୋଚିତ ଐତିହ୍ୟ ଲୋକଲୋଚନକୁ ଆସିପାରିବ।

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର
ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨

22 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର