ମାତୃଭାଷା ଓ ମହାତ୍ମା ଗାନ୍ଧୀ
ଗାନ୍ଧିଜୀ କେବଳ ସ୍ୱାଧୀନତା ଆଣିବା ପାଇଁ ସଂଗ୍ରାମ କରୁନଥିଲେ। ସେ ଚିନ୍ତା କରୁଥିଲେ ଦେଶର ସାମଗ୍ରିକ ବିକାଶ କଥା। ସେ ଥିଲେ ସ୍ୱଦେଶୀ, ସ୍ୱାଭିମାନ ଓ ସ୍ୱାବଲମ୍ବନଶୀଳତାର ପ୍ରତୀକ। ଆମେ ସ୍ୱାଧୀନତା ପାଇଲା ବେଳକୁ ରାଜନୀତି ଓ ଅର୍ଥନୀତି ଯେମିତି ବିପଦରେ ପଡ଼ିଥିଲା, ସେମିତି ବିପଦର ଭଉଁରୀଭିତରେ ପଡ଼ିଯାଇଥିଲା ଭାଷା କ୍ଷେତ୍ରଟି। ଗାନ୍ଧିଜୀ ଜାଣିଥିଲେ ପରାଧୀନତା କାରଣରୁ ଉତ୍ପନ୍ନ ପରାଧୀନ ମାନସିକତା ଜାତି ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି ମାନସିକତାରୁ ମୁକ୍ତି ପାଇଁ ପ୍ରୟୋଜନ ସ୍ୱଦେଶୀ ଦୃଷ୍ଟିସମ୍ପନ୍ନ […]
ଗାନ୍ଧିଜୀ କେବଳ ସ୍ୱାଧୀନତା ଆଣିବା ପାଇଁ ସଂଗ୍ରାମ କରୁନଥିଲେ। ସେ ଚିନ୍ତା କରୁଥିଲେ ଦେଶର ସାମଗ୍ରିକ ବିକାଶ କଥା। ସେ ଥିଲେ ସ୍ୱଦେଶୀ, ସ୍ୱାଭିମାନ ଓ ସ୍ୱାବଲମ୍ବନଶୀଳତାର ପ୍ରତୀକ। ଆମେ ସ୍ୱାଧୀନତା ପାଇଲା ବେଳକୁ ରାଜନୀତି ଓ ଅର୍ଥନୀତି ଯେମିତି ବିପଦରେ ପଡ଼ିଥିଲା, ସେମିତି ବିପଦର ଭଉଁରୀଭିତରେ ପଡ଼ିଯାଇଥିଲା ଭାଷା କ୍ଷେତ୍ରଟି। ଗାନ୍ଧିଜୀ ଜାଣିଥିଲେ ପରାଧୀନତା କାରଣରୁ ଉତ୍ପନ୍ନ ପରାଧୀନ ମାନସିକତା ଜାତି ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହି ମାନସିକତାରୁ ମୁକ୍ତି ପାଇଁ ପ୍ରୟୋଜନ ସ୍ୱଦେଶୀ ଦୃଷ୍ଟିସମ୍ପନ୍ନ ଉଚ୍ଚାରଣ ଓ ଆଚରଣ। ତାଙ୍କ ମତରେ ମାତୃସ୍ତନ୍ୟ ଯେପରି ଶିଶୁର ପ୍ରିୟ, ମାତୃଭାଷା ସେମିତି ସମସ୍ତଙ୍କର ପ୍ରିୟ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏକ ଭାଷଣରେ (୬.୦୨.୧୯୧୬) ସେ କହିଥିଲେ – ମାତୃଭାଷା ପ୍ରତି ଉଦାସୀନତା ଜାତୀୟ ପ୍ରଗତିର ବାଧକ। ଅଥଚ କିଛି ଲୋକ ଭାବୁଛନ୍ତି କେବଳ ଇଂରେଜ ପଢ଼ୁଆ ବାବୁମାନଙ୍କ ଦ୍ୱାରା ଦେଶର ସ୍ୱାଧୀନତା ପ୍ରାପ୍ତି ଓ ପ୍ରଗତି ସମ୍ଭବ। ଏଭଳି ଭ୍ରାନ୍ତ ଧାରଣା ଯୋଗୁଁ ଦୁର୍ବଳ ହୋଇପଡ଼ୁଛି ମାତୃଭାଷାର ସ୍ଥିତି। ୧୯୧୭ରେ ଏକ ପୁସ୍ତକର ମୁଖବନ୍ଧରେ ସେ ଲେଖିଥିଲେ – ମାତୃଭାଷା ପ୍ରତି ଅବହେଳା ପ୍ରଦର୍ଶନ କରିବା ଜାତିପକ୍ଷେ ଆତ୍ମହତ୍ୟା ସହିତ ସମାନ।
ଗାନ୍ଧିଜୀଙ୍କ ମତରେ ସ୍ୱାଧୀନତା ଅର୍ଥ ନିଜ ଭାଷାରେ ଲୋକଙ୍କୁ ଶାସନ। ଏହି ମର୍ମରେ ସେ ଏକ ଭାଷଣ ପ୍ରସଙ୍ଗରେ କହିଛନ୍ତି (୨୪.୦୩.୧୯୧୭) ଯେଉଁ ପର୍ଯ୍ୟନ୍ତ ଆମ ଇଂରେଜ ପ୍ରେମ ନ ସରିଛି, ଆମେ ପ୍ରକୃତ ‘ସ୍ୱରାଜ’ ପାଇ ପାରିବା ନାହିଁ। ଆମ ନିୟୁତ ନିୟୁତ ଦେଶବାସୀ ଭାଇଭଉଣୀ ଯେଉଁମାନେ ଇଂରେଜ ପାଠୁଆ ହୋଇପାରିବେ ନାହିଁ, ସେମାନେ ଦାସ ହୋଇ ରହିଯିବେ ଏବଂ ଇଂରେଜ ପାଠୁଆଙ୍କଠାରୁ ବଢ଼଼ି ବଢ଼଼ି ଚାଲିବ ସେମାନଙ୍କ ବ୍ୟବଧାନ। ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ (୨୩.୦୩.୧୯୨୧) ଅବସରରେ ଇଂରାଜୀ ଶିକ୍ଷାର ଅସାରତା ଓ ମାତୃଭାଷାର ମହତ୍ତ୍ୱ ସମ୍ପର୍କରେ ସେ କଟକ ସଭାରେ ଯେଉଁ ବକ୍ତବ୍ୟ ରଖିଥିଲେ, ତାହା ପ୍ରକାଶ ପାଇଥିଲା ‘ୟଙ୍ଗ ଇଣ୍ଡିଆ’ ଏପ୍ରିଲ ୧୯୨୧ ସଂଖ୍ୟାରେ। ତା’ର ମର୍ମାର୍ଥ ଥିଲା ଦେଶରେ ଯେଉଁଭଳି ଭାବରେ ଇଂରାଜୀ ଶିକ୍ଷା ଦିଆଯାଉଛି, ତାହା କେବଳ ଭାରତୀୟଙ୍କ ଭିତରେ ଗୋଲାମୀ ମାନସିକତା ବୃଦ୍ଧି କରିବା ନିମନ୍ତେ ଅଭିପ୍ରେତ। ଏହି ମର୍ମବାଣୀର ସତ୍ୟତା ସ୍ୱାଧୀନତା ପରେ ବହୁଭାବରେ ପ୍ରତିଫଳିତ ହେଲା, ଯାହାକୁ ପ୍ରତ୍ୟକ୍ଷ ଅନୁଭବ କରି ସେ ଖୁବ୍ କ୍ଷୋଭ ପ୍ରକାଶ କରିଥିଲେ ଏକ ସଭାମଞ୍ଚରେ।
ସେଦିନ ଥିଲା କାଶୀ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ। ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ମହାତ୍ମା ଗାନ୍ଧୀ। ସଜ୍ଜନ ମଣ୍ଡଳୀ ଓ ବିଦ୍ୟାର୍ଥୀଙ୍କ ସମ୍ମୁଖରେ ନିଜ ନିଜ ବିଦ୍ବତ୍ତାର ପରିଚୟ ଦେବାକୁ ଯାଇ ଇଂରାଜୀ ଭାଷାରେ ଅଭିଭାଷଣ ରଖୁଥାଆନ୍ତି ଜଣକ ପରେ ଜଣେ ବକ୍ତା। ମନରେ ଖୁବ୍ ବିଷଣ୍ଣ ଭାବ ନେଇ ଗାନ୍ଧିଜୀ ଏହାକୁ ଲକ୍ଷ୍ୟ କରୁଥିଲେ ଏବଂ ତାଙ୍କ ପ୍ରାଣକୁ ଖୁବ୍ ଆଘାତ କରୁଥିଲା ନିଜର ବାଗ୍ମିତା ପ୍ରଦର୍ଶନ କରୁଥିବା ବିଦ୍ୱାନମାନଙ୍କର ଅବିମୃଶ୍ୟକାରିତା। ଏହାକୁ ମନେମନେ ଧିକ୍କାର କରୁଥିବା ଗାନ୍ଧିଜୀ ଯେତେବେଳେ ନିଜେ ଉଦ୍ବୋଧନ ଦେବାକୁ ଉଠିଲେ, ସେତେବେଳେ ଛାତ୍ରଛାତ୍ରୀ ତଥା ସଜ୍ଜନ ମଣ୍ଡଳୀ ଉଦ୍ଦେଶ୍ୟରେ କହିଲେ – ‘ଗୋରା ସରକାର ଶାସନ କରୁଥିବା ବେଳେ ମନଇଚ୍ଛା ଅତ୍ୟାଚାର କରୁଥିଲେ ଏବଂ ସେଥିପାଇଁ ତାଙ୍କ ଭିତରେ ଭରି ଯାଇଥିଲା ଅହଂକାର। କାରଣ ବେପାର ଉଦ୍ଦେଶ୍ୟରେ ସାତ ସମୁଦ୍ର ତେର ନଈ ସେପାରିରୁ ଆସି ଭାରତୀୟମାନଙ୍କୁ ସେମାନେ ଗୋଲାମ କରି ରଖିବାରେ ସକ୍ଷମ ହୋଇ ପାରିଥିଲେ ନିଜର ‘ଭାଗ ଭାଗ କରି ଶାସନ କର’ (ଡିଭାଇଡ୍ ଆଣ୍ଡ ରୁଲ୍) ନୀତି ବଳରେ।
ଦୁଃଖର କଥା, ସେମାନେ ଦେଶଛାଡ଼ି ଚାଲିଗଲା ପରେ ବି ଆମ ଭିତରୁ ଗଲାନି ଗୋଲାମ ହୋଇ ରହିବା ମାନସିକତା। ସେହି କାରଣରୁ ସ୍ୱାଧୀନ ହେଲା ପରେ ବି ଆମେ ଆଜି ପାଲଟି ଯାଇଛୁ ଇଂରାଜୀ ଭାଷାର ଗୋଲାମ। ଇଂରେଜମାନେ ସିନା ହିନ୍ଦୁସ୍ଥାନକୁ ଗୋଲାମ ବନେଇଥିଲେ, ହେଲେ ଆମକୁ ଇଂରାଜୀ ଭାଷାର ଗୋଲାମ ବନେଇଲା କିଏ? ଭାବିଲେ ଦେଖି ଆମେ ଆଜି କେତେ ପରିଶ୍ରମ ନ କରୁଛୁ ନିଜେ ଇଂରାଜୀ ଶିଖିବା ପାଇଁ ଓ ପିଲାଙ୍କୁ ଶିଖାଇବା ପାଇଁ! ଯଦି ଆମକୁ କେହି କହୁଛି ତମେ ଇଂରେଜଙ୍କ ଭଳି ଇଂରାଜୀ କହିପାରୁଛ, ତେବେ କ’ଣ ଗର୍ବରେ ଫାଟି ପଡ଼ୁନି ଆମ ଛାତି? ଏହାଠାରୁ ବଳି ଦୟନୀୟ ଗୋଲାମୀ ମାନସିକତା ଆଉ କ’ଣ ହୋଇପାରେ ? ଇଂରାଜୀ ଭାଷା ପ୍ରତି ସେହିଭଳି ମୋହ ଯୋଗୁଁ ଆମ ଲୋକମାନେ ଚୁପ୍ଚାପ୍ ବସି ଭାଷଣ ଶୁଣୁଛନ୍ତି ଏବଂ ଏଥିରେ ଖୁବ୍ ଆନନ୍ଦ ଅନୁଭବ କରୁଛନ୍ତି ଇଂରାଜୀରେ ଅନର୍ଗଳ କହୁଥିବା ବିଦ୍ୱାନମାନେ। ମୁଁ ଜାଣିଛି ସେମାନଙ୍କ ପାଣ୍ଡିତ୍ୟର ପଟ୍ଟାନ୍ତର ନାହିଁ। ମାତ୍ର ଯେଉଁ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକ ସେ ଇଂରାଜୀରେ କହିଗଲେ, ସେଥିରେ ସାଧାରଣ ଲୋକଙ୍କର କି ଲାଭ?’ ଗାନ୍ଧିଜୀଙ୍କଠାରୁ ଏହା ଶୁଣିଲା ପରେ ସେଦିନ ମନେମନେ ଲଜ୍ଜା ଅନୁଭବ କରିଥିଲେ ବକ୍ତାମାନେ।
ଭାଷା ହେଉଛି ପ୍ରତ୍ୟେକ ବ୍ୟକ୍ତିର ପରିଚୟ ଏବଂ ନିଜ ଭାଷାକୁ ନେଇ ଗର୍ବ ଅନୁଭବ କରେ ବିଶ୍ୱର ପ୍ରାୟ ପ୍ରତ୍ୟେକ ଜାତି। ଅନ୍ୟପକ୍ଷରେ ନିଜ କଥିତ ଭାଷାକୁ ହତାଦର କରି ବିଦେଶୀ ଭାଷାକୁ ଆପଣେଇ ନେବା ହେଉଛି ବିଜାତୀୟ ଭାବଧାରାର ପ୍ରତୀକ। ଆପଣା ସୁନାକୁ ଯିଏ ଭେଣ୍ଡି ବୋଲି ଭାବେ, ପର ଭେଣ୍ଡି ତା’କୁ ସୁନା ଭଳି ଦିଶେ। ଗାନ୍ଧିଜୀ ବିଦ୍ୟାର୍ଥୀମାନଙ୍କ ଉଦ୍ଦେଶ୍ୟରେ କହୁଥିଲେ, ‘ପାଠର ଅସଲ ଉଦ୍ଦେଶ୍ୟ ହେଉଛି ଭିତର କଥା ସହିତ ବାହାର କଥାକୁ ଯୋଡ଼ି ନିଜକୁ ଜାଗ୍ରତ କରିବା। ଆମେ ଯେଉଁ ମୁହୂର୍ତ୍ତରେ ଆମର ମୌଳିକ ଭାଷାଠାରୁ ଦୂରେଇ ଯାଉ ସେତେବେଳେ ଆଉ ରହି ପାରେନି ଭିତରର କଥା ଓ ବାହାରର କଥା ମଧ୍ୟରେ ସମନ୍ୱୟ। ବିଦେଶୀ ଭାଷାରେ ଶିକ୍ଷା ଦିଆଗଲେ ଛାତ୍ରମାନଙ୍କର ସିଂହଭାଗ ଶକ୍ତି ବିନିଯୋଗ ହେବ କେବଳ ଭାଷା ଶିଖିବାରେ।
ମୌଳିକ ଚିନ୍ତା କରିବା ପାଇଁ ସେମାନଙ୍କ ପାଖରେ ନଥିବ ଅବଶିଷ୍ଟ ଶକ୍ତି। କାରଣ ନୂତନ କିଛି ସୃଷ୍ଟି କରିବା ପରିବର୍ତ୍ତେ ସେମାନେ ଅନୁକରଣ କରିବେ। ଯେଉଁ ଖାଦ୍ୟକୁ ଚୋବେଇ ନପାରି ଗିଳି ଦିଆଯାଏ, ସେଥିରେ ପେଟ ଭରିହୁଏ ସତ କିନ୍ତୁ, ରକ୍ତସଞ୍ଚାର ହୋଇପାରେନି। ଇଂରାଜୀ ଭାଷା ଆମ ପିଲାଙ୍କ ଭିତରେ ସେମିତି ଅଜୀର୍ଣ୍ଣ ରୋଗ ସୃଷ୍ଟି କରିଛି। ନିଜ ଭାଷାରେ ଗବେଷଣା ହେଲେ ଲୋକେ ତା’ର ଫାଇଦା ପାଇବେ। କିନ୍ତୁ ଇଂରାଜୀ ଭାଷାରେ ଗବେଷଣା ହେଉଥିବାରୁ ଲୋକେ ତା’ର ଫାଇଦା ପାଉନାହାନ୍ତି। ମୋର ଯଦି ଜଣେ ଏକଛତ୍ର ଶାସକର ଶକ୍ତି ଥାଆନ୍ତା ତେବେ ବିଦେଶୀ ଭାଷା ମାଧ୍ୟମରେ ପ୍ରଚଳିତ ଏହି ଶିକ୍ଷାକୁ ମୁଁ ଏହି ମୁହୂର୍ତ୍ତରେ ବନ୍ଦ କରି ଦିଅନ୍ତି। ବିଦେଶୀ ଭାଷାକୁ ବଦଳାଇ ସ୍ୱଦେଶୀ ଭାଷାରେ କାର୍ଯ୍ୟ ଆରମ୍ଭ ବେଳେ ସାମୟିକ କିଛି ବିଶୃଙ୍ଖଳା ହୋଇପାରେ, ଯାହାକୁ ସହି ହେବ। କିନ୍ତୁ ବିଦେଶୀ ଭାଷା ମାଧ୍ୟମରେ ଶିକ୍ଷା ଦେବା ଫଳରେ ପ୍ରତିଦିନ ଯେତେ କ୍ଷତି ହେଉଛି ତାହା ଦେଶ ପାଇଁ ଅସହ୍ୟ।’
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ଅବସରରେ କଟକରେ ଅନୁଷ୍ଠିତ ସଭାରେ ଜଣେ ବ୍ୟକ୍ତି ଗାନ୍ଧିଜୀଙ୍କୁ ପ୍ରଶ୍ନ କରିଥିଲେ, ‘ଆପଣ ମାତୃଭାଷା ଉପରେ ଗୁରୁତ୍ୱ ଦେବାକୁ କହୁଛନ୍ତି; ଅଥଚ ଆପଣ ନିଜେ ଇଂରାଜୀ ଶିକ୍ଷାରେ ଶିକ୍ଷିତ ଏବଂ ଜଣେ ବାରିଷ୍ଟର। ରାଜା ରାମମୋହନ ରାୟ ବିଲାତରେ ପାଠ ପଢ଼଼ି ଇଂରାଜୀ ଶିକ୍ଷା ଆହରଣ କରିବା ଫଳରେ ତାଙ୍କ ଭିତରେ ସଞ୍ଚାର ହୋଇ ପାରିଲା ପରିବର୍ତ୍ତନର ସ୍ୱର। ସେ ରାଜା ରାମମୋହନ ହୁଅନ୍ତୁ କି ବାଲ ଗଙ୍ଗାଧର ତିଲକ ହୁଅନ୍ତୁ ଇଂରାଜୀ ଭାଷାର ଦକ୍ଷତା ଯୋଗୁଁ ଆପଣମାନେ ଏତେ ଉଚ୍ଚକୁ ଯାଇଛନ୍ତି।’ ଏହାର ଉତ୍ତରରେ ଗାନ୍ଧିଜୀ କହିଥିଲେ, ‘ମୋ କଥା ଛାଡ଼ନ୍ତୁ, ରାମମୋହନ ରାୟ ଓ ବାଲ ଗଙ୍ଗାଧର ତିଳକ ଇଂରାଜୀ ଶିକ୍ଷାଲାଭ ବଳରେ ସଫଳତା ପାଇଛନ୍ତି – ଏହା ସତ୍ୟ।
କିନ୍ତୁ ଶଙ୍କର, ନାନକ, କବୀର, ଶ୍ରୀଚୈତନ୍ୟ – ଏମାନେ କେହି ଇଂରାଜୀ ଭାଷା ମାଧ୍ୟମରେ ନିଜକୁ ଉତ୍ତରିତ କରିନଥିଲେ; ଅଥଚ ସେମାନେ ବହୁ ଉଚ୍ଚକୁ ଯାଇ ପାରିଛନ୍ତି। ତିଳକ ଓ ରାଜା ରାମମୋହନ ରାୟ ଯଦି ନିଜ ଭାଷା ମାଧ୍ୟମରେ ଚେଷ୍ଟା କରିଥା’ନ୍ତେ ତେବେ ଆହୁରି ଉଚ୍ଚକୁ ଯାଇ ପାରିଥା’ନ୍ତା ଆମ ଭିତରର ଭାବନା।’
ଡ. ପ୍ରଫୁଲ୍ଲ କୁମାର ସାହୁ
ଭଦ୍ରକ, ମୋ: ୬୩୭୧୬୪୨୪୬୪