ତେଲୁଗୁ ଅସ୍ମିତାର ପ୍ରବାଦ ପୁରୁଷ: କର୍ମଯୋଗୀ ରାମୋଜୀ ରାଓ

The Sakala Picture
Published On

ଭାରତୀୟ ଆଞ୍ଚଳିକ ଭାଷା ସାମ୍ୱାଦିକତା ବିକାଶରେ ରାମୋଜୀ ରାଓ (୧୯୩୬-୨୦୨୪)ଙ୍କ ଅବଦାନ ଉଲ୍ଲେଖଯୋଗ୍ୟ। ଶିକ୍ଷା ପ୍ରସାର, ସମାଜ ସଂସ୍କାର ଓ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ୍ୟବଦ୍ଧ ଭାଷା ସାମ୍ୱାଦିକତା ସ୍ୱାଧୀନୋତ୍ତର ଭାରତରେ ଦିଶାହୀନ ହୋଇପଡ଼ିଥିଲା। ସହରାଞ୍ଚଳରୁ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ସାମ୍ୱାଦିକତାର ଔପଚାରିକତା ପରିଧିରେ ସୀମିତ ରହୁଥିଲେ। ରାଜନୈତିକ ହଟଚମଟ ବିବରଣୀ ପ୍ରସାରଣରେ ଅଭ୍ୟସ୍ତ ସାମ୍ୱାଦିକତା ୧୯୭୫ରୁ ୧୯୭୭ ଜରୁରିକାଳୀନ ପରିସ୍ଥିତିରେ ସରକାରୀ ଆକ୍ରୋଶର ସମ୍ମୁଖୀନ ହେବା ପର ଅବସ୍ଥାରେ ଦେଶର ସାମ୍ୱାଦିକତା ପରିସରରେ ବ୍ୟାପକ ପରିବର୍ତ୍ତନ ଦେଖା ଦେଇଥିଲା। […]

ଭାରତୀୟ ଆଞ୍ଚଳିକ ଭାଷା ସାମ୍ୱାଦିକତା ବିକାଶରେ ରାମୋଜୀ ରାଓ (୧୯୩୬-୨୦୨୪)ଙ୍କ ଅବଦାନ ଉଲ୍ଲେଖଯୋଗ୍ୟ। ଶିକ୍ଷା ପ୍ରସାର, ସମାଜ ସଂସ୍କାର ଓ ସ୍ୱାଧୀନତା ସଂଗ୍ରାମରେ ଲକ୍ଷ୍ୟବଦ୍ଧ ଭାଷା ସାମ୍ୱାଦିକତା ସ୍ୱାଧୀନୋତ୍ତର ଭାରତରେ ଦିଶାହୀନ ହୋଇପଡ଼ିଥିଲା। ସହରାଞ୍ଚଳରୁ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ସାମ୍ୱାଦିକତାର ଔପଚାରିକତା ପରିଧିରେ ସୀମିତ ରହୁଥିଲେ। ରାଜନୈତିକ ହଟଚମଟ ବିବରଣୀ ପ୍ରସାରଣରେ ଅଭ୍ୟସ୍ତ ସାମ୍ୱାଦିକତା ୧୯୭୫ରୁ ୧୯୭୭ ଜରୁରିକାଳୀନ ପରିସ୍ଥିତିରେ ସରକାରୀ ଆକ୍ରୋଶର ସମ୍ମୁଖୀନ ହେବା ପର ଅବସ୍ଥାରେ ଦେଶର ସାମ୍ୱାଦିକତା ପରିସରରେ ବ୍ୟାପକ ପରିବର୍ତ୍ତନ ଦେଖା ଦେଇଥିଲା। ସମ୍ୱାଦ ପରିବେଷଣ ଶୈଳୀରେ ଉନ୍ନତି ସାଙ୍ଗକୁ ନୂତନ ବୈଷୟିକ କୌଶଳ ଉପଯୋଗ ସାମ୍ୱାଦିକତାକୁ ସର୍ଜନଶୀଳ କରିଥିଲା।

ଏହି ପରିବର୍ତ୍ତନର ଯଥେଷ୍ଟ ପୂର୍ବରୁ ରାମୋଜୀ ରାଓ ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ତେଲୁଗୁ ସାମ୍ୱାଦିକତା ବିକାଶର ସୂତ୍ରଧର ସାଜିଥିଲେ। ତାଙ୍କରି ଉଦ୍ୟମରେ କୃଷି ଓ କୃଷକ-କୈନ୍ଦ୍ରିକ ପତ୍ରିକା ‘ଅନ୍ନଦାତା’ ୧୯୬୯ରେ ପ୍ରକାଶ ପାଇଥିଲା। ସାମ୍ୱାଦିକତାକୁ ବୃହତ୍ତର ପାଠକ ଗୋଷ୍ଠୀଙ୍କଠାରେ ବ୍ୟବହାରଯୋଗ୍ୟ ଓ ଉପଯୋଗୀ ଉତ୍ପାଦ ଭାବେ ପହଞ୍ଚାଇବା ଦିଗରେ ପତ୍ରିକାଟି ଏକ ସଫଳ ଉଦାହରଣ ପାଲଟିଥିଲା। ପାଞ୍ଚ ବର୍ଷ ପରେ ୧୯୭୪ରେ ସେ ‘ଈନାଡୁ’ ନାମକ ଦୈନିକ ତେଲୁଗୁ ସମ୍ୱାଦପତ୍ର ପ୍ରକାଶନ ଆରମ୍ଭ କରିଥିଲେ। ପାରମ୍ପରିକ ଭାବେ ଆନ୍ଧ୍ରପ୍ରଦେଶରେ ହାଇଦରାବାଦ ଓ ବିଜୟୱାଡା ସମ୍ୱାଦପତ୍ର ପ୍ରକାଶନ ସ୍ଥଳ ମାନ୍ୟତା ପାଇଥିବା ବେଳେ ‘ଈନାଡୁ’ ବିଶାଖାପାଟଣାରୁ ପ୍ରକାଶିତ ହୋଇଥିଲା। ‘ଈନାଡୁ’ ଆଞ୍ଚଳିକ ସାମ୍ୱାଦିକତାକୁ ଗୁରୁତ୍ୱ ପ୍ରଦାନ କରୁଥିଲା। ସମାଜର ଯେଉଁ ଘଟଣାଗୁଡ଼ିକ ସମ୍ୱାଦପତ୍ରରେ ପୂର୍ବରୁ ପ୍ରକାଶନଯୋଗ୍ୟ ଭାବେ ବିଚାର କରାଯାଉ ନ ଥିଲା, ତାହା ରାମୋଜୀ ରାଓଙ୍କ ‘ଈନାଡ଼ୁ’ ପତ୍ରିକା ଗୁରୁତ୍ୱ ଦେଲା। ଉଦାହରଣସ୍ୱରୂପ କୌଣସି ଏକ ସାଧାରଣ ନାଗରିକଙ୍କ ମୃତ୍ୟୁ ପୂର୍ବରୁ ଗୌଣ ହେଉଥିବାବେଳେ ‘ଈନାଡ଼ୁ’ରେ ତାହା ଏକ ସମ୍ୱାଦ ରୂପେ ପରିଗଣିତ ହେଲା ଏବଂ ଦଶାହ ଅବସରରେ ମୃତକଙ୍କ ଫୋଟଚିତ୍ର ସମେତ ସଖାସହୋଦରଙ୍କ ଶୋକବାର୍ତ୍ତା ବିଜ୍ଞାପନ ଆକାରରେ ପ୍ରକାଶ ପାଇଲା। ଏକପକ୍ଷରେ ସ୍ଥାନୀୟ ଘଟଣାବଳୀ ପ୍ରକାଶନରେ ପାଠକୀୟ ଉତ୍କଣ୍ଠା ଜାଗ୍ରତ ସହ ପ୍ରକାଶକଙ୍କ ବିଜ୍ଞାପନରୁ ରାଜସ୍ୱ ଆୟ ହେଲା। ସାଧାରଣତଃ ସମ୍ୱାଦପତ୍ର ପ୍ରକାଶନ ଆର୍ଥିକ ଦୃଷ୍ଟିରୁ କ୍ଷତିପ୍ରଦ ବ୍ୟବସାୟ ରୂପେ ପରିଗଣିତ ହେଉଥିବା ବେଳେ ରାମୋଜୀ ରାଓ ତାହାର ବିପରୀତ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ।

ଆନ୍ଧ୍ର ପ୍ରଦେଶରେ ବିଂଶ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ କୃଷିରେ ବ୍ୟାପକ ଉନ୍ନତି ସାଧିତ ହୋଇଥିବା ବେଳେ ତେଲୁଗୁ ସାଂସ୍କୃତିକ ପ୍ରବାହ ଋଦ୍ଧିମନ୍ତ ହୋଇଥିଲା। ଏହି ପରିବେଶରେ ତେଲୁଗୁ ଅସ୍ମିତା ‘ଆମ-ଗୌରବମ’ ପ୍ରସାରରେ ‘ଈନାଡୁ’ ଗଣମାଧ୍ୟମ ଗୋଷ୍ଠୀ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ମୁଦ୍ରିତ ସମ୍ୱାଦପତ୍ର ସହ ଅଧଡଜନେ ପତ୍ରିକା ଓ ଚଳଚ୍ଚିତ୍ର ପ୍ରଯୋଜନା ଏଥିରେ ସାମିଲ ହୋଇଥିଲା। ‘ଈନାଡୁ’ ସମ୍ୱାଦପତ୍ରର ପ୍ରଭାତୀ ସଂସ୍କରଣ ଆନ୍ଧ୍ରପ୍ରଦେଶର ଗ୍ରାମାଞ୍ଚଳରେ ସୂର୍ଯ୍ୟୋଦୟ ପୂର୍ବରୁ ପହଞ୍ଚୁଥିଲା। ଉଦାହରଣସ୍ୱରୂପ ଓଡ଼ିଶାର ଉପାନ୍ତ ସହର ବ୍ରହ୍ମପୁରରେ ଅବସ୍ଥାପିତ ତେଲୁଗୁ ଭାଷାଭାଷୀ ଲୋକେ ସନ୍ଧ୍ୟାରେ ତତ୍କାଳୀନ ଲୋକପ୍ରିୟ ବିଜୟୱାଡ଼ାରେ ମୁଦ୍ରିତ ‘ଆନ୍ଧ୍ର ପ୍ରଭା’ ଓ ‘ଆନ୍ଧ୍ର ଜ୍ୟୋତି’ ସନ୍ଧ୍ୟାରେ ପାଉଥିବା ବେଳେ ବିଶାଖାପାଟଣାରେ ମୁଦ୍ରିତ ‘ଈନାଡୁ’, କଟକ ଓ କୋଲକତା ସମ୍ୱାଦପତ୍ର ସହ ସକାଳ ବେଳା ପାଇପାରୁଥିଲେ।

ବିଂଶ ଶତାଦ୍ଦୀ ସପ୍ତମ ଦଶକ ଶେଷ – ଅଷ୍ଟମ ଦଶକ ଆରମ୍ଭରେ ଭାରତରେ ପ୍ରାଦ୍ୟୋଗିକୀ ବିକାଶର ରାମୋଜୀ ରାଓ ଭରପୂର ଉପଯୋଗ କରିଥିଲେ। ସମ୍ୱାଦପତ୍ର ପ୍ରକାଶନରେ ଅଫସେଟ ମୁଦ୍ରଣ, ଫୋଟ-ଟାଇପ-ସେଟିଙ୍ଗ ଓ ଫେସିମେଲ-ଟ୍ରାନମିସନ ବ୍ୟବସ୍ଥା ଉପଯୋଗରେ ଆନ୍ଧ୍ରପ୍ରଦେଶର ସମସ୍ତ ଜିଲ୍ଲା ଏପରିକି ହାଇଦରାବାଦ-ସିକନ୍ଦରାବାଦର ପ୍ରତ୍ୟେକ ୱାର୍ଡ ପାଇଁ ‘ଈନାଡୁ’ର ସ୍ୱତନ୍ତ୍ର ସଂସ୍କରଣମାନ ପ୍ରକାଶିତ ହୋଇଥିଲା। ସେହି ସମୟରେ ଆନ୍ଧ୍ରପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳକୁ ସଡ଼କ ସଂଯୋଗ ଓ ସରକାରୀ ବସସେବା ପ୍ରଚଳନ ସମ୍ୱାଦପତ୍ର ବିତରଣରେ ସହାୟତା ଯୋଗାଇଥିଲା।

‘ଈନାଡୁ’ ସମ୍ୱାଦପତ୍ର କିପରି ସାଧାରଣ ନାଗରିକଙ୍କଠାରେ ପହଞ୍ଚିପାରିବ ଏବଂ ସେମାନଙ୍କ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ ହୋଇପାରିବ ସେଦିଗରେ ରାମୋଜୀ ରାଓ ଦୃଷ୍ଟି ଦେଉଥିଲେ। ‘ଈନାଡୁ’ରେ ମହିଳାମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପୃଷ୍ଠା ପ୍ରତ୍ୟହ ପ୍ରକାଶିତ ହେଉଥିଲା। ସମ୍ୱାଦପତ୍ରର ଭାଷା ସରଳ ଓ ସାବଲୀଳ କରିବା ନିମନ୍ତେ ଉଦ୍ୟମ କରାଯାଉଥିଲା। ୧୯୭୯ ବେଳକୁ ଆନ୍ଧ୍ରପ୍ରଦେଶର ପ୍ରତି ପାଞ୍ଚ ଜଣ ସମ୍ୱାଦପତ୍ର ପାଠକଙ୍କ ମଧ୍ୟରେ ଦୁଇଜଣ ‘ଈନାଡୁ’ ପାଠକ ଅନ୍ତର୍ଭୁକ୍ତ ଥିବା ରାମୋଜୀ ରାଓ ଦାବି କରୁଥିଲେ।

ଭାରତରେ ଘରୋଇ ସାଟେଲାଇଟ ଟେଲିଭିଜନ ପ୍ରସାରଣ ଆରମ୍ଭ ଅବସରରେ ରାମୋଜୀ ରାଓ ୧୯୯୫ରେ ପ୍ରତିଷ୍ଠିତ ‘ଈନାଡୁ ଟେଲିଭିଜନ’ ବା ‘ଇ-ଟିଭି’ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ଗଣମାଧ୍ୟମ ପରିଧିରେ ନିଜ ଆଧିପତ୍ୟ ପୁନର୍ବାର ଜାହିର କରିଥିଲେ। ‘ଇ-ଟିଭି’ ଓଡ଼ିଆ, ବଙ୍ଗଳା, ହିନ୍ଦୀ ସମେତ ବିଭିନ୍ନ ଭାଷାରେ ପ୍ରସାରଣ ଆରମ୍ଭ କରିଥିଲା। ଭାରତୀୟ ଆଞ୍ଚଳିକ ଭାଷାରେ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନା କ୍ଷେତ୍ରରେ ‘ଇ-ଟିଭି’ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଆସିଥିଲା। ପରବର୍ତ୍ତୀ ଅବସ୍ଥାରେ ଏହି ନେଟୱାର୍କ ରିଲାଏନ୍ସ ଅଧିଗ୍ରହଣ କରିଥିଲା। ରାମୋଜୀ ରାଓ ଏକ ଟେଲିଭିଜନ ସମ୍ରାଜ୍ୟ ଗଠନ କରିଥିଲେ ହେଁ ପରିଚାଳନାଧୀନ ରଖିପାରି ନ ଥିଲେ।

ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ଆଞ୍ଚଳିକ ଭାଷାର ସମ୍ୱାଦପତ୍ରଗୁଡ଼ିକ ସାମ୍ୱାଦିକତାକୁ ସ୍ୱାଧୀନତା ସଂଗ୍ରାମ ନିମନ୍ତେ ଉତ୍ସର୍ଗ କରିଥିଲେ। ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଜରୁରିକାଳୀନ ପରିସ୍ଥିତି ଯାଏଁ ଆଞ୍ଚଳିକ ଭାଷାରେ ସମ୍ୱାଦିକତା ଊଣା-ଅଧିକେ ରାଜନୈତିକ ନିରପେକ୍ଷତା ଜାରି ରଖିଥିଲେ। ତେବେ ଆନ୍ଧ୍ର ପ୍ରଦେଶରେ ଚଳଚ୍ଚିତ୍ର ତାରକା ଏନ.ଟି.ରାମାରାଓଙ୍କ ଦ୍ୱାରା ‘ତେଲୁଗୁ ଦେଶମ ପାର୍ଟି’ ୧୯୮୨ରେ ଗଠିତ ହେବା ପରେ ‘ଈନାଡୁ’ ରାଜନୈତିକ ପ୍ରଚାରର ମାଧ୍ୟମ ପାଲଟିଯାଇଥିଲା। ରାଜନୈତିକସ୍ତରରେ କଂଗ୍ରେସ ତେଲୁଗୁ ଭାଷାଭାଷୀଙ୍କ ସମ୍ମାନ ପ୍ରତି ଧ୍ୟାନ ନ ଦେଉଥିବା, ଏପରିକି କଂଗ୍ରେସ ମୁଖ୍ୟମନ୍ତ୍ରୀ ଟି. ଆଞ୍ଜେୟାଙ୍କ ଭଳି ଶୀର୍ଷ ନେତୃବର୍ଗଙ୍କୁ ପ୍ରକାଶ୍ୟରେ ରାଜୀବ ଗାନ୍ଧୀ ଅପମାନିତ କରିଥିବା ଭଳି ପ୍ରସଙ୍ଗକୁ କେନ୍ଦ୍ରକରି ସ୍ୱତନ୍ତ୍ର ଆଞ୍ଚଳିକ ରାଜନୈତିକ ଦଳ ନିଜ ସପକ୍ଷରେ ଜନମତ ଜାଗ୍ରତରେ ସକ୍ଷମ ହୋଇପାରିଥିଲେ। ରାଜନୈତିକ ପକ୍ଷପାତିତା ନିମନ୍ତେ ‘ଈନାଡୁ’ ଗୋଷ୍ଠୀକୁ ମଧ୍ୟ ପ୍ରତିପକ୍ଷର ଆକ୍ରୋଶ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନ.ଟି. ରାମାରାଓ ଦୀର୍ଘକାଳ ନିରଙ୍କୁଶ କ୍ଷମତା ଭୋଗ ପରେ ‘ତେଲୁଗୁ ଦେଶମ ପାର୍ଟି’ରେ ତାଙ୍କରି ଜାମାତା ଚନ୍ଦ୍ରବାବୁ ନାଇଡୁ ବିଦ୍ରୋହ ଘୋଷଣା କରିଥିଲେ। ରାମୋଜୀ ରାଓ ଚନ୍ଦ୍ରବାବୁ ନାଇଡୁଙ୍କୁ ସମର୍ଥନ ଦେଇଥିଲେ ଏବଂ ୧୯୯୯ ସେ ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ ହୋଇଥିଲେ। ତେବେ ୨୦୦୪ରେ କଂଗ୍ରେସ ଦଳ ‘ତେଲୁଗୁ ଦେଶମ ପାର୍ଟି’କୁ ହରାଇ କ୍ଷମତାସୀନ ହେବା ପରେ ୱାଇ. ରାଜଶେଖର ରେଡ୍ଡି ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରିଥିଲେ। ଏହି ଅବସରରେ ରାମୋଜୀ ରାଓଙ୍କ ବ୍ୟବସାୟରେ ଆର୍ଥିକ ଅନିୟମିତତା ତଦନ୍ତ ହୋଇଥିଲା। ରାଜଶେଖର ରେଡ୍ଡିଙ୍କ ପୁତ୍ର ଜଗନ ମୋହନ ରେଡ୍ଡି ‘ଈନାଡୁ’ର ପ୍ରତିଯୋଗୀ ଭାବେ ‘ସାକ୍ଷୀ’ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲ ଆରମ୍ଭ କରିଥିଲେ। ‘ସାକ୍ଷୀ’ ଅତି କମସମୟ ମଧ୍ୟରେ ‘ଈନାଡୁ’ ସମ ସଫଳତା ହାସଲ କରିଥିଲା।

ରାମୋଜୀ ରାଓଙ୍କ ୮୮ ବର୍ଷର ଜୀବନ ବ୍ୟବସାୟରୁ ସାମ୍ୱାଦିକତା, ରାଜନୀତି ଦେଇ ପୁନର୍ବାର ବ୍ୟବସାୟକୈନ୍ଦ୍ରିକ ହୋଇପଡ଼ିଥିଲା। ସୋଭିଏତ ଋଷକୁ ଭାରତୀୟ ସାମଗ୍ରୀ ରପ୍ତାନୀ ଛୋଟକାଟର ବ୍ୟବସାୟରୁ ସେ ଡଲଫିନ ହୋଟେଲ ଚେନ, ମାର୍ଗଦର୍ଶୀ ଚିଟଫଣ୍ଡ, ଆଚାର ପ୍ରସ୍ତୁତକାରୀ ପ୍ରିୟା ଫୁଡ୍‌‌ସ, କିରଣ ବିଜ୍ଞାପନ ଏଜେନ୍ସି ଓ ରାମୋଜୀ ଫିଲ୍ମ ସିଟି ଭଳି ବହୁମୁଖୀ ଉଦ୍ୟୋଗରେ ନିଜକୁ ସାମିଲ କରିଥିଲେ। ସାମ୍ୱାଦିକତା ଓ ରାଜନୈତିକ ପକ୍ଷଭୁକ୍ତତା ମାଧ୍ୟମରେ ତେଲୁଗୁ ଅସ୍ମିତା ପ୍ରତିଷ୍ଠା ଲାଗି ଉଦ୍ୟମ ତାଙ୍କୁ ଜଣେ ପ୍ରବାଦ ପୁରୁଷ ଭାବେ ଗଢ଼ି ତୋଳିଥିଲା। ତାଙ୍କରି ଉଦାହରଣରେ ପ୍ରଭାବିତ ହୋଇ ୧୯୮୨ରେ ଓଡ଼ିଆ ସମ୍ୱାଦପତ୍ର ‘ଦୈନିକ ଆଶା’ ଓ ୧୯୮୪ରେ ମାସିକ ପତ୍ରିକା ‘ଜନନୀ’ ଆତ୍ମପ୍ରକାଶ କରିଥିଲେ ହେଁ ପ୍ରକାଶନ ଦୀର୍ଘସ୍ଥାୟୀ ହୋଇପାରିନଥିଲା। ‘ସମ୍ୱାଦ’ ସେହି ପଥ ଅନୁସରଣ କରି ସଫଳତା ପାଇଥିଲା। ଏକବିଂଶ ଶତାଦ୍ଦୀ ଆରମ୍ଭରେ ‘ଇ-ଟିଭି’ ଓଡ଼ିଆ ମାଧ୍ୟମରେ ବହୁସଂଖ୍ୟକ ଓଡ଼ିଆ ସୃଜନ ପ୍ରତିଭା ତାଲିମପ୍ରାପ୍ତ ହୋଇଥିଲେ। ଆଧୁନିକ ଓଡ଼ିଆ ସାମ୍ୱାଦିକତା କ୍ରମବିକାଶରେ ପଦ୍ମବିଭୂଷଣ ସମ୍ମାନପ୍ରାପ୍ତ ରାମୋଜୀ ରାଓଙ୍କ ପରୋକ୍ଷ ଅବଦାନ ଅନସ୍ୱୀକାର୍ଯ୍ୟ।

ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪

18 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର