ମାତୃଭାଷାରେ ବିଜ୍ଞାନ ଲିଖନ
ଆମ ରାଜ୍ୟର ସାହିତ୍ୟିକ ପାଣିପାଗକୁ ଲକ୍ଷ୍ୟ କଲେ ମନରେ ପ୍ରଶ୍ନ ଉଠେ, ଓଡ଼ିଆ ଭାଷାରେ ବିଜ୍ଞାନ, ପ୍ରବନ୍ଧ, ଉପନ୍ୟାସ ଓ କଳ୍ପବିଜ୍ଞାନ ଲେଖୁଥିବା ଲେଖକମାନେ ସାହିତ୍ୟିକ ପଦବାଚ୍ୟ କି? ଉତ୍ତର ଆଂଶିକ ‘ହଁ’ ବା ‘ନା’ ହୋଇପାରେ। କଳ୍ପବିଜ୍ଞାନ ଓ ବିଜ୍ଞାନ ଉପନ୍ୟାସ ଲେଖୁଥିବା ଲେଖକ / ଲେଖିକାମାନଙ୍କୁ ସାହିତ୍ୟିକ / ସାହିତ୍ୟିକା ଭାବରେ ହୁଏତ ଗଣା ଯାଇପାରେ। କିନ୍ତୁ ଯେଉଁମାନେ ସରଳ ବୋଧଗମ୍ୟ ଭାଷାରେ ବିଜ୍ଞାନର ଜଟିଳ ତଥ୍ୟ ଯଥା ପଦାର୍ଥ ବିଜ୍ଞାନ, ମହାକାଶ ବିଜ୍ଞାନ, […]
ଆମ ରାଜ୍ୟର ସାହିତ୍ୟିକ ପାଣିପାଗକୁ ଲକ୍ଷ୍ୟ କଲେ ମନରେ ପ୍ରଶ୍ନ ଉଠେ, ଓଡ଼ିଆ ଭାଷାରେ ବିଜ୍ଞାନ, ପ୍ରବନ୍ଧ, ଉପନ୍ୟାସ ଓ କଳ୍ପବିଜ୍ଞାନ ଲେଖୁଥିବା ଲେଖକମାନେ ସାହିତ୍ୟିକ ପଦବାଚ୍ୟ କି? ଉତ୍ତର ଆଂଶିକ ‘ହଁ’ ବା ‘ନା’ ହୋଇପାରେ। କଳ୍ପବିଜ୍ଞାନ ଓ ବିଜ୍ଞାନ ଉପନ୍ୟାସ ଲେଖୁଥିବା ଲେଖକ / ଲେଖିକାମାନଙ୍କୁ ସାହିତ୍ୟିକ / ସାହିତ୍ୟିକା ଭାବରେ ହୁଏତ ଗଣା ଯାଇପାରେ। କିନ୍ତୁ ଯେଉଁମାନେ ସରଳ ବୋଧଗମ୍ୟ ଭାଷାରେ ବିଜ୍ଞାନର ଜଟିଳ ତଥ୍ୟ ଯଥା ପଦାର୍ଥ ବିଜ୍ଞାନ, ମହାକାଶ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ପରିବେଶ ବିଜ୍ଞାନ ଆଦି କ୍ଷେତ୍ରରେ ପ୍ରବନ୍ଧ ରଚନା କରୁଛନ୍ତି, ସେମାନଙ୍କ କ୍ଷେତ୍ରରେ ଉପରୋକ୍ତ ପ୍ରଶ୍ନର ଉତ୍ତର ବୋଧହୁଏ ସମ୍ପୂର୍ଣ୍ଣ ‘ନା’ ହୋଇପାରେ। କାରଣ ଓଡ଼ିଆ ଭାଷା ଏବେ ସାହିତ୍ୟର ଅର୍ଗଳି ଭିତରେ ବନ୍ଦୀ। ଗଳ୍ପ, କବିତା, ନାଟକ, ଉପନ୍ୟାସ, ପ୍ରବନ୍ଧ ଓ ସମାଲୋଚନାର ଚଉହଦୀ ଭିତରେ ସୀମାବଦ୍ଧ। ଏହି ବନ୍ଧନରୁ ମୁକ୍ତ ନ ହେଲା ଯାଏଁ, ବିଜ୍ଞାନର ଭାଷା ସାହିତ୍ୟ ବା ସାହିତ୍ୟିକର ଭାଷା ହୋଇପାରିବ ନାହିଁ।
୨୦୧୪ ମସିହାରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ହାସଲ କରିଥିଲା। ଏହି ସମ୍ମାନ ହାସଲ କରିବାରେ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ ଭାଷା ପରେ ଓଡ଼ିଆ ଭାଷା ଷଷ୍ଠ ସ୍ଥାନରେ ରହିଛି। କିନ୍ତୁ ସେତିକି ଯଥେଷ୍ଟ ନୁହେଁ। ଓଡ଼ିଆ ଭାଷାରେ ବିଜ୍ଞାନ ଚର୍ଚ୍ଚା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ହୋଇପାରି ନାହିଁ। ଭାଷାର ବିକାଶ ପାଇଁ ଜ୍ଞାନବିଜ୍ଞାନର ସମସ୍ତ ବିଭାଗରେ ଶିକ୍ଷାଦାନ ସହିତ ପାଠ୍ୟପୁସ୍ତକ ପ୍ରଣୟନର ମଧ୍ୟ ଆବଶ୍ୟକତା ରହିଛି। ୨୦୨୦ରେ ଦେଶରେ ପ୍ରଣୀତ ନୂତନ ଜାତୀୟ ଶିକ୍ଷାନୀତି ମାତୃଭାଷାରେ ବୈଷୟିକ ଶିକ୍ଷା ପ୍ରଦାନକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ସ୍ୱ ସ୍ୱ ମାତୃଭାଷାରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଓଡ଼ିଆ ଭାଷାରେ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା କିନ୍ତୁ ଓଡ଼ିଆ ଭାଷାରେ ଉଚ୍ଚତର ଡାକ୍ତରୀ ଓ ବୈଷୟିକ ଶିକ୍ଷାଦାନ ପାଇଁ ପାଠ୍ୟପୁସ୍ତକ ଏ ପର୍ଯ୍ୟନ୍ତ ପ୍ରସ୍ତୁତ କରିନାହିଁ।
ବିଜ୍ଞାନକୁ ଜନାଭିମୁଖୀ କରିବାକୁ ହେଲେ ପ୍ରଥମେ ବୈଜ୍ଞାନିକ ଭାଷା ଓ ଶୈକ୍ଷଣିକ ଭାଷା ମଧ୍ୟରେ ପାର୍ଥକ୍ୟ ବୁଝିବା ଆବଶ୍ୟକ। ତାହା ହେଲେ ଦୁହିଁଙ୍କ ମଝିରେ ଏକ ସୁସମନ୍ୱୟ ଆସିପାରିବ। ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଓଡ଼ିଆ ଭାଷାରେ ବିଜ୍ଞାନର ଅଲୌକିକତାକୁ ପ୍ରକାଶ କରାଯାଇପାରେ। ବିଜ୍ଞାନର ଉଦ୍ଭାବନ ଓ ଆବିଷ୍କାର ଜନିତ ନିଷ୍କର୍ଷକୁ ସହଜ, ସରଳ ଭାଷାରେ ଉପସ୍ଥାପିତ କରାଯାଇପାରେ। ଏକଥା କରିପାରିବେ ଓଡ଼ିଶାର ବୈଜ୍ଞାନିକ ଓ ଓଡ଼ିଆ ଲେଖକମାନେ। ପିଲାଙ୍କ ପାଇଁ ସରଳ ଭାଷାରେ ଲେଖାଯାଉଥିବା ବିଜ୍ଞାନଭିତ୍ତିକ ରଚନା ଆଉ ଟିକିଏ ଆଗକୁ ବଢ଼଼ିଲେ, ଭାଷାର ଅନ୍ୟ ଏକ ସ୍ତର ନିଶ୍ଚୟ ଆବିଷ୍କୃତ ହେବ। ଏ ଲେଖକ ‘ଓଡ଼ିଶା ବିଜ୍ଞାନ ଏକାଡେମୀ’ ଦ୍ୱାରା ପ୍ରକାଶିତ ମାସିକ ବିଜ୍ଞାନ ପତ୍ରିକା ‘ବିଜ୍ଞାନ ଦିଗନ୍ତ’ର ମୁଖ୍ୟ ସମ୍ପାଦକ ଥିବା ବେଳେ ବିଭିନ୍ନ ବିଜ୍ଞାନ ଲେଖକଙ୍କର ରଚନା ପଢ଼଼ିବାର ସୁଯୋଗ ପାଉଥିଲା। ସେବେ ମନରେ ପ୍ରଶ୍ନ ଉଠେ, ବିଜ୍ଞାନର ଭାଷା କ’ଣ ଓଡ଼ିଆ ଭାଷା ନୁହେଁ? ବିଜ୍ଞାନର ଭାଷା କ’ଣ ସାର୍ବଜନୀନ ଓ ଲୋକାଭିମୁଖୀ ହୋଇପାରିବ ନାହିଁ? ବିଜ୍ଞାନର ଭାଷା କ’ଣ ସାହିତ୍ୟ ବା ବିଜ୍ଞାନ ଲେଖକ କ’ଣ ସାହିତ୍ୟିକର ମର୍ଯ୍ୟାଦା ପାଇବ ନାହିଁ? ଏସବୁ ସମ୍ଭବ ହୋଇପାରିବ, ଯେବେ ଉପଯୁକ୍ତ ବିଜ୍ଞାନ ପାରିଭାଷିକ ଶବ୍ଦାବଳୀ ପ୍ରସ୍ତୁତ ହେବ, ଯାହା ସହଜ, ସାବଲୀଳ ଓ ସୁବୋଧ୍ୟ ହେବା ଜରୁରୀ। ଉଦାହରଣ ସ୍ୱରୂପ ପ୍ରଥମେ କମ୍ପ୍ୟୁଟରର ପାରିଭାଷିକ ଶବ୍ଦ ଥିଲା ‘ସମ୍ପୁଟକ ଯନ୍ତ୍ର’ ଓ ଟେଲିଫୋନର ‘କାନଫୁସ୍ଫୁସ୍’। ଅବଶ୍ୟ ପରେ ଉଭୟ ଇଂରାଜୀ ଶବ୍ଦକୁ ଓଡ଼ିଆ ଭାଷାରେ ଗ୍ରହଣ କରି ନିଆଗଲା। ଏଥିରେ ଭାଷା ବି ସମୃଦ୍ଧ ହେଲା, ବୋଧଗମ୍ୟ ମଧ୍ୟ ବଢ଼଼ିଲା।
ସ୍ୱର୍ଗତ ଗୋକୁଳାନନ୍ଦ ମହାପାତ୍ର କେବଳ ବିଜ୍ଞାନ ବିଷୟବସ୍ତୁକୁ ଆଧାର କରି ଓଡ଼ିଆରେ ଦୁଇଖଣ୍ଡ ବୈଜ୍ଞାନିକ ଶବ୍ଦକୋଷ ରଚନା କରିଥିଲେ। ଏହା ୨୦୦୫ ମସିହାରେ ପ୍ରକାଶିତ ହୋଇଥିଲା। ପରବର୍ତ୍ତୀ ସମୟରେ ବିଜ୍ଞାନ ଲେଖକ ଡ. ପ୍ରମୋଦ କୁମାର ମହାପାତ୍ରଙ୍କ ରଚିତ ‘ବିଜ୍ଞାନକୋଷ’ ଚାରିଖଣ୍ଡରେ ପ୍ରକାଶ ପାଇଛି। ସ୍ୱର୍ଗତ ବିନୋଦ କାନୁନ୍ଗୋ ମଧ୍ୟ ଓଡ଼ିଆର ପ୍ରତିଟି ଲିପିକୁ ନେଇ ପ୍ରସ୍ତୁତ ଏନ୍ସାଇକ୍ଲୋପିଡିଆ ଜ୍ଞାନମଣ୍ଡଳରେ ବିଜ୍ଞାନର ବିଭିନ୍ନ ଜଟିଳ ତଥ୍ୟକୁ ଅତି ସହଜ, ସାବଲୀଳ ଓଡ଼ିଆ ଭାଷାର ପ୍ରକାଶ କରିଛନ୍ତି। ଓଡ଼ିଶା ଭାଷା ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ବିଜ୍ଞାନର ବିଭିନ୍ନ ବିଭାଗରେ ପାରିଭାଷିକ ଶବ୍ଦାବଳୀ ପ୍ରସ୍ତୁତ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଭାଷା ପ୍ରସ୍ତୁତି ଦିଗରେ ବିଭିନ୍ନ ସମୟରେ କିଛିଟା ଠୋସ୍ ପଦକ୍ଷେପ ମଧ୍ୟ ନିଆଯାଇଛି। କିନ୍ତୁ ଯାହା ଲକ୍ଷ୍ୟ କରାଯାଏ, ବିଭିନ୍ନ ସୂତ୍ରରୁ ପ୍ରକାଶିତ ଶବ୍ଦକୋଷ ବା ଜ୍ଞାନକୋଷର ପାରିଭାଷିକ ଶବ୍ଦାବଳୀରେ କେତେକ କ୍ଷେତ୍ରରେ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଭିନ୍ନ ଭିନ୍ନ ଶବ୍ଦକୋଷରେ ଗୋଟିଏ ଇଂରାଜୀ ଶବ୍ଦର ବିଭିନ୍ନ ପାରିଭାଷିକ ପ୍ରତିଶବ୍ଦ ଦେଖିବାକୁ ମିଳେ। ଫଳରେ ଉଭୟ ବିଜ୍ଞାନ ଲେଖକ ଓ ପାଠକମାନେ ଶବ୍ଦଟିର ବ୍ୟବହାରକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥା’ନ୍ତି। ପାଠକବର୍ଗ ନିକଟରେ ବୈଜ୍ଞାନିକ ପରିଭାଷାକୁ ବୋଧଗମ୍ୟ, ସହଜ ଉଚ୍ଚାରଣ ଓ ସାବଲୀଳ କରିବାକୁ ହେଲେ ଇଂରାଜୀ ଶବ୍ଦର ଏକକ ପାରିଭାଷିକ ଶବ୍ଦ ପ୍ରୟୋଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ।
ଓଡ଼ିଆ ଭାଷା ସାହିତ୍ୟର ବିକାଶ ଓ ପୃଷ୍ଠପୋଷକତା ନିମନ୍ତେ ୧୯୫୭ରେ ରାଜ୍ୟରେ ‘ଓଡ଼ିଆ ସାହିତ୍ୟ ଏକାଡେମୀ’ ପ୍ରତିଷ୍ଠା ହୋଇଥିଲା। ସେହି ବର୍ଷଠାରୁ ସାହିତ୍ୟର ବିଭିନ୍ନ ବିଭାଗରେ ଉତ୍କୃଷ୍ଟ ସର୍ଜନାତ୍ମକ ରଚନା ପାଇଁ ଲେଖକ / ଲେଖିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ସାହିତ୍ୟରେ କତିପୟ ଲେଖକଙ୍କୁ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି। ସ୍ୱର୍ଗତ ବିନୋଦ ରାଉତରାୟ ତାଙ୍କ ରଚିତ ପୁସ୍ତକ ‘ଓଡ଼ିଶା ଚିତ୍ର’ ପାଇଁ ପ୍ରଥମେ ପୁରସ୍କୃତ ହୋଇଥିଲେ। ୧୯୫୯, ୧୯୬୦ ଏବଂ ୧୯୬୧ ବର୍ଷରେ ରଚିତ ବିଜ୍ଞାନ ସାହିତ୍ୟ ନିମନ୍ତେ ଡ. ଗୋକୁଳାନନ୍ଦ ମହାପାତ୍ରଙ୍କର ପୁସ୍ତକ ‘ଏ ଯୁଗର ଶ୍ରେଷ୍ଠ ଆବିଷ୍କାର’ ପୁରସ୍କାର ଲାଭ କରିଥିଲା। ତାଙ୍କର କାଳଜୟୀ ଉପନ୍ୟାସ ‘ପୃଥିବୀ ବାହାରେ ମଣିଷ’ ବା ‘ଚନ୍ଦ୍ରର ମୃତ୍ୟୁ’ ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳି ନଥିଲା। ସେହି ବର୍ଷ ବିଶ୍ୱନାଥ ସାହୁଙ୍କ ରଚିତ ପୁସ୍ତକ ‘ପୁଷ୍ପ ଚାଷ’ ଏହି ବିଭାଗରେ ମଧ୍ୟ ପୁରସ୍କୃତ ହୋଇଥିଲା। ଏହାର ଦଶବର୍ଷରୁ ଊର୍ଦ୍ଧ୍ବ ସମୟ ପରେ ୧୯୭୮, ୧୯୭୯ ଏବଂ ୧୯୮୦ ମସିହାରେ ରଚିତ ପୁସ୍ତକ ପାଇଁ ଡ. ଦେବକାନ୍ତ ମିଶ୍ରଙ୍କର ‘ଶତାବ୍ଦୀର ଆହ୍ୱାନ’ ବିଜ୍ଞାନ ସାହିତ୍ୟ ବିଭାଗରେ ପୁରସ୍କାର ଲାଭ କରିଥିଲା। ସେବେଠାରୁ ଏ ଭିତରେ ପ୍ରାୟ ଚାରିଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି। କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀ ବିଜ୍ଞାନ ସାହିତ୍ୟ ବର୍ଗରେ କୌଣସି ପୁରସ୍କାର ପ୍ରଦାନ କରିନାହିଁ। ଏହାର ଦୁଇଟି କାରଣ ହୁଏତ ହୋଇପାରେ। ପ୍ରଥମତଃ, ପୁରସ୍କାର ଯୋଗ୍ୟ ହେବା ନିମନ୍ତେ ଉପଯୁକ୍ତ ବିଜ୍ଞାନ ସାହିତ୍ୟ ପ୍ରକାଶିତ ହେଉନାହିଁ। ଦ୍ୱିତୀୟତଃ, ସାହିତ୍ୟିକ ବଡ଼ ପଣ୍ଡାମାନେ ବିଜ୍ଞାନ ସାହିତ୍ୟ ଲେଖକ / ଲେଖିକାମାନଙ୍କୁ ସାହିତ୍ୟିକ ଭାବେ ଗଣୁ ନାହାନ୍ତି। ସୁଖର କଥା, ରାଜ୍ୟ ସରକାର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ବିଜ୍ଞାନ ସାହିତ୍ୟ ବର୍ଗରେ ପୁନର୍ବାର ପୁରସ୍କାର ପ୍ରଦାନ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଉଛନ୍ତି।
ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା କ୍ଷେତ୍ରରେ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟ ତରଫରୁ ପ୍ରତିବର୍ଷ ଦେଶର ବିଜ୍ଞାନ ଭାଷାରେ ଶ୍ରେଷ୍ଠ ଲେଖକ ଓ ଅନୁବାଦକମାନଙ୍କୁ ପୁରସ୍କୃତ କରାଯାଇଥାଏ। ଏଥିରେ ମିଳୁଥିବା ପ୍ରୋତ୍ସାହନ ରାଶି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଅର୍ଥଠାରୁ ମଧ୍ୟ କମ୍ ନୁହେଁ। ସେହିପରି ରାଜ୍ୟ ସରକାର ମଧ୍ୟ ଜନପ୍ରିୟ ବିଜ୍ଞାନ ରଚନା ପାଇଁ ପ୍ରତିବର୍ଷ ଲେଖକ ଲେଖିକାମାନଙ୍କୁ ‘ପ୍ରାଣକୃଷ୍ଣ ପରିଜା’ ପୁରସ୍କାର ପ୍ରଦାନ କରୁଛନ୍ତି। ଯଦି ଓଡ଼ିଆ ଭାଷା ବିଶାରଦମାନେ, ମୂର୍ଦ୍ଧନ୍ୟ ସାହିତ୍ୟିକମାନେ, ଯେଉଁମାନେ ବିଜ୍ଞାନର ବିଭିନ୍ନ ବିଭାଗ ଯଥା ପରିବେଶ ବିଜ୍ଞାନ, ପଦାର୍ଥ ବିଜ୍ଞାନ, କୃଷି ବିଜ୍ଞାନ, ଭୂବିଜ୍ଞାନ, ମହାକାଶ ବିଜ୍ଞାନ, ସ୍ୱାସ୍ଥ୍ୟ ବିଜ୍ଞାନ ଓ କଳ୍ପବିଜ୍ଞାନ କ୍ଷେତ୍ରରେ ଜନପ୍ରିୟ ବିଜ୍ଞାନ ରଚନାରେ ବ୍ରତୀ ଅଛନ୍ତି ଏବଂ କେନ୍ଦ୍ର ତଥା ରାଜ୍ୟସ୍ତରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି, ସେମାନଙ୍କ ପ୍ରତି ସମ୍ବେଦନଶୀଳ ନ ହୁଅନ୍ତି ଏବଂ ସେମାନଙ୍କୁ ମଧ୍ୟ ସାହିତ୍ୟିକ ଗୋଷ୍ଠୀରେ ସାମିଲ ନ କରନ୍ତି, ତେବେ ବିଜ୍ଞାନ-ସାହିତ୍ୟ ସମୃଦ୍ଧ ହେବ କିପରି? ଯେକୌଣସି ଭାଷାକୁ ସାର୍ବଜନୀନ ସ୍ତରରେ ସମୃଦ୍ଧ କରିବାକୁ ହେଲେ ତା’କୁ ନିରୁତା ସାହିତ୍ୟରୁ ମୁକ୍ତ କରି ବିଜ୍ଞାନର ଭାଷାକୁ ଆଦରି ନେବା ଆବଶ୍ୟକ। ବିଜ୍ଞାନ ସାହିତ୍ୟ ଲେଖକ ଓ ଲେଖିକାମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସ୍ୱୀକୃତି ଦେବା ବାଞ୍ଛନୀୟ।
ଡ. ବିଜୟ କେତନ ପଟ୍ଟନାୟକ
ଭୁବନେଶ୍ୱର, ମୋ: ୯୪୩୭୦୦୦୯୦୪