ବ୍ରହ୍ମାଣ୍ଡର ଚକାଆଖି ‘କୃଷ୍ଣଗର୍ତ୍ତ’!

The Sakala Picture
Published On

ଭାବପ୍ରବଣତା ପ୍ରକଟ କରିବାର ସବୁଠାରୁ ସଂବେଦନଶୀଳ ଅଙ୍ଗ ହେଲା ଚକ୍ଷୁ। ତାହା ‘ଖେଳା ଲୋଳା ଖଞ୍ଜନାକ୍ଷୀ’ର ହେଉ କିମ୍ବା ହେଉ ଶିବଙ୍କ ତୃତୀୟ ନେତ୍ର। ତହିଁରେ ପ୍ରଚ୍ଛନ୍ନ ଭାବେ ପ୍ରକଟିତ ହୁଏ ଆମ ପ୍ରେମ ଏବଂ ଘୃଣାଠାରୁ ଆରମ୍ଭ କରି ଦୁଃଖ, ଆନନ୍ଦ, ଈର୍ଷା, ଭୟ ପର୍ଯ୍ୟନ୍ତ ସମସ୍ତ ମନର ଭାଷା। ସେଥିପାଇଁ ଚକ୍ଷୁକୁ କହନ୍ତି ଆତ୍ମାର ବାତାୟନ। ଏହାରି ମଧ୍ୟ ଦେଇ ଆମେ ଦେଖିପାରୁ ଅନ୍ୟର ହୃଦୟକୁ ଏବଂ ସେଥିସହିତ ଆମର ଚକ୍ଷୁକୁ ମିଶାଇ ଗଢ଼ିପାରୁ […]

ଭାବପ୍ରବଣତା ପ୍ରକଟ କରିବାର ସବୁଠାରୁ ସଂବେଦନଶୀଳ ଅଙ୍ଗ ହେଲା ଚକ୍ଷୁ। ତାହା ‘ଖେଳା ଲୋଳା ଖଞ୍ଜନାକ୍ଷୀ’ର ହେଉ କିମ୍ବା ହେଉ ଶିବଙ୍କ ତୃତୀୟ ନେତ୍ର। ତହିଁରେ ପ୍ରଚ୍ଛନ୍ନ ଭାବେ ପ୍ରକଟିତ ହୁଏ ଆମ ପ୍ରେମ ଏବଂ ଘୃଣାଠାରୁ ଆରମ୍ଭ କରି ଦୁଃଖ, ଆନନ୍ଦ, ଈର୍ଷା, ଭୟ ପର୍ଯ୍ୟନ୍ତ ସମସ୍ତ ମନର ଭାଷା। ସେଥିପାଇଁ ଚକ୍ଷୁକୁ କହନ୍ତି ଆତ୍ମାର ବାତାୟନ। ଏହାରି ମଧ୍ୟ ଦେଇ ଆମେ ଦେଖିପାରୁ ଅନ୍ୟର ହୃଦୟକୁ ଏବଂ ସେଥିସହିତ ଆମର ଚକ୍ଷୁକୁ ମିଶାଇ ଗଢ଼ିପାରୁ ସମ୍ପର୍କ। ବୈଜ୍ଞାନିକମାନଙ୍କ ମତରେ କିଛି ସମୟ ଧରି କାହାରି ଚକ୍ଷୁ ସହିତ ଆମ ଚକ୍ଷୁର ମିଳନ ଘଟିଲେ ‘ଫିନାଇଲ୍‌‌ ଏଥିଲାମିନ୍‌‌’ ନାମକ ରସାୟନର କ୍ଷରଣ ଘଟେ। ତାହା ସୃଷ୍ଟି କରେ ଆକର୍ଷଣ ଅନୁଭୂତି। ପୁନଶ୍ଚ ମନେ କରାଯାଏ ଯେ ଏ ସମୟରେ ତଥାକଥିତ ପ୍ରେମ ହରମୋନ୍‌‌ ‘ଅକ୍ସିଟୋସିନ୍‌‌’ ମଧ୍ୟ ଅଧିକ ମାତ୍ରାରେ କ୍ଷରିତ ହୁଏ। ଯାହାକି ଆମର ଦୀର୍ଘକାଳୀନ ସମ୍ପର୍କ ଏବଂ ସମର୍ପଣ ଭାବ ସହିତ ସମ୍ପୃକ୍ତ।

ଚକ୍ଷୁ ସହିତ ଚକ୍ଷୁର ମିଳନର ପ୍ରଭାବ ଆମେ ଅନୁଭବ କରିଥାଉ ଶୈଶବ କାଳରୁ। କୁହାଯାଏ ଯେ ଏହା ସର୍ବାଧିକ ହୋଇଥାଏ ଯେତେବେଳେ ତାହା ଘଟେ ଶିଶୁ ସହିତ ତା’ ଜନନୀର। ସେ ସମୟରେ ‘ଅକ୍ସିଟୋସିନ୍‌‌’ର କ୍ଷରଣ ଶୀର୍ଷଦେଶରେ ପହଞ୍ଚିଥାଏ। ତତ୍ପରେ ଜୀବନର ଭିନ୍ନ ଭିନ୍ନ ସ୍ତରରେ ସ୍ଥାନ-କାଳ-ପାତ୍ର ଅନୁସାରେ ଏ ଅନୁଭୂତି ବିଭିନ୍ନ ହୋଇଥାଏ। ଯୌବନରେ ପ୍ରେମିକ-ପ୍ରେମିକା ଅଥବା ପତି-ପତ୍ନୀ ମଧ୍ୟରେ, ତତ୍ପରେ ସନ୍ତାନ-ସନ୍ତତି ଏବଂ ପୌତ୍ର-ପୌତ୍ରୀଙ୍କ ସହିତ ଚକ୍ଷୁର ମିଳନ ସୃଷ୍ଟି କରିଥାଏ ମନଛୁଆଁ ଅନୁଭୂତି। ତେବେ ଏ ସବୁର ଊର୍ଦ୍ଧ୍ବରେ ଆଉ କେତେକ ଅନୁଭୂତି ଅତି ବିଚିତ୍ର ହୋଇଥାଏ। ସେହିଭଳି ଗୋଟିକର ମୁଁ ଏଠାରେ ଅବତାରଣା କରୁଛି- ଅବଶ୍ୟ ଏହା ମୋ’ର ସମ୍ପୂର୍ଣ୍ଣ ନିଜସ୍ୱ। ସେହି ଚକ୍ଷୁ ଦୁଇଟିକୁ ଦେଖିଲେ ତାହା ମୋତେ ଲାଗେ କୃଷ୍ଣଗର୍ତ୍ତର ଯୋଡ଼ିଟିଏ ଭଳି। ମନେ ହୁଏ ସତେ ଯେପରି ତା’ର ଅପରିସୀମ ଆକର୍ଷଣ ମୋତେ ତହିଁରେ ବିଲୀନ କରିଦେବ।

କୃଷ୍ଣଗର୍ତ୍ତ ହେଲା ଏକ ବିସ୍ମୟକର ମହାକାଶ ପିଣ୍ଡ। ଏହାର ଆକର୍ଷଣ ଶକ୍ତି ଅତି ପ୍ରବଳ, ଯାହାକୁ ଅପରିସୀମ ବୋଲି ମନେ କରାଯାଏ। ସେଥିପାଇଁ ତହିଁରୁ କୌଣସି ବସ୍ତୁ, ଏପରିକି ଆଲୋକ ମଧ୍ୟ ନିର୍ଗତ ହୋଇଯାଇ ପାରେନାହିଁ। ଏକ ଅତିଉଚ୍ଚ ବସ୍ତୁତ୍ୱ ସମ୍ପନ୍ନ ତାରକାର ଏହା ହେଉଛି ଅନ୍ତିମ ପରିଣତି। ଯେତେବେଳେ ସେପରି ତାରକାରୁ ତା’ର ଗର୍ତ୍ତଦେଶରେ ଥିବା ସମସ୍ତ ତାପ-ନାଭିକୀୟ ଇନ୍ଧନର ପରିସମାପ୍ତି ହୋଇଯାଏ, ସେତେବେଳେ ଅର୍ଥାତ୍‌‌ ତା’ର ଅନ୍ତିମ ଜୀବନ କାଳକୁ ତାହା ଅସ୍ଥିର ହୋଇପଡ଼େ ଏବଂ ମାଧ୍ୟାକର୍ଷଣ ହେତୁ ନିଜ ମଧ୍ୟକୁ ପତିତ ହେବାକୁ ଲାଗେ। ଏ ସମୟରେ ତାରକାର ବାହ୍ୟାଂଶ ସ୍ତରଗୁଡ଼ିକ ବିସ୍ଫୋରିତ ହୋଇ ଅଲଗା ହୋଇଯାଏ। ଅନ୍ୟପକ୍ଷରେ ସବୁ ଦିଗରୁ ଗର୍ତ୍ତଦେଶ ଆଡ଼କୁ ପତିତ ହେଉଥିବା ଅବଶିଷ୍ଟ ପଦାର୍ଥର ଅତ୍ୟଧିକ ଭାର ମୃତ୍ୟୁମୁଖୀ ତାରକାକୁ ‘ଶୂନ୍ୟ ପରିମିତି’ ଏବଂ ‘ଅପରିସୀମ’ ସାନ୍ଦ୍ରତାକୁ ସଂକୁଚିତ କରେ। ଅତଏବ ତାହା ଏପରି ଏକ ବସ୍ତୁତରେ ପରିଣତ ହୁଏ, ଯାହାକୁ କୁହାଯାଏ ‘ସିଙ୍ଗୁଲାରିଟି’।

ଏହି ବିସ୍ମୟକର ମହାକାଶ ପିଣ୍ଡର ସଂରଚନାକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲବର୍ଟ ଆଇନ୍‌‌ଷ୍ଟାଇନ୍‌‌ଙ୍କ ସାଧାରଣ ଆପେକ୍ଷିକ ନିୟମରୁ ଗଣନା କରାଯାଏ। ‘ସିଙ୍ଗୁଲାରିଟି’ ହେଲା ଏହାର କେନ୍ଦ୍ର ଏବଂ ଏହା ‘ଇଭେଣ୍ଟ ହୋରାଇଜନ୍‌‌’ ବୋଲି କୁହାଯାଉଥିବା ଏହାର ‘ପୃଷ୍ଠଦେଶ’ ବା ବାହ୍ୟ ଆବରଣ ଦ୍ୱାରା ଘୋଡ଼ାଇ ହୋଇଥାଏ। ଏଥିମଧ୍ୟରେ ‘ପଳାୟନ ପରିବେଗ’ ଆଲୋକର ବେଗଠାରୁ ଅଧିକ। ସେଥିପାଇଁ ତା’ ମଧ୍ୟ ଦେଇ ଆଲୋକ ରଶ୍ମି ବି ମହାକାଶକୁ ନିର୍ଗତ ହୋଇପାରେ ନାହିଁ। ‘ପଳାୟନ ପରିବେଗ’ ହେଉଛି ଏକ ବସ୍ତୁର ପରିବେଗ, ଯାହାକି ପୃଥିବୀ ସମେତ ଯେକୌଣସି ମହାକାଶ ପିଣ୍ଡର ମାଧ୍ୟାକର୍ଷଣୀୟ କ୍ଷେତ୍ର ଅତିକ୍ରମ କରିବା ପାଇଁ ଆବଶ୍ୟକ। ମହାକାଶ ଯାନଟିଏ ପ୍ରେରଣ କଲାବେଳେ ପ୍ରଥମେ ଏହାକୁ ପୃଥିବୀର କକ୍ଷରେ ଅବସ୍ଥାପିତ କରାଯାଏ। ସେଠାରୁ ତାହାକୁ ଶକ୍ତିଶାଳୀ ରକେଟ୍‌‌ ମାଧ୍ୟମରେ ପୃଥିବୀର ମାଧ୍ୟାକର୍ଷଣ ଅତିକ୍ରମ କରିବା ଲାଗି ଯଥେଷ୍ଟ ପରିବେଗ ପ୍ରଦାନ କରାଗଲେ ତାହା ମହାକାଶକୁ ଚାଲିଯାଏ। ପୃଥିବୀ ପୃଷ୍ଠରୁ ମହାକାଶକୁ ନିଷ୍କାସିତ ହେବା ଲାଗି ଆବଶ୍ୟକ କରିଥାଏ ଘଣ୍ଟା ପ୍ରତି ୪୦, ୨୭୦ କିଲୋମିଟର ପରିବେଗ। ‘ଇଭେଣ୍ଟ ହୋରାଇଜନ୍‌‌’ର ବ୍ୟାସାର୍ଦ୍ଧକୁ ଜର୍ମାନ ଖଗୋଳ ବିଜ୍ଞାନୀ କାର୍ଲ ସ୍କୱାରଜସ ଚାଇଲ୍‌‌ଡଙ୍କ ନାମାନୁସାରେ ‘ସ୍କୱାରଜସ ଚାଇଲ୍‌‌ଡ’ ବ୍ୟାସାର୍ଦ୍ଧ ରୂପେ ନାମିତ କରାଯାଇଛି। ସେ ୧୯୧୬ ମସିହାରେ କେତେକ ପୂର୍ଣ୍ଣପତିତ ତାରକୀୟ ପିଣ୍ଡ ବିକିରଣ ନିର୍ଗତ କରୁ ନଥିବାର ପୂର୍ବାନୁମାନ କରିଥିଲେ। କୃଷ୍ଣଗର୍ତ୍ତ ସେହିଭଳି ଗୋଟିଏ। ତାଙ୍କ ଗଣନାନୁସାରେ ଏହାର ବ୍ୟାସାର୍ଦ୍ଧ ପତନମୁଖୀ ତାରକାର ବସ୍ତୁତ୍ୱ ସହିତ ସମାନୁପାତିକ। ଅତଏବ ଆମ ସୂର୍ଯ୍ୟର ୧୦ଗୁଣ ବସ୍ତୁତ୍ୱ ସମ୍ପନ୍ନ ତାରକାର କୃଷ୍ଣଗର୍ତ୍ତର ଏହା ହେବ ପ୍ରାୟ ୩୦ କିଲୋମିଟର।

କେବଳ ଯେଉଁ ତାରକାମାନଙ୍କ ବସ୍ତୁତ୍ୱ ସୂର୍ଯ୍ୟ ତୁଳନାରେ ବହୁଗୁଣ ଅଧିକ ହୋଇଥାଏ, ସେହିଗୁଡ଼ିକ ହିଁ ତାଙ୍କ ଜୀବନର ଅନ୍ତିମ ପରିଣତି ସ୍ୱରୂପ କୃଷ୍ଣଗର୍ତ୍ତରେ ପରିଣତ ହୁଅନ୍ତି। ତାହା ଅପେକ୍ଷାକୃତ କମ୍‌‌ ହୋଇଥିବା ତାରକାମାନେ କମ୍‌‌ ସଂକୁଚିତ ପିଣ୍ଡର ରୂପଧାରଣ କରନ୍ତି। ଯେପରିକି ଧବଳ ବାମନ(ହ୍ୱାଇଟ୍‌‌ ଡ୍ୱାର୍ଫ) ଓ ଏବଂ ନ୍ୟୁଟ୍ରନ୍‌‌ ତାରକା। ସାଧାରଣତଃ କୃଷ୍ଣଗର୍ତ୍ତଗୁଡ଼ିକୁ ପ୍ରତ୍ୟକ୍ଷ ରୂପେ ଦେଖିହୁଏ ନାହିଁ। କାରଣ ସେଗୁଡ଼ିକ ଆକାରରେ ଖୁବ୍‌‌ ସାନ ଏବଂ ସେମାନେ ଆଲୋକ ବିକିରଣ କରନ୍ତି ନାହିଁ। ତେବେ ନିକଟସ୍ଥ ଅନ୍ୟାନ୍ୟ ବସ୍ତୁ ବା ପିଣ୍ଡ ଉପରେ ତାଙ୍କର ଅତ୍ୟଧିକ ଆକର୍ଷଣ ପ୍ରଭାବରୁ ତାହାର ସ୍ଥିତି ଅନୁମାନ କରାଯାଏ। ଉଦାହରଣ ସ୍ୱରୂପ ଯଦି ଗୋଟିଏ କୃଷ୍ଣଗର୍ତ୍ତ ଏକ ଦ୍ୱୈତ-ତାରକା(ବାଇନାର ଷ୍ଟାର) ବ୍ୟବସ୍ଥାର ସଦସ୍ୟ ହୋଇଥାଏ, ଏହାର ସହଚରଠାରୁ ଏଥିମଧ୍ୟକୁ ପ୍ରବାହିତ ବସ୍ତୁ ଅତ୍ୟନ୍ତ ଉତ୍ତପ୍ତ ହୋଇଯାଏ ଏବଂ ତତ୍ପରେ ତା’ର ‘ଇଭେଣ୍ଟ ହୋରାଇଜ୍‌‌ନ୍‌‌’ ମଧ୍ୟକୁ ପ୍ରବେଶ କଲାବେଳେ ପ୍ରଚୁର ରଞ୍ଜନ ରଶ୍ମି ବିକିରଣ କରି ଚିରକାଳ ପାଇଁ ହଜିଯାଏ। ଏହି ବିକିରଣରୁ କୃଷ୍ଣଗର୍ତ୍ତର ସ୍ଥିତି ଜଣାପଡ଼େ।

କେତେକ କୃଷ୍ଣଗର୍ତ୍ତ ପ୍ରାୟତଃ ତାରକାମାନଙ୍କ ଠାରୁ ସୃଷ୍ଟି ହୋଇନଥା’ନ୍ତି। ଖଗୋଳ ବିଜ୍ଞାନୀମାନେ ଅନୁମାନ କରନ୍ତି ଯେ ବିପୁଳ ପରିମାଣର ଆର୍ନ୍ତତାରକୀୟ ବାଷ୍ପ ଏକତ୍ର ହୋଇ କ୍ୱାସାର ଏବଂ ନକ୍ଷତ୍ର ମଣ୍ଡଳ ବା ଗାଲାକ୍‌‌ସିର କେନ୍ଦ୍ର ଦେଶରେ ପତିତ ହେବା ଫଳରେ ତହିଁରୁ ଅତ୍ୟଧିକ ବସ୍ତୁତ୍ୱ ସମ୍ପନ୍ନ କୃଷ୍ଣଗର୍ତ୍ତମାନ ସୃଷ୍ଟି ହୁଅନ୍ତି। ଦ୍ରୁତ ବେଗରେ ପତିତ ହୋଇ କୃଷ୍ଣଗର୍ତ୍ତ ଉତ୍ପନ୍ନ କଲାବେଳେ ତାହା ନାଭିକୀୟ ସମାୟନ କାଳରେ ସୃଷ୍ଟି ହେଉଥିବା ଶକ୍ତିଠାରୁ ପ୍ରାୟ ୧୦୦ ଗୁଣ ଅଧିକ ଶକ୍ତି ନିର୍ଗତ କରିଥାଏ। ସେହି ଅନୁସାରେ ସୌର ବସ୍ତୁତ୍ୱର ନିୟୁତ ନିୟୁତ ଗୁଣ ଅଧିକ ଆର୍ନ୍ତତାରକୀୟ ବାଷ୍ପର ମାଧ୍ୟାକର୍ଷଣ ବଳ ଦ୍ୱାରା ପତିତ ହୋଇ ବୃହତ୍‌‌ କୃଷ୍ଣଗର୍ତ୍ତଟିଏ ସୃଷ୍ଟି କରିବା କ୍ୱାସାର ତଥା ଅନ୍ୟ କେତେକ ନକ୍ଷତ୍ରମଣ୍ଡଳୀୟ ବ୍ୟବସ୍ଥାମାନଙ୍କର ଅତ୍ୟଧିକ ଶକ୍ତି ନିର୍ଗତ କରିବାର କାରଣ ଅଟେ।

ଏ ପ୍ରକାର ଏକ ଅଣତାରକୀୟ ଅତିମାତ୍ରାରେ ବସ୍ତୁତ୍ୱ ସମ୍ପନ୍ନ କୃଷ୍ଣଗର୍ତ୍ତ ହେଲା ସାଗିଟାରିଅସ୍‌‌-ଏ³, ଯାହାକି ଆମ ଛାୟାପଥର ମଧ୍ୟଭାଗରେ ଅବସ୍ଥିତ। ଏହାର ଚତୁଃପାର୍ଶ୍ବରେ ଘୂର୍ଣ୍ଣନଶୀଳ ତାରକାମାନଙ୍କୁ ପର୍ଯ୍ୟବେକ୍ଷଣ କରି ନିର୍ଣ୍ଣୟ କରାଯାଇଛି ଯେ ଏହି କୃଷ୍ଣଗର୍ତ୍ତଟି ସୂର୍ଯ୍ୟ ବସ୍ତୁତ୍ୱଠାରୁ ପ୍ରାୟ ୪୦୦୦୦, ୦୦୦ ଗୁଣ ଅଧିକ। ଏହି ଆବିଷ୍କାର ଲାଗି ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଆଣ୍ଡ୍ରେ ଘେଜ୍‌‌ ଏବଂ ଜର୍ମାନ ଜ୍ୟୋତିର୍ବିଜ୍ଞାନୀ ରେନ୍‌‌ହାର୍ଡ ଗାଞ୍ଜେଲ୍‌‌ଙ୍କୁ ୨୦୨୦ ମସିହାରେ ପଦାର୍ଥବିଜ୍ଞାନରେ ନୋବେଲ୍‌‌ ପୁରସ୍କାର ପ୍ରଦାନ କରାଯାଇଥିଲା।

ବର୍ତ୍ତମାନ ଅତ୍ୟଧିକ ବସ୍ତୁତ୍ୱ ସମ୍ପନ୍ନ କୃଷ୍ଣଗର୍ତ୍ତମାନ ଅନ୍ୟାନ୍ୟ ନକ୍ଷତ୍ରମଣ୍ଡଳରେ ମଧ୍ୟ ଚିହ୍ନଟ କରାଗଲାଣି। ୨୦୧୭ ମସିହାରେ ‘ଇଭେଣ୍ଟହୋରାଇଜନ୍‌‌’ ଦୂରବୀକ୍ଷଣ ଯନ୍ତ୍ରରୁ ଏମ୍‌‌୮୭ ନକ୍ଷତ୍ରମଣ୍ଡଳର କେନ୍ଦ୍ରରେ ଏଥିରୁ ଗୋଟିକର ସନ୍ଧାନ ମିଳିଥିଲା। ଏହାର ବସ୍ତୁତ୍ୱ ସୂର୍ଯ୍ୟ ତୁଳନାରେ ସାଢ଼େ ଛ’ ହଜାର ନିୟୁତ (ବିଲିୟନ) ଗୁଣ ବଡ଼ ହୋଇଥିବା ବେଳେ ବ୍ୟାସ ଥିଲା ୩୮ ହଜାର ନିୟୁତ କିଲୋମିଟର। ପ୍ରତ୍ୟକ୍ଷ ଭାବେ ଚିତ୍ର ଉତ୍ତୋଳନ ହେବାରେ ଏହା ଥିଲା ପ୍ରଥମ କୃଷ୍ଣଗର୍ତ୍ତ। ବର୍ତ୍ତମାନ ଏହାଠାରୁ ଅଧିକ ବସ୍ତୁତ୍ୱ ସମ୍ପନ୍ନ ଅର୍ଥାତ୍‌‌ ସୂର୍ଯ୍ୟର ପ୍ରାୟ ୧୦ ହଜାର ନିୟୁତ ଗୁଣ ବଡ଼ କୃଷ୍ଣଗର୍ତ୍ତର ମଧ୍ୟ ସନ୍ଧାନ ମିଳିସାରିଲାଣି।

ଅନ୍ୟ ଏକପ୍ରକାର ଅଣତାରକୀୟ କୃଷ୍ଣଗର୍ତ୍ତ ସମ୍ପର୍କରେ ସୂଚନା ଦେଇଥିଲେ ସୁପ୍ରସିଦ୍ଧ ବ୍ରିଟିଶ ଖଗୋଳ ବିଜ୍ଞାନୀ ଷ୍ଟିଫେନ୍‌‌ ହକିଂ। ତାଙ୍କ ମତବାଦ ଅନୁସାରେ ସୃଷ୍ଟି କାଳରୁ ବିଶ୍ୱ ବ୍ରହ୍ମାଣ୍ଡରେ ଅସଂଖ୍ୟ କ୍ଷୁଦ୍ରାକାର ପ୍ରାକ୍‌‌-ଐତିହାସିକ କୃଷ୍ଣଗର୍ତ୍ତମାନ ରହିଛି। ସେଗୁଡ଼ିକର ବସ୍ତୁତ୍ୱ ଏକ ଗ୍ରହାଣୁ ସହିତ ସମାନ କିମ୍ବା କମ୍‌‌। ଆଜକୁ ପ୍ରାୟ ୧୩.୮ ହଜାର ନିୟୁତ ବର୍ଷ ପୂର୍ବେ ବ୍ରହ୍ମ ବିସ୍ଫୋଟ ହେତୁ ସୃଷ୍ଟି ହେବା କାଳରେ ସେଗୁଡ଼ିକର ଉତ୍ପତ୍ତି ଘଟିଥିଲା। ଏହି କ୍ଷୁଦ୍ରାକାର କୃଷ୍ଣଗର୍ତ୍ତଗୁଡ଼ିକ ଅତି ବୃହଦାକାର କୃଷ୍ଣଗର୍ତ୍ତଙ୍କ ଭଳି ସମୟକ୍ରମେ ବିକିରଣ ମାଧ୍ୟମରେ ବସ୍ତୁତ୍ୱ ହରାଇ ଚାଲନ୍ତି ଏବଂ ଅଦୃଶ୍ୟ ହୋଇଯାନ୍ତି। ଏହାକୁ ‘ହକିଂ ବିକିରଣ’ ବୋଲି କୁହାଯାଏ।

ଅଧିକାଂଶ ସ୍ଥଳେ ବୃହତ୍‌‌ କୃଷ୍ଣଗର୍ତ୍ତଗୁଡ଼ିକ ଗୋଟି ଗୋଟି ହୋଇଥିବା ବେଳେ କେତେକ କ୍ଷେତ୍ରରେ ସେମାନେ ଯୋଡ଼ି ଯୋଡ଼ି ହୋଇଥିବାର ଜଣାଯାଏ। ମୋତେ ଏ ପ୍ରକାର ଯୋଡ଼ିଟିଏ ଭଳି ପ୍ରତୀୟମାନ ହେଉଥିବା ଚକ୍ଷୁ ଯୋଡ଼ିଟିଏ ହେଲା ଓଡ଼ିଆ ଜାତିର ପ୍ରାଣପ୍ରିୟ ଆରାଧ୍ୟ ଦେବତା ଜଗନ୍ନାଥଙ୍କର। ତା’ ମଧ୍ୟକୁ ଚାହିଁଲେ ମୁଁ ଦେଖିପାରେ ଏକ ଅସାଧାରଣ ଦୁନିଆ ଖାଲି ବିସ୍ମୟରେ ଗଢ଼ା। କୃଷ୍ଣଗର୍ତ୍ତ ଭଳି ତାହା ଦୁର୍ବୋଧ୍ୟ ଏବଂ ଯେଉଁଥିରେ ସାଧାରଣ ପଦାର୍ଥ ବିଜ୍ଞାନର ସମସ୍ତ ନିୟମ ହାର ମାନିଯାଏ। ସମୟ ଓ ପ୍ରସର ହଜିଯାଏ। ତା’ର ଚତୁଃପାର୍ଶ୍ବରେ ମୁଁ ଦେଖିପାରେ ଏକ ପ୍ରଭାମଣ୍ଡଳ ଯାହାକି ମୋ କଳ୍ପନାକୁ ଆଣେ ହକିଂଙ୍କ ବିକିରଣ। ମନେହୁଏ ସତେଯେପରି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତାହାରି ଆଡ଼େ ଆକର୍ଷିତ ହୋଇଚାଲିଛି। ତେଣୁ ମୁଁ ତା’ଠାରୁ ଯଥାସମ୍ଭବ ଦୂରେଇ ରହେ। କାରଣ ତା’ ନହେଲେ କୃଷ୍ଣଗର୍ତ୍ତର ‘ଇଭେଣ୍ଟ ହୋରାଇଜନ୍‌‌’ ନିକଟବର୍ତ୍ତୀ ହେଉଥିବା ବସ୍ତୁ ଭଳି ତନ୍ମଧ୍ୟକୁ ଆକର୍ଷିତ ହୋଇଯାଇ ବ୍ରହ୍ମସତ୍ତାରେ ବିଲୀନ ହୋଇଯିବା ଭଳି ଲାଗେ, ଯେପରି ହୋଇଯାଇଥିଲେ ଦାସିଆ ବାଉରୀ, ବନ୍ଧୁ ମହାନ୍ତି, ବଳରାମ ଦାସ, ସାଲବେଗ ଇତ୍ୟାଦିଙ୍କ ଭଳି ଅନେକ ଅନେକ। ତଥାପି ମୁଁ ତାକୁ ବାରମ୍ବାର ନ ଚାହିଁ ରହିପାରେନି- ସେତେବେଳେ ମୋ’ର ମନେ ହୁଏ ତା’ ସହିତ ମୋ ଚକ୍ଷୁର ମିଳନ ଘଟିଲେ ମୋ ଠାରେ ପ୍ରବଳ ‘ପ୍ରେମ ହର୍‌‌ମୋନ୍‌‌’ କ୍ଷରଣ ଘଟିବାର।

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଭୁବନେଶ୍ୱର, ମୋ: ୯୯୩୭୩୦୧୪୬୦

14 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର