ମନୋରଞ୍ଜନ
ଓଡ଼ିଶା
ହସ୍ତତନ୍ତ ବୁଣାକାରଙ୍କ ସ୍ଥିତି
୨୦୧୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ପୂର୍ବ ସରକାରଙ୍କ ସମୟରେ ପାଳନ ହେଉଥିବା ହସ୍ତତନ୍ତ ସପ୍ତାହକୁ ପରିବର୍ତ୍ତନ କରି ଅଗଷ୍ଟ ୭ ତାରିଖକୁ (ଜାତୀୟ ହସ୍ତତନ୍ତ ଦିବସ) ଭାବରେ ପାଳନ କରାଯାଉଛି। ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ହେଉଛି ୧୯୦୫ ମସିହା ଅଗଷ୍ଟ ୭ ତାରିଖ ଦିନ ତତ୍କାଳୀନ ପରାଧୀନ ଭାରତର ସ୍ୱାଧୀନତା ପାଇଁ ଆନ୍ଦୋଳନ କରୁଥିବା ନେତୃବୃନ୍ଦ ବିଦେଶୀ ବସ୍ତ୍ରକୁ ବର୍ଜନ ଓ ସ୍ୱଦେଶୀ ବସ୍ତ୍ର ପରିଧାନ କରିବାକୁ କଲିକତା ମହାନଗରୀରେ […]
୨୦୧୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ ପୂର୍ବ ସରକାରଙ୍କ ସମୟରେ ପାଳନ ହେଉଥିବା ହସ୍ତତନ୍ତ ସପ୍ତାହକୁ ପରିବର୍ତ୍ତନ କରି ଅଗଷ୍ଟ ୭ ତାରିଖକୁ (ଜାତୀୟ ହସ୍ତତନ୍ତ ଦିବସ) ଭାବରେ ପାଳନ କରାଯାଉଛି। ଏହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ହେଉଛି ୧୯୦୫ ମସିହା ଅଗଷ୍ଟ ୭ ତାରିଖ ଦିନ ତତ୍କାଳୀନ ପରାଧୀନ ଭାରତର ସ୍ୱାଧୀନତା ପାଇଁ ଆନ୍ଦୋଳନ କରୁଥିବା ନେତୃବୃନ୍ଦ ବିଦେଶୀ ବସ୍ତ୍ରକୁ ବର୍ଜନ ଓ ସ୍ୱଦେଶୀ ବସ୍ତ୍ର ପରିଧାନ କରିବାକୁ କଲିକତା ମହାନଗରୀରେ ଆହ୍ୱାନ ଦେଇଥିଲେ। ସେହି ଐତିହାସିକ ଦିନଟିକୁ ଜନମାନସରେ ସ୍ମରଣୀୟ କରି ରଖିବାକୁ ବର୍ତ୍ତମାନର ସରକାରଙ୍କର ଏହା ଏକ ଉଦ୍ୟମ। ଏହି ଉତ୍ସବରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ, ବୟନଶିଳ୍ପ ସଚିବ ଓ ରାଜ୍ୟ ହସ୍ତତନ୍ତ ବିଭାଗର ମନ୍ତ୍ରୀ ଓ ପ୍ରମୁଖ ଅଧିକାରୀମାନେ ଯୋଗଦାନ କରି ହସ୍ତତନ୍ତକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବୁଣାକାର ବର୍ଗର ଆର୍ଥିକ ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ ବହୁ କଲ୍ୟାଣମୂଳକ ଯୋଜନାର ଘୋଷଣା କରନ୍ତି।
ସରକାରୀ ସ୍ତରରେ ଏହିପ୍ରକାର ଜାତୀୟ ଉତ୍ସବ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ନିଶ୍ଚିତ ରୂପେ ସ୍ୱାଗତଯୋଗ୍ୟ। ମାତ୍ର ବାସ୍ତବପକ୍ଷେ ବୁଣାକାରମାନଙ୍କର ଜୀବନଜୀବିକାର ଉନ୍ନତି ପାଇଁ ଯାହା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା କଥା ସେପରି ହେଉନାହିଁ। ପରିତାପର ବିଷୟ, ପରିସଂଖ୍ୟାନ ଅନୁସାରେ ପ୍ରାୟତଃ ପ୍ରତିବର୍ଷ ଜାତୀୟ ବା ରାଜ୍ୟସ୍ତରରେ ହସ୍ତତନ୍ତ ଓ ବୁଣାକାରଙ୍କ ସଂଖ୍ୟା ପୂର୍ବବର୍ଷମାନଙ୍କ ତୁଳନାରେ କମି କମି ଯାଉଛି। ନିଶ୍ଚିତ ଭାବରେ ଏହା ଏକ ଉଦ୍ବେଗର ବିଷୟ। ସ୍ୱାଧୀନତା ପରବର୍ତ୍ତୀ ହସ୍ତତନ୍ତ କ୍ଷେତ୍ରର ବିକାଶ ଓ ବୁଣାକାରମାନଙ୍କ ଜୀବନଜୀବିକାର ଉନ୍ନତି ପାଇଁ ସରକାର ଅନେକ ଯୋଜନା ପ୍ରଚଳନ କରିଥିଲେ ବି ବାସ୍ତବ ପକ୍ଷରେ ହସ୍ତତନ୍ତ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଏବଂ ବୁଣାକାରମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ସେପରି କିଛି ଆଖିଦୃଶିଆ ପରିବର୍ତ୍ତନ ଆସିପାରିନାହିଁ। ଏ ବାସ୍ତବତାକୁ ସ୍ୱୀକାର ନକଲେ ବୁଣାକାର ଜାତି ଆଗକୁ ବଢ଼଼ିପାରିବ ନାହିଁ।
ସରକାରୀଭାବେ ବୁଣାକାରମାନଙ୍କ ଉନ୍ନତି ସମ୍ପର୍କରେ ଯାହା ପ୍ରଚାର ପ୍ରସାର କରାଯାଉଛି ତା’ଠାରୁ ବାସ୍ତବ ଚିତ୍ର ଭିନ୍ନ। ସର୍ବୋପରି ସେମାନଙ୍କ ପାରିବାରିକ ଓ ଆର୍ଥିକ ସ୍ଥିତିକୁ ସଠିକ୍ ଭାବେ ଅନୁଧ୍ୟାନ କରାଗଲେ ସ୍ପଷ୍ଟ ପ୍ରତୀୟମାନ ହୁଏ ଆଜି ବି ବହୁସଂଖ୍ୟାରେ ବୁଣାକାରମାନେ ଅଭାବ, ଅସୁବିଧା, ଅନଟନ ସହିତ ଜୀବନ ନିର୍ବାହ କରୁଛନ୍ତି। ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଶୈଳୀ ଅତ୍ୟନ୍ତ ନୈରାଶ୍ୟଜନକ। ଏମିତିକି ପଶ୍ଚିମ ଓଡ଼ିଶାର ଅନେକ ବୁଣାକାର ପରିବାର ସରକାରୀ ଜମିରେ ଘର କରି ରହିଛନ୍ତି। ସେମାନଙ୍କର ସ୍ଥାୟୀ ଭାବରେ ଘର ଡିହ ଖଣ୍ଡିଏ ମଧ୍ୟ ନାହିଁ। ଏଥିପାଇଁ ବୁଣାକାର ପରିବାରର ଯୁବପିଢ଼ି ହସ୍ତତନ୍ତ ବା କୌଳିକ ବୃତ୍ତିକୁ ଆପଣେଇ ନେବାକୁ ଇଚ୍ଛାପ୍ରକଟ କରୁନାହାନ୍ତି। ତେଣୁ ବୁଣାକାରମାନଙ୍କର ଏ ସବୁ ମୌଳିକ ସମସ୍ୟାର ସମାଧାନ ଦିଗରେ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।
ଅପରପକ୍ଷରେ ବର୍ତ୍ତମାନର କେନ୍ଦ୍ର ସରକାର ବୁଣାକାରମାନଙ୍କ ପାଇଁ ପୂର୍ବ ପ୍ରଚଳିତ ସବୁପ୍ରକାର ଯୋଜନା ବନ୍ଦ କରିଦେଇଛନ୍ତି। ଉଦାହରଣ ସ୍ୱରୂପ ଉତ୍ପାଦିତ ବସ୍ତ୍ର ବିକ୍ରୟ ଉପରେ ଦିଆଯାଉଥିବା ବିକ୍ରୟ ରିହାତି, ମହାତ୍ମା ଗାନ୍ଧୀ ବୁଣାକାର ବୀମା ଯୋଜନା, ବୁଣାକାର ସ୍ୱାସ୍ଥ୍ୟବୀମା ଯୋଜନା, ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଶିକ୍ଷା ବୃତ୍ତି ଓ ଲୁଗା ବୁଣା ପାଇଁ ପକ୍କାଘର ତନ୍ତଶାଳା ଆଦି ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି।
ଦୁଃଖ ଓ ପରିତାପର ବିଷୟ ଯେ ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଜାତୀୟସ୍ତରରେ ଟିକସମୁକ୍ତ ଥିବା ହସ୍ତତନ୍ତ କ୍ଷେତ୍ରକୁ ବର୍ତ୍ତମାନର କେନ୍ଦ୍ର ସରକାର ଜିଏସ୍ଟି ପରିସରଭୁକ୍ତ କରି ଅତି ଅବିଚାରିତ ଭାବେ ‘ବୋଝ ଉପରେ ନଳିତା ବିଡ଼ା’ ପରି ଆର୍ଥିକ ବୋଝ ବୁଣାକାରମାନଙ୍କ ଉପରେ ଲଦିଦେଇଛନ୍ତି। ଏହାଦ୍ୱାରା ହସ୍ତତନ୍ତ ବ୍ୟବସାୟ ପ୍ରଭାବିତ ହେଉଛି। ସରକାରଙ୍କ ଦ୍ୱାରା ବୁଣାକାରମାନଙ୍କ ପାଇଁ ହସ୍ତତନ୍ତ ଦିବସ ପାଳନ କରାଯିବା ଐତିହ୍ୟସମ୍ପନ୍ନ କଳାକୃତି ପାଇଁ ନିଶ୍ଚିତ ଭାବରେ ଗୌରବର କଥା। କିନ୍ତୁ ହସ୍ତତନ୍ତ ବୁଣାକାରମାନଙ୍କର ଯେଉଁ ମୌଳିକ ସମସ୍ୟା ରହିଛି, ତାହାର ସମାଧାନ କରିବା ପାଇଁ ବିଶେଷକରି ବ୍ୟକ୍ତିଗତ ଭାବେ ବୁଣାକାରମାନଙ୍କର ଆର୍ଥିକ ଉପାର୍ଜନ ବୃଦ୍ଧି କରିବା ପାଇଁ ବିହିତ ବ୍ୟବସ୍ଥା କରା ଯିବା ଦରକାର। ତା’ ନ ହେଲେ ଯେତେ ଯାହା ଉତ୍ସବ ପାଳନ କରାଗଲେ ମଧ୍ୟ ବୁଣାକାରମାନଙ୍କ ପାଇଁ ତାହା ବିଶେଷ କିଛି ଫଳପ୍ରଦ ହେବ ନାହିଁ। ଆଜିର ଦିବସରେ ହସ୍ତତନ୍ତ ଓ ବୁଣାକାରମାନଙ୍କର ସାମଗ୍ରିକ ବିକାଶ ପାଇଁ ଏକ ସୁଚିନ୍ତିତ ଅର୍ଥନୈତିକ ଯୋଜନା ସରକାର ପ୍ରସ୍ତୁତ କରିବା ସର୍ବାଦୌ ଆବଶ୍ୟକ। ଶ୍ରୀଧର ବେହେରା ଯାଜପୁର, ମୋ: ୯୮୫୩୫୪୮୧୯୯





