ଭଦ୍ର ଆଚରଣ ଓ ଆତ୍ମବିଶ୍ୱାସ

The Sakala Picture
Published On

ଭଦ୍ର ଆଚରଣ ଏବଂ ରୁଚିସମ୍ପନ୍ନ ଚାଲିଚଳଣରୁ ଜଣେ ବ୍ୟକ୍ତିର ସ୍ୱଭାବ ଓ ପ୍ରକୃତି ବିଷୟରେ ଧାରଣା କରି ହୁଏ। ବ୍ୟବହାର ଏପରି ଗୋଟିଏ ଦର୍ପଣ, ଯେଉଁଥିରେ ଜଣେ ବ୍ୟକ୍ତିର ସ୍ୱଭାବର ପ୍ରତିବିମ୍ବ ପଡ଼ିଥାଏ। ଜଣେ ବ୍ୟକ୍ତିର ଆଚରଣ ଓ ବ୍ୟବହାରରୁ ହିଁ ତା’ର ଉଚିତ ଏବଂ ଅନୁଚିତ ଆଚରଣ ଏବଂ ନୀତି ସମ୍ମତ ଓ ଅନୈତିକ କାର୍ଯ୍ୟ ସମ୍ବନ୍ଧୀୟ ବ୍ୟାପାର ଉପରେ ଧାରଣା ଓ ମନୋଭାବ ଜଣାପଡ଼ିଥାଏ। ସେଥିପାଇଁ ଉତ୍ତମ ଆଚରଣକୁ ବନ୍ଧୁତାର ପାସପୋର୍ଟ ବୋଲି କୁହାଯାଇଛି। […]

ଭଦ୍ର ଆଚରଣ ଏବଂ ରୁଚିସମ୍ପନ୍ନ ଚାଲିଚଳଣରୁ ଜଣେ ବ୍ୟକ୍ତିର ସ୍ୱଭାବ ଓ ପ୍ରକୃତି ବିଷୟରେ ଧାରଣା କରି ହୁଏ। ବ୍ୟବହାର ଏପରି ଗୋଟିଏ ଦର୍ପଣ, ଯେଉଁଥିରେ ଜଣେ ବ୍ୟକ୍ତିର ସ୍ୱଭାବର ପ୍ରତିବିମ୍ବ ପଡ଼ିଥାଏ। ଜଣେ ବ୍ୟକ୍ତିର ଆଚରଣ ଓ ବ୍ୟବହାରରୁ ହିଁ ତା’ର ଉଚିତ ଏବଂ ଅନୁଚିତ ଆଚରଣ ଏବଂ ନୀତି ସମ୍ମତ ଓ ଅନୈତିକ କାର୍ଯ୍ୟ ସମ୍ବନ୍ଧୀୟ ବ୍ୟାପାର ଉପରେ ଧାରଣା ଓ ମନୋଭାବ ଜଣାପଡ଼ିଥାଏ। ସେଥିପାଇଁ ଉତ୍ତମ ଆଚରଣକୁ ବନ୍ଧୁତାର ପାସପୋର୍ଟ ବୋଲି କୁହାଯାଇଛି। ଶାଳୀନ, ସମୁଚିତ ଓ ଭଦ୍ର ବ୍ୟବହାର ଜଣକୁ ସମାଜରେ ଗ୍ରହଣୀୟ ଓ ସମ୍ମାନାସ୍ପଦ କରି ଗଢ଼ି ତୋଳେ। ଭଲ ବ୍ୟବହାର କୌଣସି ଉପହାର ଅପେକ୍ଷା ବେଶୀ ଦିନ ମନେ ରହେ। ଭଲ ବ୍ୟବହାର ପାଇଁ କୌଣସି ଅର୍ଥର ଆବଶ୍ୟକତା ପଡ଼େ ନାହିଁ, କିନ୍ତୁ ଏହା ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ପ୍ରିୟତା ଓ ଆନ୍ତରିକତା ବୃଦ୍ଧି କରେ ଓ ସ୍ଥାୟୀ କରେ। ଭଲ ବ୍ୟବହାର ଅଧିକ ମାର୍ଜିତ, ଶୋଧିତ ଓ ବିଶୁଦ୍ଧ ବ୍ୟବହାରକୁ କୁହାଯାଏ, ଯାହା ଜଣେ ସଭ୍ୟ ଓ ମାନସିକ ଭାବେ ଉନ୍ନତ ବ୍ୟକ୍ତିକୁ ଅନ୍ୟ ଜଣକଠାରୁ ଅଲଗା କରି ଦେଖାଏ। ଏହା ସୌଜନ୍ୟମୂଳକ, ବନ୍ଧୁ ଭାବାପନ୍ନ, ମଧୁର ସ୍ୱଭାବର ଏବଂ ସେଥିପାଇଁ ଆଦରଣୀୟ ହୋଇଥାଏ। ଭଲ ବ୍ୟବହାର ନିର୍ମଳ ବନ୍ଧୁତ୍ୱର ଅନ୍ୟ ନାମ। ତେଣୁ ସମାଜରେ ଗୋଟିଏ ସୁଖୀ ଏବଂ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଏହା ଏକ ଆବଶ୍ୟକୀୟ ଯୋଗ୍ୟତା।

ଇଚ୍ଛା ଓ ପ୍ରତ୍ୟାଶା ସମସ୍ତଙ୍କର ଊଣାଅଧିକେ ଥାଏ। ଆଶାକୁ ଉତ୍ସାହ ଦେଉଥିବା ପରିସ୍ଥିତି, ବ୍ୟକ୍ତି ଓ ପଦାର୍ଥ ଏଭଳି ପ୍ରତ୍ୟାଶା ଓ ଇଚ୍ଛା ପଛରେ ଥାଏ। ପ୍ରତ୍ୟାଶା ଓ ଇଚ୍ଛା କରିବାରେ କିଛି ଭୁଲ ନାହିଁ। ଆଶାନ୍ୱିତ ଓ ଆଶାୟୀ ବ୍ୟକ୍ତିମାନଙ୍କର ସଫଳ ହେବାର ଆଶା ଥାଏ ଏବଂ ସେମାନଙ୍କ ପାଇଁ ହିଁ ପ୍ରଗତି ସମ୍ଭବ ହୋଇଥାଏ। ଆଶାଶୂନ୍ୟ ଓ ନିରାଶ ବ୍ୟକ୍ତିର କୌଣସି ଆଶା ନଥାଏ ଏବଂ ସେ ସଂସାରର କ୍ରୀଡ଼ା ପ୍ରାଙ୍ଗଣରେ ଏକ ଅପାରଗ ଖେଳାଳି। ହତାଶା ଓ ନୈରାଶ୍ୟ ଯେ ଯେକୌଣସି ପ୍ରଗତିର ପରିପନ୍ଥୀ ଏକଥା କାହାକୁ ବୁଝାଇବା ଦରକାର ନାହିଁ।

ଆଶାଶୂନ୍ୟ ଓ ହତାଶ ବ୍ୟକ୍ତି ପ୍ରାୟତଃ ନିଶାଦ୍ରବ୍ୟର ଶିକାର ହୋଇଥାଏ ଏବଂ ତା’ର ସ୍ୱାସ୍ଥ୍ୟ ନଷ୍ଟ ହୁଏ। ତା’ର ଦୈହିକ ଓ ମାନସିକ କଷ୍ଟ ସହିବାର ସାମର୍ଥ୍ୟ ଓ ବଳ କମିଯାଏ। ଆଶା ଆମକୁ କାମ କରିବାକୁ ଉତ୍ସାହ ଦିଏ। ଆଶା ତ୍ୟାଗ କରି ସଂସାରରେ କେହି ସୁଖୀ ଥିବାର ଦେଖାଯାଏ ନାହିଁ। ଏଠାରେ ଆଶାର ଅର୍ଥ କାମନା ନୁହେଁ। ଆଶାର ଅର୍ଥ ଇଚ୍ଛା ଓ କାମନାର ଅର୍ଥ ବାସନା। ଆଶା ହେଉଛି ଈପ୍‌‌ସିତ ବସ୍ତୁ ପାଇଁ ଅପେକ୍ଷା। କାମନା ଏପରି ଏକ ଆକାଂକ୍ଷା, ଯାହା ଆଶାଠାରୁ ବଳବତୀ। ଏହା ଏକ ବାସନା ବା ଅଭିଳାଷ, ଯାହାକୁ ମନ ପୋଷଣ କରେ ଏବଂ ସାବଧାନ ନହେଲେ ଏହା ମନକୁ ଅକ୍ତିଆର କରେ। ଆଶାୟୀ, ଆଶାବାଦୀ ଓ ଆଶାନ୍ୱିତ ହେଲେ ଏହା ତୁମକୁ ସାଫଲ୍ୟ ଆଡ଼କୁ ନେଇଯିବ। କାମନା ତୁମ ମନକୁ ଅଧିକାର କଲେ ତୁମର ବିଷୟ ସମ୍ଭୋଗ ପ୍ରବୃତ୍ତି ପ୍ରତି ମନ ବଳିବ। କାମନାର ଅନ୍ୟାନ୍ୟ ଇଚ୍ଛା ଉପରେ ରାଜତ୍ୱ କରିବାର ଦୁର୍ଗୁଣ ଅଛି।

ଦୃଢ଼ ଆତ୍ମବିଶ୍ୱାସ ନିଶ୍ଚିତତା ଓ ନିର୍ଭରତା ଭାବର ଅନୁଭୂତି ଆଣେ। ଏହା ବ୍ୟକ୍ତିକୁ ଆତ୍ମନିର୍ଭର ହେବାରେ ସାହାଯ୍ୟ କରେ। ଏହି ଆତ୍ମବିଶ୍ୱାସ ହିଁ ସଫଳତାର ସାଥୀ। କେବଳ ଆଶା ଯଥେଷ୍ଟ ନୁହେଁ, ସାଫଲ୍ୟ ପାଇଁ ଅତି କଷ୍ଟକର ବା ବିପଦଜନକ ପରିସ୍ଥିତିରେ ମଧ୍ୟ ଦୁର୍ବଳତା ନ ଦେଖାଇ ଦୃଢ଼ପ୍ରତିଜ୍ଞ ରହିବା ଆବଶ୍ୟକ। ଏଥିପାଇଁ ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟ ସହ ଉଦ୍ୟମ ମଧ୍ୟ ଆବଶ୍ୟକ। ଆଶା ମନୁଷ୍ୟକୁ ସମ୍ଭାଳିବା, ସହ୍ୟ କରିବା, ଉତ୍ସାହିତ କରିବା, ବନ୍ଧୁ ଭଳି ସାହାଯ୍ୟ କରିବା ଏବଂ ସାମୟିକ ବିଫଳତା ସତ୍ତ୍ବେ ପ୍ରୟାସ ଜାରି ରଖିବାରେ ସହାୟକ ହୁଏ। ଆଶାଠାରୁ ବଳି ବନ୍ଧୁ ନାହିଁ, ନିରାଶାଠାରୁ ବଳି ଶତ୍ରୁ ନାହିଁ।

ତୁମର କଥନ କୋମଳ, ଧୀର ଓ ଶାନ୍ତ ହେଲେ ତାହା ତୁମର ପ୍ରତିପାଳନର ପରିଚୟ ହେବ। ତୁମ କଥନ ଭଦ୍ର, ମିଷ୍ଟ ଓ ବିଚାରବନ୍ତ ହେଲେ ତା’ର ଓଜନ ଓ ସମ୍ମାନ ରହିବ। ତୁମେ ସ୍ୱଳ୍ପ ଓ ମିଷ୍ଟ ଭାଷୀ ହେଲେ କାହା ବିରୁଦ୍ଧରେ କଥା ହେବ ନାହିଁ। ସତ୍ୟବାଦୀ ଲୋକ ସାଧାରଣତଃ ସ୍ୱଳ୍ପ ଭାଷୀ ହୋଇଥା’ନ୍ତି। ସେମାନେ ବଢ଼େଇ ଚଢ଼େଇ କଥା ହୁଅନ୍ତି ନାହିଁ, ସତ ଆଉ ଠିକ୍‌‌ କଥା କହନ୍ତି। ସେମାନେ ନିରବତାର ମୂଲ୍ୟ ବୁଝନ୍ତି। ନିଜର କଥା ଦ୍ୱାରା କାହାକୁ ଆଘାତ ଦିଅନ୍ତି ନାହିଁ ବା ଛୋଟ ଦେଖାନ୍ତି ନାହିଁ।

ଜଣେ ଦାମ୍ଭିକ ଓ ଅହଂକାରୀ ବ୍ୟକ୍ତି ଅନ୍ୟମାନଙ୍କୁ ନିଜଠାରୁ ଛୋଟ ଦେଖେ ଏବଂ ଦେଖାଏ। ନିଜର ବଡ଼ପଣିଆର ପ୍ରଦର୍ଶନ ପାଇଁ ସେ ସବୁବେଳେ ସୁଯୋଗ ଖୋଜିବୁଲେ। ନିଜର ଧନ, ବିଦ୍ୟା, କୁଳ ଇତ୍ୟାଦିକୁ ନେଇ ସେ ଗର୍ବ କରେ। ତା’ର ଚାଲିଚଳନ ଓ ବ୍ୟବହାରରୁ ଗର୍ବ ଫୁଟିଉଠେ। ସେ ଉଦ୍ଧତ, ଗର୍ବିତ ଓ ଅବିନୀତ ଜଣାପଡ଼େ। ତାକୁ କେହି ଭଲପାଆନ୍ତି ନାହିଁ। ଏଭଳି ଲୋକମାନଙ୍କର ଚରିତ୍ରରେ କୌଣସି ସ୍ଥିରତା ବା ଅପରିବର୍ତ୍ତନୀୟତା ଦେଖାଯାଏ ନାହିଁ। ତେଣୁ ଏମାନଙ୍କୁ ବିଶ୍ୱାସ କରିବା କଷ୍ଟ ହୁଏ। ଗର୍ବୀ ଲୋକ ନିର୍ଭରଯୋଗ୍ୟ ହୋଇନଥା’ନ୍ତି। ନିଜର ମତକୁ ପରିବର୍ତ୍ତନ କରିବା ପାଇଁ ଏମାନଙ୍କୁ ସମୟ ଲାଗେନାହିଁ। ଏଭଳି ମତ ପରିବର୍ତ୍ତନ ପାଇଁ ସେମାନେ ଲଜ୍ଜିତ ବା ଦୁଃଖିତ ହୁଅନ୍ତି ନାହିଁ। ମନର ଅସ୍ଥିରତାକୁ ଜୟ କରି ଦୃଢ଼ମନା ଓ ସ୍ଥିର ହେଲେ ତୁମେ ନିଶ୍ଚୟ ସଫଳ ହେବ।

ଡ. ଅଜିତ କୁମାର ତ୍ରିପାଠୀ
ଭୁବନେଶ୍ୱର, ମୋ: ୯୯୩୭୮୪୪୩୪୭

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର