ନୂତନ ନ୍ୟାୟ ସଂହିତା ଓ ଦେଶଦ୍ରୋହ ପ୍ରସଙ୍ଗ

The Sakala Picture
Published On

ଚଳିତ ଜୁଲାଇ ପହିଲାରୁ ଦେଶବ୍ୟାପୀ ତିନି ନୂଆ ଫୌଜଦାରୀ ଆଇନ ପ୍ରଚଳିତ ହେବାକୁ ଯାଉଛି। ଦେଶର ୩୭୦୦ରୁ ଅଧିକ ବୁଦ୍ଧିଜୀବୀ ଏହି ନୂତନ ଆଇନର ପ୍ରଚଳନକୁ ସ୍ଥଗିତ ରଖି ସଂସଦୀୟ ସମିତିରେ ପୁନର୍ବାର ଏହାର ବିଚାର ଆଲୋଚନା କରି ସଂଶୋଧିତ ଆକାରରେ ପ୍ରଚଳନ କରିବାକୁ ଦାବି କରିଛନ୍ତି। ଅଭିଯୋଗ ହେଉଛି ଯେ ଏହି ଆଇନ ମଧ୍ୟରେ ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନର ଛାୟା ଆହୁରି କଠୋର ହୋଇଛି। ପରାଧୀନ ଭାରତରେ ଦେଶଦ୍ରୋହ ଆଇନ (ସେଡିସନ ଆକ୍ଟ) ତିଆରି […]

ଚଳିତ ଜୁଲାଇ ପହିଲାରୁ ଦେଶବ୍ୟାପୀ ତିନି ନୂଆ ଫୌଜଦାରୀ ଆଇନ ପ୍ରଚଳିତ ହେବାକୁ ଯାଉଛି। ଦେଶର ୩୭୦୦ରୁ ଅଧିକ ବୁଦ୍ଧିଜୀବୀ ଏହି ନୂତନ ଆଇନର ପ୍ରଚଳନକୁ ସ୍ଥଗିତ ରଖି ସଂସଦୀୟ ସମିତିରେ ପୁନର୍ବାର ଏହାର ବିଚାର ଆଲୋଚନା କରି ସଂଶୋଧିତ ଆକାରରେ ପ୍ରଚଳନ କରିବାକୁ ଦାବି କରିଛନ୍ତି। ଅଭିଯୋଗ ହେଉଛି ଯେ ଏହି ଆଇନ ମଧ୍ୟରେ ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନର ଛାୟା ଆହୁରି କଠୋର ହୋଇଛି।

ପରାଧୀନ ଭାରତରେ ଦେଶଦ୍ରୋହ ଆଇନ (ସେଡିସନ ଆକ୍ଟ) ତିଆରି ହୋଇଥିଲା ବ୍ରିଟିଶ ଶାସକଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମ ଓ ଜନଆନ୍ଦୋଳନକୁ ଦମନ କରିବା ପାଇଁ। ୧୮୩୭ରେ ବ୍ରିଟିଶ ଐତିହାସିକ, ରାଜନୈତିକ ଓ ବ୍ରିଟିଶ-ଭାରତର ସୁପ୍ରିମ କାଉନସିଲ ସଦସ୍ୟ ଟମାସ ବାରିଂଟନ ମାକ୍‌‌ଲେ ଦଣ୍ଡବିଧିର ଖସଡ଼ା ରଚନା କରିବା ସମୟରେ ପ୍ରଥମେ ଦେଶଦ୍ରୋହ ବିଷୟଟିକୁ ସଂଯୁକ୍ତ କରିଥିଲେ। ତେବେ ୧୮୬୦ରେ ଆଇନ ପ୍ରଣୟନ ସମୟରେ ସେଥିରେ ଦେଶଦ୍ରୋହ ଦଫା ନ ଥିଲା। ପରବର୍ତ୍ତୀ ଦଶକରେ ସ୍ୱାଧୀନତାର ଲଢ଼େଇ ତୀବ୍ର ହୋଇ ଉଠିବାରୁ ବିଶେଷ ଆଇନ ମାଧ୍ୟମରେ ୧୮୭୦ରେ ଦେଶଦ୍ରୋହ ଆଇନକୁ ଦଣ୍ଡବିଧି ସଂହିତାର ଅନ୍ତର୍ଭୁକ୍ତ କରି ବ୍ରିଟିଶ ସାମ୍ରାଜ୍ୟବାଦୀମାନେ ସ୍ୱାଧୀନତା ଆନ୍ଦୋଳନକୁ ନିର୍ମମ ଭାବେ ଦମନ କରିବାକୁ ଆରମ୍ଭ କଲେ।

ଦେଶ ସ୍ୱାଧୀନ ହେବାପରେ ମଧ୍ୟ ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରଣୀତ ଅନେକ ଆଇନ ସମ୍ବିଧାନରେ ରଖାଗଲା। କିଛି ଆଇନ ସଂଶୋଧିତ ହେଲା ଏବଂ ବାତିଲ କରାଗଲା। ସମ୍ବିଧାନ ରଚନା କାଳରେ ମୁଖ୍ୟତଃ କେ. ଏମ୍‌‌. ମୁନ୍‌‌ସୀଙ୍କ ଆଗତ ସଂଶୋଧନ ମାନ୍ୟତା ପାଇଥିଲା। ୧ ଡିସେମ୍ବର ୧୯୪୯ରେ ଭାରତୀୟ ଦଣ୍ଡ ବିଧି ସଂହିତାର ୧୨୪ ଏ ଧାରା ଅର୍ଥାତ୍‌‌ ଦେଶଦ୍ରୋହକୁ ବାଦ ଦିଆଗଲା। ଉଦ୍ଦେଶ୍ୟ ଥିଲା ଭାରତର ନାଗରିକମାନଙ୍କର ମତ ପ୍ରକାଶର ଅଧିକାରକୁ ସୁରକ୍ଷିତ ରଖିବା। ସରକାରଙ୍କ କାର୍ଯ୍ୟର ସମାଲୋଚନାକୁ ଗଣତନ୍ତ୍ରର ଅଙ୍ଗ ରୂପେ ମାନ୍ୟତା ଦେବା। ୧୯୫୧ରେ ସଂସଦରେ ପ୍ରଥମ ସମ୍ବିଧାନ ସଂଶୋଧନ ବିଲ୍‌‌ ଉପସ୍ଥାପନ କରିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୨୪ଏ ଧାରା ସମ୍ପର୍କରେ ମତ ଦେଇ କହିଥିଲେ ଯେ ‘ଏହି ନିର୍ଦ୍ଦିଷ୍ଟ ଅଂଶଟି ଖୁବ୍‌‌ ଆପତ୍ତିଜନକ ଓ ଜଘନ୍ୟ। ବ୍ୟାବହାରିକ ଓ ଐତିହାସିକ କୌଣସି କାରଣରୁ ଏହା ରହିବା ଉଚିତ ନୁହେଁ। ଯେତେ ଶୀଘ୍ର ଆମେ ଏଥିରୁ ଅବ୍ୟାହତି ପାଇବା ସେତେ ଭଲ।’ ୧୯୫୧ରେ ପଞ୍ଜାବ ହାଇକୋର୍ଟ, ୧୯୫୯ରେ ଆହ୍ଲାବାଦ ହାଇକୋର୍ଟ ଦୁଇଟି ପୃଥକ୍‌‌ ମାମଲାରେ ଦେଶଦ୍ରୋହର ଅଭିଯୋଗ ସମ୍ବିଧାନ ସମ୍ମତ ନୁହେଁ ବୋଲି ରାୟ ଦେଇଥିଲେ। ୧୯୬୨ରେ କେଦାରନାଥ ସିଂହ ବନାମ ବିହାର ସରକାର ମାମଲାରେ ପାଞ୍ଚ ସଦସ୍ୟଙ୍କର ଖଣ୍ଡପୀଠଙ୍କ ରାୟ ଥିଲା, ‘ସରକାରୀ କାର୍ଯ୍ୟର ସମାଲୋଚନା କରି କେହି ମତ ପ୍ରକାଶ କଲେ ତାଙ୍କୁ ଦେଶଦ୍ରୋହ କାର୍ଯ୍ୟ ବୋଲି ଚିହ୍ନିତ କରାଯାଇ ପାରିବ ନାହିଁ।’

ଦଣ୍ଡବିଧି ସଂହିତାର ୧୨୪-ଏ ଧାରାରେ ଥିବା ଦେଶଦ୍ରୋହ ସଂଜ୍ଞାରେ କୁହାଯାଇଛି, ଯେ କୌଣସି ବ୍ୟକ୍ତି ଲିଖିତ ଅଥବା ମୌଖିକ ଭାବେ ଅଥବା ଅନ୍ୟ କୌଣସି ଭାବେ ରାଷ୍ଟ୍ର ପ୍ରତି ବିଦ୍ୱେଷ ଅଥବା ଅବମାନନା ପ୍ରଦର୍ଶନ କଲେ ବା ସରକାରୀ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କଲେ ସେହି ବ୍ୟକ୍ତି ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ ହେବେ ଏବଂ ତାଙ୍କୁ ଯାବଜ୍ଜୀବନ କାରାଦଣ୍ଡ ଓ ଜୋରିମାନା ବା ଜୋରିମାନା ବଦଳରେ ଆଉ ଅଧିକ ତିନିବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ। ଭାରତୀୟ ଦଣ୍ଡବିଧି ସଂହିତାର ୧୨୦ ଅର୍ଥାତ୍‌‌ ଅପରାଧ ମୂଳକ ଷଡ଼ଯନ୍ତ୍ରର ଧାରା ଅନୁସାରେ ସରକାରଙ୍କୁ ସାକ୍ଷ୍ୟପ୍ରମାଣ ଦେବାକୁ ହେବ ଯେ ଚକ୍ରାନ୍ତରେ ଦୁଇ ବା ତତୋଧିକ ବ୍ୟକ୍ତି ଜଡ଼ିତ ଏବଂ ଯେଉଁମାନେ କୌଣସି ଆଇନ ବିରୁଦ୍ଧ କାର୍ଯ୍ୟ ସହ ସଂଯୁକ୍ତ ସେ କାର୍ଯ୍ୟ ସଂଘଟିତ ହେଲେ ଦଣ୍ଡବିଧି ଧାରାରେ ଅଭିଯୁକ୍ତ ହେବେ। ଦଣ୍ଡବିଧି ସଂହିତାର ୧୨୧ ଅର୍ଥାତ୍‌‌ ରାଷ୍ଟ୍ର ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ ବା ସେହି ଷଡ଼ଯନ୍ତ୍ରରେ ସହାୟତା କଲେ ଅଭିଯୁକ୍ତଙ୍କୁ ଯାବଜ୍ଜୀବନ କାରାଦଣ୍ଡ ଏପରିକି ମୃତ୍ୟୁଦଣ୍ଡ ଦିଆଯାଇପାରେ।

ସମ୍ବିଧାନରେ ରହିଛି ୧୪ ନମ୍ବର ଧାରା, ଯାହା ମାଧ୍ୟମରେ ଆମେ ସ୍ୱାଧୀନ ଭାରତରେ ସମତାର ଅଧିକାର ପାଇଛୁ। ସେହିପରି ସମ୍ବିଧାନର ୨୧ନମ୍ବର ଧାରାରେ ଜୀବନର ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାରକୁ ସ୍ୱୀକୃତି ଦିଆଯାଇଛି। ସମ୍ବିଧାନରେ ବର୍ଣ୍ଣିତ ୧୯ନମ୍ବର ଧାରା ଅନୁଯାୟୀ ବାକ୍‌‌ସ୍ୱାଧୀନତା, ମତ ପ୍ରକାଶ ପାଇଁ ନାଗରିକଙ୍କ ଅଧିକାର ରହିଛି। ଏହାକୁ ଭଙ୍ଗ କରି ସରକାର ଯଦି କୌଣସି ଆଇନ ତିଆରି କରିବାର ଚେଷ୍ଟା କରନ୍ତି ଅଥବା କୌଣସି ପଦକ୍ଷେପ ନିଅନ୍ତି, ତା’ହେଲେ ସମ୍ବିଧାନରେ ରଖାଯାଇଛି ୩୨ ଓ ୧୨୬ ନମ୍ବର ଧାରା, ଯେଉଁଥିରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟଗୁଡ଼ିକର ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ଅଧିକାର ଦିଆଯାଇଛି ସରକାରଙ୍କ ତିଆରି ସେହି ମୌଳିକ ଅଧିକାର ହରଣକାରୀ ଆଇନ ଓ ପଦକ୍ଷେପକୁ ସମ୍ବିଧାନ ବିରୋଧୀ ଘୋଷଣା କରି ସମ୍ପୂର୍ଣ୍ଣ ଭାବେ ରଦ୍ଦ କରିଦେବା ପାଇଁ।

୨୦୧୪ଠାରୁ କ୍ରମଶଃ ଉଦ୍‌‌ବେଗଜନକ ଭାବେ ବଢ଼଼ୁଥିବା ଦେଶଦ୍ରୋହ ମାମଲା ଓ ବେପରୁଆ ଗିରଫଦାରୀ ପରିପ୍ରେକ୍ଷୀରେ ଦଣ୍ଡବିଧି ସଂହିତାର ୧୨୪ ଏ ଧାରା ଅର୍ଥାତ୍‌‌ ରାଷ୍ଟ୍ରଦ୍ରୋହ ସମ୍ବିଧାନର ୧୪, ୧୯ ଓ ୨୧ ଏହି ତିନୋଟି ଧାରାର ପରିପନ୍ଥୀ। ଏହି ଅଭିଯୋଗ ଜଣାଇ ଏଡିଟର୍ସ ଗିଲ୍‌‌ଡ୍ସ ଅଫ୍‌‌ ଇଣ୍ଡିଆ, ମାନବାଧିକାର ସଂସ୍ଥା, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଅରୁଣ ସୌରୀ, ଅବସରପ୍ରାପ୍ତ ମେଜର ଜେନେରାଲ ଏସ ଜି ଭେଙ୍କଟକେରେ, ସାମ୍ବାଦିକା ପ୍ୟାଟ୍ରିସିଆ ମୁଖିମ, ଅନୁରାଧା ଭାସିନଙ୍କ ସହ ଆହୁରି ଅନେକଙ୍କ ପକ୍ଷରୁ ଏକାଧିକ ମାମଲା ସୁପ୍ରିମ କୋର୍ଟରେ ଦାଏର କରାଯାଇଥିଲା। ୨୦୨୨ମେ’ ୧୧ରେ ଏହି ମାମଲାରେ ସୁପ୍ରିମ କୋର୍ଟ ଇତିହାସ ସୃଷ୍ଟିକାରୀ ରାୟ ଦେଇ ଉପନିବେଶ ଯୁଗରେ ପ୍ରଣୀତ ଦେଶଦ୍ରୋହ ଆଇନର ପୁନଃବିବେଚନା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଇନ ପୁନଃବିବେଚନାର ପ୍ରକ୍ରିୟା ଚାଲିଥିବା ବେଳେ ୨୦୨୩ ଅଗଷ୍ଟ ୧୧ରେ ଲୋକସଭାର ସୂଚୀରେ ନ ଥିଲେ ମଧ୍ୟ ଅଧିବେଶନରେ ଅତିରିକ୍ତ କାର୍ଯ୍ୟ ତାଲିକାରେ ଯୋଗ କରି କେନ୍ଦ୍ର ସରକାର ତରବରିଆ ଭାବେ ତିନୋଟି ବିଲ୍‌‌ ଆଗତ କରିଥିଲେ। ସେତେବେଳେ ସଂସଦରେ କୌଣସି ବିରୋଧୀ ସଭ୍ୟ ଉପସ୍ଥିତ ନ ଥିଲେ। ଅନ୍ୟ ଦିଗରେ ଏହି ବିଲ୍‌‌ ନେଇ ଆଲୋଚନାରେ କୌଣସି ସୁଯୋଗ ନ ଥିଲା। କାରଣ ଏହି ଦିନଟି ଥିଲା ମୌସୁମୀ ଅଧିବେଶନର ଶେଷଦିନ। ବିଲ୍‌‌ ଉପସ୍ଥାପନ ପରେ ଧ୍ୱନି ମତରେ ଏହାକୁ ପାରିତ କରିନିଆଗଲା। ସ୍ୱରାଷ୍ଟ୍ର ମନ୍ତ୍ରୀ ଲୋକସଭାରେ ଘୋଷଣା କରିଥିଲେ ଯେ ଏହି ବିଲ୍‌‌ ସବୁ ଆଇନରେ ପରିଣତ ହେଲେ ଦେଶଦ୍ରୋହ ଆଇନର ଅବସାନ ଘଟିବ। ଅବଶେଷରେ ପାରିତ କରାଯାଇଥିବା ଏହି ତିନୋଟି ବିଲ୍‌‌ରେ ପାଞ୍ଚୋଟି ସଂଶୋଧନ ଆଣି ପୂର୍ବର ତିନୋଟି ବିଲ୍‌‌କୁ ଆକସ୍ମିକ ଭାବେ ପ୍ରତ୍ୟାହାର କରିନେଇ ନୂଆ ତିନୋଟି ଫୌଜଦାରୀ ବିଲ୍‌‌ ସମାନ ନାମରେ ୨୭ ଡିସେମ୍ବର ୨୦୨୩ରେ ସଂସଦରେ ଉପସ୍ଥାପନ କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ। ବିରୋଧୀ ଦଳର ୧୪୬ଜଣ ସଦସ୍ୟଙ୍କୁ ନିଲମ୍ବନ କରାଯାଇଥିବା ସମୟରେ ବିଲ୍‌‌ଗୁଡ଼ିକୁ ସଂସଦରେ ପୁଣି ପାରିତ କରିନିଆଗଲା। ୨୫ ଡିସେମ୍ବର ୨୦୨୩ରେ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ତାହା ଆଇନରେ ପରିଣତ ହେଲା।

ତିନୋଟି ଆଇନ ହେଲା, (୧) ଭାରତୀୟ ନ୍ୟାୟ ସଂହିତା, (୨) ଭାରତୀୟ ନାଗରିକ ସୁରକ୍ଷା ସଂହିତା, (୩) ଭାରତୀୟ ସାକ୍ଷ୍ୟ ଅଧିନିୟମ, ୨୦୨୩। ଲକ୍ଷଣୀୟ ତିନୋଟି ଆଇନର ନାମକରଣର ଭାଷା ହିନ୍ଦୀ ଓ ମନୁସଂହିତାକୁ ଉପଲକ୍ଷ୍ୟ କରି ଏହି ସଂହିତା ନାମ ଦିଆଯାଇଛି। ଆମ ସମ୍ବିଧାନରେ କୁହାଯାଇଛି ଆଇନର ନାମକରଣ ହେବ କେବଳ ଇଂରାଜୀରେ। କିନ୍ତୁ ଏଥିରେ ଥିବା ଫାଙ୍କ୍‌‌କୁ ଖୋଜି କୌଶଳରେ ଇଂରାଜୀ ହରଫରେ ହିନ୍ଦୀ ଫନ୍ଦି କରାଯାଇଛି, ଯାହା ଆମ ସମ୍ବିଧାନର ବହୁତ୍ୱବାଦୀ ଧାରଣାର ଅବମାନନା ବୋଲି ଅଭିଯୋଗ ହେଉଛି।। ତୁଳନାତ୍ମକ ବିଚାର ବିଶ୍ଳେଷଣ ଓ ଆଇନଜ୍ଞମାନଙ୍କର ପର୍ଯ୍ୟବେକ୍ଷଣ ହେଲା ଏହି ତିନି ଆଇନ ଆମ ଦେଶର ପୂର୍ବରୁ ପ୍ରଚଳିତ ଇଣ୍ଡିଆନ ପେନାଲ କୋଡ୍‌‌ (୧୮୬୦) କୋଡ୍‌‌ ଅଫ୍‌‌ କ୍ରିମିନାଲ ପ୍ରୋସିଡ୍ୟୁର (ସିଆରପିସି) (୧୮୯୮, ୧୯୭୦) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ (୧୮୯୨)ର ପରିବର୍ତ୍ତିତ ରୂପ।

ଭାରତୀୟ ନ୍ୟାୟ ସଂହିତାରେ ଆଇପିସିର ୨୨ ନମ୍ବର ଧାରାଟି ଉଚ୍ଛେଦ କରିଦିଆଯାଇଛି। ୧୫୭ଟି ଧାରାର ସଂଶୋଧନ ଓ ୮ଟି ନୂଆ ଧାରା ଯୁକ୍ତ କରାଯାଇଛି। ସମାନ ଭାବେ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ସିଆରପିସିର ୯ଟି ଧାରାକୁ ଉଚ୍ଛେଦ, ୧୬୦ଟି ଧାରାର ସଂଶୋଧନ ଏବଂ ୯ଟି ନୂତନ ଧାରାକୁ ଯୁକ୍ତ କରାଯାଇଛି। ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଲ୍‌‌ରେ ଇଣ୍ଡିଆନ୍‌‌ ଏଭିଡେନ୍ସ ଆକ୍ଟର ୫ଟି ଧାରା ଉଚ୍ଛେଦ, ୨୩ଟି ଧାରାର ସଂଶୋଧନ ଏବଂ ଗୋଟିଏ ନୂଆ ଧାରାକୁ ସଂଯୁକ୍ତ କରାଯାଇଛି। ଏହି ଆଇନ ଦେଶଦ୍ରୋହ ଆଇନଠାରୁ ଆହୁରି କଠୋର ଏବଂ ଏଥିରେ ପୁଲିସକୁ ଅମାପ କ୍ଷମତା ଦିଆଯାଇଛି। ଭାରତୀୟ ନ୍ୟାୟ ସଂହିତା ବିଲ୍‌‌ର ୧୬୦ ନମ୍ବର ଧାରାରେ କୁହାଯାଇଛି: ‘ଯେ କେହି ଭାରତର ଐକ୍ୟ, ସଂହତି, ସାର୍ବଭୌମତ୍ୱ, ନିରାପତ୍ତା ଅଥବା ଅର୍ଥନୈତିକ ନିରାପତ୍ତା ବିରୁଦ୍ଧରେ ଧମକ ଦେବାର ଇଚ୍ଛା ବା ଧମକ ସଦୃଶ କାର୍ଯ୍ୟ କଲେ ଅଥବା ଭାରତର ଜନଗଣ, ଜନଗଣର ଯେକୌଣସି ଅଂଶ ବିରୁଦ୍ଧରେ ଅଥବା ବିଦେଶରେ କେଉଁଠି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଚଳାଇଲେ ବା ସନ୍ତ୍ରାସ ସଦୃଶ କାର୍ଯ୍ୟ କଲେ ସାତବର୍ଷ କିମ୍ବା ଯାବଜ୍ଜୀବନ କାରାଦଣ୍ଡରେ ଦଣ୍ଡିତ ହେବେ ଓ ଜରିମାନା ଦେବାକୁ ହେବ। ଅର୍ଥାତ୍‌‌ ‘ଦେଶଦ୍ରୋହ ଆଇନ’ରେ ପୂର୍ବରୁ ଯାହା ଥିଲା, ତାହା ହିଁ ରହିଛି ଓ କେବଳ ଭାଷାର ଚାତୁରୀ ରଖାଯାଇଛି। ପୂର୍ବର ଦଣ୍ଡ ମିଆଦ ବଢ଼଼ାଇ ଦିଆଯାଇଛି।

ପୁରୁଣା ବ୍ରିଟିଶ ଅମଳ ଆଇନରେ ଗିରଫ ପରେ ଅଦାଲତର ଅନୁମତି ସାପେକ୍ଷ ସର୍ବୋଚ୍ଚ ୧୪ଦିନ ପର୍ଯ୍ୟନ୍ତ ଅଭିଯୁକ୍ତକୁ ହେପାଜତରେ ପୁଲିସ ରଖିପାରୁଥିଲା। ନୂଆ ଆଇନରେ ଏହି ଅବଧିକୁ ୬୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ମାନବାଧିକାର ଉଲ୍ଲଙ୍ଘନ ପରି ଅଭିଯୋଗ ଆସିବାର ଆଶଙ୍କା ରହିଛି। ସମ୍ପ୍ରତି ସୁପ୍ରିମ କୋର୍ଟ ଏକାଧିକ ମାମଲାରେ କହିଛନ୍ତି ଯେ ଗିରଫ କରି ହେପାଜତରେ ରଖିବା ପଦକ୍ଷେପ ବିରଳ କ୍ଷେତ୍ରରେ ପ୍ରୟୋଗ କରାଯାଇପାରେ। ଅଭିଯୋଗ ଦାଏର ହେବା ମାତ୍ରେ ଗିରଫ କରି ହାଜତରେ ରଖିବାର ସଂସ୍କୃତି ବ୍ରିଟିଶ ଅମଳର। ଅଥଚ ନୂଆ ଆଇନରେ ପୁଲିସକୁ ଏ କ୍ଷେତ୍ରରେ ଆହୁରି ଅଧିକ କ୍ଷମତା ଦିଆଯାଇଛି। ନୂଆ ଆଇନରେ କୁହାଯାଇଛି ଡାକ୍ତରଙ୍କ ମତାମତ ନିଆଯାଇ ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଇଡି ଆଇନରେ ଅଦାଲତର ଅନୁମତି ବିନା ଅଭିଯୁକ୍ତର ସମ୍ପତ୍ତି ବାଜ୍ୟାପ୍ତି କରିବାର ପ୍ରାବଧାନ ନେଇ ଦେଶରେ ବିତର୍କ ଜାରି ରହିଛି। ମାନବାଧିକାର ସଙ୍ଗଠନଗୁଡ଼ିକର ଅଭିଯୋଗ ନୂଆ ଆଇନରେ ସମାନ ଅଧିକାର ଦିଆଯାଇଛି ଅନୁସନ୍ଧାନକାରୀ ସଂସ୍ଥାଙ୍କୁ। କିଛି ଅଭିଯୋଗ କ୍ଷେତ୍ରରେ ପୁଲିସ ସିଧାସଳଖ ଏଫଆଇଆର ଦାଏର ନ କରି ପ୍ରଥମେ ଘଟଣାର ସତ୍ୟତା ପରୀକ୍ଷା କରିବ। ଏହାପରେ ପୁଲିସର ମନେହେଲେ ଏଫଆଇଆର ଦାଏର କରି ତଦନ୍ତ ଆରମ୍ଭ କରିପାରେ। ନୂଆ ଆଇନ ବଳବତ୍ତର ହେଲେ ମୃତ୍ୟୁଦଣ୍ଡର ବିଧାନ ଆହୁରି କଠୋର ହୋଇପାରେ। କାରଣ ଏହି ଆଇନ ଅନୁଯାୟୀ ମୃତ୍ୟୁଦଣ୍ଡ କୋହଳ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା ଆବେଦନ ନାକଚ କରିଦେଲେ ଏହା ଆଉ ଅଦାଲତରେ ବିଚାର କରାଯିବ ନାହିଁ। ୟୁଏପିଏ ସହ ଦେଶଦ୍ରୋହ ଆଇନର କଠୋର ଧାରାଗୁଡ଼ିକ ପୂର୍ବପରି କାଏମ ରଖାଯାଇଛି।
୨୨ ସେପ୍ଟେମ୍ବର ୨୦୨୩ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼, ବିଚାରପତି ଜେ ବି ପାରଡିୱାଲା ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠର ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ, ନୂତନ ବିଧି ଭବିଷ୍ୟତ ମାମଲାରେ ପ୍ରଯୁଜ୍ୟ ହେବ। ପୂର୍ବରୁ ପଞ୍ଜିକୃତ ମାମଲାରେ ଏହାର କୌଣସି ଭୂମିକା ରହିବ ନାହିଁ। ସମାନ ନିର୍ଦ୍ଦେଶରେ କୁହାଯାଇଛି, ୧୯୬୨ର କେଦାରନାଥ ସିଂହ ବନାମ ବିହାର ସରକାର ମାମଲାରେ ସୁପ୍ରିମ କୋର୍ଟର ୫ ବିଚାରପତିଙ୍କ ଖଣ୍ଡପୀଠର ରାୟ ବଳରେ ଦେଶଦ୍ରୋହ ଆଇନ ବୈଧତା ପାଇଥିଲା, ତାହା ସଠିକ୍‌‌ କି ନୁହେଁ, ଅନୁଧ୍ୟାନ କରି ଦେଖାଯିବ। ଫଳରେ ଏବେ ୫ ବା ୭ ସଦସ୍ୟଙ୍କ ବୃହତ୍ତର ଖଣ୍ଡପୀଠରେ ଏହାର ବୈଧତାର ବିଚାର କରାଯିବ। ଅତଏବ ନୂତନ ନ୍ୟାୟ ସଂହିତା ଆଇନ ଦେଶରେ ଚାଲୁ ହେଲେ ମଧ୍ୟ ପୁରୁଣା ଦେଶଦ୍ରୋହ ଆଇନର ବୈଧତା ସଂକ୍ରାନ୍ତ ମାମଲା ଏବେ ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ। ଏହି ପରିସ୍ଥିତିରେ ନୂତନ ଆଇନର ଭବିଷ୍ୟତ ନିରାପଦ ବୋଲି କୁହାଯାଇପାରିବ କି?

କିଶୋର ଜେନା
କଟକ, ମୋ: ୯୪୩୭୩୮୪୮୬୭

03 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର