ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କ’ଣ ରହିଛି ଦାନ ଓ ସ୍ନାନର ମାହାତ୍ମ୍ୟ…

The Sakala Picture
Published On

ବିଭିନ୍ନ ପୁରାଣ ଓ ଶାସ୍ତ୍ରରେ କାର୍ତ୍ତିକ ମାସର ଶ୍ରେଷ୍ଠତ୍ବ ପ୍ରତିପାଦନ କରାଯାଇଛି। ଏହି ମାସରେ ଏକାଧାରରେ ଶୈବ-ଶାକ୍ତ-ବୈଷ୍ଣବ-ଉପାସନା ବ୍ୟାପକ ଭାବରେ କରାଯିବାର ଶାସ୍ତ୍ରୀୟ ବିଧିବ୍ୟବସ୍ଥା ରହିଛି। କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ପାଳନ କାର୍ତ୍ତିକର ପ୍ରମୁଖ ବୈଶିଷ୍ଟ୍ୟ। ପୌରାଣିକ କଥାବସ୍ତୁ ଅନୁସାରେ, ଦେବ ଦେବ ମହାଦେବ ତ୍ରିପୁରାସୁର ନାମକ ରାକ୍ଷସକୁ ଏହି ଦିନ ବଧ କରିଥିଲେ। ଏହି କାରଣରୁ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରା ପୂର୍ଣ୍ଣମୀ ବୋଲି ମଧ୍ୟ କୁହାଯାଇଥାଏ। ‘କାର୍ତ୍ତିକ ମାହାତ୍ମ୍ୟ’ କଥାନୁସାରେ, ଶଙ୍ଖାସୁର ବେଦ […]

ବିଭିନ୍ନ ପୁରାଣ ଓ ଶାସ୍ତ୍ରରେ କାର୍ତ୍ତିକ ମାସର ଶ୍ରେଷ୍ଠତ୍ବ ପ୍ରତିପାଦନ କରାଯାଇଛି। ଏହି ମାସରେ ଏକାଧାରରେ ଶୈବ-ଶାକ୍ତ-ବୈଷ୍ଣବ-ଉପାସନା ବ୍ୟାପକ ଭାବରେ କରାଯିବାର ଶାସ୍ତ୍ରୀୟ ବିଧିବ୍ୟବସ୍ଥା ରହିଛି। କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ପାଳନ କାର୍ତ୍ତିକର ପ୍ରମୁଖ ବୈଶିଷ୍ଟ୍ୟ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ପୌରାଣିକ କଥାବସ୍ତୁ ଅନୁସାରେ, ଦେବ ଦେବ ମହାଦେବ ତ୍ରିପୁରାସୁର ନାମକ ରାକ୍ଷସକୁ ଏହି ଦିନ ବଧ କରିଥିଲେ। ଏହି କାରଣରୁ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରା ପୂର୍ଣ୍ଣମୀ ବୋଲି ମଧ୍ୟ କୁହାଯାଇଥାଏ। ‘କାର୍ତ୍ତିକ ମାହାତ୍ମ୍ୟ’ କଥାନୁସାରେ, ଶଙ୍ଖାସୁର ବେଦ ହରଣ କରି ନେଇଥିବାରୁ ଭଗବାନ ବିଷ୍ଣୁ ବେଦ ଉଦ୍ଧାର କରିବା ପାଇଁ ମତ୍ସ୍ୟ ଅବତାର ଗ୍ରହଣ କରିଥିଲେ। ଏହା ଶ୍ରୀବିଷ୍ଣୁଙ୍କର ପ୍ରଥମ ଅବତାର ଥିଲା। ମତ୍ସରୂପୀ ଶ୍ରୀବିଷ୍ଣୁ ଶଙ୍ଖାସୁରକୁ ବଧ କରି ଭଗବାନ ବିଷ୍ଣୁ ବ୍ରହ୍ମାଙ୍କୁ ପ୍ରଦାନ କଲେ। ତାହା ପାଇ ବ୍ରହ୍ମା ସନ୍ତୁଷ୍ଟ ହେଲେ ଏବଂ ବିଷ୍ଣୁଙ୍କୁ ନିବେଦନ କରି ବ୍ରହ୍ମା କହିଲେ, କାର୍ତ୍ତିକ ମାସରେ ତୁମେ ଜଳରେ ବାସ କରିବ। ତେଣୁ ବିଶ୍ବାସ ରହିଛି ଯେ, ଶ୍ରୀବିଷ୍ଣୁ କାର୍ତ୍ତିକ ମାସରେ ଜଳରେ ବାସ କରନ୍ତି ଏବଂ ପୂର୍ଣ୍ଣମୀ ଦିନ ବୈକୁଣ୍ଠ ଗମନ କରନ୍ତି। ତେଣୁ ଏହି ଦିନ ଶ୍ରୀବିଷ୍ଣୁଙ୍କ ଉପାସନା କଲେ ଅକ୍ଷୟ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ମହାଭାରତରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାର ମହତ୍ତ୍ବ ଉଲ୍ଲେଖ ରହିଛି। କଥାନୁସାରେ, ମହାଭାରତ ଯୁଦ୍ଧର ପାଣ୍ଡବମାନେ ଆତ୍ମୀୟଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ଯାଇଥିଲେ। ମୃତ ଆତ୍ମୀୟଙ୍କୁ ତୃପ୍ତ କରିବା ପାଇଁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣ ପଶିଲେ। ପାଣ୍ଡବଙ୍କ ଚିନ୍ତା ଦେଖି ଭଗବାନ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ କାର୍ତ୍ତିକ ପୂର୍ଣ୍ଣିମାରେ ପିଣ୍ଡଦାନ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ, ପାଣ୍ଡବମାନେ ଗଡ଼ ମୁକ୍ତେଶ୍ବରରେ ତର୍ପଣ ଓ ଦୀପ ଦାନ କରିଥିଲେ। ସେହିଭଳି କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶାଳଗ୍ରାମଙ୍କ ସହ ତୁଳସୀ ବିବାହ କରାଯାଏ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ ତୁଳସୀ ବୈକୁଣ୍ଠ ଗମନ କରନ୍ତି ବୋଲି ବିଶ୍ବାସ କରାଯାଏ। ତେଣୁ ଏହି ଦିନରେ ତୁଳସୀ ପୂଜନର ବିଶେଷ ମହତ୍ତ୍ବ ରହିଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର କିରଣ ପ୍ରଚୁର ପରିମାଣରେ ପୃଥିବୀ ଉପରେ ପଡ଼ିଥାଏ। ଏହି ପୂର୍ଣ୍ଣମୀରେ ଉପବାସ ଓ ବ୍ରତ ରଖିଲେ ହଜାରେ ଅଶ୍ୱମେଧ ଯଜ୍ଞ ଓ ରାଜସୂୟ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। କାର୍ତ୍ତିକ ପୂର୍ଣ୍ଣିମାରେ ଦେବୀ ଲକ୍ଷ୍ମୀଙ୍କ ଆରାଧନା କରିବା ଦ୍ବାରା ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ବାସ। ଏହି ପବିତ୍ର ଦିନରେ ସତ୍ୟନାରାୟଣଙ୍କ କଥା ଶୁଣିଲେ ସମସ୍ତ ସଙ୍କଟ ଦୂର ହୋଇଥାଏ।

ଏହି ଦିନ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରି ବିଭିନ୍ନ ପବିତ୍ର ଜଳାଶୟ, ତୀର୍ଥ ସ୍ଥାନରେ ସ୍ନାନ କଲେ ଅଶେଷ ପୁଣ୍ୟ ଅର୍ଜନ ହୋଇଥାଏ। ଏହି ମାସରେ ପୁଷ୍କରିଣୀରେ ସ୍ନାନ କଲେ ପାଞ୍ଚଗୁଣ, ନଦୀରେ ସ୍ନାନ କଲେ ଦଶଗୁଣ ଏବଂ ତୀର୍ଥରେ ସ୍ନାନ କଲେ ଲକ୍ଷେ ଗୁଣ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି। ସ୍ନାନ ସହ ହୋମ, ଦାନ, ତପ ଆଦି ଧାର୍ମିକ କାର୍ଯ୍ୟର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଏହି ପୂର୍ଣ୍ଣିମାରେ ଦାନ କରିବା ଦ୍ବାରା ଦଶଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ। କ୍ଷମତା ଅନୁସାରେ ଅନ୍ନ, ବସ୍ତ୍ରାଦି ଏହି ଦିନରେ ଦାନ କରିବା ଉଚିତ। ଏହାଦ୍ୱାରା ଘର-ପରିବାରରେ ସୁଖ ସମୃଦ୍ଧି ବଢ଼ିଥାଏ। ଏହି ପୂର୍ଣ୍ଣିମାରେ ଅନ୍ନଦାନ, ବସ୍ତ୍ରଦାନ, ଧନଦାନ ଆଦି କଲେ ମନୁଷ୍ୟ ଅକ୍ଷୟ ପୁଣ୍ୟର ଅଧିକାରୀ ହୋଇଥାଏ। ସେହିଭଳି କାର୍ତ୍ତିକ ପୂର୍ଣ୍ଣିମାରେ ଦୀପଦାନର ବିଶେଷ ମହତ୍ତ୍ୱ ଅଛି। ଏହି ଦିନ ନଦୀରେ ଦୀପଦାନ କଲେ ସମସ୍ତ ସଙ୍କଟ ସମାପ୍ତ ହୋଇଥାଏ ଏବଂ ଋଣରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp