ମନୋରଞ୍ଜନ
ଓଡ଼ିଶା
ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା
ଇରାନ ସହିତ ଲାଗି ରହିଥିବା ଉତ୍ତେଜନା ଏବଂ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ଏହାର ସାମରିକ ପ୍ରସ୍ତୁତିକୁ ଅଧିକ ବ୍ୟାପକ କରିଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ (WSJ)ର ରିପୋର୍ଟ ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନ୍ୟ ଏବଂ ଯୁଦ୍ଧାସ୍ତ୍ର ମୁତୟନ ଅବଧିକୁ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବିନା କୌଣସି ଔପଚାରିକ ଘୋଷଣାରେ ଏହି ସୈନ୍ୟ ଅବଧି ବୃଦ୍ଧି କରାଯାଇଛି।
ଟ୍ରମ୍ପଙ୍କ ନୂଆ ରଣନୀତି
ଏହି ପଦକ୍ଷେପ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ବିରୋଧରେ ବିଭିନ୍ନ ସାମରିକ ଏବଂ ଅର୍ଥନୈତିକ ବିକଳ୍ପ ପ୍ରଦାନ କରିବା ଉଦ୍ଦେଶ୍ୟରେ ନିଆଯାଇଛି। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ପ୍ରାୟ ୫୦,୦୦୦ ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି। ଏହା ସହିତ ୧୯ଟି ଯୁଦ୍ଧପୋତ, ବାୟୁ ପ୍ରତିରକ୍ଷା ୟୁନିଟ୍ ଏବଂ ପାରାଟ୍ରୁପରମାନେ ମଧ୍ୟ ସକ୍ରିୟ ଅଛନ୍ତି। ଆମେରିକା ପ୍ରଶାସନ ଇରାନ ଉପରେ କ୍ରମାଗତ ଆର୍ଥିକ ଚାପ ପକାଇ ଏହାର ପରମାଣୁ କାର୍ଯ୍ୟକ୍ରମକୁ ଧ୍ୱଂସ କରିବା କିମ୍ବା ସେଠାକାର ଶାସନ ବ୍ୟବସ୍ଥାର ପତନ ଘଟାଇବାକୁ ଲକ୍ଷ୍ୟ ରଖିଛି।
ସେନା ଉପରେ ପଡ଼ୁଛି ପ୍ରଭାବ
ସେନା ମୁତୟନ ଅବଧି ଦୀର୍ଘ ହେବା କାରଣରୁ ଆମେରିକୀୟ ଯବାନ, ସେମାନଙ୍କ ପରିବାର ଏବଂ ସାମରିକ ଉପକରଣଗୁଡ଼ିକର ରକ୍ଷଣାବେକ୍ଷଣ ଉପରେ ବ୍ୟାପକ ପ୍ରଭାବ ପଡ଼ୁଛି। ସାଧାରଣତଃ ଆମେରିକୀୟ ବାୟୁ ପ୍ରତିରକ୍ଷା କର୍ମଚାରୀଙ୍କ ମୁତୟନ ଅବଧି ୯ ମାସ ଥାଏ, କିନ୍ତୁ ଏବେ ତାହାକୁ ବୃଦ୍ଧି କରି ୧୨ ମାସ କରାଯାଇଛି। ଲଗାତାର ଭାବେ ଯୁଦ୍ଧପୋତଗୁଡ଼ିକ ମୁତୟନ ରହିବା ଫଳରେ ରକ୍ଷଣାବେକ୍ଷଣ ସମସ୍ୟା ମଧ୍ୟ ଦେଖାଦେଉଥିବା ରିପୋର୍ଟରେ କୁହାଯାଇଛି।






