ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

Madhusudan Das Picture
Published On

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ବଦଳିବ କେନ୍ଦ୍ରରେ ମୋଦୀ ସରକାରଙ୍କ କ୍ୟାବିନେଟ୍‌ ଚେହେରା। ମନ୍ତ୍ରିମଣ୍ଡଳରୁ ପ୍ରାୟ ଏକ ଡ଼ଜନରୁୁ ଉର୍ଦ୍ଧ୍ୱ ମନ୍ତ୍ରୀଙ୍କୁ ଅପସାରଣ କରାଯିବ ଓ  ୧୫ରୁ ଉର୍ଦ୍ଧ୍ୱ ବିଭାଗର ମନ୍ତ୍ରୀମାନଙ୍କର  ବିଭାଗ ପରିବର୍ତ୍ତନ ହେବ। ଏନ୍‌ଡ଼ିଏର ପ୍ରମୁଖ ସହଯୋଗୀ ଜେଡ଼ିୟୁ, ଟିଡ଼ିପି, ଶିବସେନା (ସିନ୍ଦେ)କୁ ଗୋଟିଏ ଲେଖାଏଁ କ୍ୟାବିନେଟ ପାହ୍ୟା ସହ ମୋଟ ୫ରୁ ୬ଟି ମନ୍ତ୍ରୀପଦ ମିଳିବ। ଏହା ସହ ୨୦୨୭ରେ ବିଧାନସଭା ନିର୍ବାଚନ ହେବାକୁଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, ପଞ୍ଜାବ, ହିମାଚଳ ପ୍ରଦେଶ, ଗୁଜରାଟ ଆଦି ରାଜ୍ୟକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଗୁରୁତ୍ୱ ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁୁରୁଷୋତ୍ତମ ମାସ ଅର୍ଥାତ୍‌ ମଳମାସ ୧୫ ତାରିଖରେ ଶେଷ ହେବ ଓ ୧୬ ତାରିଖରେ ପ୍ରତିପଦ । ତେଣୁ ୧୭ ଓ ୧୮ ତାରିଖରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବାର ସମ୍ଭାବନା ରହିଛି । ବିଜେପିର ରାଶି ନକ୍ଷତ୍ର ଅନୁସାରେ ୧୭ ତାରିଖ ଅଧିକ ଶୁଝୁଥିବାରୁ ଏହିଦିନ ପ୍ରଧାନମନ୍ତ୍ରୀ ସରକାରର ପୁନର୍ବିନ୍ୟାସ କରିପାରନ୍ତି। ଏହି ଅଦଳବଦଳରେ ବିଜେପିର ଅନ୍ୟୂନ ୩  କ୍ୟାବିନେଟ ଓ ୩  ରାଷ୍ଟ୍ରମନ୍ତ୍ରୀଙ୍କ ସହ ମୋଟ ଡ଼ଜନେରୁ  ଊର୍ଦ୍ଧ୍ବ ମନ୍ତ୍ରୀ ବାଦ ପଡ଼ିପାରନ୍ତି। ଅନୁରୂପ ଭାବରେ କୃଷି, ଆଇନ, ପରିବେଶ, ଜଳଶକ୍ତି,  ରେଳ, ଅର୍ଥ, କର୍ପୋରେଟ୍‌ ବ୍ୟାପାର, କୋଇଲା, ବୟନଶିଳ୍ପ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ଗ୍ରାମୀଣ ବିକାଶ, ସାର ଓ ରସାୟନ, ସହକାରୀତା, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀମାନଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ। ଏହାସହ ଅତିରିକ୍ତ ଦାୟିତ୍ୱରେ ପରିଚାଳିତ ହେଉଥିବା ଦୁଇ ତିନୋଟି ବିଭାଗ ପାଇଁ ପୃଥକ କ୍ୟାବିନେଟ୍‌ ମନ୍ତ୍ରୀ ନିଯୁକ୍ତ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିର କିଛି  ବରିଷ୍ଠ ନେତାଙ୍କୁ ସରକାରରୁ ପ୍ରତ୍ୟାହାର କରି ସଂଗଠନ ଦାୟିତ୍ୱ ଅର୍ପଣ କରାଯାଇପାରେ। ଜଣେ ପ୍ରଭାବଶାଳୀ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଦକ୍ଷିଣ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପିର ସଂଗଠନିକ ଦାୟିତ୍ୱ ଦିଆଯାଇପାରେ ଓ ଜଣେ ନେତାଙ୍କୁ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ନିଯୁକ୍ତ କରାଯାଇପାରେ। ୨୦୨୯ ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେବାକୁଥିବା ୭ ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶ, ପଞ୍ଜାବ ଭଳି ରାଜ୍ୟକୁ ଦୃଷ୍ଟିରେ ରଖି ସରକାର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିବେ। ପଞ୍ଜାବରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବାରୁ ଆମଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଘବ ଚଡ୍ଡା ଓ ତାଙ୍କ ସହଯୋଗୀଙ୍କୁ ମଧ୍ୟ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇପାରେ।  ଅନ୍ୟପକ୍ଷରେ ଆଗାମୀ ସମ୍ପ୍ରସାରଣ ସମୟରେ ବିଜେପି ଯୁବ ମୁହଁ, ଆଞ୍ଚଳିକ ସନ୍ତୁଳନ, ସାମାଜିକ ପ୍ରତିନିଧିତ୍ୱକୁ ଗୁରୁ୍‌ତ୍ବ ଦେବ ବୋଲି କୁହାଯାଉଛି ।  କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ପୂର୍ବରୁ ଇତିମଧ୍ୟରେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଗ୍ରାମୀଣ ବିକାଶ, ରସାୟନ ଓ ପେଟ୍ରୋକେମିକାଲ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂଆ ସଚିବ ନିଯୁକ୍ତି ହୋଇସାରିଛି। ନୂଆ ମନ୍ତ୍ରୀମାନେ ଦାୟିତ୍ୱ ନେବା ପୂର୍ବରୁ ପ୍ରଶାସନିକ ଢାଞ୍ଚାକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନେ କରାଯାଉଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର