ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଦୁଇ ଦେଶ ମଧ୍ୟରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ମସ୍କୋ: ଆଜି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦୁଇ ଦନିଆ ଭାରତ ଗସ୍ତରେ ଆଜି ଦିଲ୍ଲୀରେ ପହଞ୍ଚିବେ ପୁଟିନ । ପୁଟିନଙ୍କ ଗସ୍ତ ପାଇଁ ଦିଲ୍ଲୀରେ ଅତ୍ୟାଧୁନିକ ଓ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ ହୋଇଛି । ଭାରତୀୟ ଓ ରୁଷ୍ ସୁରକ୍ଷା ଏଜେନ୍ସିଗୁଡ଼ିକ ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ରୁଷ୍ରୁ ପ୍ରାୟ ୫୦ରୁ ଅଧିକ ସୁରକ୍ଷା ଅଧିକାରୀ ପୂର୍ବରୁ ଦିଲ୍ଲୀ ପହଞ୍ଚି ବିଭିନ୍ନ ମାର୍ଗ, ସ୍ଥାନ ଓ ବ୍ୟବସ୍ଥା ଯାଞ୍ଚ କରିସାରିଛନ୍ତି । ପୁଟିନଙ୍କ ଚାରିପଟେ ପାଞ୍ଚଟି ସ୍ତରର ଅଭେଦ୍ୟ ସୁରକ୍ଷା ବଳୟ ରହିବ । ବାହ୍ୟ ସ୍ତରଗୁଡ଼ିକୁ ଭାରତର ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି) ଓ ଦିଲ୍ଲୀ ପୁଲିସ ନିୟନ୍ତ୍ରଣ କରିବେ ।
ଏହି ଅବସରରେ ଭାରତ ଓ ରୁଷ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି । ଏଥିମଧ୍ୟରେ ରହିଛି ପାରସ୍ପରିକ ସାମରିକ ଘାଟି ବ୍ୟବହାର ପାଇଁ ଅନୁମତି । ଏହି ଚୁକ୍ତି କର୍ଯ୍ୟକାରୀ ହେଲେ ଉଭୟ ଭାରତ ଏବଂ ରୁଷିଆ ପରସ୍ପରର ସାମରିକ ଘାଟି ଲଜିଷ୍ଟିକ ସେବା ପାଇଁ ବ୍ୟବହାର କରିପାରିବେ । ଦୁଇ ଦେଶ ପରସ୍ପରର ସାମରିକ ଘାଟି ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ, ସମ୍ବଳକୁ ମଧ୍ୟ ବ୍ୟବହାର କରିପାରିବେ । ଏଥିେର ବନ୍ଦର ଏବଂ ଅନ୍ୟ ସାମରିକ ଭିତ୍ତିଭୂମି ରହିଛି । ଏସଂକ୍ରାନ୍ତ ପ୍ରସ୍ତାବକୁ ରୁଷ ସଂସଦ ‘ଡୁମା’ ମଞ୍ଜୁରୀ ପ୍ରଦାନ କରିଛି ।
ଚଳିତ ବର୍ଷ ଫେବୃଆରୀ ୧୮ରେ ଏହି ଚୁକ୍ତି ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତ ସପ୍ତାହରେ ରୁଷିଆ ପ୍ରଧାନମନ୍ତ୍ରୀ ମିଖାଇଲ୍ ମିସୁଷ୍ଟିନ୍ ମଞ୍ଜୁରୀ ପାଇଁ ଏହାକୁ ସଂସଦକୁ ପଠାଇଥିଲେ । ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଓ ସାମରିକ ଚୁକ୍ତି ଆହୁରି ଦୃଢ଼ ହେବ ବୋଲି ରୁଷିଆ ସଂସଦ ବାଚସ୍ପତି ଭ୍ୟାଚେସ୍ଲାଭ ଭୋଲୋଡିନ କହିଛନ୍ତି । ସାମରିକ ଦୃଷ୍ଟିକୋଣରୁ ଏହି ଚୁକ୍ତି ବିଶେଷ ମହତ୍ତ୍ୱ ରଖୁଛି । ଏସଂପର୍କରେ ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ଐତିହାସିକ ହେବ । ଉଭୟ ଦେଶ ପରସ୍ପରର ସାମରିକ ଘାଟିକୁ ଇନ୍ଧନ, ସାମଗ୍ରୀ ଯୋଗାଣ, ରକ୍ଷଣାବେକ୍ଷଣ ଏବଂ ବର୍ଥିଂ ପାଇଁ ବ୍ୟବହାର କରିପାରିବେ । କେବଳ ସାମରିକ କାର୍ଯ୍ୟକଳାପ ନୁହେଁ, ସମରାଭ୍ୟାସ ଏବଂ ବିପର୍ଯ୍ୟୟ ସମୟରେ ରିଲିଫ୍ ଯୋଗାଣ ପାଇଁ ସାମରିକ ପ୍ରତିଷ୍ଠାନର ବ୍ୟବହାର କରାଯାଇ ପାରିବ । ଆମେରିକା ସହିତ ମଧ୍ୟ ଭାରତର ଏଭଳି ଚୁକ୍ତି ରହିଛି । ଉଭୟ ଆମେରିକା ଏବଂ ରୁଷିଆ ସହିତ ଏଭଳି ଚୁକ୍ତି କରିବାରେ ଭାରତ ହେଉଛି ବିଶ୍ବର ଏକାମାତ୍ର ଦେଶ ବୋଲି ସେ କହିଛନ୍ତି । ଏହାସହିତ ଦୁଇ ଦେଶ ମଧ୍ୟରେ ବେସାମରିକ ପରମାଣୁ ସହଯୋଗ ପାଇଁ ମଧ୍ୟ ଚୁକ୍ତି ସ୍ବାକ୍ଷରିତ ହେବ ବୋଲି ମସ୍କୋ ପକ୍ଷରୁ ସୂଚନା ଦିଆଯାଇଛି ।
ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ସହିତ ରୁଷ ସଂପର୍କ ତିକ୍ତ ରହିଥିବା ବେଳେ ପୁତିନ ଭାରତ ଗସ୍ତରେ ଆସୁଛନ୍ତି । ରୁଷ ସହିତ ବାଣିଜ୍ୟ କାରବାର ଉପରେ ଆମେରିକା କଟକଣା ଜାରି କରିିଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ବାଧ୍ୟ କରୁଛି । କିନ୍ତୁ ଭାରତ କଟକଣା ମାନୁ ନଥିବାରୁ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିଛି । ତେବେ ପୁଟିନଙ୍କ ଏହି ଗସ୍ତ ଅବସରରେ ସାମରିକ ଚୁକ୍ତି ସମେତ ତେଲ ଓ ଅନ୍ୟାନ୍ୟ ବାଣିଜ୍ୟ କାରବାର ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।





