କାନପୁରରେ ୧୪୬ କୋଟି ଟଙ୍କାର ଜିଏସଟି ଠକେଇ ରାକେଟ୍ ଠାବ, ମାଷ୍ଟରମାଇଣ୍ଡ ଗିରଫ

Suryakanta Picture
Published On

ଉତ୍ତରପ୍ରଦେଶର କାନପୁର ପୋଲିସ ଏକ ବଡ଼ ଧରଣର ଆର୍ଥିକ ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ନକଲି କମ୍ପାନୀ (ଫେକ୍ ଫାର୍ମ) ଗଠନ କରି ଜିଏସଟି ଠକେଇ, ଆୟକର ଫାଙ୍କିବା ଏବଂ ହାୱାଲା କାରବାର ମାଧ୍ୟମରେ ପ୍ରାୟ ୧୪୬ କୋଟି ଟଙ୍କାର ଘୋଟାଲା ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ମହଫୁଜ ଅଲି ଓରଫ 'ପପ୍ପୁ ଛୁରୀ'ଙ୍କୁ କାନପୁର ପୋଲିସ କମିଶନରେଟ୍ ଗିରଫ କରିଛି। ଏହି ବିଶାଳ ନେଟୱର୍କରେ କବାଡ଼ି (ସ୍କ୍ରାପ୍) ଏବଂ କଂସେଇଖାନା (ସ୍ଲଟରହାଉସ୍) ବ୍ୟବସାୟ ସହ ଜଡିତ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ନକଲି କମ୍ପାନୀ ଏବଂ ଗରିବଙ୍କ ପ୍ୟାନ୍ କାର୍ଡର ବ୍ୟବହାର

ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗ ଅର୍ଦ୍ଧ-ଶିକ୍ଷିତ ଶ୍ରମିକ, ରଙ୍ଗମିସ୍ତ୍ରୀ ଏବଂ ଦିନମଜୁରିଆଙ୍କ ପ୍ୟାନ୍ ଏବଂ ଆଧାର କାର୍ଡ ବ୍ୟବହାର କରି ନକଲି କମ୍ପାନୀମାନ ଖୋଲୁଥିଲେ। ଗରିବ ଲୋକଙ୍କୁ ଲୋନ୍ କିମ୍ବା ବୀମା କରାଇଦେବାର ଲୋଭ ଦେଖାଇ ସେମାନଙ୍କ ଦଲିଲ୍ ହାସଲ କରାଯାଉଥିଲା। ଏହା ପରେ ସେହି ଦଲିଲ୍ ଆଧାରରେ ନକଲି ଜିଏସଟି ପଞ୍ଜୀକରଣ କରାଯାଇ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଉଥିଲା।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ମାଷ୍ଟରମାଇଣ୍ଡ ମହଫୁଜ ଅଲି ନିଜ ପରିବାର ଏବଂ ଅନ୍ୟ ଲୋକଙ୍କ ନାମରେ ପ୍ରାୟ ୬୮ଟି ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। କେବଳ ଗୋଟିଏ ନକଲି ସଂସ୍ଥା 'ଆଫିସା ଏଣ୍ଟରପ୍ରାଇଜେସ୍' ମାଧ୍ୟମରେ ୧୪୬ କୋଟି ଟଙ୍କାର ବେଆଇନ କାରବାର ହୋଇଥିବା ତଦନ୍ତରୁ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

କବାଡ଼ି ଓ କଂସେଇଖାନା ବ୍ୟବସାୟରୁ ଆସୁଥିଲା ଟଙ୍କା

କାନପୁର ପୋଲିସ କମିଶନର ରଘୁବୀର ଲାଲ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କବାଡ଼ି ବ୍ୟବସାୟୀ ଏବଂ କଂସେଇଖାନା ଚଳାଉଥିବା ଲୋକମାନେ ଏହି ବେଆଇନ ଅର୍ଥ କାରବାରରେ ସାମିଲ ଥିଲେ। ବିଭିନ୍ନ ଫାର୍ମରୁ ଆସୁଥିବା ଟଙ୍କାକୁ ମହଫୁଜ ନିଜ ଆକାଉଣ୍ଟରୁ ଉଠାଇ ନେଉଥିଲା ଏବଂ କମିଶନ ରଖିବା ପରେ ନଗଦ ଆକାରରେ ସେହି ଫାର୍ମଗୁଡ଼ିକୁ ଫେରାଇ ଦେଉଥିଲା। ଏହି ରାକେଟ୍ ଜରିଆରେ ବ୍ୟାପକ ମାତ୍ରାରେ ଜିଏସଟି ଫାଙ୍କିବା ସହ ହାୱାଲା ଟ୍ରାଞ୍ଜାକ୍ସନ୍ କରାଯାଉଥିଲା।

ଓକିଲଙ୍କ ସହାୟତାରେ ଚାଲିଥିଲା ନେଟୱର୍କ

ପୋଲିସର ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ନକଲି ଜିଏସଟି ଫାର୍ମ ଗୁଡ଼ିକୁ ତିଆରି କରିବାରେ ଫିରୋଜ ଖାନ୍ ନାମକ ଜଣେ ଓକିଲ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ। ବର୍ତ୍ତମାନ ପୋଲିସ ଫିରୋଜଙ୍କ ସମେତ ରାକେଟରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଯଥା ତାହିର, ଅଜମେରୀ ଏବଂ ରୁସ୍ତମଙ୍କୁ ଖୋଜୁଛି।

ଏହି ଅପରେସନ୍ କୁ ଚକେରୀ ପୋଲିସ, ସାଇବର ସେଲ୍ ଏବଂ ସର୍ଭିଲାନ୍ସ ୟୁନିଟ୍ ମିଳିତ ଭାବେ କାର୍ଯ୍ୟକାରୀ କରିଛନ୍ତି। ଏହା ପୂର୍ବରୁ ଫେବୃଆରୀ ମାସରେ ହୋଇଥିବା ଏକ ଲୁଟ୍ ଘଟଣାର ତଦନ୍ତ ବେଳେ ପୋଲିସକୁ କିଛି ସନ୍ଦିଗ୍ଧ ନଗଦ କାରବାରର ସୁରାକ ମିଳିଥିଲା, ଯାହା ପରେ ଖୋଳତାଡ଼ କରିବାରୁ ଏହି ବିଶାଳ ଘୋଟାଲାର ପର୍ଦ୍ଦାଫାଶ ହୋଇପାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର