ଆଜି ଭୋଟ୍ ଦେଉଛି ବିହାର: ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଚାଲିଛି ମତଦାନ
ତେଜସ୍ବୀ, ତେଜପ୍ରତାପଙ୍କ ସମେତ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା
ପାଟନା: ବିହାର ବିଧାନସଭା ପାଇଁ ଆଜି ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ରାଜ୍ୟର ୧୮ଟି ଜିଲ୍ଲାର ୧୨୧ଟି ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି । ବିଧାନସଭାର ମୋଟ୍ ୨୪୩ଟି ଆସନ ମଧ୍ୟରୁ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ୧୧ତାରିଖରେ ଅବଶିଷ୍ଟ ଆସନରେ ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୩୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୩ କୋଟି ୭୫ ଲକ୍ଷ ଭୋଟର । ବିହାର ଜନତା କାହା ହାତରେ ଶାସନ ଡୋରି ଦେବେ ତାହା ଉପରେ ସାରା ଦେଶର ନଜର ରହିଛି ।
ଆଜି ଯେଉଁ ନେତାମାନଙ୍କର ଭାଗ୍ୟ ନିର୍ଦ୍ଧାରିତ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ, ତାଙ୍କ ଭାଇ ତେଜପ୍ରତାପ ଯାଦବ, ବିଜେପି ନେତା ସମ୍ରାଟ ଚୌଧୁରୀ, ବିଜୟ କୁମାର ସିହ୍ନା ଓ ଅନନ୍ତ ସିଂହ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସାମିଲ ଥିବା ୧୮ଟି ଜିଲ୍ଲା ହେଲା ପାଟନା, ଭୋଜପୁର, ବକ୍ସର, ଗୋପାଳଗଞ୍ଜ, ସିବାନ, ସାରନ, ମୁଜାଫରପୁର, ବୈଶାଳୀ, ସମଷ୍ଟିପୁର, ମାଧେପୁରା, ସହର୍ଶା, ଖାଗାରିଆ, ବେଗୁସରାଇ, ମୁଙ୍ଗେର, ଲକ୍ଷିସରାଇ, ଶେଖପୁରା ଓ ନାଳନ୍ଦା । ଏହି ନିର୍ବାଚନରେ ଦରଭଙ୍ଗା, ମୁଙ୍ଗେର ଓ ପାଟନା ଡିଭିଜନ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି ।
ଶାସକ ଏନ୍ଡିଏରୁ ଜେଡିୟୁ ୫୭, ବିଜେପି ୪୮, ଏଜେପି (ରାମ ବିଳାଶ) ୧୩, ଆରଏଲ୍ଏମ୍ ୨, ହାମ୍ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛନ୍ତି । ସେହିପରି ଇଣ୍ଡିଆ ମହାମେଣ୍ଟ ପକ୍ଷରୁ ଆରଜେଡି ୭୨, କଂଗ୍ରେସ ୨୪, ସପିଆଇ(ଏମ୍ଏଲ) ୧୪ ଓ ଭିଆଇପି ଏବଂ ସିପିଆଇ ୬ଟି ଲେଖାଏ ଆସନରେ ପ୍ରାର୍ଥୀ ଦେଇଛନ୍ତି ।





