ମନୋରଞ୍ଜନ
ଓଡ଼ିଶା
ଦିଲ୍ଲୀ କାର୍ ବିସ୍ଫୋରଣ ପାଇଁ ଆସିଥିଲା ୪୦ ଲକ୍ଷ, ଟଙ୍କା ଭାଗବାଣ୍ଟାକୁ ନେଇ ଆତଙ୍କୀଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା
ନୂଆଦିଲ୍ଲୀ: ଗତ ନଭେମ୍ବର ୧୦ ତାରିଖରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ପାଇଁ ମିଳିଥିଲା ୪୦ ଲକ୍ଷ ଟଙ୍କା । ଏହି ୪୦ ଲକ୍ଷ ଟଙ୍କା ପାଇଁ ବିସ୍ଫୋରଣରେ ସାମିଲ ଆତ୍ମଘାତୀ ଡକ୍ଟର ଉମର ଏବଂ ଡକ୍ଟର ମୁଜାମ୍ମିଲ ମଧ୍ୟରେ ବିବାଦ ହୋଇଥିଲା । ଏହି ପାଣ୍ଠି ଜମାତରୁ ଆସିଥିଲା। ଏହି ଟଙ୍କା ବ୍ୟବହାର କରି ସାମଗ୍ରୀ କିଣିବା ନେଇ ଉମର ଏବଂ ମୁଜାମ୍ମିଲ ମଧ୍ୟରେ ବିବାଦ ଥିଲା। ଏହି ମାମଲାରେ ଏନଆଇଏ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଏକ ମସଜିଦରୁ ମୌଲବୀ ଇସ୍ତିଆକକୁ ଗିରଫ କରିଛି। ସେ ଜମାତ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ପାଇଥିଲା। ଏହାକୁ ମୁଜାମ୍ମିଲ ବିସ୍ଫୋରଣ ପାଇଁ ସାମଗ୍ରୀ କିଣିବାରେ ବ୍ୟବହାର କରିଥିଲେ। ଅନ୍ୟପଟେ ସବୁ ଆତଙ୍କବାଦୀ ପୃଥକ ହ୍ୟାଣ୍ଡଲରଙ୍କ ସଂସ୍ପର୍ଶରେ ଥିଲେ ବୋଲି ଜଣାପଡ଼ିଛି।
ଉମର ଓ ମୁଜମିଲ୍କୁ ମିଳିଥିବା ୪୦ ଲକ୍ଷ ଟଙ୍କାରେ ଅନେକ ପ୍ରକାରର ବିସ୍ଫୋରକ ସାମଗ୍ରୀ କିଣାଯାଇଥିଲା । ଗିରଫ ମୌଲବୀକୁ ଏକ କଠୋରପନ୍ଥୀ ଗୋଷ୍ଠୀ ଜରିଆରେ ପାକିସ୍ତାନ ଟଙ୍କା ପଠାଉଥିଲା । ମୌଲବୀ ଏହି ୪୦ ଲକ୍ଷ ଟଙ୍କା ନେଇ ଉମରକୁ ଦେଉଥିଲା । ଏହାପରେ ଉମର ଓ ମୁଜମିଲ୍ ମିଳିମିଶି ବିସ୍ଫୋରକ ସାମଗ୍ରୀ କିଣୁଥିଲେ । ତଦନ୍ତ ବେଳେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିଛି । ଫରିଦାବାଦ ପୁଲିସ ଧୋଜ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ଛାନଭିନ୍ ଚଳାଇଥିଲା । ଏଠାରେ ଥିବା ମସଜିଦ, ଦୋକାନ, ହୋଟେଲ୍ ଓ ଏକାଧିକ ଘରେ ଚଢ଼ାଉ କରିଥିଲା ପୁଲିସ । ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ଅଭିଯୁକ୍ତମାନେ ପ୍ରତ୍ୟେକ ଅଲଗା ଅଲଗା ହ୍ୟାଣ୍ଡଲରକୁ ରିପୋର୍ଟ କରୁଥିଲେ । ବିସ୍ଫୋରଣ ଘଟାଇଥିବା ଡାକ୍ତର ଉମର୍ର ଦୁଇ ଜଣ ହ୍ୟାଣ୍ଡଲର ଥିଲେ । ଏହି ଦୁଇ ହ୍ୟାଣ୍ଡଲରଙ୍କ ଜଣେ ବରିଷ୍ଠ ଆତଙ୍କୀ ହ୍ୟାଣ୍ଡଲର ରହିଥିଲା । ଯିଏ କି ପୂରା ଗତିବିଧିର ତଦାରଖ କରୁଥିଲା ।






