Arunachal road accident: ଅରୁଣାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା: ୧୦୦୦ ଫୁଟ ଗଭୀର ଖାଇକୁ ଖସିଲା ଟ୍ରକ୍, ୨୨ ଶ୍ରମିକ ମୃତ
ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା। ୧୦୦୦ ଫୁଟ ଖାଇକୁ ଟ୍ରକ୍ ଖସି ୨୨ ଶ୍ରମିକ ମୃତ । ଅଞ୍ଜୱା ଜିଲ୍ଲାର ଚଗ୍ଲଗାମ ଅଞ୍ଚଳରେ ଶ୍ରମିକମାନେ କାମ କରିବାକୁ ଗଲା ବେଳେ ଘଟିଛି ଏହି ଦୁର୍ଘଟଣା । ମୃତ ସମସ୍ତ ଶ୍ରମିକ ଆସାମର ହୋଇଥିବା ସୂଚନା । ସୂଚନା ଅନୁସାରେ, ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ବିପଜ୍ଜନକ ପାହାଡ଼ିଆ ରାସ୍ତାରୁ ଖସି ହଜାର ଫୁଟ ଗଭୀର ଖାଲରେ ପଡ଼ିଛି । ଟ୍ରକରେ ଥିବା ସମସ୍ତ ଶ୍ରମିକ ତିନସୁକିଆର ଗେଲାପୁଖୁରୀ ଚା’ ବଗିଚାର ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ କେବଳ ଜଣେ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ପୋଲିସ, ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଏବଂ ସେନା ଟିମ୍ ମିଳିତ ଭାବେ ଏହି ଅପରେସନ ଚଲାଇଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆସାମ ଏବଂ ଅରୁଣାଚଳ ପ୍ରଦେଶର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଏକ କଣ୍ଟ୍ରାକ୍ଟ ପାଇଁ ଅରୁଣାଚଳ ପ୍ରଦେଶର ଏକ ପ୍ରୋଜେକ୍ଟ ସାଇଟକୁ ଯାଉଥିଲେ ସମସ୍ତ ଶ୍ରମିକ । କିନ୍ତୁ ବିପଜ୍ଜନକ ଘାଟି ରାସ୍ତାରେ ଟ୍ରକଟି ଯିବାବେଳେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । କିଛି ଶ୍ରମିକଙ୍କ ପରିଚୟ ମିଳିଥିବା ବେଳେ ଏପର୍ଯ୍ୟନ୍ତ ୩ ଜଣ ଶ୍ରମିକଙ୍କ ପରିଚୟ ମିଳିନାହିଁ । ବାକି ଲୋକଙ୍କୁ ଖୋଜା ଚାଲିଛି । ମୃତକଙ୍କ ପରିବାରକୁ ଏନେଇ ସୂଚନା ମଧ୍ୟ ଦିଆଯାଇଛି । ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଏବଂ ଖରାପ ରାସ୍ତା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବହୁତ ଅସୁବିଧା ହେଉଛି ।





