ମହାନଦୀ ଜଳ ବିବାଦ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ଓଡିଶା ମୁଖ୍ୟମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍‌ ପାଟିଲ, ସିଡବ୍ଲ୍ୟୁସି ତଥା ଉଭୟ ରାଜ୍ୟ ପକ୍ଷରୁ ଗଠିତ ବୈଷୟିକ ଟିମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି। ବିଶେଷକରି ଦୁଇ ରାଜ୍ୟ ମଧ୍ୟରେ ଜଳ ବଣ୍ଟନର କୌଣସି ନିର୍ଦ୍ଦିଷ୍ଟ ଫର୍ମୂଲା ଉପରେ ସହମତି ହେବ କି ନାହିଁ, ତାହା ଉପରେ ନଜର ରହିବ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ସେପ୍ଟେମ୍ବର ୩୦ରେ 'ଓଡ଼ିଶା ବନ୍ଦ' ଡାକରା ଦେଲା ନବ ନିର୍ମାଣ କୃଷକ ସଂଗଠନ

ସୂଚନାଯୋଗ୍ୟ ଯେ ଛତିଶଗଡ଼କୁ ନେଇ ଓଡ଼ିଶା ସରକାର, ଜଳ ବିଶେଷଜ୍ଞଙ୍କର ମୁଖ୍ୟତଃ ତିନୋଟି ଅଭିଯୋଗ ରହିଆସିଛି। ଅଣମୌସୁମୀ ସମୟରେ ଓଡ଼ିଶାକୁ ଦାବି ଅନୁଯାୟୀ ଛତିଶଗଡ଼ ଉପରମୁଣ୍ଡରୁ ଜଳ ଛାଡ଼ିନଥାଏ। ସେହିପରି ମୌସୁମୀ ସମୟରେ ବିନା ଆଗୁଆ ତଥ୍ୟରେ ଛତିଶଗଡ଼ ହଠାତ୍‌ ପାଣି ଛାଡ଼ୁଥିବା ବେଳେ ଏହା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି କରିଥାଏ। ତୃତୀୟ ତଥା ସବୁଠାରୁ ବଡ଼ ଉଦବେଗ ଉପରମୁଣ୍ଡରେ ଛତିଶଗଡ଼ର ବେଆଇନ ନିର୍ମାଣ ଅଟେ। ନିକଟ କିଛି ବର୍ଷରେ ବିନା ସିଡବ୍ଲ୍ୟୁସିଙ୍କ ଅନୁମତିରେ ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ଏକାଧିକ ବ୍ୟାରେଜ, ଆନିକଟ ନିର୍ମାଣ କରିଛି। ସମାନ ସମୟରେ ସିଡବ୍ଲ୍ୟୁସିର ନିୟମାବଳୀର ଅନୁପାଳନ କରିବାକୁ ଯାଇ ଓଡ଼ିଶା ତଳମୁଣ୍ଡରେ କୌଣସି ନିର୍ମାଣ କାର୍ଯ୍ୟ କରିନାହିଁ। ଯାହାଫଳରେ ଓଡ଼ିଶା ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଓଡ଼ିଶାକୁ କେଉଁ ପ୍ରକାର ନ୍ୟାୟ ମିଳୁଛି, ତାହାକୁ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। ଅପରପକ୍ଷେ ଛତିଶଗଡ଼ ସହ ଆପୋସ ସମାଧାନର ସୂତ୍ର କଣ ତାହା ରାଜ୍ୟ ସରକାର ଏଯାବତ୍‌ ସର୍ବସାଧାରଣରେ ପ୍ରକାଶ କରିନାହାନ୍ତି। 

ଆହୁରି ପଢ଼ନ୍ତୁ: କଟକରେ ନକଲି ପନିର ଓ ଛେନା କାରବାର ମାମଲା: ବଦଳିଲେ ଖାଦ୍ୟ ସୁରକ୍ଷା ଅଧିକାରୀ

ମହାନଦୀ ଜଳ ଉପରେ ଓଡ଼ିଶାର ଦେଢ଼ କୋଟି ଲୋକଙ୍କ ଜୀବନ, ଜୀବିକା ସିଧାସଳଖ ଭାବରେ ନିର୍ଭର କରିଥାଏ। ଏପରିସ୍ଥଳେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିକୋଣରୁ ଏତେବଡ଼ ପ୍ରସଙ୍ଗରେ ନିରବତାକୁ ନେଇ ବିଭିନ୍ନ ମହଲ କ୍ଷୋଭ ପ୍ରକାଶ କରି ଆସୁଛି। ସରକାର ନିଜ ରାଜ୍ୟର ଲୋକଙ୍କୁ ବିଶ୍ୱାସକୁ ନନେଇ କେଉଁ ଉଦ୍ଦେଶ୍ୟରେ ସେମାନଙ୍କୁ ଅନ୍ଧାରରେ ରଖିଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାନଦୀ ସହ ଜଡ଼ିତ ସଂଗଠନ ମହାନଦୀ ବଞ୍ଚାଅ ଆନ୍ଦୋଳନ ମଧ୍ୟ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛି। ସଂଗଠନ ଦାବି କରିବାକୁ ଯାଇ କହିଛି ଯେ ୧ ତାରିଖରେ ଅମିତ୍‌ ଶାହାଙ୍କ ଉପସ୍ଥିତିରେ ଯେଉଁ ବୈଠକ ବସିବ ସେଥିରେ ଓଡ଼ିଶାର କ’ଣ ପକ୍ଷ ରହିବ ତାହାକୁ ଓଡ଼ିଶାବାସୀଙ୍କ ପାଖରୁ ଲୁଚାଇ ରଖାଯାଇଛି ବୋଲି ଆମର ହୃଦବୋଧ ହେଉଛି। କାରଣ ଛତିଶଗଡ ମହାନଦୀକୁ କର୍ପୋରେଟ ସଂସ୍ଥାମାନଙ୍କ ପାଖରେ ବନ୍ଧା ପକାଇ ସାରିଛନ୍ତି। ସେହି କର୍ପୋରେଟ ହାଉସର ସ୍ୱାର୍ଥ ବିରୁଦ୍ଧରେ ଓଡ଼ିଶା ଏବଂ କେନ୍ଦ୍ର ସରକାର ନଯିବାର ସମ୍ଭାବନା ଅଧିକ ରହିଛି। ଯଦି ତାହା ହୁଏ ଏବଂ ଓଡ଼ିଶା ଓ ମହାନଦୀର ସ୍ୱାର୍ଥ ସହିତ ସାଲିସ କରାଯାଏ ତେବେ ଓଡ଼ିଶା ସରକାରଙ୍କୁ  ଲୋକଙ୍କ କାଠଗଡାକୁ ଟଣାଯିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

ଅପରପକ୍ଷେ ସାଧାରଣ ଲୋକେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯଦି ଆପୋଷ ବୁଝାମଣାରେ ଓଡ଼ିଶାର ସ୍ୱାର୍ଥ ପ୍ରଭାବିତ ନହୁଏ, ତାହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର। ମାତ୍ର ଓଡ଼ିଶାର ସ୍ୱାର୍ଥ ଯଦି କିଞ୍ଚିତ ମାତ୍ରରେ ପ୍ରଭାବିତ ହେବ, ତାହାକୁ ଦୃଢ଼ ଭାବରେ ବିରୋଧ କରାଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର