ଭରସା ଦେଲେ ମୁଖ୍ୟମନ୍ତ୍ରୀ- ‘ମୋ ରାଜ୍ୟର ଲୋକଙ୍କୁ ଘର ପାଇଁ ଅବହେଳାର ଶିକାର ହେବାକୁ ଦେବି ନାହିଁ’

The Sakala Picture
Published On

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି। ଏହି ସହାୟତା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ସୂଚନାଯୋଗ୍ୟ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ […]

ଭୁବନେଶ୍ବର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି। ଏହି ସହାୟତା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

ଆହୁରି ପଢ଼ନ୍ତୁ: ମେ' ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ: ବୋର୍ଡ ସଭାପତି

ସୂଚନାଯୋଗ୍ୟ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଗତ ଡିସେମ୍ବର ୨୧ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍‌ରେ ଘର ମରାମତି ସହାୟତା ବିଷୟରେ ନିଷ୍ପତ୍ତି କରାଯାଇଥିଲା। ନିଷ୍ପତ୍ତିର ୧୫ ଦିନ ମଧ୍ୟରେ ଆଜି ହିତାଧିକାରୀ ମାନଙ୍କୁ ସହାୟତା ଦିଆଯାଇଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କୁ ଦେଇଥିବା କଥା ଆମେ ରଖିଛୁ । ୨୦୧୪ରେ ରାଜ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍‌କା ଘର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟବାସୀଙ୍କୁ ଦେଇଥିବା କଥା ଅନୁଯାୟୀ ଆମେ କାମ କରୁଛୁ । ୨୦୧୪ରୁ ଆଜି ପର୍ଯ୍ୟନ୍ତ ଆମେ ୩୧ ଲକ୍ଷ ପରିବାରକୁ ପକ୍‌କା ଘର ଯୋଗାଇ ଦେଇଛୁ । ରାଜ୍ୟର ଶେଷ କଚ୍ଚା ଘରକୁ ପକ୍‌କା ନ କରିବା ପର୍ଯ୍ୟନ୍ତ ଆମର ଉଦ୍ୟମ ଜାରି ରହିବ।

ଆହୁରି ପଢ଼ନ୍ତୁ: ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଘର ସହ ଘର ମରାମତି ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ଘରର ମରାମତି ପାଇଁ ଆଜି ୩୦୦୦ ଟଙ୍କା ଲେଖାଏ ସହାୟତା ଦିଆଗଲା । ସବୁ ଗ୍ରାମୀଣ ପକ୍‌କା ଘର ଯୋଜନାର ହିତାଧିକାରୀମାନେ ଏହି ସହାୟତା ପାଇବେ ବୋଲି ସେ କହିଥିଲେ । କେନ୍ଦ୍ର ଯୋଜନାରେ ଲୋକଙ୍କୁ ଘର ମିଳୁ ନଥିବା ବିଷୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଫନି ବାତ୍ୟା ସମୟରେ ରାଜ୍ୟର ୧୪ଟି ଜିଲ୍ଲାରେ ବହୁ ଲୋକଙ୍କ ଘର ଭାଙ୍ଗି ଯାଇଥିଲା । ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ମୁଁ ମଧ୍ୟ ଏ ବିଷୟରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଆସୁଛି । ତା ସହିତ ଆମର ଦକ୍ଷିଣ ଓ ପଶ୍ଚିମ ଓଡିଶାର ଜନଜାତି ଭାଇଭଉଣୀମାନେ ମଧ୍ୟ କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଚାହିଁ ରହିଛନ୍ତି । ସେମାନେ ବର୍ତ୍ତମାନ ଯେଉଁ ଭଙ୍ଗା ଘରେ ରହୁଛନ୍ତି, ତାର ମରାମତି ପାଇଁ ୫୦୦୦ ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆମେ ସଂଗ୍ରହ କରୁଛୁ ଏବଂ ଖୁବଶୀଘ୍ର ସେମାନଙ୍କୁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ଜମ୍ମୁ ଓ କାଶ୍ମୀର: ୮ ଥରର ଚାମ୍ପିଅନ୍‌ କର୍ଣ୍ଣାଟକକୁ ହରାଇ ଜିତିଲା ପ୍ରଥମ ରଣଜୀ ଟ୍ରଫି

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି। ମୋ ରାଜ୍ୟର ଲୋକମାନଙ୍କୁ ମୁଁ କେବେ ବି ଅବହେଳାର ଶିକାର ହେବାକୁ ଦେବିନାହିଁ । ଘର ନ ଥିବା ଗରିବ ଲୋକଙ୍କୁ ଯଦି କେନ୍ଦ୍ର ସରକାର ସାହାଯ୍ୟ ନ କରେ, ତେବେ ଆପଣଙ୍କ ରାଜ୍ୟ ସରକାର ଆପଣଙ୍କ ସାଥିରେ ଅଛି ବୋଲି ସେ ଲୋକମାନଙ୍କୁ ଭରସା ଦେଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଘର ଆମର ପରିଚୟ, ଆମର ସ୍ବାଭିମାନ । ତେଣୁ ଲୋକଙ୍କ ଆଶ୍ରୟ ସୁରକ୍ଷାକୁ ପ୍ରାଥମିକତା ଦେଇ ସମସ୍ତଙ୍କ ମୁଣ୍ଡ ଉପରେ ଏକ ସୁନ୍ଦର ଛାତ ଟିଏ ରଖିବା ଆମର ଲକ୍ଷ୍ୟ । ଏଥିପାଇଁ ଆମର ଉଦ୍ୟମ ଜାରି ରହିବ ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀର ଆର୍ଥିକ ଦୁଃସ୍ଥିତି ସମୟରେ ୧୨ ଲକ୍ଷ ୨୫ ହଜାର ପରିବାର ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା (ଗ୍ରାମୀଣ)ରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ପାଇନାହାନ୍ତି । ଏହି ପରିବାର ମାନେ ବର୍ତ୍ତମାନ ଯେଉଁ ଘରେ ରହୁଛନ୍ତି, ତାର ମରାମତି ପାଇଁ ବିଜୁ ପକ୍କା ଘର ଯୋଜନାରୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।ସେମାନଙ୍କ account detail collection ଚାଲିଛି ଵୋଲି ଜଣାଯାଇଛି ।

କାର୍ଯ୍ୟକ୍ରମରେ ଯୋଗ ଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଥିଲେ ଯେ ଗାଁର ଗରିବ ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ନିର୍ଦ୍ଦେଶ ଦେଇଆସିଛନ୍ତି। ଆଜି ଘର ମରାମତି ପାଇଁ ମଧ୍ୟ ସହାୟତା ଦିଆଗଲା । ଏହା ମୁଖ୍ୟମନ୍ତ୍ରୀଙ୍କ ଦରଦୀ ହୃଦୟର ପରିଚୟ ଦିଏ ବୋଲି ସେ କହିଥିଲେ ।କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କ ସହିତ ଭାବ ବିନିମୟ କରିବା ସମୟରେ ଗଞ୍ଜାମର ସବିତା ଭୂୟାଁ, କଳାହାଣ୍ଡିର ବିମଳା ମାଝୀ ଓ ଆହୁରି ଅନେକ ହିତାଧିକାରୀମାନେ କହିଥିଲେ ଯେ ସେମାନେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୁବିଧା ଅସୁବିଧା ସମୟରେ ସାହାଯ୍ୟ ପାଇ ଆସିଛନ୍ତି। ଏହି ସହାୟତା ସେମାନଙ୍କ ଘରକୁ ଆହୁରି ଦୀର୍ଘସ୍ଥୟୀ କରିବ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପଞ୍ଚାୟତି ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ ମୀନା ସ୍ବାଗତ ଭାଷଣ ଦେଇଥିଲେ ଏବଂ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଓ  ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ଜିଲ୍ଲାର ଜିଲ୍ଲାପାଳ ମାନେ ଯୋଗ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp