ମନୋରଞ୍ଜନ
ଓଡ଼ିଶା
ଗୋଟିଏ ଲଘୁଚାପର ପ୍ରକୋପ ନ ସରୁଣୁ ପଛକୁ ପଛ ଆସୁଛି ଆଉ ଦୁଇ ଲଘୁଚାପ, ହୋଇପାରେ ବଡ ବନ୍ୟା
ଭୁବନେଶ୍ୱର: ଜାରି ରହିଥିବା ଲଘୁଚାପର ପ୍ରକୋପ ନ ସରୁଣୁ ପଛକୁ ପଛ ଆସୁଛି ଆଉ ୨ ଲଘୁଚାପ। ଗୋଟିଏ ଲଘୁଚାପ ଆସନ୍ତା ୧୩ ତାରିଖ ସୃଷ୍ଟି ହେବାକୁ ଥିବା ବେଳେ ଆଉ ଗୋଟିଏ ଲଘୁଚାପ ୧୮ ତାରିଖ ବେଳକୁ ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଦୁଇ ଲଘୁଚାପ ଯୋଗୁଁ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟର […]
ଭୁବନେଶ୍ୱର: ଜାରି ରହିଥିବା ଲଘୁଚାପର ପ୍ରକୋପ ନ ସରୁଣୁ ପଛକୁ ପଛ ଆସୁଛି ଆଉ ୨ ଲଘୁଚାପ। ଗୋଟିଏ ଲଘୁଚାପ ଆସନ୍ତା ୧୩ ତାରିଖ ସୃଷ୍ଟି ହେବାକୁ ଥିବା ବେଳେ ଆଉ ଗୋଟିଏ ଲଘୁଚାପ ୧୮ ତାରିଖ ବେଳକୁ ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଦୁଇ ଲଘୁଚାପ ଯୋଗୁଁ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନର ଲଘୁଚାପର ସର୍ବାଧିକ ପ୍ରକୋପ ଦକ୍ଷିଣ ଓଡ଼ିଶାରେ ପଡ଼ିଛି। ମାଲକାନଗିରି ସମେତ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ରାସ୍ତାରେ ପାଣି ଚାଲୁଥିବା ବେଳେ ବିଲବାଡ଼ି ଜଳାର୍ଣ୍ଣବ ହୋଇଛି। ୩୨୬ ନଂ ଜାତୀୟ ରାଜପଥରେ ପାଣି ଚାଲୁଥିବା ବେଳେ ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ବୁଧବାର ସକାଳେ ଛତିଶଗଡ ମୁହାଁ ହୋଇଛି। ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୯ ଜିଲ୍ଲାକୁ ଅରେଞ୍ଜ, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ରେ ପ୍ରବଳ ବର୍ଷା ହେବ । କାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୨ ତାରିଖରେ ସାମାନ୍ୟ ବର୍ଷା କମିବ । ପରେ ୧୩ରୁ ପୁଣି ବର୍ଷାର ପରିମାଣ ବଢ଼ିବ ।
ଅବପାତର ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଉତ୍ତରପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ । ଏହାର ପ୍ରଭାବରେ ସମୁଦ୍ରରେ ୩ରୁ ୪ ମିଟର ଉଚ୍ଚର ଜୁଆର ଉଠିବ । ଏଥିପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଅବପାତ ବର୍ଷା ପାଇଁ ପୁରୀ, ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏଣୁ ଆସନ୍ତା ୧୧ ତାରିଖ ଯାଏ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି । ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଯାଇଛି।
ଆଜି ମଧ୍ୟ ରାଜ୍ୟରେ ଲଘୁଚାପର ପ୍ରଭାବ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର ଓ ବରଗଡ଼ ଆଦି ଜିଲ୍ଲାରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଅତିପ୍ରବଳ ବର୍ଷା ଯୋଗୁଁ ଭୂ-ସ୍ଖଳନ, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଓ ଚାଷ ଜମିରେ ପାଣି ଜମି ରହିବା ଫଳରେ ଫସଲ ନଷ୍ଟ ଆଦି ସମସ୍ୟା ଦେଖାଯାଇପାରେ। ଖାଲି ସେତିକି ନୁହେଁ, ରାଜ୍ୟର ଅନ୍ୟ କିଛି ଜିଲ୍ଲା ଯଥା, ନୂଆପଡ଼ା, ସୋନପୁର, ବଲାଙ୍ଗୀର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି ।
ଅନ୍ୟପଟେ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଗତ ୩ ଦିନ ହେବ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେଉଥିବା ବେଳେ ଏବେ ସେଠାରେ ବର୍ଷାର ପ୍ରକୋପ ଆହୁରି ବୃଦ୍ଧି ହେବ। ତେଣୁ ହୀରାକୁଦକୁ ସେଠାରୁ ପ୍ରବଳ ପାଣି ଆସିବାକୁ ଥିବାରୁ ମହାନଦୀରେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ଜଳସମ୍ପଦ ବିଭାଗ ମଧ୍ୟ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେଉଥିବା ନେଇ ରିପୋର୍ଟ ଦେଇଛି। ମହାନଦୀରେ ଜଳସ୍ତର ବଢୁଥିବା ବେଳେ ବଂଶଧାରା ନଦୀ କାଶୀନଗରଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି।






