OISF ଯବାନଙ୍କୁ ନେଇ ଯାଉଥିବା ବସକୁ ଧକ୍କା ଦେଲା ଟ୍ରକ, ୨୮ଜଣ ଆହତ
ଚମ୍ପୁଆ: OISF ଯବାନଙ୍କ ବସ୍କୁ ଧକ୍କା ଦେଲା ଅଜଣା ଟ୍ରକ । ଚମ୍ପୁଆ ଥାନା ଅନ୍ତର୍ଗତ ତଡୁଆବାହାଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ( OISF)ର ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଛି ଟ୍ରକ। ଭାରସାମ୍ୟ ହରାଇ ବସଟି ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହେବାରୁ ଗାଡ଼ିରେ ବସିଥିବା ସମସ୍ତ ପୋଲିସ କର୍ମଚାରୀ ଆହତ ହେଇଛନ୍ତି । ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨୮ ଜଣ ପୋଲିସ୍ କର୍ମଚାରୀଙ୍କୁ ନେଇ ବସଟି ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାଇରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଖବରପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଧରିବାକୁ ଚେଷ୍ଟା ଚଳାଇବା ସହ ତଦନ୍ତ ଆରମ୍ଭ କରିଛି ।





