ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

Madhusudan Das Picture
Published On

ଭୁବନେଶ୍ୱର: ଆସନ୍ତାକାଲିଠାରୁ ମୌସୁମୀ ଅଧିବେଶନରେ ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଏକାଧିକ ପ୍ରସଙ୍ଗକୁ ସଂସଦରେ ଉଠାଇବ ବିଜେଡି।  ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି ସରକାରଙ୍କ ଦୁଇ ବର୍ଷର ବିଫଳତା, କୋଇଲା ରୟାଲଟି ବୃଦ୍ଧି, ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟି, କୃଷି ଓ କୃଷକଙ୍କ ସମସ୍ୟା ସହ ଓଡ଼ିଶା ଏବଂ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ନିଷ୍ପତ୍ତି ହୋଇଥିବା ନେଇ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ଦିଲ୍ଲୀରେ ଆୟୋଜିତ ସର୍ବଦଳୀୟ ବୈଠକରେ ଶ୍ରୀ ମଙ୍ଗରାଜ ଦଳ ପକ୍ଷରୁ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ଏକାଧିକ ଦାବି ଉପସ୍ଥାପନ କରିବା ସହ ଏହି ସବୁ ପ୍ରସଙ୍ଗ ଉପରେ ସଂସଦରେ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରିଛନ୍ତି। ଏହା ସହ ଗତ ଦୁଇ ବର୍ଷ ଧରି ଓଡ଼ିଶାରେ ବିଜେଡି ସାଂସଦମାନଙ୍କ ହାତପାଣ୍ଠି ବ୍ୟୟ କ୍ଷେତ୍ରରେ ଦିଆଯାଉଥିବା ବାଧା ଓ ସୃଷ୍ଟି କରାଯାଉଥିବା ପ୍ରତିବନ୍ଧକ ସମ୍ପର୍କରେ ମଧ୍ୟ ସଂସଦୀୟ ଦଳ ବୈଠକରେ ଉଠାଇଛନ୍ତି। ବୈଠକରେ ଉପସ୍ଥିତ ଶାସକଦଳର ତିନି ପ୍ରତିନିଧି ତଥା ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ, ଜଗତପ୍ରକାଶ ନଡ୍ଡା ଓ କିରଣ ରିଜ୍ଜିଜୁ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ, ବିଜେଡି ପକ୍ଷରୁ ଦକ୍ଷିଣ ଏସିଆର ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି, ଅହେତୁକ ଦରବୃଦ୍ଧି, ପେଟ୍ରୋଲରେ ଇଥାନଲ ମିଶ୍ରଣ ଫଳରେ ଗାଡ଼ିର ଇଞ୍ଜିନରେ ସୃଷ୍ଟି ହେଉଥିବା ସମସ୍ୟା ଆଦି ପ୍ରସଙ୍ଗ ସଂସଦରେ ଉଠାଇବ। ସେହିପରି ଓଡ଼ିଶା ସମ୍ବନ୍ଧୀୟ ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଦଳ ପ୍ରଶ୍ନ କରିବ। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷର ବିଫଳତାକୁ ବିଜେଡି ଏଥର ମୌସୁମୀ ଅଧିବେଶନର ପ୍ରମୁଖ ପ୍ରସଙ୍ଗ କରିବ। ନୂତନ ଶିକ୍ଷା ନୀତି ଅନୁଯାୟୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ରହିଛି। ଏହି ତ୍ରୁଟି ଯୋଗୁଁ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଏହା ପରି ଏକ ଗୁରୁତର ପ୍ରସଙ୍ଗକୁ ରାଜ୍ୟ ସରକାର ଅତ୍ୟନ୍ତ ହାଲୁକା ଭାବରେ ନେଉଥିବାରୁ ରାଜ୍ୟସଭାରେ ଏହା ଉପରେ ଆଲୋଚନା ପାଇଁ ବିଜେଡି ଦାବି କରିଛି। ପୁନଶ୍ଚ ଓଡ଼ିଶାରୁ ଦେଶର ସର୍ବାଧିକ ପରିମାଣର କୋଇଲା ଉତ୍ତୋଳନ ହେଉଥିବା ସତ୍ତେ୍ୱ ରାଜ୍ୟ ଯଥୋଚିତ କୋଇଲା ରୟାଲଟିରୁ ବଞ୍ଚିତ ହେଉଛି। ଏହା ସହ କୃଷକଙ୍କ ସମସ୍ୟା, କୃଷି ସଙ୍କଟ ଓ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସଂସଦରେ ସ୍ୱତନ୍ତ୍ର ଆଲୋଚନା କରିବାକୁ ବିଜେଡି ଦାବି କରିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ସେ ପୁଣି କହିଛନ୍ତି ଯେ ବୈଠକରେ ଅନେକ ସାଂସଦ  ହାତପାଣ୍ଠିକୁ ୫ କୋଟିରୁ ଅଧିକ ବୃଦ୍ଧି କରିବାକୁ ଦାବି କରିଛନ୍ତି। ମାତ୍ର ବର୍ତ୍ତମାନର ମିଳୁଥିବା ହାତପାଣ୍ଠିର ଉପଯୋଗ ଠିକରେ ହୋଇପାରୁ ନାହିଁ। ଓଡ଼ିଶାରେ ବିଜେପି ସରକାର ବିରୋଧୀ ଦଳର ସାଂସଦମାନଙ୍କ ହାତପାଣ୍ଠି ବ୍ୟୟ କରିବାରେ ଯୋଜନାବଦ୍ଧ ଭାବେ ବାଧା ସୃଷ୍ଟି କରୁଛନ୍ତି। ଫଳରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।  ସେ ନିଜେ ଏହାର ଭୁକ୍ତଭୋଗୀ। ଚିଲିକା ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ସାଂସଦ ହାତପାଣ୍ଠିରୁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ତାହାର ସଠିକ୍‌ ବ୍ୟୟ ହେଉନାହିଁ। କେତେକ ସ୍ଥାନରେ ସାଂସଦ ହାତପାଣ୍ଠିରେ କାମ ହେଉଥିଲେ ମଧ୍ୟ ଉଦ୍ଘାଟନ ଫଳକରେ ସ୍ଥାନୀୟ ମନ୍ତ୍ରୀଙ୍କ ନାମ ଉଲ୍ଲେଖ କରାଯାଉଛି। ଏହି ପ୍ରସଙ୍ଗରେ ସେ ପୂର୍ବରୁ ସଂସଦର ସ୍ୱାଧିକାର କମିଟି ନିକଟରେ ଅଭିଯୋଗ କରିଥିଲେ। ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ରାଜ୍ୟ ସରକାରଙ୍କ ଇଙ୍ଗିତରେ ଅଧିକାରୀମାନେ ବିଜେଡି ସାଂସଦମାନଙ୍କ ହାତପାଣ୍ଠି ବ୍ୟୟ କରିବାକୁ ଦେଉନାହାନ୍ତି ଏବଂ ଗତ ଦୁଇ ବର୍ଷ ଧରି ଏହି ପାଣ୍ଠିକୁ ଅଟକାଇ ରଖିଛନ୍ତି। ଏହି ପ୍ରସଙ୍ଗରେ ସଂସଦରେ ସ୍ୱତନ୍ତ୍ର ଆଲୋଚନା ପାଇଁ ସେ ସର୍ବଦଳୀୟ ବୈଠକରେ ଦାବି କରିଛନ୍ତି । ପୁନଶ୍ଚ ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିବାରୁ ବିଜେଡି ସଂସଦରେ ସେଗୁଡ଼ିକୁ ଦୃଢ଼ତାର ସହ ଉପସ୍ଥାପନ କରିବ। ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ସଂସଦୀୟ ପରମ୍ପରାକୁ ସମ୍ମାନ ଦେଇ ବିଜେଡି ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରତ୍ୟେକ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ କରିବ ବୋଲି ସେ କହିଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର