ତୀବ୍ର ହେଲା ପାଠ୍ୟପୁସ୍ତକ ତ୍ରୁଟି ବିବାଦ: ରାଜ୍ୟ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ

Madhusudan Das Picture
Published On

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ଏବେ ତୀବ୍ର ରୂପ ନେଇଛି। ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ । ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ ପ୍ରତ୍ୟାହାର କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହା ପଛରେ ଏକ 'ବଡ଼ ଷଡ଼ଯନ୍ତ୍ର' ଥିବା କହିବା ପରେ ନୂଆ ରାଜନୈତିକ ବୟାନବାଜି ଜୋର ଧରିଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ବିଜେଡି ବିଧାୟକ ସାରଦା ଜେନା ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବୟାନ ଉତ୍ତର ଅପେକ୍ଷା ଅଧିକ ପ୍ରଶ୍ନ ସୃଷ୍ଟି କରିଛି। ସେ ଆହୁରି ମଧ୍ୟ କହିଛନ୍ତି କି, "କେବଳ ଷଡ଼ଯନ୍ତ୍ର ହୋଇଛି କହିଦେଲେ ହେବ ନାହିଁ। ଏହା ପଛରେ କିଏ ଅଛି, ତାହା ସରକାର ପ୍ରକାଶ କରିବା ଉଚିତ। ନିଜର ଦାୟିତ୍ୱ ଗ୍ରହଣ କରିବା ପରିବର୍ତ୍ତେ ସରକାର ଅନ୍ୟ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛନ୍ତି।"

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ବିଜେପି ସରକାର କ୍ଷମତାରେ ଥିବା ନିଜର ୨୪ ମାସ କାର୍ଯ୍ୟକାଳ ମଧ୍ୟରେ ଶାସନ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପୂର୍ବ ୨୪ ବର୍ଷର ବିଜେଡି ସରକାରକୁ ଦୋଷ ଦେବାରେ ଅଧିକ ସମୟ ବିତାଉଛନ୍ତି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ମୁଦ୍ରଣ ପାଇଁ ପ୍ରକୃତରେ କିଏ ଦାୟୀ, ସମ୍ପୃକ୍ତ ମନ୍ତ୍ରୀ ଓ ଅଧିକାରୀଙ୍କ ଭୂମିକା କ’ଣ ଥିଲା ଏବଂ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ସ୍ପଷ୍ଟୀକରଣ ଦେବାକୁ ବିଜେଡି ଦାବି କରିଛି। 

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି, ମୁଖ୍ୟମନ୍ତ୍ରୀ କେଉଁ ଆଧାରରେ କହିଛନ୍ତି ସେ ତାଙ୍କ ଉକ୍ତି ରଖିଛନ୍ତି। ଆମ ମାତୃଭାଷା ବହୁ ପୁରାତନ। ୬ଷ୍ଠ ଭାଷା ଭାବେ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଫକୀରମୋହନ ସେନାପତି, କର୍ମବୀର ଗୌରୀଶଙ୍କର ରାୟ, ବଳଦେବ ରଥ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିଛନ୍ତି। ସମ୍ପାଦନା ମଣ୍ଡଳୀରେ କିଛି ଜଣାଶୁଣା ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ କେହି ଷଡ଼ଯନ୍ତ୍ର କରିଥାଇପାରେ । ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲେ କିନ୍ତୁ ଅସ୍ମିତା ହାତରୁ ଖସିଗଲା। ଚାଲି ନଜାଣି ବାଟର ଦୋଷ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ କମିଟି ଗଠନ ହୋଇଥିବ। ଯଦି ଷଡ଼ଯନ୍ତ୍ରର ଗନ୍ଧ ବାରୁଛନ୍ତି ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଭାଷାକୁ ବଦନାମ ମାନେ ଓଡ଼ିଆ ଜାତିକୁ ଅପମାନ । ଭାଷାକୁ ଅପମାନ ଅକ୍ଷମଣୀୟ ଅପରାଧ । ନବୀନଙ୍କ ସରକାରରେ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ହୋଇଥିଲା । ବର୍ତ୍ତମାନ ସରକାର ଏହାକୁ ବଞ୍ଚାଇ ରଖନ୍ତୁ ବୋଲି କହିଛନ୍ତି ଅଶୋକ ପଣ୍ଡା ।

ବିଜେଡି ସହିତ ସ୍ୱର ମିଳାଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଦାସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇ ସେ ଦାବି କରିଛନ୍ତି ଯେ, ଏହି ଷଡ଼ଯନ୍ତ୍ର ପଛରେ କିଏ ଅଛି ଏବଂ ପାଠ୍ୟପୁସ୍ତକ ଛାପିବା ଦାୟିତ୍ୱ କାହାର ଥିଲା ତାହା ସରକାର ତୁରନ୍ତ ସ୍ପଷ୍ଟ କରନ୍ତୁ। 

ଶ୍ରୀ ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଏକ ଷଡ଼ଯନ୍ତ୍ର ହୋଇଥିବା ସ୍ୱୀକାର କରିବା ଭଲ କଥା। କିନ୍ତୁ ଏହାର ମାଷ୍ଟରମାଇଣ୍ଡ କିଏ? ତ୍ରୁଟିପୂର୍ଣ୍ଣ ପୁସ୍ତକ କିଏ ଛାପିଲା? ତ୍ରୁଟି ସ୍ୱୀକାର କରିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।" ତୁରନ୍ତ ତ୍ରୁଟି ସୁଧାରି ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପୁସ୍ତକ ବଣ୍ଟନ କରିବା ସହ ଷ୍ଟେଟ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା 'ଏସସିଇଆରଟି' (SCERT) ଅଧିକାରୀଙ୍କ ସମେତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର