ମନୋରଞ୍ଜନ
ଓଡ଼ିଶା
ଛାତ୍ର ସଂସଦ ନିର୍ବାଚନ ବନ୍ଦ ଘୋଷଣାକୁ ବିରୋଧ କରି କ୍ଷେତ୍ରବାସୀ ଡିଏଭି କଲେଜରେ ଉତ୍ତେଜନା; ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ
ଖୋର୍ଦ୍ଧା/ନିରାକାରପୁର: ଛାତ୍ର ସଂସଦ ନିର୍ବାଚନକୁ ନେଇ ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। କଲେଜରେ ନିର୍ବାଚନ ବନ୍ଦ ଘୋଷଣାକୁ ବିରୋଧ କରି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଓ ଅନ୍ୟମାନେ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଥିବାବେଳେ ନିରାକାରପୁର ବଜାର ମଧ୍ୟ ବନ୍ଦ କରାଯାଇଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଉପଖଣ୍ଡ ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟ ଆଦେଶ ନଂ. ୬୧୨୦, ତାରିଖ ୧୪ ଅକ୍ଟୋବର ୨୦୨୬ ଅନୁସାରେ, ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୬୩ ଅଧୀନରେ ନିଷେଧାଦେଶ ଜାରି ହୋଇଛି। ଏହାକୁ ଆଧାର କରି କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୫ ଅକ୍ଟୋବରରେ ବିଜ୍ଞପ୍ତି ନଂ. ୨୩୫/୨୬ ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ୧୫ ଅକ୍ଟୋବରଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି।
କଲେଜ ବନ୍ଦ ସହ ନିର୍ବାଚନ ବାତିଲକୁ ବିରୋଧ କରି ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଟାଙ୍ଗୀର ଅତିରିକ୍ତ ତହସିଲଦାର, ଏସ୍ଡିପିଓ ସଞ୍ଜୟ ପଟ୍ଟନାୟକ ଏବଂ ନିରାକାରପୁର ଥାନା ଅଧିକାରୀ ରୀନାରାଣୀ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। କଲେଜରେ ନିର୍ବାଚନ କେବେ ହେବ ଏବଂ ପରବର୍ତ୍ତୀ ନିଷ୍ପତ୍ତି କ’ଣ ହେବ, ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି।






