‘ମୃତ୍ୟୁ ପଥ’ ପାଲଟିଛି ରାଜ୍ୟ ରାଜପଥ: ଛଅ ମାସରେ ଗଲାଣି ୨୮୪୯ ଜୀବନ, ଗତବର୍ଷ ଅପେକ୍ଷା ମୃତ୍ୟୁହାର ୧୦% ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଉଦ୍‍ବେଗଜନକ ଆଡକୁ ଗତି କରୁଛି ସଡ଼କ ଦୁର୍ଘଟଣା ସ୍ଥିତି। ଦୁର୍ଘଟଣା ରୋକିବା ଲାଗି ନୂଆ ନୂଆ ପ୍ରକଳ୍ପ କରିବା ସହ ସଚେତନତା ଓ ଜରିମାନା ଆଦାୟକୁ ଗୁରୁତ୍ୱ ଦିଆଯାଉଛି; କିନ୍ତୁ ରାଜ୍ୟରେ ଦୁର୍ଘଟଣା କମିବା ବଦଳରେ ବୃଦ୍ଧି ହେଉଛି। ଦୁର୍ଘଟଣାରେ କିଏ ଭେଣ୍ଡିଆ ପୁଅକୁ ହରାଉଛି ତ କେଉଁଠି ପୂରା ପରିବାର ନିଶ୍ଚିହ୍ନ ହୋଇ ଯାଉଛି। ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଉତ୍ତର ସବୁ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଅହେତୁକ ବଢ଼଼ୁଥିବାରୁ ପୁଲିସ ଓ ପ୍ରଶାସନର […]

ଭୁବନେଶ୍ୱର: ରାଜ୍ୟରେ ଉଦ୍‍ବେଗଜନକ ଆଡକୁ ଗତି କରୁଛି ସଡ଼କ ଦୁର୍ଘଟଣା ସ୍ଥିତି। ଦୁର୍ଘଟଣା ରୋକିବା ଲାଗି ନୂଆ ନୂଆ ପ୍ରକଳ୍ପ କରିବା ସହ ସଚେତନତା ଓ ଜରିମାନା ଆଦାୟକୁ ଗୁରୁତ୍ୱ ଦିଆଯାଉଛି; କିନ୍ତୁ ରାଜ୍ୟରେ ଦୁର୍ଘଟଣା କମିବା ବଦଳରେ ବୃଦ୍ଧି ହେଉଛି। ଦୁର୍ଘଟଣାରେ କିଏ ଭେଣ୍ଡିଆ ପୁଅକୁ ହରାଉଛି ତ କେଉଁଠି ପୂରା ପରିବାର ନିଶ୍ଚିହ୍ନ ହୋଇ ଯାଉଛି। ଉପକୂଳରୁ ଉପାନ୍ତ, ପଶ୍ଚିମରୁ ଉତ୍ତର ସବୁ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଅହେତୁକ ବଢ଼଼ୁଥିବାରୁ ପୁଲିସ ଓ ପ୍ରଶାସନର ଚିନ୍ତା ବଢ଼଼ିଯାଇଛି। ରାଜ୍ୟରେ ଚଳିତବର୍ଷ ଜାନୁଆରୀରୁ ଜୁନ୍‍ମାସ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୨୮୪୯ଜଣଙ୍କ ଜୀବନ ଯାଇଛି। ଜାନୁଆରୀରେ ୪୫୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫେବୃଆରୀରେ ୪୦୩ଜଣ, ମାର୍ଚ୍ଚରେ ୫୦୦ଜଣ, ଏପ୍ରିଲରେ ୪୫୯ଜଣ, ମେ’ରେ ୫୩୯ଜଣ ଓ ଜୁନ୍‍ ମାସରେ ୪୯୨ଜଣଙ୍କ ମୃତ୍ୟୁ ଘଟିଛି। ସେଭଳି ୫୪୪୨ଜଣ ଗୁରୁତର ଆହତ ହୋଇଥିବା ବେଳେ ୬୦୨୯ଟି ଦୁର୍ଘଟଣା ଘଟିଛି। ମ ମାସରେ ସର୍ବାଧିକ ୫୩୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଫେବୃଆରୀରେ ସର୍ବନିମ୍ନ ୪୦୩ଜଣଙ୍କ ଜୀବନ ଯାଇଛି। ତେବେ ଗତବର୍ଷ ପ୍ରଥମ ୬ମାସ ତୁଳନାରେ ଚଳିତବର୍ଷ ସଡ଼କ ଦୁର୍ଘଟଣା, ମୃତ୍ୟୁ ଓ ଗୁରୁତର ହାର ବୃଦ୍ଧି ହୋଇଛି। ମୃତ୍ୟୁ ହାର ୧୦. ୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଦୁର୍ଘଟଣା ହାର ୮.୨% , ଗୁରୁତର ହାର ୭.୨ % ବୃଦ୍ଧି ହୋଇଛି। ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ମାତ୍ରାଧିକ କୁହୁଡି ହୋଇଥିବାରୁ ଦୁର୍ଘଟଣା ବଢ଼଼ିଛି। ଘାଟି ରାସ୍ତା ହେଉ ଅବା ସହରର ମୁଖ୍ୟରାସ୍ତାରେ ଦୃଶ୍ୟମାନ ଶକ୍ତି କମିଯିବାରୁ ଗାଡ଼ିଗୁଡିକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେଉଛନ୍ତି। ଏଣୁ କୁହୁଡି ସମୟରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ଓ ସଚେତନତା କରାଯାଇଥାଏ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସେହିପରି ୨୦୨୧ରେ ସାରା ରାଜ୍ୟରେ ୮୯୨୨ଟି ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ଏଥିରେ ୪୦୭୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦୮୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୫୮ଟି ଦୁର୍ଘଟଣାରେ ୨୧୭ ଜଣଙ୍କ ମୃତ୍ୟୁ ହୋଇଛି; କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୧୨ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ହାରରେ ସୁନ୍ଦରଗଡ଼ ପଛକୁ ଦ୍ୱିତୀୟରେ ଗଞ୍ଜାମ ୩୦୬ଜଣ ଓ ତୃତୀୟରେ କେନ୍ଦୁଝର ଜିଲ୍ଲା ୨୨୭ଜଣଙ୍କ ମୃତ୍ୟୁ ହୋଇଥିଲା। ସେଭଳି ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୯୭ଟି ଦୁର୍ଘଟଣାରେ ୪୦ଜଣଙ୍କ ଜୀବନ ଯାଇଛି। ସେପଟେ ୨୦୨୦ରେ ରାଜ୍ୟରେ ୭୬୧୯ଟି ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ଏଥିରେ ୩୬୩୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୯୭୭ଟି ଗୁରୁତର ଆହତ ହୋଇଥିଲେ। ଅପରପକ୍ଷରେ ଦ୍ରୁତଗତି।, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା, ଓଭରଲୋଡିଂ, ରଙ୍ଗ୍‍ରୁଟ୍‍ ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ମାତ୍ରାଧିକ ଦୁର୍ଘଟଣା ହେଉଛି। ପୁନଶ୍ଚ ଜାତୀୟ ରାଜପଥରେ ଅଧିକ ଓ ଘାଟି ରାସ୍ତାରେ ଅଧିକ ଦୁର୍ଘଟଣା ହେଉଛି। ତେଣୁ ପ୍ରଥମ ପାଇଲେଟ୍‍ ପ୍ରୋଜେକ୍ଟରେ ୧୬ନମ୍ବର ଜାତୀୟ ରାଜପଥ ଯାଜପୁର ପାଣିକୋଇଲରୁ ଖୋର୍ଦ୍ଧାର ରାମେଶ୍ୱର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି ଇଣ୍ଟେଲିଜେନ୍ସ ଟ୍ରାଫିକ ମ୍ୟାନେଜମେଣ୍ଟ ବ୍ୟବସ୍ଥା(ଆଇଟିଏମ୍‍ଏସ୍‍)। ଏହି ୧୨୦ କିଲୋମିଟର ଜାତୀୟ ରାଜପଥକୁ ୧୪୦ଟି ସିସିଟିଭି କ୍ୟାମେରା ନଜର ରଖି ନିୟମ ଭାଙ୍ଗୁଥିବା ଅମାନିଆଙ୍କ ନିକଟକୁ ଫଟୋ ଓ ଭିଡ଼ିଓ ସହ ଘରକୁ ଇ-ଚାଲାଣ ଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ପରିବହନ ବିଭାଗ ଓ ପୁଲିସର ମିଳିତ ଏନ୍‍ଫୋର୍ସମେଣ୍ଟ ଟିମ୍‍ ଚଢ଼ଉ ଅମାନିଆଙ୍କୁ ଧରିବା ସହ ଜରିମାନା ଏବଂ ଲାଇସେନ୍ସ ବାତିଲ ପ୍ରକ୍ରିୟା ଜାରି ରହିଛି।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

କାରଣ ଖୋଜା ପରେ କାର୍ଯ୍ୟାନୁଷ୍ଠାନ; ନିଯୁକ୍ତି ପାଇବେ ଅବସରପ୍ରାପ୍ତ ଯନ୍ତ୍ରୀ, ବିଶେଷଜ୍ଞ

କାହିଁକି ବଢ଼ୁଛି ଦୁର୍ଘଟଣା, କେମିତି ରାଜପଥରୁ କମିବ ମୃତ୍ୟୁ; ପ୍ରଥମେ ଏହାର କାରଣ ଖୋଜାଯିବ ଏବଂ ତା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ବେପରୁଆ ଗାଡ଼ି ଚାଳନା ନା ରାଜପଥ ନିର୍ମାଣରେ କିଛି ବିକୃତି ରହିଛି ଯାହା ଫଳରେ ଦୁର୍ଘଟଣାକୁ ରୋକାଯାଇପାରୁନି ଏସବୁର ବିଶ୍ଲେଷଣ ହେବ। ଏଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) ଅଧୀନରେ ଥିବା ଓଡ଼ିଶା ସଡକ ସୁରକ୍ଷା ସୋସାଇଟି, ଅବସରପ୍ରାପ୍ତ ଇଞ୍ଜିନିୟର ଏବଂ ପୁଲିସ୍‍ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେବ। ଏହି ଅଧିକାରୀମାନେ ମିଳିତ ଭାବେ ଦୁର୍ଘଟଣା ସ୍ଥାନର ଯାଞ୍ଚ କରିବା ସହ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବେ। ଏହି ରିପୋର୍ଟକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ସ୍ଥିରୀକୃତ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

ଆସିଷ୍ଟାଣ୍ଟ ଏକ୍ଚିକ୍ୟୁଟିଭ୍‍ ଇଞ୍ଜିନିୟର ପଦରୁ ଅବସର ନେଇଥିବା ଅଥବା ତାଙ୍କ ସମସାମୟିକ ସରକାରୀ ଚାକିରୀ କରିଥିବା ସିଭିଲ୍‍ ଇଞ୍ଜିନିୟର, ଯେଉଁମାନେ କି ପବ୍ଲିକ୍‍ ସେକ୍ଟର କିମ୍ୱା ସେମାନଙ୍କର ଅଧିନସ୍ଥ କାର୍ଯ୍ୟାଳୟ, ସଡକ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥାରେ ଅଭିଜ୍ଞତା ଥିବା ସିଭିଲ୍‍ ଇଞ୍ଜିନିୟର ମାନଙ୍କଠାରୁ ମଧ୍ୟ ଏନେଇ ଆବେଦନ ଗ୍ରହଣ କରାଯିବ। ସରକାରୀ ଇଞ୍ଜିନିୟରିଂ କଲେଜ / ଆଇଆଇଟି / ଏନଆଇଟି / ସରକାରୀ ଅନୁସନ୍ଧାନ ପ୍ରତିଷ୍ଠାନ ଇତ୍ୟାଦିର ଅବସରପ୍ରାପ୍ତ କିମ୍ୱା ସେବା କରୁଥିବା ଅଧ୍ୟାପିକାଙ୍କ ବ୍ୟତୀତ ଯେଉଁମାନେ ସଡ଼କ ନିର୍ମାଣ / ସଡ଼କ ଦୁର୍ଘଟଣା / ସଡକ ସୁରକ୍ଷା ପରାମର୍ଶଦାତା କାମ ସହିତ କାର୍ଯ୍ୟ କରିଛନ୍ତି / ପରାମର୍ଶ ଦେଇଛନ୍ତି, ସେମାନେ ମଧ୍ୟ ଆବେଦନ କରି ପାରିବେ। ଅବସରପ୍ରାପ୍ତ ପୋଲିସ ଅଧିକାରୀମାନେ (ପୋଲିସ ଇନ୍ସପେକ୍ଟର ପାହ୍ୟା) କିମ୍ୱା ତା’ଠାରୁ ଅଧିକ ପାହ୍ୟାର ବ୍ୟକ୍ତି ଏନେଇ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି। ଆବେଦନ କରୁଥିବା ପ୍ରାର୍ଥୀମାନେ ଉଚ୍ଚ ନୈତିକ ମାନଦଣ୍ଡ ସହିତ ସଡକ ସୁରକ୍ଷା ବିଶେଷଜ୍ଞ / ସଡକ ଦୁର୍ଘଟଣା ଅନୁସନ୍ଧାନ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛା ରଖିଥିବା ଆବଶ୍ୟକ। ଆଚରଣ ବିଧିରେ ଦସ୍ତଖତ କରିବା ଉଚିତ୍‍। ଆଗ୍ରହୀ ଅବସରପ୍ରାପ୍ତ ଅଧିକାରୀମାନେ କୌଣସି ଜିଲ୍ଲାର ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ଭ୍ରମଣ କରିବା ପାଇଁ ଶାରୀରିକ / ମାନସିକ ସ୍ତରରେ ଫିଟ୍‍ ଥିବା ଆବଶ୍ୟକ ଏବଂ ଆବେଦନକାରୀ ଆବେଦନ ତାରିଖରେ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସର ନ ହେବା ଉଚିତ। କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ ଆଦିରେ କାମ କରିପାରିବେ, ଏହି ପଦ ପାଇଁ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି। ଯେଉଁ ବ୍ୟକ୍ତିବିଶେଷଙ୍କର ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ଆବେଦନକୁ ଗ୍ରହଣ କରାଯିବ ନାହିଁ।

ଆବଶ୍ୟକୀୟ ସିଭିଲ୍‍ ଇଞ୍ଜିନିୟର୍‍ ଏବଂ ପୁଲିସ୍‍ ଅଧିକାରୀଙ୍କ ସେବାଗୁଡିକ ଆବଶ୍ୟକ ଅନୁଯାୟୀ ମାମଲା ଆଧାରରେ ବ୍ୟବହାର କରାଯିବ। ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କୁ ମାମଲା ଭିତ୍ତିରେ ୫, ୦୦୦ ଟଙ୍କା ଏକ ବୃତ୍ତିଗତ ଶୁଳ୍କ ପ୍ରଦାନ କରାଯିବ। ଅବସରପ୍ରାପ୍ତ ପୁଲିସ୍‍ ଅଧିକାରୀଙ୍କୁ ୩, ୦୦୦ ପ୍ରତି ମାମଲା ଆଧାରରେ ବୃତ୍ତିଗତ ଶୁକ୍ଳ ଭାବରେ ପ୍ରଦାନ କରାଯିବ। ଏସଟିଏଙ୍କ ନିଷ୍ପତ୍ତି ଅନୁଯାୟୀ, ନିର୍ବାଚିତ ବ୍ୟକ୍ତିବିଶେଷ ଙ୍କ ବୈଧତା ଚୟନ ତାରିଖ ଠାରୁ ଦୁଇ ବର୍ଷ ଯାଏଁ ହେବ। ଆବେଦନ ପାଇଁ ଶେଷ ତାରିଖ ଆସନ୍ତା ସେପ୍ଟେମ୍ୱର ୨୦ରହିଛି। ଆଶାୟୀମାନେ odishatransport.gov.inରେ ଲଗ୍‍ଇନ୍‍ କରି ବିସ୍ତୃତ ବିବରଣୀ ପାଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର