‘ସୁଭଦ୍ରା’ଙ୍କୁ କନ୍ଦାଇଲେ ‘ଅସ୍ମିତା’ ସରକାର: ବନ୍ଦ କରିଦେଲେ ପଲ୍ଲିଶ୍ରୀ ମେଳା
ପୁରୀ: ରାଜ୍ୟ ସରକାର ମହିଳା ସଶକ୍ତୀକରଣର ବଡ଼ ବଡ଼ ଭାଷଣ ଦେଉଛନ୍ତି। ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ରେକର୍ଡ ନେଇ ଗଳା ଫଟାଉଛନ୍ତି। ହେଲେ ଭାଷଣ ଆଉ ବାସ୍ତବତା ମଧ୍ୟରେ କିନ୍ତୁ ଆକାଶ ପାତାଳ ଫରକ୍। ମହିଳା ହିଂସାରେ ଓଡ଼ିଶାର ରେକର୍ଡ ପୂର୍ବରୁ ସରକାରଙ୍କ ଗାଲକୁ ଚାପୁଡ଼ା ମାରି ସାରିଥିବାବେଳେ ବାସ୍ତବରେ ମହିଳାଙ୍କ ପାଇଁ ଏ ସରକାର କ’ଣ ସତରେ ସମ୍ବେଦନଶୀଳ? ଏପରି ପ୍ରଶ୍ନ ଆଜି ପଚାରୁଛନ୍ତି ହଜାର ହଜାର ‘ସୁଭଦ୍ରା’। ଯେଉଁ ମହିଳା ନିଜ ଗୋଡ଼ରେ ଠିଆ ହୋଇ ସ୍ୱାବଲମ୍ବୀ ହେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଥିବା ଗୋଟିଏ ପ୍ଲାଟ୍ଫର୍ମକୁ ବନ୍ଦ କରିଦେବା କେତେଦୂର ସମ୍ବେଦନଶୀଳତା? ଏଭଳି ପ୍ରଶ୍ନଘେରରେ ଛନ୍ଦି ହୋଇଥିବା ଅସ୍ମିତା ସରକାର ମହିଳାଙ୍କ ସ୍ୱାବଲମ୍ବନର ରାସ୍ତା ବନ୍ଦ କରି ‘ସୁଭଦ୍ରା’ଙ୍କ ଆଖିରେ ଲୁହ ଦେଇଛନ୍ତି। ଏ ବର୍ଷ ରଥଯାତ୍ରାର ଅନ୍ୟତମ ଆକର୍ଷଣ ପଲ୍ଲିଶ୍ରୀ ମେଳାକୁ ବନ୍ଦ କରି ମହିଳାଙ୍କୁ ଏକପ୍ରକାର ତାତ୍ସଲ୍ୟ କରିଛନ୍ତି।
ପୁରୀର ରଥଯାତ୍ରା ସହିତ ଓଡ଼ିଆମାନଙ୍କର ଭାବାବେଗ ଜଡ଼ିତ। ଏହା କେବଳ ଆଧ୍ୟାତ୍ମିକ ଯାତ୍ରା ନୁହେଁ, ବରଂ ଏହା ଲୋକ ସଂସ୍କୃତି, ଲୋକଚଳଣି ଓ ଲୋକ ଅର୍ଥନୀତିର ଯାତ୍ରା। ପ୍ରତିବର୍ଷ ରଥଯାତ୍ରାରେ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୋଇଥାଏ। ମେଳା ମାଧ୍ୟମରେ ଜାତୀୟସ୍ତରର ବୁଣାକାର, ହସ୍ତଶିଳ୍ପ ଏବଂ ଗ୍ରାମୋଦ୍ୟୋଗ ଉତ୍ପାଦଗୁଡ଼ିକର ସୁଲଭ କ୍ରୟ ମୂଲ୍ୟ ଯୋଗୁଁ ଅଗଣିତ ଓଡ଼ିଆ ରଥଯାତ୍ରା ସମୟରେ ନିଜ ଘରର ଆବଶ୍ୟକତା ପୂରଣ କରିଥା’ନ୍ତି। ବଡ଼ଦାଣ୍ଡ ଶରଧାବାଲିର ଗୋଟିଏ ପାର୍ଶ୍ୱରେ ତିନିରଥ ଓ ଅନ୍ୟ ପାଖରେ ପଲ୍ଲିଶ୍ରୀ ପାର୍ବଣ ନବଦିନବ୍ୟାପୀ ରଥଯାତ୍ରାକୁ ଆନନ୍ଦ ମୁଖର କରିଥାଏ। ସବୁଠୁ ବଡ଼ କଥା ହେଉଛି ଶହଶହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଜ ଉତ୍ପାଦିତ ଦେଶୀୟ ସାମଗ୍ରୀକୁ ବିକ୍ରିବଟା କରି ଦି ପଇସା ଭଲ ରୋଜଗାର କରି ପରିବାର ଚଳାଇଥା’ନ୍ତି। ସେମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ବର୍ଷତମାମ ବ୍ୟବସାୟର ଅର୍ଦ୍ଧାଧିକ ଲାଭାଂଶ ଏହି ମେଳା ଜରିଆରେ ପାଇଥା’ନ୍ତି। ହେଲେ ଗତବର୍ଷଠାରୁ ଶ୍ରୀକ୍ଷେତ୍ରବାସୀ ପଲ୍ଲିଶ୍ରୀ ମେଳା ଅଭାବକୁ ଅନୁଭବ କରୁଛନ୍ତି।
ଗତବର୍ଷଠାରୁ ସରକାର ପଲ୍ଲିଶ୍ରୀ ମେଳା ପ୍ରତି ବିମୁଖର ସଂକେତ ଦେଇଥିଲେ। ଭୋଳାନାଥ ବିଦ୍ୟାପୀଠରେ ପଲ୍ଲିଶ୍ରୀ ମେଳା ହେବ ନାହିଁ ବୋଲି ଗତବର୍ଷ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ସମନ୍ୱୟ ବୈଠକରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା କାନ୍ଦି କାନ୍ଦି ତାଙ୍କୁ ଗୁହାରି କରିଥିଲେ। ବେଳାଭୂମିରେ ପଲ୍ଲିଶ୍ରୀ ମେଳା ପଡ଼ିଲେ ସେଠାକୁ କେହି ଯିବେ ନାହିଁ, ବିକ୍ରିବଟା ହେବ ନାହିଁ ବୋଲି ଆଇନମନ୍ତ୍ରୀଙ୍କୁ ଜଣାଇଥିଲେ। ମନ୍ତ୍ରୀ, ଜିଲ୍ଲାପାଳ ବୁଝାଯିବ କହି ଆଶ୍ୱାସନା ଦେଇଥିଲେ ମଧ୍ୟ ମହିଳାମାନଙ୍କୁ ନିରାଶ କରି ପଲ୍ଲିଶ୍ରୀ ମେଳାକୁ ଭୋଳାନାଥ ବିଦ୍ୟାପୀଠ ପଡ଼ିଆରୁ ବେଳାଭୂମିକୁ ଠେଲି ଦେଇଥିଲେ ସରକାର। କିନ୍ତୁ ବିକ୍ରିବଟା ଉତ୍ସାହଜନକ ନ ଥିଲା। ମହିଳାମାନେ ମନ ଉଣା କରି ଫେରିଥିଲେ। ହେଲେ ଚଳିତବର୍ଷ କିନ୍ତୁ ପଲ୍ଲିଶ୍ରୀ ମେଳାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ‘ଅସ୍ମିତା’ ସରକାର। ଏହି ମେଳା ବନ୍ଦ ହୋଇଯିବା ଯୋଗୁଁ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି। ସେମାନଙ୍କ ପ୍ରଶ୍ନ ‘ସୁଭଦ୍ରା ଯୋଜନାରେ ୫ ହଜାର ଦେଲେ, ଆଉ ଯେଉଁଠି ଆମେ ବର୍ଷକର ୫୦ ହଜାର ରୋଜଗାର କରୁଥିଲୁ ତାକୁ ବନ୍ଦ କରିଦେଲେ’? କଟକର ବାଲିଯାତ୍ରା ପରି ପୁରୀର ରଥଯାତ୍ରାକାଳୀନ ପଲ୍ଲିଶ୍ରୀ ମେଳା ରଥ ସଂସ୍କୃତି ସହିତ ଜଡ଼ିତ। ହେଲେ କ’ଣ ପାଇଁ ରାଜ୍ୟ ସରକାର ବର୍ଷ ବର୍ଷ ଧରି ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଏକ ମାଧ୍ୟମ ସାଜିଥିବା ମେଳାକୁ ବନ୍ଦ କରିଦେଲେ ସେ ନେଇ କିଛି ସ୍ପଷ୍ଟ କରୁନାହାନ୍ତି।
ଯଦିଓ ଟ୍ରାଫିକ୍ ଓ ଭିଡ଼ ଏଡ଼ାଇବା ଦୃଷ୍ଟିରୁ ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି, କିନ୍ତୁ ଏହାକୁ ଆଳ କରି ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ କୁଟୀରଶିଳ୍ପ ସଂସ୍ଥାର ବ୍ୟବସାୟ ପ୍ରଭାବିତ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି, ଅଭିନନ୍ଦନିକାର ପ୍ରତିଷ୍ଠାତା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି। ମେଳା ମଞ୍ଚରେ ପ୍ରତିଦିନ ସନ୍ଧ୍ୟାରେ ଲୋକକଳା ଓ ଲୋକ ସଂସ୍କୃତିକୁ ମଧ୍ୟ ଦେଖଣାହାରୀ ଉପଭୋଗ କରିଥା’ନ୍ତି। ମେଳା ବନ୍ଦ ଯୋଗୁଁ ଆଧ୍ୟାତ୍ମିକ ଭାବଧାରାକୁ ନେଇ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାରୁ ବଞ୍ଚିତ ହେବେ ଲୋକେ। ଏ ସବୁକୁ ଦୃଷ୍ଟିକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପଲ୍ଲିଶ୍ରୀ ମେଳାକୁ ପୁନଃ ପ୍ରଦର୍ଶନ କରିବାକୁ ଶ୍ରୀ ସେନାପତି ନିବେଦନ କରିଛନ୍ତି।