ମନୋରଞ୍ଜନ
ଓଡ଼ିଶା
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ଉତ୍ତର ଦ୍ୱାରରେ ରାମ୍ପ୍-ରେଲିଂ
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁଗମ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତମାନଙ୍କ ସୁବିଧା ନିମନ୍ତେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଦେଇ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ଏହି ନୂତନ ବ୍ୟବସ୍ଥା ଅଧୀନରେ ଉତ୍ତର ଦ୍ୱାର ଗୁମୁଟରୁ କୂର୍ମ ବେଢ଼ା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ରାମ୍ପ ଏବଂ ରେଲିଂ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଭକ୍ତମାନଙ୍କୁ ନାଟମଣ୍ଡପ କିମ୍ବା ଜଗମୋହନ ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯିବ। ମାନ୍ୟବର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟି ଏବଂ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସରୁ ସ୍ୱେଚ୍ଛାସେବୀମାନଙ୍କୁ ସାମିଲ କରିବା ନେଇ ଆଲୋଚନା ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ୍ ସୋସାଇଟିର ସଭାପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ସୂଚନା ଦେଇଛନ୍ତି ଯେ, ଏହି ସୁବିଧା ପାଇବା ପାଇଁ ଏକ ଅନଲାଇନ୍ ମୋବାଇଲ୍ ଆପ୍ଲିକେସନ୍ ବିକଶିତ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବରେ ପ୍ରତିଦିନ ୫୦ ଜଣ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତ ଏହି ଅନଲାଇନ୍ ଆପ୍ ମାଧ୍ୟମରେ ସୁବିଧା ପାଇପାରିବେ। ସମସ୍ତ ଭକ୍ତ କିପରି ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ଭାବରେ ଦର୍ଶନ କରିପାରିବେ ତାହା ପ୍ରଶାସନର ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ବୁଧବାର ଦିନ ଶୁଭ ଲଗ୍ନରେ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଇଛି। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ସୁବିଧା ପାଇଁ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଗୁଣ୍ଡିଚା ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।






