ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଭୟ; ଠକଙ୍କ କଥାରେ ପ୍ରାୟ ୩୫ ଘଣ୍ଟା ଧରି ଘରେ ନଜରବନ୍ଦୀ
ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ । ଦେଢ଼ ଦିନ ଧରି ନଜରବନ୍ଦୀ । ନିଜକୁ ପୋଲିସର ପରିଚୟ ଦେଇ କଥା ହେଲେ ସାଇବର ଠକ । ଦମ୍ପତ୍ତିଙ୍କ ସହ ଆତଙ୍କି ଲିଙ୍କ ଥିବା କଥା କହି ଧମକାଇଲେ । ଏପରିକି କାଶ୍ମୀରରେ ଆତଙ୍କବାଦୀମାନେ ତାଙ୍କ ଆଧାର କାର୍ଡ ବ୍ୟବହାର କରିଛନ୍ତି । ଆଧାର କାର୍ଡ ବ୍ୟବହାର ଯୋଗୁଁ ତାଙ୍କୁ ୬ ଲକ୍ଷର କମିଶନ ମିଳିଛି । ଏପରିକି ମନି ଲଣ୍ଡରିଂ କେସରେ କୁଆଡେ ସେମାନଙ୍କ ସମ୍ପୃକ୍ତି ଅଛି । କୋଟିଏ ଟଙ୍କା ଦେଲେ କେସ୍ ରୁ ମୁକ୍ତି ମିଳିବ ବୋଲି କହି ଦମ୍ପତ୍ତିଙ୍କୁ ଧମକାଇଥିଲେ ଠକ । ଠକେଇର ଶିକାର ପୁରୁଷ ଜଣଙ୍କ ନାଲକୋର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ହୋଇଥିବା ବେଳେ ମହିଳା ଜଣଙ୍କ ଅବସରପ୍ରାପ୍ତ ଅଧ୍ୟାପିକା। ଭୟରେ ପ୍ରାୟ ୩୫ ଘଣ୍ଟା ଧରି ଠକଙ୍କ କଥାରେ ଘରେ ନଜରବନ୍ଦୀ ହୋଇ ରହିଲେ ଦୁଇ ଜଣ । ତେବେ ଠକଙ୍କୁ ଟଙ୍କା ପଠାଇବାକୁ ବ୍ୟାଙ୍କ ଯାଇଥିବା ବେଳେ ଠକର ଆକାଉଣ୍ଟଟି ଅଚଳ ବୋଲି ଜାଣିବାକୁ ପାଇଥିଲେ । ଏ ସମ୍ପର୍କରେ ଅଧିକ ଖୋଳତାଡ଼ ପରେ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ବ୍ୟାଙ୍କର ସହାୟତାରେ ସାଇବର ଥାନାକୁ ଜଣାଇବା ପରେ ଏକ ବଡ଼ ଧରଣର ଠକେଇରୁ ବର୍ତ୍ତି ଯାଇଛନ୍ତି ଦମ୍ପତ୍ତି ।





