ରିଲ୍‌ସ ନିଶା‌ରେ ବାୟା ଶିକ୍ଷୟିତ୍ରୀ: ସ୍କୁଲରେ ପାଠପଢ଼ା କମ୍, ରିଲ୍ସ ବେଶି

Madhusudan Das Picture
Published On

ଭୁବନେଶ୍ୱର: ଶିକ୍ଷୟିତ୍ରୀଙ୍କୁ ଘାରିଛି ରିଲ୍‌ସ ନିଶା। ବିଦ୍ୟାଳୟରେ ଭିଡିଓ କରୁଛନ୍ତି; ସୋସିଆଲ୍‌ ମିଡିଆରେ ଛାଡ଼ୁଛନ୍ତି। ଏପରିକି ଛାତ୍ରଛାତ୍ରୀଙ୍କୁ ଭିଡିଓରେ ବ୍ୟବହାର କରିବାକୁ ପଛାଉ ନାହାନ୍ତି। ପାଠପଢ଼ା ସମୟରେ ମଧ୍ୟ ରିଲ୍‌ସ ନିଶା ଉତୁରୁନାହିଁ। ଗୋଟିଏପଟେ ପାଠପଢ଼ା ଚାଲୁଛି; ଅନ୍ୟପଟେ ଶିକ୍ଷୟତ୍ରୀଙ୍କ ମୋବାଇଲ୍‌ ଧରି ଛାତ୍ରଛାତ୍ରୀମାନେ ଭିଡିଓ କରୁଛନ୍ତି। ଏହାକୁ ଏଡିଟିଂ କରିବା ପରେ ଶିକ୍ଷୟିତ୍ରୀମାନେ ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସମୟ ସହ ଶିକ୍ଷାଦାନ ଶୈଳୀରେ ପରିବର୍ତ୍ତନ ହୋଇଛି। ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଶିକ୍ଷାଦାନ କରିବାକୁ ଗୁରୁତ୍ୱାରୋପ କରାଯାଉଛି। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ସମୟରେ ଏନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ମାତ୍ର ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ପିଲାଙ୍କୁ ପାଠ ପଢ଼ାଇବାରେ ସେମାନେ ଯେତେ ମନୋନିବେଶ କରୁ ନାହାନ୍ତି, ତାଠାରୁ ରିଲ୍‌ସ କରିବାକୁ ଅଧିକ ତତ୍ପର ରହୁଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଶିକ୍ଷକଙ୍କଠାରୁ ଏହି କ୍ଷେତ୍ରରେ ଶିକ୍ଷୟିତ୍ରୀମାନେ ବହୁ ଆଗରେ। ଇନ୍‌ଷ୍ଟାଗ୍ରାମ୍‌ ଖୋଲିବା ମାତ୍ରେ ଶ୍ରେଣୀଗୃହରେ ଶିକ୍ଷୟତ୍ରୀମାନେ ପିଲାଙ୍କ ସହ ଭିଡିଓ କରୁଥିବାର ଅନେକ ଭିଡିଓ ଆସୁଛି। ଶିକ୍ଷୟିତ୍ରୀ ସ୍ମାର୍ଟ ବୋର୍ଡରେ ପଢ଼ାଇବା ବେଳର ଭିଡିଓ ଆସୁଥିବାରୁ ସେହି ସମୟରେ କୌଣସି ପିଲା ଏହାକୁ ମୋବାଇଲ୍‌ରେ ରେକର୍ଡିଂ କରୁଥିବା ଏକପ୍ରକାର ସ୍ପଷ୍ଟ ଜଣାପଡ଼ୁଛି। ସେହିପରି ଅନେକ ଶିକ୍ଷୟିତ୍ରୀ ଗୀତ ଗାଇଲା ବେଳେ ପିଲାମାନେ ବାଦ୍ୟ ବଜାଉଛନ୍ତି। ଆଉ କିଛି ସୀମା ସରହଦ ଅତିକ୍ରମ କରି ଦ୍ୱିଅର୍ଥବୋଧକ ଗୀତ ବା କଣ୍ଟେଣ୍ଟରେ ଭିଡିଓ ପ୍ରସ୍ତୁତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଅନେକ ସମୟରେ ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଉଛି। ବହୁ ଅଭିଭାବକ ଶିକ୍ଷୟିତ୍ରୀଙ୍କୁ ତାଗିଦ କରୁଛନ୍ତି। ସେମାନଙ୍କ ପିଲାଙ୍କୁ ପାଠ ନ ପଢ଼ାଇଲେ ନାହିଁ, ବିପଥଗାମୀ ନ କରିବାକୁ ରୋକଠୋକ୍‌ କହୁଛନ୍ତି। ଅପରପକ୍ଷେ ଘରୋଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତୁଳନାରେ ସରକାରୀ ବିଦ୍ୟାଳୟ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ପରିସରରେ ବା ଶ୍ରେଣୀଗୃହରେ ଅଧିକ ମାତ୍ରାରେ ରିଲ୍‌ସ କରୁଥିବା ମଧ୍ୟ ଦେଖାଦେଉଛି।

ନିକଟରେ ଭଦ୍ରକ ଜିଲ୍ଲାରେ ଜଣେ ଶିକ୍ଷୟିତ୍ରୀଙ୍କ ଏତାଦୃଶ ରିଲ୍ସ ପାଇଁ ବିବାଦ ହୋଇଥିଲା। ଅଭିଭାବକମାନେ ଶିକ୍ଷୟିତ୍ରୀଙ୍କୁ ଘେରିବା ସହ ତାଙ୍କ ବଦଳି ଦାବିରେ ବିଦ୍ୟାଳୟ ବନ୍ଦ କରିଥିଲେ। ପରେ ତାଙ୍କୁ ବଦଳି କରାଯାଇଥିଲା। ମାତ୍ର ସେଠାରେ ମଧ୍ୟ ଅଭିଭାବକମାନେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ବିରୋଧ କରିବା ସହ ବିଦ୍ୟାଳୟରେ ଯୋଗଦେବାକୁ ବିରୋଧ କରିଥିଲେ। କ୍ରମାଗତ ଭାବେ ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ରିଲ୍‌ସ ସଂଖ୍ୟା ଆଶାତୀତ ଭାବେ ବଢ଼ୁଥିବା ବେଳେ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ଅଭିଭାବକଙ୍କ ମତରେ ପିଲାମାନଙ୍କ ସାଂସ୍କୃତିକ ପ୍ରତିଭାକୁ ପ୍ରସ୍ଫୁଟିତ କରିବାରେ ଏସବୁ କିଛି ମାତ୍ରାରେ ସହାୟକ ହୋଇପାରେ। ମାତ୍ର ଶିକ୍ଷୟିତ୍ରୀମାନେ ପିଲାଙ୍କୁ ବ୍ୟବହାର କରି ଭିଡିଓ କରିବା, ପିଲାଙ୍କ ସହ ରିଲ୍‌ସ କରିବା, ପିଲାଙ୍କ ଅଜ୍ଞତାକୁ ବା କୌତୂହଳପୂର୍ଣ୍ଣ ଉତ୍ତରକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରି ଏକାଧିକ କାର୍ଯ୍ୟକଳାପ କରୁଛନ୍ତି। ଯାହା ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ଚାପଗ୍ରସ୍ତ କରୁଛି। ଏଣୁ ଏପରି କରୁଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ସେହିପରି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ଏହାକୁ ଦୃଷ୍ଟିରେ ରଖି ଏକ କଠୋର୍‌ ମାର୍ଗଦର୍ଶିକା ପ୍ରଣୟନ କରିବା ଆବଶ୍ୟକ ରହିଥିବା ବହୁ ଅଭିଭାବକ ମତବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର