ମନୋରଞ୍ଜନ
ଓଡ଼ିଶା
ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନିରଥ, ଆଜି ବାହୁଡ଼ିବେ ଦାରୁବ୍ରହ୍ମ
ପୁରୀ : ଜନ୍ମବେଦୀରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଏବେ ରତ୍ନବେଦୀକୁ ବାହୁଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ରହଣି ପରେ ବୁଧବାର ଭାଇ ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ କାଳିଆ ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିରହିଛନ୍ତି ତିନିରଥ। ବୁଧବାର ରଥାରୁଢ଼ ହୋଇ ଦାରୁବିଗ୍ରହ ଯିବେ ଶ୍ରୀମନ୍ଦିର ଅଭିମୁଖେ। ତେବେ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିବା ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ […]
ପୁରୀ : ଜନ୍ମବେଦୀରେ ଶେଷ ହୋଇଛି ଚତୁର୍ଦ୍ଧାବିଗ୍ରହଙ୍କ ଲୀଳା। ଏବେ ରତ୍ନବେଦୀକୁ ବାହୁଡ଼ିବାକୁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ ଦିନ ରହଣି ପରେ ବୁଧବାର ଭାଇ ଭଉଣୀଙ୍କୁ ସାଥୀରେ ଧରି ବାହୁଡ଼ିବେ କାଳିଆ ଠାକୁର। ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିରହିଛନ୍ତି ତିନିରଥ। ବୁଧବାର ରଥାରୁଢ଼ ହୋଇ ଦାରୁବିଗ୍ରହ ଯିବେ ଶ୍ରୀମନ୍ଦିର ଅଭିମୁଖେ। ତେବେ ଦକ୍ଷିଣମୋଡ଼ ହୋଇ ନାକଚଣା ଦ୍ୱାରରେ ଲାଗିଥିବା ତିନିରଥକୁ ମହାରଣା ସେବକ ଓ ରଥ ବିଶେଷଜ୍ଞ କମିଟି ଯାଞ୍ଚ କରିସାରିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଥିଲା ସନ୍ଧ୍ୟା ଦର୍ଶନ। ସକାଳୁ ଆରମ୍ଭ ହୋଇଯାଇଥିଲା ଭକ୍ତଙ୍କ ଗହଳି।
ଲମ୍ବା ଧାଡ଼ିରେ ବ୍ୟାରିକେଡ ମଧ୍ୟ ଦେଇ ଶ୍ରଦ୍ଧାଳୁମାନେ ଜନ୍ମବେଦୀରେ ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ। ଅନ୍ୟପକ୍ଷରେ ନୀତି ବି ସଅଳ ଚାଲିଥିଲା। ଏଥିସହ ଆଡ଼ପ ଅବଢ଼଼ା ବି ସଅଳ ବାହାରିଥିଲା। ଶେଷ ଆଡ଼ପ ଅବଢ଼଼ା ପାଇଁ ଭକ୍ତମାନେ ବେଶ୍ ଭିଡ଼ ଜମାଇଥିଲେ।
ବାହୁଡ଼ା ଯାତ୍ରା ପ୍ରସ୍ତୁତି ପାଇଁ ସନ୍ଧ୍ୟା ଦର୍ଶନ ଅପରାହ୍ନ ୫ଟା ୨୦ ମିନିଟ୍ରେ ବନ୍ଦ କରାଯାଇଥିଲା। ଆଡ଼ପମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ଼ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ବାହୁଟକଣ୍ଟ, ଚାରବନ୍ଧା ଓ କୁସୁମି ଲାଗି ନୀତି ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ, ବୁଧବାର ଭୋର ୪ଟାରେ ମଙ୍ଗଳ ଆଳତି ହେବ।
ଠାକୁର ଖେଚୁଡ଼ି ଭୋଗ ଖାଇସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ପୂର୍ବାହ୍ନ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ମଧ୍ୟାହ୍ନ ୧୨ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼଼ି ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରାଯିବା ଲାଗି ନୀତି ନିର୍ଘଣ୍ଟ ହୋଇଛି। ରଥଟଣା ସରିବା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ବାହୁଡ଼ା ପରଦିନ ଅର୍ଥାତ୍ ଗୁରୁବାର ସୁନାବେଶ ରହିଛି। ତେଣୁ ବାହୁଡ଼ା ଦିନ ହିଁ ସିଂହଦ୍ୱାରରେ ତିନିରଥ ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଦାରୁବିଗ୍ରହଙ୍କ ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ପୁଲିସ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ପଞ୍ଚସ୍ତରୀୟ ସୁରକ୍ଷା ବଳୟରେ ରହିଛି ପୁରୀ ସହର।






