ଖୁବ୍ଶୀଘ୍ର ଉଦ୍ଧାର ଓରାଙ୍ଗଉଟାନଙ୍କୁ ଦେଖିପାରିବେ ସାଧାରଣ ଦର୍ଶକ, ଇଣ୍ଡୋନେସିଆ ଫେରିବା ଚର୍ଚ୍ଚାକୁ ଖଣ୍ଡନ କଲେ ଉପମୁଖ୍ୟମନ୍ତ୍ରୀ
ବାରଙ୍ଗ: ନନ୍ଦନକାନନରେ ରଖାଯାଇଥିବା ଉଦ୍ଧାର ଓରାଙ୍ଗଉଟାନଙ୍କୁ ଖୁବ୍ଶୀଘ୍ର ସାଧାରଣ ଲୋକେ ଦେଖିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଏହାସହ ଓରାଙ୍ଗଉଟାନଙ୍କୁ ଇଣ୍ଡୋନେସିଆ ଫେରାଇ ନିଆଯିବା ନେଇ ହେଉଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି। ବୁଧବାର ଅପରାହ୍ନରେ ଉଦ୍ଧାର ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଗତିବିଧି ଏବଂ ଖାଦ୍ୟପେୟ ସମୀକ୍ଷା ପାଇଁ ଉପମୁଖ୍ୟମନ୍ତ୍ରୀ ନନ୍ଦନକାନନ ପରିଦର୍ଶନ କରିଥିଲେ। ତାଙ୍କ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ପିସିସିଏଫ ପ୍ରେମକୁମାର ଝା ଏବଂ ନନ୍ଦନକାନନ ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ପ୍ରମୁଖ ଉପସ୍ଥିତ ଥିଲେ।
ଉପମୁଖ୍ୟମନ୍ତ୍ରୀ ଶିଶୁ ଲାଳନପାଳନ କେନ୍ଦ୍ରରେ ଥିବା କ୍ୱାରେଣ୍ଟାଇନ ଗୃହକୁ ଯାଇ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ପଶୁ ଚିକିତ୍ସକ ଓ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହାପରେ ନୂଆକରି ଆସିଥିବା ଜୀବଜନ୍ତୁଙ୍କୁ ମଧ୍ୟ ବୁଲି ଦେଖିଥିଲେ। ପରିଦର୍ଶନ ପରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ଓରାଙ୍ଗଉଟାନମାନେ କ୍ୱାରେଣ୍ଟାଇନରେ ରହିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ହେବା ପରେ ସାଧାରଣ ଦର୍ଶକଙ୍କ ପାଇଁ ଖୋଲାଯିବ। ଏଥିପାଇଁ ପ୍ରସ୍ତୁତି ଚାଲିଛି। ସେହିପରି ଓରାଙ୍ଗଉଟାନଙ୍କୁ ଇଣ୍ଡୋନେସିଆ ପଠାଇବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା କେବଳ ଚର୍ଚ୍ଚା ସ୍ତରରେ ରହିଛି। ଏଥିରେ କୌଣସି ବାସ୍ତବତା ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ବର୍ତ୍ତମାନ ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଯତ୍ନକୁ ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରାଥମିକତା ଦେଉଛନ୍ତି।






