ମନୋରଞ୍ଜନ
ଓଡ଼ିଶା
ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୫ ଜିଲ୍ଲାରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୫ଟି ଜିଲ୍ଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ ରାଷ୍ଟ୍ରପତି ବିତାଇବେ ୬ ଦିନ। ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ ପରେ ଲୋକ ଭବନରେ ରାତ୍ରୀଯାପନ କରିବେ । ଏଥିପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରପତି ଯିବାକୁ ଥିବା ରାସ୍ତା ଗୁଡିକରେ କଟକଣା ଜାରି କରାଯାଇଛି ।
ଆସନ୍ତାକାଲି ସକାଳୁ ଯାଜପୁର ଯାଇ ୯ଟା ୫୦ରେ ଯାଜପୁର ଯାଇ ସେଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ।୧୦ଟାରେ ନାଭିଗୟାରେ ପହଞ୍ଚି ପିଣ୍ଡଦାନ କରିବେ । ସେଠାରୁ ବାହାରି ଅପରାହ୍ନ ୧୨ ଟା ୪୦ରେ ବାଲେଶ୍ବର ଫକୀର ମୋହନ ବିଶ୍ବ ବିଦ୍ୟାଳୟ ପହଞ୍ଚିବେ ରାଷ୍ଟ୍ରପତି । ବିଶ୍ବ ବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସନ୍ଧ୍ୟା ୬ଟା ସୁଦ୍ଧା ପୁରୀ ତାଳବଣିଆ ହେଲିପ୍ୟାଡ଼ରେ ପହଞ୍ଚିବେ । ପୁରୀ ଲୋକ ଭବନ ଯାଇ ରାତ୍ରୀଯାପନ କରିବେ । ୪ ତାରିଖରେ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ।
ଫେବୃଆରୀ ୪ ତାରିଖରେ ରାଇରଙ୍ଗପୁର ଗସ୍ତ କରି ମହୁଲଡିହା ହଲିଡେ ହୋମର ଉଦଘାଟନ କରିବେ । ସରକାରୀ ବାଳିକା ହାଇସ୍କୁଲ କାର୍ଯ୍ଯକ୍ରମରେ ଯୋଗ ଦେଇ ବାଇଦପୋଷିରେ ଏକ ସ୍ପୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବେ । ରାଇରଙ୍ଗପୁର ଅତିଥି ଭବନରେ ରାତ୍ରୀ ଯାପନ ପରେ ୫ ତାରିଖରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ଦର୍ଶନ କରି ମୟୂରଭଞ୍ଜ ଶିମିଳପାଳ ଅଭୟାରଣ୍ୟ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ୬ ତାରିଖରେ ଶିମିଳିପାଳରେ ଏକ ଟ୍ରାଇବାଲ କମ୍ୟୁନିଟି ଉଦଘାଟନ ପରେ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବେ। ଏହାପରେ ସେଠାରୁ ଭୁବନେଶ୍ବର ଫେରିବେ ରାଷ୍ଟ୍ରପତି । ଭୁବନେଶ୍ବର ବ୍ଲାକ ଶ୍ବାନ ସମ୍ମିଟରେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବର ଲୋକ ଭବନରେ ରାତ୍ରୀ ଯାପନ ପରେ ୭ ତାରିଖ ୯ଟା ୨୦ରେ ଛତିଶଗଡ଼ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।





