ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ଏଥିପାଇଁ ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ସରକାରରେ ଶୁଣିବାକୁ କେହି ନାହିଁ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ରବିବାର ଶଙ୍ଖ ଭବନରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ସମାବେଶକୁ ଉଦ୍ଘାଟନ କରି ନବୀନ କହିଛନ୍ତି, ବିଜୁ ଜନତା ଦଳ ମା’ମାନଙ୍କ ସମ୍ପୂର୍ଣ୍ଣ ସଶକ୍ତୀକରଣରେ ବିଶ୍ୱାସ କରେ। ଅନ୍ୟ ଦଳମାନଙ୍କ ପରି ଲୋକଦେଖାଣିଆ କାମ କରେ ନାହିଁ। ମା’ମାନଙ୍କ ମର୍ଯ୍ୟାଦା, ନିରାପତ୍ତା ଓ ସଶକ୍ତୀକରଣ ପାଇଁ ବିଜେଡି ପ୍ରତିବଦ୍ଧତାର ସହ କାମ କରୁଛି। ବିଜେଡି ସରକାର ମା’ମାନଙ୍କ କଲ୍ୟାଣ ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲା। ମା’ମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିଥିଲା। ମା’ମାନେ ହେଉଛନ୍ତି ବିଜେଡିର ନୀତି ଓ ଆଦର୍ଶର ବାର୍ତ୍ତାବହ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ସମାଜର ବୃହତ୍ତର ବିକାଶରେ ମହିଳାମାନଙ୍କ ଗୁରୁତ୍ୱକୁ ବିଜୁ ବାବୁ ଭଲ ଭାବରେ ବୁଝିଥିଲେ ଏବଂ ସେ ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ବାସ୍ତବରେ ବିଜୁବାବୁ ହିଁ ଥିଲେ ସାରା ଦେଶରେ ମହିଳା ସଶକ୍ତିକରଣର ପଥ ପ୍ରଦର୍ଶକ। ମା’ମାନଙ୍କ ପ୍ରକୃତ ସଶକ୍ତୀକରଣ ସହ ମା’ମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ବିଜେଡିର ଲଢେ଼ଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ବଢ଼ୁଥିବା ମହିଳା ହିଂସା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିବା ସହ କେତେଦିନ ଏମିତି ଚାଲିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ସକାଳେ ଏକ୍ସ ଯୋଗେ ନବୀନ ଉଲ୍ଲେଖ କରିଛନ୍ତି ଯେ, ମା’ଙ୍କ ପରିଚୟ ‘ମିଶନ ଶକ୍ତି’। ଲକ୍ଷ ଲକ୍ଷ ମା’ଙ୍କ ସମୃଦ୍ଧି ଓ ସୁରକ୍ଷାର ଭରସା ‘ମିଶନ ଶକ୍ତି’। ଦୀର୍ଘ ୨୫ବର୍ଷର ଯାତ୍ରାରେ ଅଗଣିତ ମା’,ଭଉଣୀଙ୍କ ଜୀବନରେ ଏହା ପରିବର୍ତ୍ତନ ଆଣିଛି, ସେମାନଙ୍କୁ ବିକାଶରେ ସମଭାଗୀ କରିଛି। ହାଣ୍ଡିଶାଳରୁ ବାହାର କରି ଦୁନିଆ ଦେଖାଇଛି। ମା’ମାନଙ୍କ ବିକାଶ ପାଇଁ ‘ମିଶନ ଶକ୍ତି’ ଆମ ସଂକଳ୍ପକୁ ମଜଭୁତ କରିଛି ବୋଲି ନବୀନ ଉଲ୍ଲେଖ କରିଛନ୍ତି। ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନାରୀ ନେତ୍ରୀ ମାନେ ଉଦ୍ବୋଧନ ଦେଇଥିଲେ।





