ମନୋରଞ୍ଜନ
ଓଡ଼ିଶା
ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ଜାରି: ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସହ ଫୁଲୁଛି ନଦୀ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବରଗଡ଼ ଦେଇ ପଡ଼ୋଶୀ ଛତିଶଗଡ଼ ଆଡ଼କୁ ଗତି କରୁଥିବାରୁ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ କଡ଼ା ସତର୍କତା ଅବଲମ୍ବନ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ଏବଂ ସାଧାରଣ ଜନତାଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଶନିବାର ସୁଦ୍ଧା ପାଗରେ ଉନ୍ନତି ଆସିବା ସହ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।
ଲଗାଣ ବର୍ଷା କାରଣରୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ, ମଥାନୀଠାରେ ଜଳକା ନଦୀ ମଧ୍ୟ ବିପଦ ସୀମା ପାର୍ କରିଛି। ଅନ୍ୟପକ୍ଷରେ, ଦିନ ତମାମ ବର୍ଷାର ପରିମାଣ କମିଲେ ଶୁକ୍ରବାର ରାତି ସୁଦ୍ଧା ଏହି ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବ ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି।
ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଛି। ତଳିଆ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଅବପାତର ପ୍ରଭାବ ଅଧିକ ରହିବାକୁ ଥିବାରୁ ଏହି ଅଞ୍ଚଳ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ପାଗ ସମ୍ପୂର୍ଣ୍ଣ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଲୋକମାନଙ୍କୁ ଘରେ ରହିବାକୁ ଏବଂ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।






