ଆଜି ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍, ଯୋଗଦେବେ ୫୦୦ ନିବେଶକ
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଶାକୁ ଦେଶର ସବୁଠୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ସ୍ୱପ୍ନ ଦେଖିଥିଲେ। ତାଙ୍କର ଦାୟାଦ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଶିଳ୍ପ କେନ୍ଦ୍ର ଭାବରେ ଗଢ଼ିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଶିଳ୍ପ ନୀତି ପ୍ରଣୟନ କରିଛନ୍ତି। ନିୟମିତ ବ୍ୟବଧାନର ‘ମେକ୍ ଇନ୍ ଓଡ଼ିଶା’ କନ୍କ୍ଲେଭ ଆୟୋଜନ କରି ନିବେଶକ, ଶିଳ୍ପଦ୍ୟୋଗୀମାନଙ୍କୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛନ୍ତି। […]
ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଶାକୁ ଦେଶର ସବୁଠୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ସ୍ୱପ୍ନ ଦେଖିଥିଲେ। ତାଙ୍କର ଦାୟାଦ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଦେଶର ଶିଳ୍ପ କେନ୍ଦ୍ର ଭାବରେ ଗଢ଼ିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଶିଳ୍ପ ନୀତି ପ୍ରଣୟନ କରିଛନ୍ତି। ନିୟମିତ ବ୍ୟବଧାନର ‘ମେକ୍ ଇନ୍ ଓଡ଼ିଶା’ କନ୍କ୍ଲେଭ ଆୟୋଜନ କରି ନିବେଶକ, ଶିଳ୍ପଦ୍ୟୋଗୀମାନଙ୍କୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛନ୍ତି। ଆଗାମୀ ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ବିପୁଳ ନିବେଶ ଆଣିବା ଓ ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ସଂଖ୍ୟାକୁ ଲକ୍ଷେରେ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ଦୁବାଇ, ଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଲୁରୁରେ ଆୟୋଜନ ହେଉଛି ନିବେଶକ ସମ୍ମେଳନ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଗତକାଲିଠୁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି।
ଗତକାଲି ପ୍ରଥମ ଦିନରେ ବିଶିଷ୍ଟ ଶିଳ୍ପପତି ତଥା ୱିପ୍ରୋର ପୂର୍ବ ଅଧ୍ୟକ୍ଷ ଅଜିମ୍ ପ୍ରେମ୍ଜୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିବେଶ ସଂକ୍ରାନ୍ତ ଆଲୋଚନା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଶର ବହୁ ପ୍ରମୁଖ ଶିଳ୍ପପତି ଭେଟି ଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେଶ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇଟି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା କମ୍ପାନୀର ମୁଖ୍ୟମାନେ ରହିଛନ୍ତି। ସେହିପରି ଗୋଲ୍ଡେନ ହାଚେରିଜ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସୟଦ୍ ଫହାଦ୍, ୯୧ ସ୍ପ୍ରିଙ୍ଗ ବୋର୍ଡର ଯୁଗ୍ମ ପ୍ରତିଷ୍ଠାତା ବରୁଣ ଚାୱଲା, ପ୍ରଣୟ ଗୁପ୍ତା, ଡୋଡ୍ଲା ଡାଏରୀର ନିର୍ଦ୍ଦେଶକ ଏଏମଏସ ରେଡ୍ଡୀ, ନନ୍ଦୀ ପାୱାରଟ୍ରୋନିକ୍ସର ପରିଚାଳନା ନିର୍ଦ୍ଦେଶକ ଏଚ୍ଏନ୍. ରାମକ୍ରିଷ୍ଣୟା, ନେଷ୍ଟାୱେର ପରିଚାଳନା ନିର୍ଦ୍ଦେଶକ ଅମରେନ୍ଦ୍ର ସାହୁ, ମେରଲିନ୍ହକ୍ ଏରୋସ୍ପେଶ ଲିମିଟେଡର ନିର୍ଦ୍ଦେଶକ ଏବଂ ସିଏଫ୍ଓ ଯୋଶେଫ୍ ଆଣ୍ଡ୍ରୋଥ , ଏମ୍ଭିଏମ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡର ପଚିଚାଳନା ନିର୍ଦ୍ଦେଶକ ନନ୍ଦା ଭେଙ୍କଟ ରାଓ, ଏବଂ ଶର୍ଭାଣୀ ଏନର୍ଜୀ ପରିଚାଳନା ନିର୍ଦ୍ଦେଶକ ଏନ୍. ପ୍ରଶାନ୍ତ ରାଓଙ୍କ ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନିବେଶ ସଂକ୍ରାନ୍ତ ଆଲୋଚନା କରିଛନ୍ତି।ଓଡ଼ିଶାର ଶିଳ୍ପ ଅନୁକୂଳ ବାତାବରଣ, ରାଜ୍ୟ ସରକାରଙ୍କ ଶିଳ୍ପ ନୀତି, ଇଜ୍ ଅଫ୍ ଡ଼ୁଇଙ୍ଗ ବିଜନେସ ର୍ୟାଙ୍କିଂରେ ଓଡ଼ିଶାର ସ୍ଥାନ, ଦକ୍ଷ ମାନବ ସମ୍ବଳ ସମ୍ପର୍କରେ ଏହି ଶିଳ୍ପପତିମାନଙ୍କୁ ଅବଗତ କରିବା ସହ ନିବେଶ ନିମନ୍ତେ ନିମନ୍ତ୍ରଣ କରିଛନ୍ତି।
ଅନୁରୂପ ଭାବରେ ଆସନ୍ତାକାଲି ଫିକି ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ନିବେଶକ ସମ୍ମିଳନୀ ଆୟୋଜିତ ହୋଇଛି। ଏହି ସମ୍ମେଳନରେ ପ୍ରାୟ ୫ଶହରୁ ଊଦ୍ଧ୍ୱ ନିବେଶକ, ଶିଳ୍ପପତି, ଶିଳ୍ପଗୋଷ୍ଠୀର ମୁଖ୍ୟମାନେ ଯୋଗ ଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେବାକୁ ନିମନ୍ତ୍ରଣ କରିବେ। ସଶକ୍ତ ଶିଳ୍ପ ନୀତି, ସୁବିଧା ସୁଯୋଗ, ସ୍ୱତନ୍ତ୍ର ସବ୍ସିଡି ବ୍ୟବସ୍ଥା ଜରିଆରେ ଓଡ଼ିଶା କିପରି ଭାବେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛି ସେନେଇ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବେ। ଏହା ସହ ଆଇବିଏମ୍ର ପରିଚାଳନା ସହଯୋଗୀ ଅମିତ ଶର୍ମା, ୱିପ୍ରୋ-ଜିଇ ହେଲ୍ଥକେୟାରର ସିଇଓ ଡ. ଶ୍ରବଣ ସୁବ୍ରମଣ୍ୟମ, ଏବିବି ଲିମିଟେଡର ସିଏଫଓ ଟି. କେ ଶ୍ରୀଧର, ଟିଟିକେ ପ୍ରେଷ୍ଟିଜ ଲିମିଟେଡର ସିଏଫଓ, ଇଣ୍ଡୋ ନିସିନ ଫୁଡ୍ସ ପ୍ରା.ଲିର ସିଇଓ ଗୌତମ ଶର୍ମା, ହାପିଏଷ୍ଟ ମାଇଣ୍ଡସର ସିଏଫଓ ଭେଙ୍କଟରମଣ ଏନ୍, କଟନ ୱାର୍ଲ୍ଡ ପରିଚାଳନା ନିର୍ଦ୍ଦେଶକ ବି ଏନ୍ ଭୋରା, ଓଣ୍ଡ୍ରେଲାର ଅରୁଣ ଚିତାପଲ୍ଲୀ ଏବଂ ଇଣ୍ଡିଆନ ଷ୍ଟିଚେସ୍ର ସିଏମ୍ଡି ବିଶାଲ ସେହଗଲଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଆଲୋଚନା କାର୍ଯ୍ୟକ୍ରମ ରହିଛି।
ଓଡ଼ିଶାରେ ଦୀର୍ଘ ସମୁଦ୍ର ତଟ ସହ ଧାମରା, ପାରାଦ୍ୱାପ, ଗୋପାଳପୁର ପରି ବୃହତ୍ ବନ୍ଦର ଶିଳ୍ପପତିମାନଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି। ଓଡ଼ିଶା ଓ ଏହାର ବନ୍ଦରଗୁଡ଼ିକ ବର୍ତ୍ତମାନ ପୂର୍ବ ଓ ଦକ୍ଷିଣପୂର୍ବ ଏସିଆର ପ୍ରବେଶପଥର ମାନ୍ୟତା ପାଇଛି। ରାଜ୍ୟ ସରକାର ଉପରୋକ୍ତ ବନ୍ଦରଗୁଡ଼ିକର ଭିତ୍ତିଭୂମି ଉନ୍ନୟନ ପାଇଁ ବହୁ ପଦକ୍ଷେପ ନେଉଥିବା ବେଳେ ଏହି ବନ୍ଦର ଭିତ୍ତିକ ଶିଳ୍ପ ଅନୁକୂଳ ବାତାବରଣ ଉପରେ ମୁଖ୍ୟମନ୍ତ୍ରୀ ଫୋକସ୍ କରିପାରନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଗସ୍ତରେ ସାମିଲ ହୋଇଥିବା ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀର ସଦସ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ଏବଂ ଷ୍ଟାର୍ଟ ଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମକାର ରାୟ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି।






