ମନୋରଞ୍ଜନ
ଓଡ଼ିଶା
ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରତିବାଦରେ ଆଜି ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି
ଭୁବନେଶ୍ୱର: ବିଦ୍ୟାଳୟ ପାଠ୍ୟପୁସ୍ତକରେ ଥିବା ବ୍ୟାପକ ତ୍ରୁଟି ପ୍ରତିବାଦରେ ଆଜି ନବନିର୍ମାଣ କୃଷକ ସଂଗଠନ (ଏନଏନକେଏସ) ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ବିକ୍ଷୋଭକାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ଏହି ଆନ୍ଦୋଳନରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ (ଏନୱାଇସିଏସ) ମଧ୍ୟ ସାମିଲ ହୋଇଛନ୍ତି । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଥିବା ଜାତୀୟ ରାଜପଥକୁ ବିକ୍ଷୋଭକାରୀମାନେ ଅବରୋଧ କରିବା ସହ ଟାୟାର ଜାଳି ପ୍ରତିବାଦ କରିଛନ୍ତି।
ଆନ୍ଦୋଳନକାରୀ ସଂଗଠନଗୁଡ଼ିକର ଦାବି ଅନୁଯାୟୀ, ଏହି ବନ୍ଦକୁ ରାଜ୍ୟବ୍ୟାପୀ ଜନସାଧାରଣଙ୍କ ବିପୁଳ ସମର୍ଥନ ମିଳିଛି। ବନ୍ଦ ଯୋଗୁଁ ବିଭିନ୍ନ ଅଞ୍ଚଳରେ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ନଜର ଆସିଛି । ରାଜ୍ୟବାସୀ ଏକଜୁଟ ହୋଇ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ବିକ୍ଷୋଭକାରୀମାନେ ଆହ୍ୱାନ ଦେଇଛନ୍ତି । ବରମୁଣ୍ଡାଠାରେ ଜଣେ ଆନ୍ଦୋଳନକାରୀ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ତ୍ରୁଟି ଯୋଗୁଁ ଆମର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି, ତେଣୁ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକେ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।
ବନ୍ଦ ବେଳେ ସକାଳ ୬ଟାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଥିଲା। ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଏବଂ ବିଦ୍ୟୁତ୍ ବିଭାଗର ଗାଡ଼ିଗୁଡ଼ିକୁ ବିନା ବାଧାରେ ଯାତାୟାତ ପାଇଁ ଅନୁମତି ଦିଆଯାଇଛି ।






