ବିବାଦ ସମାଧାନ ଲାଗି ଓଡ଼ିଶା-ଆନ୍ଧ୍ର ସହମତ

The Sakala Picture
Published On

ଭୁବନେଶ୍ୱର: ପଡ଼ୋଶୀ ଆନ୍ଧ୍ର ସହ ଲାଗି ରହିଥିବା ଉଭୟ ସୀମା ଓ ଜଳ ବିବାଦର ସମାଧାନ ହେବା ଆଶା ପୁଣି ତେଜିଛି। ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପରେ ଏବେ ଦୁଇ ରାଜ୍ୟର ମୁଖ୍ୟସଚିବସ୍ତରୀୟ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସମସ୍ତ ବିବାଦର ସମାଧାନ ଲାଗି ଉଭୟ ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ଯଦି ଆଲୋଚନା ଅନୁସାରେ ସବୁ ଠିକ ଚାଲେ ତା ହେଲେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ସହ ଦଶନ୍ଧି ଧରି ଲାଗି ରହିଥିବା ଅନେକ ବିବାଦର […]

ଭୁବନେଶ୍ୱର: ପଡ଼ୋଶୀ ଆନ୍ଧ୍ର ସହ ଲାଗି ରହିଥିବା ଉଭୟ ସୀମା ଓ ଜଳ ବିବାଦର ସମାଧାନ ହେବା ଆଶା ପୁଣି ତେଜିଛି। ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପରେ ଏବେ ଦୁଇ ରାଜ୍ୟର ମୁଖ୍ୟସଚିବସ୍ତରୀୟ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସମସ୍ତ ବିବାଦର ସମାଧାନ ଲାଗି ଉଭୟ ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ଯଦି ଆଲୋଚନା ଅନୁସାରେ ସବୁ ଠିକ ଚାଲେ ତା ହେଲେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ସହ ଦଶନ୍ଧି ଧରି ଲାଗି ରହିଥିବା ଅନେକ ବିବାଦର ସରଳ ସମାଧାନ ହୋଇପାରିବ।
କୋଟିଆରେ ସୀମା ବିବାଦ, ନଦୀ ଜଳ, ଆନ୍ତଃରାଜ୍ୟ ପରିବହନ ସହିତ ଅନ୍ୟ ପ୍ରସଙ୍ଗରେ ସମାଧାନ ପାଇଁ ଆନ୍ଧ୍ର ପ୍ରଦେଶ ସରକାର ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ନଭେମ୍ବର ୯ ତାରିଖରେ ଓଡ଼ିଶା ଆସି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‍ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ପରେ ପ୍ରଥମ ଥର ପାଇଁ ଉଭୟ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ବିଭିନ୍ନ ବିବାଦୀୟ ପ୍ରସଙ୍ଗର ସମାଧାନ ଲାଗି ରାସ୍ତା ଖୋଲିଛି।
ଡିଜିଟାଲ ମାଧ୍ୟମରେ ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ ହେବା ପରେ ସ୍ୱାଭିମାନ ଅଞ୍ଚଳକୁ ଗମନାଗମନ ସୁଗମ ହୋଇଛି। ଓଡ଼ିଶା ପଟୁ ନକ୍ସଲ ଦମନ ପ୍ରକ୍ରିୟାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ଏପରିସ୍ଥଳେ ଆନ୍ଧ୍ର ପ୍ରଦେଶ ପଟୁ ସଡ଼କ ଯୋଗାଯୋଗ ବ୍ୟବସ୍ଥା ହୋଇ ପାରିଲେ ଏହି ଅଞ୍ଚଳରେ ନକ୍ସଲ ସମସ୍ୟା ମୂଳୋତ୍ପାଟନ ସମ୍ଭବ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଓଡ଼ିଶା ସରକାରଙ୍କର ଏହି ପ୍ରସ୍ତାବକୁ ଆନ୍ଧ୍ର ପ୍ରଦେଶ ମୁଖ୍ୟ ସଚିବ ସମୀର ଶର୍ମା ସ୍ୱାଗତ କରିବା ସହ ଆନ୍ଧ୍ର ପଟୁ ୫ଟି ପ୍ରମୁଖ ସଡ଼କ ପ୍ରକଳ୍ପ ଆରମ୍ଭ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ସମୟରେ କୋଟିଆ ସୀମା ବିବାଦ ପ୍ରସଙ୍ଗ ଉଠିଥିଲା। ସୀମା ବିବାଦକୁ ନେଇ ଉଭୟ ରାଜ୍ୟ ଅଯଥାରେ ମୁହାଁମୁହିଁ ହେବା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ଓଡ଼ିଶା ଦର୍ଶାଇଥିଲା। ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଥିଲେ ସୀମା ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟର ଜିଲ୍ଲାସ୍ତରରେ ଯୁଗ୍ମ ଚିହ୍ନଟ କମିଟି ବିବାଦୀୟ ଅଞ୍ଚଳ ପରିଦର୍ଶନ କରି ନିଜ ନିଜର ସୀମା ଚିହ୍ନଟ କରିବେ। ମ୍ୟାପ୍‍ରେ ସ୍ପଷ୍ଟ ଭାବେ ଚିହ୍ନିତ ହୋଇଥିବା ସୀମାନ୍ତ ଏବଂ ବିବାଦ ବାହାରେ ଥିବା ଅଞ୍ଚଳକୁ ଉଭୟ ପକ୍ଷ ଚିହ୍ନଟ କରିବେ।

ଆଜିର ଆଲୋଚନା ସମୟରେ ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ଉଭୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମାଛକୁଣ୍ଡ ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପକୁ ଲାଗି ରହିଥିବା ସମସ୍ୟା ସମାଧାନ ନେଇ ଏକ ପ୍ରକଳ୍ପ ପ୍ରଶାସନିକ କମିଟି (ପିଏସି) ଗଠନ କରାଯିବ। ଉଭୟ ରାଜ୍ୟର ଶକ୍ତି ବିଭାଗର ପ୍ରମୁଖ ସଚିବଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ଏହି କମିଟି ପ୍ରକଳ୍ପ ସମ୍ପର୍କିତ ସମସ୍ୟାର ସମୀକ୍ଷା କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ପିଏସିର ବୈଠକ ଶୀଘ୍ର ଡକାଯାଇ ବାଲିମେଳା ଡ୍ୟାମ୍‍, ଜାପପୁଟ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ, ଲୋୟର ମାଛକୁଣ୍ଡ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ଅଗ୍ରଗତି ଦିଗରେ ଆଲୋଚନା କରିବ। ଜଳ ଭଣ୍ଡାରରୁ ଅତିରିକ୍ତ ଜଳ ନିଷ୍କାସନ ସମ୍ପର୍କରେ ଉଭୟ ରାଜ୍ୟ ଆପତ୍ତି ବିହୀନ ପ୍ରମାଣପତ୍ର ଜାରି କରିବା ନେଇ ବୈଠକରେ ବିଶଦ ଆଲୋଚନା ହୋଇଥିଲା। ମିଳିତ ବୁଝାମଣା ଅନୁସାରେ ଉଭୟ ପକ୍ଷର ଜଳ ଆବଣ୍ଟନକୁ ଦୃଷ୍ଟିରେ ରଖି ପ୍ରମାଣପତ୍ର ଜାରି କରାଯିବ ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଥିଲେ। ସଡ଼କ ପଥରେ ଗମନାଗମନ ସମ୍ପର୍କରେ ଓଡ଼ିଶା ସଡ଼କ ପରିବହନ ନିଗମ ଏବଂ ଆନ୍ଧ୍ର ପ୍ରଦେଶ ସଡ଼କ ପରିବହନ ନିଗମ ଶୀଘ୍ର ଆଲୋଚନା କରିବେ। ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ପ୍ରକଳ୍ପ ସମ୍ପର୍କିତ ସମସ୍ୟା ନେଇ ଓଡ଼ିଶା ଏବଂ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବୈଷୟିକ କମିଟି ଆଲୋଚନା କରିବେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ରାଜସ୍ୱ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ପରିବହନ କମିଶନର ଅରୁଣ ବୋଥ୍ରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ସକ୍ରିୟ ହେଲା ସୁସ୍ପଷ୍ଟ ଲଘୁଚାପ: ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ବରଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର