ପ୍ରକୃତି ପୂଜାର ପରମ୍ପରା ନୂଆଁଖାଇ…

The Sakala Picture
Published On

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚାଷୀଟିଏ ଖରା, ବର୍ଷା, ଶୀତକୁ ଖାତିର୍‌ ନ କରି ଯେଉଁ ପ୍ରଥମ ଖାଦ୍ୟଶସ୍ୟ ଅମଳ କରିଥାଏ, ତାକୁ ଇଷ୍ଟଦେବୀଙ୍କ ପାଖରେ ଭୋଗ ନ ଲଗାଇ ଆତ୍ମତୃପ୍ତି ଲାଭ କରିପାରେନା। ଶାସ୍ତ୍ର କହେ, ଅନ୍ନ ହିଁ ବ୍ରହ୍ମ। ସେହି ବ୍ରହ୍ମକୁ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ଅନ୍ୟ ନାମ ଅନ୍ନଯଜ୍ଞ ଏବଂ ଉତ୍ପାଦିତ ପ୍ରଥମ ଶସ୍ୟ ଦ୍ବାରା ସଂପାଦିତ ଏହି ଅନ୍ନଯଜ୍ଞକୁ କୁହାଯାଏ ନବାନ୍ନ ଭକ୍ଷଣ। ଖାସ୍‌ ସେଥିପାଇଁ ନୂଆଁଖାଇକୁ ନବାନ୍ନ ଭକ୍ଷଣ […]

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚାଷୀଟିଏ ଖରା, ବର୍ଷା, ଶୀତକୁ ଖାତିର୍‌ ନ କରି ଯେଉଁ ପ୍ରଥମ ଖାଦ୍ୟଶସ୍ୟ ଅମଳ କରିଥାଏ, ତାକୁ ଇଷ୍ଟଦେବୀଙ୍କ ପାଖରେ ଭୋଗ ନ ଲଗାଇ ଆତ୍ମତୃପ୍ତି ଲାଭ କରିପାରେନା। ଶାସ୍ତ୍ର କହେ, ଅନ୍ନ ହିଁ ବ୍ରହ୍ମ। ସେହି ବ୍ରହ୍ମକୁ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ଅନ୍ୟ ନାମ ଅନ୍ନଯଜ୍ଞ ଏବଂ ଉତ୍ପାଦିତ ପ୍ରଥମ ଶସ୍ୟ ଦ୍ବାରା ସଂପାଦିତ ଏହି ଅନ୍ନଯଜ୍ଞକୁ କୁହାଯାଏ ନବାନ୍ନ ଭକ୍ଷଣ। ଖାସ୍‌ ସେଥିପାଇଁ ନୂଆଁଖାଇକୁ ନବାନ୍ନ ଭକ୍ଷଣ ମଧ୍ୟ କୁହାଯାଏ। ପାଞ୍ଜି ଅନୁସାରେ, ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ଗଣପର୍ବ ନୂଆଁଖାଇ । ଏହା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ଭାଷା, ପରମ୍ପରା, ଚାଲି-ଚଳଣ ଏବଂ ସର୍ବୋପରି ଭାବାବେଗ ସହିତ ଓତପ୍ରୋତ ଭାବେ ଜଡ଼ିତ । ନୂଆଁଖାଇ କେବଳ ପାରମ୍ପରିକ ପର୍ବ ନୁହେଁ, ବରଂ ଏହି ପର୍ବ ଭ୍ରାତୃତ୍ବଭାବ ଓ ଏକତାର ପର୍ବ,ସୌହାର୍ଦ୍ଦ୍ୟ ମହାମିଳନର ପର୍ବ। କାରଣ ଯିଏ ଯେଉଁଠି ଯେତେଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ଏହି ସମୟରେ ସମସ୍ତେ ଏକତ୍ର ହୋଇଥାନ୍ତି। ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବା ପରେ ଶରତ ଋତୁ ଧରାପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ପରେ ଏଥିରୁ ପ୍ରସ୍ତୁତ ଭୋଗକୁ ପରିବାରର ସମସ୍ତେ ଖାଇଥାନ୍ତି। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ କୁହାଯାଏ ନୂଆଁଖାଇ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ନୂଆଁଖାଇ ପାଇଁ ଆଗରୁ “ଲଗ୍ନ” ବା “ତିଥି” ନିର୍ଣ୍ଣୟ କରାଯାଇଥାଏ। ଲଗ୍ନ ନିରୂପଣରୁ ଆରମ୍ଭ ହୁଏ ନୂଆଁଖାଇ ପ୍ରସ୍ତୁତି ଓ ସଜବାଜ। ଅଗଣାରୁ ଆରମ୍ଭ କରି ଘରକୁ ଦିଆଯାଏ ନୂଆ ରଙ୍ଗ ।ଏପରିକି ପୁରୁଣା ଆସବାବପତ୍ରକୁ ସଫା କରାଯାଏ ଏବଂ  ଘରର ପ୍ରତିଟି ସଦସ୍ୟ ପାଇଁ କିଣାଯାଏ ନୂତନ ପୋଷାକ। ଯେମିତିକି ସବୁକିଛି ଲାଗିବ ନୂଆ ନୂଆ। ଏଥିଭିତରେ ନୂଆ ଧାନରୁ ପ୍ରସ୍ତୁତ ହୁଏ ଚୂନା, ଖଇ, ଲିଆ ଓ ଚୁଡ଼ା। ନୂଆଁଖାଇର ସମସ୍ତ ସାମଗ୍ରୀ ପାଇଁ ଗାଁ ଗାଁରେ ବସେ ସ୍ବତନ୍ତ୍ର ହାଟ । ସେହିପରି ନୂଆଁଖାଇ ପାଇଁ ବ୍ୟବହୃତ ହୁଏ ବିଭିନ୍ନ ଗଛର ପତ୍ର। ମହୁଲ, କୁରେଇ, ସିଆଳି, ସରଗି ଭଳି ଗଛକୁ ପୂଜାର୍ଚ୍ଚନା କରିବା ପରେ ସେଥିରୁ ପତ୍ର ସଂଗ୍ରହ କରାଯାଏ । ସେହି ପତ୍ରରେ ତିଆରି ଖଲି, ଚଉପତି, ଦନା ଓ ଠୋଲାରେ ମାଆଙ୍କ ନିକଟରେ ନବାନ୍ନ ଲାଗି ହୁଏ, ଆଉ ତା’ ପରେ ସମସ୍ତେ ନୂଆଁ ଖାଇଥା’ନ୍ତି ।  ପଶ୍ଚିମ ଓଡ଼ିଶା ଶକ୍ତିପୀଠ ଭାବେ ପରିଚିତ । କଳାହାଣ୍ଡିର ମାଣିକେଶ୍ୱରୀ, ଜୁନାଗଡ଼ ଓ ଆଖପାଖର ଲଙ୍କେଶ୍ୱରୀ, ସମ୍ବଲପୁରର ସମଲେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ପାଟଣେଶ୍ୱରୀ, ସୋନପୁରର ସୁରେଶ୍ୱରୀ ଆଦି ଦେବଦେବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଭୋଗଲାଗି ହେବାପରେ ସେହି ନୂଆ ଅନ୍ନକୁ ସମସ୍ତେ ଗ୍ରହଣ କରିବାର ପରମ୍ପରା ରହିଆସିଛି। ନୂଆଁଖାଇ ପାଇଁ ବାହାର କରାଯାଏ ଅମୃତବେଳା । ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆ ଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଖିଆଯାଏ । ନୂଆଁଖାଇ ଦିନ ସମସ୍ତେ ଶୀଘ୍ର ଶଯ୍ୟାତ୍ୟାଗ କରି ନିଜ ନିଜର ନିତ୍ୟକର୍ମ ସାରନ୍ତି। ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ପୂଜାପାଠରେ ବସନ୍ତି। ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, ପିଠାପଣା ଦେବଦେବୀଙ୍କୁ ସମର୍ପଣ କରନ୍ତି। ଧୂପ ଦୀପ ଦେଇ ପୂଜା କରନ୍ତି। ନବନିର୍ମିତ ଚୁଲିରେ ନୂଆହାଣ୍ଡିରେ ଧାନ ପକାଇ ଚୁଡ଼ା ଭଜା ଯାଇଥାଏ । ସେହି ନୂତନ ଚୁଡ଼ାରେ କ୍ଷୀର, ଘିଅ, ନଡ଼ିଆ, କଦଳୀ, ଗୁଡ଼ ଆଦି ମିଶ୍ରଣ କରାଯାଇ ପ୍ରସାଦ ବା ନବାନ୍ନ ପ୍ରସ୍ତୁତ କରାଯାଇଥାଏ। ନୂଆଁଖାଇ ପାଇଁ କୁରେଇ ପତ୍ରକୁ ପୂର୍ବରୁ ସଂଗ୍ରହ କରି ରଖାଯାଇଥାଏ । ସେହି କୁରେଇ ପତ୍ରରେ ହିଁ ଘରର ମୁଖିଆ ସମସ୍ତଙ୍କୁ ନବାନ୍ନ ବଣ୍ଟନ କରିଥାନ୍ତି। ଜାତି ଅନୁସାରେ ଭିନ୍ନ ଭିନ୍ନ ପତ୍ରରେ ନୂଆଁ ଖାଇଥାନ୍ତି। ପ୍ରଥମେ ଇଷ୍ଟ ଦେବଦେବୀଙ୍କ ପାଖରେ ନୂଆ ଧାନର ବେଣୀ କରି ଝୁଲାଇ ଦିଆଯାଇଥାଏ ଏବଂ ଇଷ୍ଟ ଦେବଦେବୀ ଓ ପୂର୍ବପୁରୁଷଙ୍କୁ ନବାନ୍ନ ଅର୍ପଣ କରିସାରିବା ପରେ ପ୍ରତ୍ୟେକ ବ୍ୟକ୍ତି ସାନରୁ ବଡ଼ ଯାଏ ସମସ୍ତେ ନିଜ ନିଜ ମୁଣ୍ଡରେ ଲଗାଇ ନବାନ୍ନ ପ୍ରସାଦ ଭକ୍ଷଣ କରିଥାନ୍ତି। ନୂଆଁଖାଇ ଅବସରରେ ସାନମାନେ ବଡ଼ମାନଙ୍କୁ ନୂଆଁଖାଇ ଜୁହାର କରନ୍ତି। ପ୍ରଥମେ ଗ୍ରାମଦେବତୀଙ୍କ ପୀଠ ବା ଭାଗବତ ଟୁଙ୍ଗିରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କଠୁ ଆଶୀର୍ବାଦ କାମନା କରିଥାନ୍ତି । ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି ପାଳନ କରାଯାଇଥାଏ। ଏହିଦିନ ଆହୁରି ଧୁମଧାମ୍‌ରେ ପିଠାପଣା, ମାଛ, ମାଂସ ଇତ୍ୟାଦି କରି ଭୋଜିଭାତ ମାଧ୍ୟମରେ ବନ୍ଧୁମିଳନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ। ସ୍ଥାନେ ସ୍ଥାନେ ନବାନ୍ନ ଭକ୍ଷଣ ପରେ ସାତ ଆଠଦିନ ପରେ ମଧ୍ୟ ଆଖପାଖ ସାଂସ୍କୃତିକ ଦଳ ଓ ମୁଖ୍ୟ ଲୋକମାନଙ୍କୁ ନେଇ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାର ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନୂଆଁଖାଇ ପର୍ବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହୋଇଥାଏ । ଏହା ବ୍ୟତୀତ ରାଜ୍ୟ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ଓ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ମଧ୍ୟ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟ୍‌ଘାଟ୍‌ର ଆୟୋଜନ କରାଯାଇଥାଏ। ନୂଆଁଖାଇ କେବଳ ଏକ ପର୍ବ ନୁହେଁ,ଏହା ଆମ ସାଂସ୍କୃତିକ ଜୀବନ ଶୈଳୀ। ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଓ ସାନମାନଙ୍କୁ ସ୍ନେହ ଶ୍ରଦ୍ଧା ଓ ଖୁସି ବାଣ୍ଟିବା ଆମ ସଂସ୍କୃତିର ବୈଶିଷ୍ଟ୍ୟ ଏବଂ ତାହା ହିଁ ପ୍ରତିଫଳିତ ହୋଇଛି ଏହି ପର୍ବରେ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର