ମନୋରଞ୍ଜନ
ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ, ସେବାୟତଙ୍କ ବିବାଦ ଯୋଗୁ ଗତକାଲିଠୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ୱର: ମକର ସଂକ୍ରାନ୍ତିରେ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ । ସେବାୟତଙ୍କ ବିବାଦ ଯୋଗୁ ଗତକାଲିଠୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ଆଜି ମକର ସଂକ୍ରାନ୍ତି ଅବସରରେ ମହାଦେବଙ୍କ ପାଖରେ ନବାନ୍ନ ଲାଗି ହୋଇଥାନ୍ତା । ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଉପବାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଓ ନୀତି ବନ୍ଦ ରହିଥିଲା। ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନି। ଫଳରେ ଆଜି ମଧ୍ୟ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ। ଯେପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନ ଆସିଛି ସେ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ ବୋଲି କହିଛି ବ୍ରାହ୍ମଣ ନିଯୋଗ ସମ୍ପାଦକ।
ବିଗତ କିଛି ବର୍ଷ ହେବ ବିବାଦ ଚାଲିଥିଲା । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ବଡ଼ୁ ନିଯୋଗ । ଦେବୋତ୍ତର ବିଭାଗକୁ ଏହି ବିବାଦର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଯାଏଁ ଏହାର ସମାଧାନ ହୋଇପାରିଲା ନାହିଁ । ଏଣୁ ଗତକାଲି ସନ୍ଧ୍ୟା ଧୂପ ପରଠାରୁ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି ବନ୍ଦ ରହିଛି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନୀତି ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ । ବାରମ୍ବାର ପ୍ରଭୁ ଲିଙ୍ଗରାଜ ଉପବାସରେ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ ।





