ମନୋରଞ୍ଜନ
ଓଡ଼ିଶା
ଓଡ଼ିଶାର ରାସନ ଆବଣ୍ଟନ ବ୍ୟବସ୍ଥାରେ ଏସ୍ଏଚ୍ଜିଙ୍କ ଭୂମିକାକୁ ନୀତି ଆୟୋଗର ପ୍ରଶଂସା
ଭୁବନେଶ୍ୱର: ଗର୍ଭବତୀ ମହିଳା, ମା’ ଏବଂ ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଘରକୁ ଘର ଦିଆଯାଉଥିବା ରାସନ (ଟେକ୍ ହୋମ୍ ରାସନ) ଆବଣ୍ଟନ ବ୍ୟବସ୍ଥାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭାଗିଦାରୀ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ପ୍ରଶଂସା ମିଳିଛି। କୁପୋଷଣ ଦୂର ଦିଗରେ ମହିଳା ଏସ୍ଏଚ୍ଜିଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କୁହାଯାଇଛି। ଟେକ୍ ହୋମ୍ ରାସନ (ଟିଏଚ୍ଆର) କାର୍ଯ୍ୟାନ୍ୱୟନରେ ରାଜ୍ୟ ଓ କେନ୍ଦ୍ରଶାସୀତ […]
ଭୁବନେଶ୍ୱର: ଗର୍ଭବତୀ ମହିଳା, ମା’ ଏବଂ ଶିଶୁ ମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଘରକୁ ଘର ଦିଆଯାଉଥିବା ରାସନ (ଟେକ୍ ହୋମ୍ ରାସନ) ଆବଣ୍ଟନ ବ୍ୟବସ୍ଥାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭାଗିଦାରୀ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ପ୍ରଶଂସା ମିଳିଛି। କୁପୋଷଣ ଦୂର ଦିଗରେ ମହିଳା ଏସ୍ଏଚ୍ଜିଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କୁହାଯାଇଛି। ଟେକ୍ ହୋମ୍ ରାସନ (ଟିଏଚ୍ଆର) କାର୍ଯ୍ୟାନ୍ୱୟନରେ ରାଜ୍ୟ ଓ କେନ୍ଦ୍ରଶାସୀତ ଅଞ୍ଚଳର ସରକାରଙ୍କ ସଫଳ ପଦକ୍ଷେପକୁ ନେଇ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ମୂଲ୍ୟାୟନ କରାଯାଇଥିଲା। ଏଥିରେ ଓଡ଼ିଶାର ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି। ଏହି ବ୍ୟବସ୍ଥାରେ ଗୁଣବତ୍ତା ଏବଂ ପରିମାଣ ସୁନିଶ୍ଚିତ କରିଥିବାରୁ ଓଡ଼ିଶାକୁ ପ୍ରଶଂସା କରାଯାଇଛି।
ନୀତି ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାର ପ୍ରତି ବ୍ଲକରେ ହାରାହାରି ଦୁଇଟିରୁ ଅଧିକ ଟିଏଚ୍ଆର ୟୁନିଟ୍ କାର୍ଯ୍ୟକାରୀ କରାଯାଇଛି ଯାହା ମହିଳା ଏସ୍ଏଚ୍ଜିଙ୍କ ଦ୍ୱାରା ପରିଚାଳିତ। ଏସ୍ଏଚ୍ଜି ଗୁଡ଼ିକ ରାସନ ପାଇଁ ଆବଶ୍ୟକ କଞ୍ଚାମାଲ ନିଜେ ସଂଗ୍ରହ କରୁଥିବା ବେଳେ କେବଳ ଗହମ ଏଫ୍ସିଆଇ ପକ୍ଷରୁ ଯୋଗାଇ ଦିଆଯାଉଛି। ସମସ୍ତ ଏଚ୍ଏଚ୍ଜି ନିକଟରେ ଟିଏଚ୍ଆର ଉତ୍ପାଦନ ପାଇଁ ଏଫ୍ଏସ୍ଏସ୍ଏଆଇ ଖାଦ୍ୟ ଲାଇସେନ୍ସ ସହିତ ଆବଶ୍ୟକ ସରଞ୍ଜାମ ମହଯୁଦ ଅଛି। ରାସନ ଆବଣ୍ଟନ କାର୍ଯ୍ୟ ସମାପନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇ ଥିବାରୁ ପୂରା ପ୍ରକ୍ରିୟାର ଅନୁଧ୍ୟାନ କାର୍ଯ୍ୟ ସହଜ ହୋଇପାରିଛି। ଗାଇଡ୍ଲାଇନ୍ ଅନୁପାଳନ ପୂର୍ବକ ଅନ୍ୟ ସରକାରୀ ବିଭାଗ ସହାୟତାରେ ଟିଏଚ୍ଆର ଉତ୍ପାଦନ ଲାଗି ଜିଲ୍ଲା ସ୍ତରରେ ରାଜ୍ୟ ସରକାର ମହିଳା ଏସ୍ଏଚ୍ଜିଙ୍କ ଚୟନ ବ୍ୟବସ୍ଥା କରିଛନ୍ତି।
ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃତ୍ୱ କମିଟି (ଏମ୍ସି) ଏବଂ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଯାଞ୍ଚ କମିଟି (ଜେସି) ଗଠନ କରାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ରାସନ ଆବଣ୍ଟନରେ ଗୁଣବତ୍ତା ସୁନିଶ୍ଚିତ କରିବା ଦାୟିତ୍ୱ ଏମ୍ସି ଉପରେ ନ୍ୟସ୍ତ କରାଯାଇଛି। ସେହିପରି ଯାଞ୍ଚ କମିଟି ମଧ୍ୟ ଏହାର ଗୁଣବତ୍ତା ଏବଂ ପରିମାଣ ତଦାରଖ କରୁଛି। ଗୋଷ୍ଠୀ ସହଭାଗିତା ଦ୍ୱାରା ନିର୍ଦ୍ଧାରିତ ସମୟରେ ହିତାଧିକାରୀଙ୍କୁ ରାସନ ଆବଣ୍ଟନ ଏବଂ ଗୁଣବତ୍ତା ସୁନିଶ୍ଚିତ କରାଯାଇ ପାରୁଛି। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ଉଦ୍ୟମକ୍ରମେ ସୁପରଭାଇଜର୍, ସିଡିପିଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମିଶନ୍ ଶକ୍ତି ବିଭାଗର କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି। ଏସବୁ ବିଭାଗର ଅଧିକାରୀମାନେ ପ୍ରତି ମାସର ନିର୍ଦ୍ଧାରିତ ତାରିଖରେ ରାସନ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରୁଛନ୍ତି। ପରିଣାମ ସ୍ୱରୂପ ମା’, ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ଉଚ୍ଚ ମାନର ରାସନ ଯୋଗାଣ ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି।






